Wednesday, November 11, 2020

ଭୀଷ୍ମ ଶରଶଯ୍ୟା

✍ସୁଧାଂଶୁ କୁମାର ତ୍ରିପାଠୀ


      ସ୍ବେଚ୍ଛାମୃତ୍ୟୁ ଭଳି     ବରଦାନ ସହ

ବଞ୍ଚିବାକୁ ସିନା ଦେଲ

ଜୀବନ ଦୀପାଳି     ସଜାଇଛ ଭରି

ଅନୁକମ୍ପା ରୂପୀ ତେଲ ।

ଥିଲା କି କଠୋର    ଅଟଳ ସଂକଳ୍ପ 

ଅଧର୍ମ ପକ୍ଷରେ ରହି

କୁଳବଧୂ କୃଷ୍ଣା      ନିର୍ଯାତନା ମଧ୍ୟ

ନୀରବେ ଯିବାକୁ ସହି ?

ଭୂମିକା ଦେଇଛ     ପୁରୁଷେ ପୂର୍ବରୁ

ନାଟକୀୟ ପରପଞ୍ଚେ

ଚରିତ୍ର ଗୁଡିକୁ       ବୁଝାଇ ନଥିଲ

ଶେଷ ଯାଏଁ ରଙ୍ଗମଞ୍ଚେ ।

ଯେଉଁ ହସ୍ତିନାର     ରାଜ ସିଂହାସନ

ରକ୍ଷା ପାଇଁ ଥିଲା ପଣ

ତାହାରି ଉତ୍ତର    ଦାୟାଦଙ୍କ ସାଥେ

କରିବାକୁ ହେଲା ରଣ ।

ଗଙ୍ଗାପୁତ୍ର ବୋଲି    ସଭିଙ୍କ ଦୃଷ୍ଟିରେ

ଥିଲି କେବେ ବିବସ୍ବାନ

ବିଧବା ବଧୂଙ୍କ    ଲୋତକ ଗଙ୍ଗାରେ

କରିବାକୁ ହେଲା ସ୍ନାନ ।

ଭାଗ୍ୟରେ ନଥିଲା    କଳାକନାଟିଏ

ବାନ୍ଧି ଦେବାପାଇଁ ଆଖି

ପ୍ରଶଂସା ଜାଗାରେ   ନିନ୍ଦିତ ହେବାକୁ

କରିଥିଲ ମୂକସାକ୍ଷୀ ।

ଦୁଃସାଧ୍ୟ ବିଷମ     ବ୍ରତ ସାଧିବାରେ

ଦେବବ୍ରତ ମୋର ନାମ

ପଶ୍ଚାତାପେ ସଜ୍ଜା    ଏହି ଶରଶଯ୍ୟା 

ପ୍ରତୀକ୍ଷିତ ପରିଣାମ ।

ଶେଷଦୃଶ୍ୟ ଆଗୁ    ମରିଯିବା ପାଇଁ

ଥିଲା ତୁମ ନିର୍ଦେଶନା

ଅନ୍ତେ ମୂଳରୂପ     ଦର୍ଶନ ନିମନ୍ତେ

କରିବନି ଆଉ ମନା ।

ତୃଷିତ ଶିଖାର      ନିର୍ବାପନ ଲାଗି

ଯୋଗାଇ ତୁଳସୀ ପାଣି

ପାର୍ଥର ମୁଖରୁ    ଶୁଣାଇବ ମୋତେ

ତୁମ ଭାଗବତ ବାଣୀ ।


**********
କୃପାସିନ୍ଧୁପୁର
ଶେରଗଡ
ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy