Monday, November 30, 2020

କାର୍ତ୍ତିକ ପୂର୍ଣିମା

ବାସନ୍ତୀ ଲତା ଜେନା


 କାର୍ତ୍ତିକ ପୂର୍ଣ୍ଣିମା  ଆଜି ଲୋ ସଜନୀ 

       ଡ଼ଙ୍ଗା ଭସାଇବା ଆସ    

ମନ୍ଦିରକୁ ଯିବା ବିଗ୍ରହ ଦେଖିବା 

       ରଜ ରାଜେଶ୍ୱର ବେଶ    l୧l

ନଡ଼ିଆ କଦଳୀ ବେଲ ପତ୍ର ସଙ୍ଗେ 

        ତୁଳସୀରୁ କିଛି ନେବା 

ଭକ୍ତି ସହକାରେ ଆରାଧନା କରି 

       କୃପା ଭିକ୍ଷା କରୁଥିବା    l୨l 

ଆମ ପରମ୍ପରା ଆମର ସଂସ୍କୃତି 

       ସବୁଠୁ ନିଆରା ଜାଣ         

ନୌବାଣିଜ୍ୟକୁ ମନେ ପକାଇବା 

        ଜଳେ ଡ଼ଙ୍ଗା ଭସାଇଣ  l ୩l

କଦଳୀ ପଟୁକା ଅବା ସୋଲ ଡ଼ଙ୍ଗା 

        ଚିତ୍ର ରଙ୍ଗ ବେରଙ୍ଗର 

ପାନଗୁଆ ଥୋଇ ଧୂପ ଦୀପ ଦେଇ 

       କୁସୁମର ସମାହାର     l୪l

ବୋଇତ ବନ୍ଦୀବl ଆହୁଲା ମାରିବା 

      ସାଧବର ସ୍ମୃତି ମାନ 

ଅତୀତ ଗୌରବ ମନେ ପକାଇବା 

       ପଞ୍ଚୁକ ପୂର୍ଣ୍ଣିମା ଦିନ    l୫l

ଆଜିର ଦିନରେ ସାଧବ ପୁଅ ଯେ 

       ଯାଉ ଥିଲେ ଦୂର ଦେଶେ 

ବାଣିଜ୍ୟ କରିଣ ଧନରତ୍ନ ଭରି 

        ଫେରନ୍ତି ଆଷାଢ଼ ମାସେ    l୬l

ଆଜିର ଦିନରେ ବାଲି ଯାତ୍ରା ହୁଏ 

       ସଭିଏଁ ଖୁସି ହୁଅନ୍ତି 

ବାଣିଜ୍ୟ ସକାଶେ ସାଧବର ପୁଅ 

        ଏହି ଠାରୁ ଯାଇଥାନ୍ତି  l୭l

ନିରାମିଷ ଖାଦ୍ୟ ଆହାର କରନ୍ତି 

         ଯେତେକ ହବିଷ୍ୟ ଆଳି 

ଶ୍ରୀକ୍ଷେତ୍ରକୁ ଯାଅ ଅବା ଘରେ ଥାଅ 

         ଭାଗବତ ପ୍ରେମେ ଭାଳି  l୮l

ଚଉଁରା ମୂଳରେ ପଞ୍ଚ ମୁରୁଜରେ 

        ଅଙ୍କା ଯାଏ ଜଗନ୍ନାଥ 

ଭାଇ ବଳଦେବ ଭଉଣୀ ସୁଭଦ୍ରା 

         ସାଥେ ହୁ'ନ୍ତି ଉପବୀତ   l୯l

ତୁଳସୀ ମୂଳରେ ପୂଜନ କରନ୍ତି 

       ରାଇଦାମୋଦର କଥା 

କାର୍ତ୍ତିକ ବ୍ରତର ସମାପନ ହୁଏ 

        ହରି ଭକ୍ତି ପ୍ରେମ ଗାଥା  l୧୦l


ଗାନ୍ଧିନଗର, ନବରଙ୍ଗପୁର  

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy