ଆମେ ଛୋଟ ବେଳେ ପ୍ରାୟ ଗାଁକୁ ଯାଉ । ମାଆ ସହିତ ପୁଣି କେବେ ମାଆକୁ ଛାଡି । ଗାଁରେ ଛୁଟିରେ ଵଡବାପାଙ୍କ ପିଲା ଓ ସାନଵାପାଙ୍କ ପିଲା ଓ ଆମେ ଯେଉଁ ଦୁଇ/ତିନି ଯାଇଥାଉ ମିଶି ବହୁତ ମଜ୍ଜା କରୁ । ସାନଵାପାଙ୍କ ଵଡଝିଅ ଟିକିଏ ସବୁକୁ ନିଆରା ଢଙ୍ଗରେ ଦେଖି ଅଭିଯୋଗ କରେ ଆମ ଭିତରୁ କାହାରି ନା'ରେ । ସାନଵୋଉ ତାକୁ କହେ ନାକକାନ୍ଦୁରୀ, ସବୁଥିରେ କେଁ ଵାହାର କରିଵ । ଇୟେ କେଉଁଠି କେମିତି ଚଳିବ କେଜାଣି । ପୁଣି ଯିଏ ହେଲେ ତାକୁ ଵୁଝାଇ ଦିଅନ୍ତି, ତଥାପି ଗୁରୁଗୁରୁ ହୁଏ ମନେ ମନେ । ଆମ ଭିତରୁ ପ୍ରାୟ ଵୁଝିପାରୁନା। ରଜ ଡ୍ରେସ୍ ତା ମନକୁ ଯାଏନି ପ୍ରତିବର୍ଷ । କେବେ ଢିଲା, କେବେ ଛୋଟ, କେବେ ରଙ୍ଗ ଭଲ ଲାଗୁନି, ଏମିତି କେତେ କଣ । ଛୋଟ ମୁଣ୍ଡରେ ଆମର ସେସବୁ ପଶେନି । ମୁଁ ତାଠୁ ବଡ, ହେଲେ ମୋତେ ଏସବୁ ବିରକ୍ତି ଲାଗୁଥିବାରୁ ମୁଁ ଵୁଝାଏନି ଵି ତାକୁ ।
ଅଭିଯୋଗ, ମନର ଆବେଗର ହୁଏତ ସନ୍ତୁଳିତ ଅବସ୍ଥାକୁ ହଲାଇଦିଏ । ଶାନ୍ତି ନଷ୍ଟ କରିବାରେ ଏହା ସହାୟକ ହୁଏ । ନିଜକୁ ନିଜେ ଵୁଝାଇ ପାରୁ ନ ଥିବା ବ୍ୟକ୍ତି ହିଁ ଅଭିଯୋଗ କରିଵସେ । ସମୟ ଅନୁସାରେ ମଣିଷ ଚାଲିବା ଶିଖିପାରିଲେ, କୌଣସି ଅଭିଯୋଗ ତାକୁ ଆକ୍ତାମାକ୍ତା କରି ନ ପାରେ । ମୋ ଵାପା ପ୍ରାୟ ସମୟରେ କହିବା ଶୁଣିଛି, ତୁମେ ଦୁଃଖରେ ଅଛ ଵୋଲି ଯଦି ଭାବୁଛ, ତେବେ ତଳକୁ ଚାହିଁ ଦେଖ, କେତେ ଲୋକ କେତେ କଷ୍ଟରେ ଅଛନ୍ତି ଜାଣିବ, ଯଦି ସୁଖରେ ଅଛି ବୋଲି ଭାବୁଛ, ତେବେ ଉପରକୁ ଚାହିଁ ଦେଖ,ଆହୁରି କେତେ ଲୋକ ଭଲରେ ଅଛନ୍ତି ଦେଖିଵ, ଫଳରେ ତୁମେ ବି କାମ କରିବ, ପଢିବ, ବର୍ତ୍ତମାନଠାରୁ ଆହୁରି ଭଲରେ ରହିବା ପାଇଁ । ଯେମିତି ରହିବାକୁ ଚାହଁ, ନିଜେ ଚେଷ୍ଟାକର, ପର ଧନରେ ପଲେଇମାଆ କାହିଁକି ??? ବାପାଙ୍କ ଅବର୍ତ୍ତମାନରେ ଏଵେ ତାଙ୍କର ବହୁତ କଥା ମନେ ପଡେ । କାହାରି ଵିଷୟରେ ଅଭିଯୋଗ କରିଵାକୁ ସଙ୍କୋଚ ଲାଗେ ।
