ଧରା ପୃଷ୍ଠେ ଥିରି ଥିରି
ପ୍ରଚଣ୍ଡ ଗ୍ରୀଷମ ନିଅଇ ବିଦାୟ
ଲୀଳାଖେଳା ତାର ସାରି
ସଜଳ ରେଖାରେ ଆଙ୍କି ଦିଏ ସେ
କେତେ ନୂଆଁ ସମ୍ଭାବନା
ଚାରିଆଡେ ଦେଖ ଶସ୍ୟ ଶ୍ୟାମଳ
ସବୁଜ କ୍ଷେତ୍ର ଆଇନା
ସୋରିଷ କ୍ଷେତରେ ବୁଣିଦିଏ ସତେ
ସୁନେଲି ମିଠା ତା ପାଣି
ଚପଳ ମନରେ ଆଙ୍କିଦିଏ କେତେ
ନବ ପୁଲକ କାହାଣୀ
କୃଷକ ହସଇ ଚାଷରେ ମାତଇ
ହଳ ଲଙ୍ଗଳ ତା ଯୋଚି
କୃଷକର ସ୍ତ୍ରୀ ମୁଣ୍ଡରେ ଘୋଟଣା
ବିଲକୁ ବୁହଇ ନିତି ନିତି
ମୁଲିଆ ଗହଳି କାଦୁଅ ରାସ୍ତାରେ
ମୁଣ୍ଡରେ ଶୋହେ ତଲାରି
ଝଡି ଲାଗିଗଲେ କାମେ ବାଧା ନାହିଁ
ତଲାରିଟି ରକ୍ଷା କବଚ ପରି
ବତୁରାଏ ବର୍ଷା ପ୍ରେମିକ ହୃଦୟ
ଲଗାଇଦେଇ ସେ ଝଡି
ଦୂର ରାଇଜର ପ୍ରେମିକା କୁ ଭାବେ
ବର୍ଷାର ଚିତ୍ର ମନରେ ଧରି
ଶିଶୁମାନଙ୍କର ଲାଗଇ ମେଲଣ
କାଗଜ ଡଙ୍ଗା ଭସାଇକରି
ଓଳିରେ ଫୋଟକା ଫାଟିଗଲା ପରେ
ଡିଅଁନ୍ତି ଯେ ତାଳି ମାରି ମାରି
କାଦୁଅ ରାସ୍ତାରେ ବରଷାରେ ବୁଡି
କଲେଜୁ ଫେରେ ତରୁଣୀ
ଦେହସାରା ତାର ଓଦା ସରସର
ସାଇକେଲ ବୋଲ ମାନୁନି
ଭେଣ୍ଡିଆ ଟୋକାଏ ତାସ୍ ମେଲି ଦେଇ
କୋଠ ଘରେ ବସି ବସି
ନାନା ଗୁଲିଗପ ଚୁଗୁଲାମି କରି
ଖାଲି ପାଟିତୁଣ୍ଡ କରୁଥାନ୍ତି
ଅବିଳମ୍ବେ ଗାଁ ନଦୀରେ ଆସଇ
ଉପର ମୁଣ୍ଡର ବଢିପାଣି
ତା ସହ କେତେ କାଠ ଭାସି ଆସେ
ଲୋକେ ବୁହନ୍ତି ପାଣିରୁ ଛାଣି
ନାନା ଚିତ୍ରରାଜି ହୁଅଇ ପ୍ରକାଶ
ଆସିଲେ ବରଷା ରାଣୀ
ଅଷ୍ଟ ମାସ ଧରି ତାପିତ ଧରଣୀ
ଦେଖାଏ ନବ ଚାହାଣୀ
ନାନା ଫୁଲ ଫଳ ଲାଗଇ ସମ୍ଭାର
ବରଷା ଋତୁରେ ସାର
ଗ୍ରାମ୍ୟ ଜୀବନେ ବରଷାର ଚିତ୍ର
ଭରେ ଖୁସି ଯେ ଅପାର ାା
@ ତ୍ରିନାଥ ବେହେରା,
ବଡକୋଦଣ୍ଡା,ଭଞ୍ଜନଗର
No comments:
Post a Comment