ସନ୍ତୋଷ କୁମାର ସାହୁ
ସମୟ ଅପରାହ୍ନ ସାଢେ ପାଞ୍ଚଟା l ପଶ୍ଚିମ ଆକାଶରେ ସୂର୍ଯ୍ୟ ବୁଡିବାକୁ ବାହାରିଲାଣି ଶ୍ରାବଣୀ ତରତର ହୋଇ ଫେରୁଥିଲା , ସହରରୁ ଘର ଥିଲା ଆଉ ପନ୍ଦର କିଲୋମିଟର ପାଖାପାଖି ବାଟ |
ଆଜି କୁମାର ପୂର୍ଣ୍ଣିମା , ଦିନସାରା ଉପବାସ,ପୂଜାକରି ଭୋଗ ଖାଇବ ଶ୍ରାବଣୀ l ଆଖିରେ ଅନେକ ସ୍ବପ୍ନ ଚେକା ମାଡ଼ି ବସିଛି l ଜରୁରୀ କାମ ଥିବାରୁ ଘରୁ ବାହାରି ଆସିଥିଲା l ହଠାତ ସ୍କୁଟିଟି ଅଧା ବାଟରେ ବନ୍ଦହୋଇଗଲା, ଯେତେ ଚେଷ୍ଟା କଲେବି ଆଉ ଗାଡ଼ିଟା ଷ୍ଟାର୍ଟ ହେଲାନାହିଁ | ବାଟରେ ଯାଉଥିବା କିଛିଲୋକ ସହାୟତା କରିବାକୁ ଆସି ବିଫଳ ହୋଇ ସମବେଦନା ପ୍ରକାଶକରି ନିଜନିଜ ବାଟଧରିଲେ | ଆଉ କେହି ଏକୁଟିଆ ଝିଅଟିକୁ ଦେଖି କୌଣସି ଅଡ଼ୁଆରେ ନ ପଶି ବାଟ ଏଡେଇ ଚାଲିଯାଉଥିଲେ l ଦୁର୍ଯୋଗକୁ ଫୋନଟା ବି ଲାଗିଲା ନାହିଁ ,ନେଟୱାର୍କ ନ ଥିବାରୁ l ନିରୁତ୍ସାହିତ ହୋଇ ଆଶା ଓ ଆଶଙ୍କାରେ ଭୂମିରେ ଲଥକରି ବସିପଡ଼ିଲା ଶ୍ରାବଣୀ |
ସୌଭାଗ୍ୟବଶତଃ ସେହିବାଟଦେଇ ଫେରୁଥିଲେ ସଙ୍ଗମବାବୁ କୌଣସି ଅଫିସ୍ କାମରେ ଯାଇଥିଲେ ଦୂରଏକ ଗାଁକୁ, ଆଉ ଗାଡିର ବେଗ ବଢ଼ାଇ ଦେଇଥିଲେ ସନ୍ଧ୍ୟା ଆଗମନ ଦେଖି | ଶ୍ରାବଣୀ କାହିଁକି କେଜାଣି ହାତଟେକିଦେଲା ,ବୋଧ ହୁଏ ସାହାଯ୍ୟ ପାଇବା ଆଶାରେ ଶେଷ ଆଶ୍ରା ଭାବି | ସଙ୍ଗମ ଆଗକୁ ବଢ଼ିଯାଇଥିଲେ ମଧ୍ୟ ଅଣଦେଖାକରି ଚାଲିଯିବାକୁ ଉଚିତ ମନେକଲେନାହିଁ |
ଆସି ପଚାରିଲେ .. ...କଣ ହେଲା ?
ହେଲେ ସେତେବେଳକୁ ଚିହ୍ନ୍ନି ସାରିଥିଲେ ପୁରୁଣା ଦିନର କଲେଜ ସାଥି ଶ୍ରାବଣୀକୁ |
ଆରେ ତୁମେ ଶ୍ରାବଣୀ ନା ?
ହଠାତ୍ ଏଠି ?
ଶ୍ରାବଣୀ ଠିକ ଠଉରେଇପାରିଥିଲା ଜୀବନ ପାଇଲା ଭଳି ଚମକି ଉଠି କହିଲା ହଁ.. ହଁ.. |
କୁଆଡେ ଯାଇଥିଲ ?
ତମେ ସଙ୍ଗମ ତ l
ଗାଡ଼ିଟା ଷ୍ଟାର୍ଟ ହେଉନାହିଁ, ଚୁମ୍ବକରେ କହିଗଲା ଶ୍ରାବଣୀ ଆରମ୍ଭରୁ ଶେଷ ଯାଏ | ଏ ମଧ୍ୟରେ ସଙ୍ଗମ ଗାଡିକୁ ସଜାଡ଼ିବା ପାଇଁ ପ୍ରୟାସ ଜାରି କରି ସାରିଥିଲେ | କିନ୍ତୁ ସଫଳ ହେଲେନାହିଁ | ସେତବେଳକୁ ମୁହଁ ସଞ୍ଜ ହେଇଗଲାଣି | ଧୀରେ ଧୀରେ ଜଙ୍ଗଲିଆ ରାସ୍ତାଟି ନିଛାଟିଆ ହେଇପଡିଲା | ସେଠାରେ ବେଶୀ ସମୟ ରହିବା ନିରାପଦ ନଭାବି ସଙ୍ଗମ କହିଲା ଏଠି ବେଶୀ ସମୟ ରହିବା ଠିକ ନୁହେଁ |
ସେହି ସମୟରେ ସେହି ବାଟ ଦେଇ ଯାଉଥିବା ଲୋକଟିଏ କହିଲା ଆଂଜ୍ଞା ପାଖ ଗାଁରେ କହ୍ନେଇ ଭାଇର ଛୋଟ ଗ୍ୟାରେଜଟିଏ ଅଛି | ସେଇଠିକି ନେଇଯାନ୍ତୁ ,ସେ ସଜାଡି ଦେଇପାରିବ |
ସଙ୍ଗମ କହିଲେ ଦେଖ ଶ୍ରାବଣୀ.. ତୁମକୁ ଏକୁଟିଆ ଏଠାରେ ଛାଡି ମେକାନିକ ପାଖକୁ ଯିବା ମୁଁ ଉଚିତ ମଣୁନାହିଁ | ତା ପରେ ସନ୍ଦେହ, ସେ ଏଠାକୁ ଆସିବ କି ନାହିଁ | ଚାଲ ସେଠାକୁ ଯାଇ ଚେଷ୍ଟା କରିବା | ଏହା କହି ଗାଡି ଷ୍ଟାର୍ଟ କଲା | ଶ୍ରାବଣୀ କିଛି ନକହି ଗାଡ଼ିରେ ଯାଇ ବସି ପଡିଲା |
ଦୁହେଁ ଯାଇ ଅନୁସନ୍ଧାନ କରି କହ୍ନେଇ ଭାଇ ଦୋକାନ ପାଖରେ ପହଂଚି ଗଲେ | ସେତବେଳକୁ ସେ ଦୋକାନ ବନ୍ଦ କରୁଥିଲା | ସଂଗମଙ୍କ କଥା ଶୁଣି କହିଲା ଆଂଜ୍ଞା ମୁଁ ସେଠାକୁ ଯାଇ ସଜାଡି ପାରିବିନି | ଏଠାକୁ ଆଣିଲେ ଠିକ କରିଦେବି | ମେକାନିକ କଥା ଶୁଣି ଶ୍ରାବଣୀ ବ୍ୟତିବ୍ୟସ୍ତ ହେଇପଡିଲା | ମେକାନିକ ଦୁହିଁଙ୍କର ଅବସ୍ଥା ଅନୁମାନ କରି କହିଲା ହଉ ଠିକ ଅଛି ମା, ମୋ ଘରଟି ମୋ ଦୋକାନକୁ ଲାଗିଛି | ତୁମେ ଏଠାରେ ଆମ ପିଲା ମାନଙ୍କ ସହିତ ବସିଥାଅ | ମୁଁ ଯାଉଛି ଦଉଡ଼ି ଟିଏ ଆଣୁଛି | ଗାଡ଼ିଟିକୁ ବାନ୍ଧି ଆଣିବା | କଥା କଣ କି, ମୁଁ ବୁଢା ଲୋକ | ସେଥିପାଇଁ ଅମଙ୍ଗ ହେଉଥିଲି | ସଙ୍ଗମ ବାବୁଙ୍କ ସହିତ କହ୍ନେଇ ବାହାରିଗଲା ଗାଡି ଆଣିବାକୁ |
ଏପଟେ ଶ୍ରାବଣୀ ଘର ପିଣ୍ଢାରେ ବସିପଡିଲା | ସେଦିନ କୁମାର ପୁର୍ଣିମାଥିବାରୁ, ଝିଅ ମାନେ ତୁଳସୀ ଚଉରା ମୂଳେ ଚାନ୍ଦପୂଜା କରୁଥିଲେ | ଶ୍ରାବଣୀ ମନେପକାଉଥିଲା ନିଜ ଘର କଥା | କେମିତି ଘରକୁ ଫେରିବ ଵ୍ୟସ୍ତବିବ୍ରତ ହୋଇଯାଉଥିଲା | ପ୍ରାୟ ଅଧଘଣ୍ଟା ପରେ ସଙ୍ଗମବାବୁ ଗାଡିନେଇ ଫେରିଲେ | ମେକାନିକ ଗାଡି ଖୋଲି କାମ ଆରମ୍ଭ କରିଦେଲା |
ସଙ୍ଗମ ଯାଇ ପାଖ ଖଟିଆରେ ବସି ପଡିଲେ | ପାଖରେ ହୁଳହୁଳି ଓ ବନ୍ଦାପନା ରେ ଅଗଣା ପୁରିଉଠୁଥିଲା | ସେପଟେ ଆକାଶରେ ପୂର୍ଣ୍ଣିମାଚନ୍ଦ୍ର ଉଙ୍କି ମାରି ହସି ଉଠୁଥିଲେ | କିନ୍ତୁ ଶ୍ରାବଣୀ କୁ ତାହା ବିଦ୍ରୁପ ପରି ଲାଗୁଥିଲା | ଦୁହେଁ ଅନ୍ୟମନସ୍କ ହୋଇପଡିଥିଲେ କିଛି କ୍ଷଣ ପାଇଁ |
+ + + + + + + +
ସେଦିନ ଠିକ ସେମିତି ଏକ ଅପାଶୋରା ମୁହୂର୍ତ୍ତ ଥିଲା | ଦୁହେଁ ଦୁହିଁଙ୍କ ଠାରୁ ଅଲଗା ହୋଇଯାଇଥିଲେ ଭିନ୍ନ ଏକ କାରଣକୁ ନେଇ | ଉଭୟଙ୍କ ମଧ୍ୟରେ ଭଲ ପାଇବା ଥିଲା | କିନ୍ତୁ କେହି ପ୍ରକାଶ କରିନଥିଲେ | ଦୁହେଁ ଭିନ୍ନ ଭିନ୍ନ ରାସ୍ତାରେ ଚାଲିଯାଇଥିଲେ | ଆଜି ଯଦିବା ପୂର୍ବଦିନର କଥାକୁ ଲେଉଟାଇବାକୁ ଚାହୁଁନଥିଲେ | ଖାଲି ପୂର୍ବ ଅତୀତକୁ ରୋମନ୍ଥନ କରିଚାଲିଥିଲେ | ଏକା ଏକା ନକ୍ଷତ୍ର ପରି l
+ + + + + + + + +
ହଠାତ ଦୁହିଁଙ୍କର ଧ୍ୟାନଭଗ୍ନ ହେଲା କହ୍ନେଇ ମେକାନିକ କଥାରେ | ଆଂଜ୍ଞା ଠିକ ହୋଇଗଲା | ଶ୍ରାବଣୀ ଖୁସିରେ ପର୍ସରୁ ଟଙ୍କା କାଢୁଥିଲା , କହ୍ନେଇ ବାଧାଦେଇ କହିଲା ଆଂଜ୍ଞା ପଛରେ ଦେବେ |
ଆପଣ ଏବେ ଯିବା କଥା ଭାବୁଚନ୍ତିକି ?
ସମୟ ଦଶଟା ହେଲାଣି,ଏ ରାସ୍ତା ମୋଟେ ଭଲ ନୁହେଁ | ଗାଡ଼ିଟା ଏବେ ସଜଡା ହୋଇଛି , ତାଛଡା ବାଟରେ ଯଦି ପୁଣି କିଛି......|
ଶ୍ରାବଣୀ ବ୍ୟସ୍ତ ହୋଇ ପଡିଲା | ସଙ୍ଗମ ବି କିଛି ଭାବି ପାରୁନଥିଲେ କଣ କରିବେ | ଦୁହେଁ ଉଭୟ ପୂର୍ବ ପରିଚିତ ନ ଥିଲେବି ବର୍ତମାନ ନୂଆ , କାହାକୁ କଣ କହିବେ ?
କହ୍ନେଇ କହିଲା ବାବୁ ମୁଁ କାମ ଡେରି ହେବ ଜାଣି ଘରେ କହିଦେଇଥିଲି ରୋଷାଇ କରିଦେବାପାଇଁ | ଗରିବ ଲୋକ , ଛୋଟ ଘର, ଦୋକାନରେ ଯାହା ଦୁଇପଇସା ରୋଜଗାର ହୁଏ ପରିବାର ଚଳାଏ | ଝିଅଟିକୁ କଷ୍ଟେମଷ୍ଟେ କଲେଜରେ ପଢାଉଛି | ଆମର ଛୋଟିଆ ଅଲଗା ରୁମଟିଏ ଅଛି | ରାତିଟା ରହିଯିବେ ,ସକାଳ ହେଲେ ଉଠି ଚାଲିଯିବେ | ଏବେ ମନକୁ ପାପ ଛୁଉଁଚି ,କେତେବେଳେ କୋଉ କଥା ..... ରାତିଟା ରହିଯାନ୍ତୁ ......l
ଠିକ ସେତିକିବେଳେ ଝିଅ କୁଆଁରପୁନେଇ ଭୋଗ ବଢ଼ାଇ ଦେଇ କହିଲା ଆଂଜ୍ଞା ମୁଁ ରୁମ ସଜାଡ଼ିଦେଇଛି , ଆସନ୍ତୁ ଯିବା | ଅଗତ୍ୟା ଆଉ କୌଣସି ଚାରା ନଥିଲା, ଦୁହେଁ ହାତ ଧୋଇ ଭୋଗ ଗ୍ରହଣ କଲେ | ଆତ୍ମ ତୃପ୍ତି ଅନୁଭବ କଲେ l
ଜହ୍ନ ମୁଣ୍ଡ ଉପରକୁ ଉଠି ଯାଇଥିଲା ,ଧଳା ମେଘ ଉହାଡରେ ଲୁଚକାଳି ଖେଳି ଖିଲ ଖିଲ ହସୁଥିଲା ଦୁହିଁଙ୍କୁ ଦେଖି |ମନେ ହେଉଥିଲା ସତେ ଯେମିତି ଆଜିର ଜହ୍ନ ରାତି ତାଙ୍କ ଦୁହିଁ ଙ୍କ ପାଇଁ ଅପେକ୍ଷା କରିରହିଥିଲା କାହିଁ କେତେ କାଳରୁ l
ତାପରେ ଦିଜଣ ଯାକ ରାତ୍ରି ଭୋଜନ କଲେ | କହ୍ନେଇଙ୍କ ସ୍ତ୍ରୀ କହିଲେ ବାବୁ କଣ ଦିଟା ରାନ୍ଧିଦେଇଛି ସୁଆଦ ଅସୁଆଦ କଣ ଜାଣିନାହିଁ | କିଛି ଭାବିବେ ନାହିଁ , ଚଳେଇନେବେ |
ଶ୍ରାବଣୀ କହିଲା ଆରେ ନା ନା, ବହୁତ ଭଲ ହୋଇଛି ମାଉସୀ | ସବୁବେଳେ କଣ ସମାନ ଖାଦ୍ୟ ମିଳେ, ତାଛଡା ଆମ ପାଇଁ ବହୁତ ସୁନ୍ଦର ଓ ସୁସ୍ୱାଦୁ କରି ରାନ୍ଧିଛନ୍ତି | ଉଭୟ ଖାଇସାରି ହାତ ପଖାଳି ଶୋଇବାକୁ ଗଲେ | ହେଲେ ନିଦ ଆସୁଛି କୋଉଠି ?