ଗୋଟିଏ ତରକାରୀ କାହାକୁ ବହୁତ ଭଲ ଲାଗୁଥିଲା ଵେଳେ କାହାକୁ ରୁଚେନି ତ କାହାକୁ ଅଲଗା ଵା କାହାକୁ ଲୁଣିଆ ଲାଗେ । ଭାବନ୍ତୁ ତ ଏମିତି ଅଭିଯୋଗରେ ତିଆରି କଲାବାଲା କଣ କରିବ ?? ମୁଁ କଟକରେ ରହି ପାଠ ପଢି ଆସି ଗୋଟିଏ ଜଙ୍ଗଲ ଘେରା ଗାଁରେ ଚାକିରୀ କଲି । ଉତ୍ତାଳ ତରଙ୍ଗଯୁକ୍ତ ନଦୀଟି ମୁଣ୍ଡିଆଟେ ଭେଟିଲା ପରି ଅବସ୍ଥା । କିନ୍ତୁ ନଦୀ କଣ କେବେ ଅଟକିଵା କିଏ ଦେଖିଛ ?? ଯେମିତି ହେଲେ ଵାଟ କାଟି ସେ ଗଡିଚାଲେ । ଚାଲିଵା ଶିଖିଥିବା ପ୍ରାଣୀ ଅଟକିଵ କାହିଁକି ? ନଦୀ ନିଜ ଵାଟ ତିଆରି କଲା ପରି ସେ ନିଜର ବାଟ ତିଆରି କରିଵ ନିଶ୍ଚୟ । ମୋ କ୍ଷେତ୍ରରେ ତାହାହିଁ ହୋଇଥିଲା, ପରିବେଶ ଵା ପରିସ୍ଥିତି ମୋ ପାଇଁ ବଦଳିବ ନାହିଁ, ମୋତେ ହିଁ ତା ସହ ଖାପ ଖୁଆଇ ଚଳିବାକୁ ହେବାର ମନୋବୃତ୍ତିକୁ ମୁଁ ସହଜରେ ଗ୍ରହଣ କରିଥିଲି । ତେଣୁ ମୋ ଯାଗାରେ ଆଜି ସମ୍ମାନର ସହ ମୁଁ ଅଛି । ସେମିତି କିଛି ଵିଶେଷ ଅସୁବିଧାର ଅଭିଯୋଗ କେଵେ କରିନି । ଯାହାର ସାମାନ୍ୟ ସାମାନ୍ୟ ଅଭିଯୋଗତା ଆପଣ ଶୁଣିଵେ, ସେ ଵେଶି ଅଭିଯୋଗ କରିବ। ଶେଷରେ ତାହା ତାର ଅଭ୍ୟାସରେ ପରିଣତ ହେବ । ତେଣୁ ଶିଶୁ ପାଖରେ ଥିବା ବାପାମାଆ, ଗୁରୁ ଗୁରୁଜନଙ୍କ ଭୂମିକା ଏ କ୍ଷେତ୍ରରେ ଅତୁଳନୀୟ । ସେମାନେ ପିଲାର ଏ ପ୍ରକାର କାର୍ଯ୍ୟକଳାପକୁ କଳେ ବଳେ କୌଶଳେ ଵାହାର କରିଦେଵାକୁ ଚେଷ୍ଟା କରିବା ଆବଶ୍ୟକ। ତାହାହିଁ ହୋଇଥିଲା ମୋ ସାନଵାପାଙ୍କ ଝିଅ ଭଉଣୀ କ୍ଷେତ୍ରରେ । ଵଡ ହେଲା ଵେଳକୁ ତାର ସେ ଅଭିଯୋଗ କରିଵା ଗୁଣ ଚାଲିଯାଇଥିଲା, ଵାହାହେଲା ପରେ ସେ ହେଲା ସୁନାଵୋହୁ ।
ଯେଉଁ ବାପାମାଆ, ଗୁରୁଜନ ମାନେ ପିଲାର ଅଭିଯୋଗ ଖଣ୍ଡନ କରିବାକୁ ଚେଷ୍ଟା ନ କରି ହସନ୍ତି, ତାର ଅଭିଯୋଗ ଅନୁଯାୟୀ କାର୍ଯ୍ୟ କରନ୍ତି, ବଡ ହେଲେ ସେମାନେ ପୁଅଝିଅ ପାଖରେ ରହି ଭାଗ୍ୟକୁ ନିନ୍ଦନ୍ତି, କାନ୍ଦନ୍ତି ଵା ଵୃଦ୍ଧାଶ୍ରମକୁ ଶ୍ରେଷ୍ଠ ଆଶ୍ରୟସ୍ଥଳୀ ଭାବିବାକୁ ଵାଧ୍ୟ ହୁଅନ୍ତି ।
ଅଭିଯୋଗ ପବିତ୍ର ଵୃଦ୍ଧି ପାଇଁ ପ୍ରାଣୀର ଗୁଣ ଯେତେ ଦାୟୀ ନୁହେଁ, ତାର ପାରିପାର୍ଶ୍ବିକ ସ୍ଥିତି, ଗୁରୁଜନ, ଵିଶେଷ କରି ବାପାମାଆ ହିଁ ବେଶି ଦାୟୀ ମନେ ହୁଅନ୍ତି । କାରଣ ପିଲା ଯାହା ମାଗେ ଵା ଚାହେଁ ତାହା ତାଙ୍କୁ ଠିକ୍ ଠିକ୍ ଲାଗେ, ତାହା ତାଙ୍କର ଦୁର୍ବଳତା କାରଣରୁ ହିଁ ହେଉଥାଏ, ସେମାନେ ମାନି ନ ଥାନ୍ତି । ଫଳରେ ଦେଶ ଗୋଟାଏ ଏକଶିଙ୍ଘିଆ, ଏକଧର୍ଷିଆ ଵ୍ୟକ୍ତି ପାଇଁ କଷ୍ଟ ପାଇବା ନିଶ୍ଚିତ ହୁଏ । ଵେଳେଵେଳେ ସିଏ କିଛି ସାଙ୍ଗମାନଙ୍କୁ ଧରି ଅଧର୍ମ ଅକର୍ମରେ ଲିପ୍ତ ହେବାର ଉଦାହରଣ ପାଲଟେ ।
ପୁରାଣ ପୃଷ୍ଠାରୁ ଆମେ ଜାଣିଛୁ, ଯେଉଁ ରାଜକୁମାରମାନଙ୍କର ବାପାମାଆ ଵା ଋଷିଗୁରୁଙ୍କୁ ଅଭିଯୋଗ କରିନାହାନ୍ତି ସେମାନଙ୍କ ନାମ ଆଜି ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଛି । ଗାନ୍ଧିଜୀଙ୍କ ନୀତିରେ କେହି ଅଭିଯୋଗ ନ କରି ଗ୍ରହଣ କରିଥିଲୁ ଵୋଲି ଆଜି ସ୍ଵାଧୀନତା ପାଇଛୁ ।
ଆମ ଦେଶର ଲୋକଙ୍କର ଗୋଟାଏ ସୁନ୍ଦର ଅଭ୍ୟାସ, ସେମାନେ ଛୋଟ ପିଲାଙ୍କ ଅଭିଯୋଗ ଶୁଣି ଭାଇ ଭାଇ ଭିତରେ ଲଢନ୍ତି, ଗୁରୁଙ୍କୁ ଗାଳି କରନ୍ତି, ମାତ୍ର ଯାହା ପରିବେଶ, ଗାଁ, ସହର ଦେଶ ହିତରେ ଥାଏ, ସେଥିରେ ଅଭିଯୋଗ କରନ୍ତି ନାହିଁ, ଫଳରେ ଦେଶରେ ଅଶାନ୍ତି ଛାଇଯାଏ ।
ତେଣୁ ଆମକୁ ମନେ ରଖିବାକୁ ହେବ, ଯାହା ସମୂହ ହିତ ପାଇଁ ଉଦ୍ଦିଷ୍ଟ, ସେଥିରେ ଅଭିଯୋଗ କରିବା, ନତୁବା ନୁହେଁ ।
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର ।