ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ
ଶାଶ୍ଵତ ପ୍ରେମର ପରାକାଷ୍ଠା ଇଏ
ନୁହେଁ ସେତ ଅଶ୍ଳିଳତା
ଚକ୍ଷୁ ଦେଖେ ଯାହା ସତ୍ୟ ନୁହେଁ ତାହା
ସର୍ଜିଛି ଭାଗ୍ୟ ବିଧାତା ।।
ଲୋତକରେ ସିକ୍ତ ତନୁ ମନ ମୋର
ଭାବ ପ୍ରବଣତା ଜାଗେ
ଜାଣି ପୃଷ୍ଠଭୂମି ଚାଲେ ମୋ ଲେଖନୀ
ଯାହା ଭାଗ୍ୟେ ତାହା ଭୋଗେ ।।
ସପ୍ତଦଶ କାଳ ଫ୍ରାନ୍ସର ଶାସକ
ବିଳାସ ବ୍ୟସନ ମେଳେ
ପୁରାତନ କଥା ରହିଅଛି ଗାଥା
ଚତୁର୍ଦ୍ଦଶ 'ଲୁଇ' କାଳେ ।।
ନିଷ୍ଠୁର ଶାସକ ନାହିଁ ତା' ବିବେକ
ନୀରିହ ବୃଦ୍ଧକୁ ସଜା
ଦେଇଗଲା ସିଏ ଚୋରି ପାଇଁ ଖାଦ୍ୟ
କୁବୁଦ୍ଧି ସମ୍ପନ୍ନ ରାଜା ।।
କାରାଗାରେ ରହି ଭୋକ ଉପାସରେ
କାଳକାଟେ ବୃଦ୍ଧ ବ୍ୟକ୍ତି
ତାହାରି ଦୁହିତା ମାଆର ମମତା
ଯୋଗାଏ ତା' ପାଇଁ ଶକ୍ତି ।।
ଶିଶୁ ପୁତ୍ର ଧରି ଦର୍ଶନ ସେ ଲୋଡେ
ଜଗୁଆଳି ପାଶେ ରହି
ଦୟା ପରବଶେ ଛାଡି ଦିଏ ଦ୍ବାର
ନାରୀ, ଶିଶୁ ମୁଖ ଚାହିଁ ।।
ବିବାହିତା କନ୍ୟା ଧରି ଶିଶୁ ପୁତ୍ର
ରେଲିଂ ପାଖେ ଭେଟେ ପିତା
ସହି ପାରେ ନାହିଁ ପିତାଙ୍କର କ୍ଷୁଧା
ନିବାରଣେ ସାଜେ ମାତା ।।
ନିତ୍ୟ ପ୍ରତିଦିନ ଯାଏ କାରାଗୃହେ
କ୍ଷୁଧିତ ପିତାଙ୍କ ପାଶ
ଦେଖୁ ଦେଖୁ ବିତେ ଚାରି ମାସ କାଳ
ଜାଗେ ବଞ୍ଚିବାର ଆଶ ।।
ପରି ଭ୍ରମଣାର୍ଥେ ଆସିଲେ ରାଜନ
ଦେଖିଲେ ବୃଦ୍ଧଙ୍କ ମୁହଁ
ବିଷାଦର ଚିହ୍ନ ନାହିଁ ଆତ୍ମଗ୍ଳାନି
ବିଚଳିତ ତିଳେ ନୁହଁ ।।
ନିଷିଦ୍ଧ ତ' ଥିଲା ଦାନାପାଣୀ ତାର
ଜୀବିତ କିଆଁ ରହିଲା
ଡାକି ଜଗୁଆଳି ଉଚ୍ଚସ୍ବର ତୋଳି
କହ ବିବରଣୀ ଭଲା ।।
କେମନ୍ତେ ଜୀବନ ପାଇଲା ଏ ପୁଣ
ବିନା ଖାଦ୍ୟ ଖାଇ ସିଏ
କର ଅନୁଧ୍ୟାନ ବାର୍ତ୍ତା ଦିଅ ମତେ
ଚବିଶ ଘଣ୍ଟାର ମଧ୍ୟେ ।।
ନ ହେଲେ ଚଢିବ ଶୁଳି ପରେ ସର୍ବ
କାରଣ ଦର୍ଶାଅ ମୋତେ
ଭୟଭୀତ ହେଲେ ସର୍ବ ଜଗୁଆଳି
କେମିତି ଜାଣିବା ସତେ ।।
ନିରୀକ୍ଷଣ କଲେ ଜାଗ୍ରତ ରହିଣ
ଆସେ କନ୍ୟା ତାର ପାଶେ
କାଖେ ଛଅ ମାସ ଶିଶୁକୁ ଧରିଣ
କ୍ଷୁଧା ନିବାରଣ ଆଶେ ।।
ନିଜ ସ୍ତନ କ୍ଷୀର ପିତାଙ୍କୁ ପିଆଇ
ଆତ୍ମ ଶାନ୍ତି ଲାଭ କରେ
ଦେଖି ଏଇ ଦୃଶ୍ୟ ସ୍ତବ୍ଧ ସର୍ବ ଲୋକ
ଆଖିରୁ ଲୋତକ ଝରେ ।।
ପୁତ୍ରୀ ମମତାକୁ ଦେଖି ରାଜନର
ତରଳେ କ୍ରୁର ହୃଦୟ
ଆଶ୍ଚର୍ଯ୍ୟ ଚକିତ ହୋଇ କହେ ସିଏ
ମୁକ୍ତକର ଯାଇ ବୃଦ୍ଧ ।।
ଅଦ୍ଭୁତ ବନ୍ଧନ କିଣି ନେଲା ମନ
ବିଗଳିତ କରି ପ୍ରାଣ
କନ୍ୟାର ଆନନ୍ଦ କି ବର୍ଣ୍ଣିବି ଆଉ
ପାଇ ପିତାଙ୍କ ଜୀବନ ।।
ଧନ୍ୟ ସେ ଦୁହିତା ଧନ୍ୟ ତା' ମମତା
ମହୀୟସୀ ଗରିୟାନ
ନାରୀ ଜାତି ପାଇଁ ଗର୍ବ ଓ ଗୌରବ
ତା' ପାଦେ କରେ ନମନ ।।
ଚିତ୍ରକର ସେ "ନିକୋଲାସ ଲାଙ୍କ୍ରେଟ"
ଆଙ୍କି ଦେଲେ ଚିତ୍ରପଟ
ହୃଦୟ ସ୍ପର୍ଶୀ ସେ ତୂଳିରେ ଜୀବନ୍ତ
ମମତା ସେ ନିଷ୍କପଟ ।।
No comments:
Post a Comment