ଦୁଇ ପରିଚିତ ଅତ୍ମା ଯଦିଓ ନୂଆ ଏକ ପରିସ୍ଥିତିକୁ ସାମ୍ନା କରିବାକୁ ପ୍ରସ୍ତୁତ ନଥିଲେ | ପରସ୍ପର ଗଲା ଦିନର କାହାଣୀ ବର୍ଣନା କରି ଖୁସି ହେଉଥିଲେ ଏବଂ କହ୍ନେଇ ର ପରିବାରକୁ ଧନ୍ୟବାଦ ଦେଉଥିଲେ | ସେଇଠି ବସି ବସି ଢୁଳେଇ ପଡ଼ିଥିଲେ |
ସକାଳୁ କୁକୁଡ଼ା ଡାକରେ ନିଦ ଭାଙ୍ଗିଗଲା | ଉଠି ପ୍ରସ୍ତୁତ ହେଉଥିଲେ | ବଡ଼ି ଭୋର, ସମସ୍ତେ ବି ଉଠି ପଡ଼ିଥିଲେ ଝିଅ ଡିକାସିନି ଚା ଧରି ଠିଆ ହୋଇଥିଲା | ଚା ଟା ପିଇସାରି ଶ୍ରାବଣୀ କହ୍ନେଇଙ୍କ ହାତକୁ ବଢ଼ାଇ ଦେଲା ପାଞ୍ଚଶହ ଟଙ୍କିଆ ଦୁଇ ଖଣ୍ଡ ନୋଟ | କହ୍ନେଇ କହିଲେ ଏତେ କଣ ? ନା ନା.. ମୋର ପ୍ରାପ୍ୟ ନୁହେଁ, ଯଦି ଦେବେ, ମୋତେ ଶହେଟଙ୍କା ମାତ୍ର ଦିଅନ୍ତୁ | ସଙ୍ଗମ କହି ଉଠିଲେ , ଆପଣଙ୍କର ପ୍ରାପ୍ୟ ଆମେ କଣ ଦେଇ ପାରିବୁ | ସେତ ଅମୂଲ ମୂଲ, ଖୁସିରେ ଦେଉଛୁ ରଖନ୍ତୁ | ଆପଣ ମାନବିକତାର ଶ୍ରେଷ୍ଠ ନିଦର୍ଶନ ଦେଖାଇଛନ୍ତି | ଏହାକହି ଝିଅ ହାତରେ ଟଙ୍କା ଗୁଞ୍ଜି ଦେଇ ବାହାରି ପଡିଲେ |
ଗାଁ ମୁଣ୍ଡକୁ ଆସି ପରସ୍ପର ବିଦାୟ ନେବା ପାଇଁ ଯାଉଥିଲେ | ଶ୍ରାବଣୀ କିପରି ଭାବରେ ଧନ୍ୟବାଦ ଦେବ ଜାଣିପାରୁନଥିଲା | ଜହ୍ନ ଧୀରେ ଧୀରେ ପଶ୍ଚିମ ଆକାଶରେଅସ୍ପଷ୍ଟ ଦେଖା ଯାଉଥିଲେ, ହାତଠାରି ଡାକୁଥିଲେ ଆ...... ଆ...... | ଶ୍ରାବଣୀ ପାଇଯାଇଥିଲା ମନର ରାଜ କୁମାର ଆଉ ସଂଗମ ହାତ ବଢାଇଥିଲେ କରମର୍ଦନ ପାଇଁ ; ସମ୍ପର୍କ ମଜବୁତ ହେଉଥିଲା |ଦୁଇ ହାତ ପରସ୍ପର ଠାରୁ ବିଚ୍ଛେଦ ହେବାକୁ ଅମଙ୍ଗ lଅପଲକ ନେତ୍ରରେ ଦୁହେଁ ଦୁହିଁକୁ ଚାହିଁ ରହିଥିଲେ l ଧୀରେ ଧୀରେ ଅପ୍ରସ୍ତୁତ ହାତ ହୁଗୁଳାଇ ନେଲେ ଲାଜରେ l ହସି ହସି ଜହ୍ନକୁ ଧନ୍ୟବାଦ ଦେଇ ବାହାରି ପଡିଲେ ଉଭୟ ନିଜ ନିଜର ଗନ୍ତବ୍ୟ ସ୍ଥାନକୁ ,ମନ କିନ୍ତୁ ଜହ୍ନ ରାଇଜରେ ଉଡ଼ିବୁଲୁଥିଲା ସାଥିର ଉଷ୍ମ ଚୁମ୍ବନ କୁ ନେଇ l
_________
ନବରଙ୍ଗପୁର
No comments:
Post a Comment