ଅରୁଣ କୁମାର ମହାପାତ୍ର
ଦାଣ୍ଡର ଧୂଳିରେ
ପ୍ରଥମ ପାଦ ବୋଧେ ଥାପିଥିଲିି
ତୁମର ଆଙ୍ଗୁଳି ଧରି ।
ବୁଲିଥିଲି ଗାଆଁ ଦାଣ୍ଡେ
ତୁମ କାନ୍ଧେ ବସି
ଥକି ଯାଇଥିଲେ ବି
ନିର୍ବିକାର ଥିଲା ମୁହଁ ଟି ତୁମର ।
କେତେ ସୁଖଦ ଥିଲା ସେ ନିଦ
ଥିଲା କେତେ ନିରାପଦ
ଶୋଇଯାଉଥିଲିି ଯେବେ
ତୁମ ପେଟକୁ ଜାବୁଡ଼ି।
ସ୍ନେହ ସହ ତାଗିଦ୍ କରିଛ କେତେ,
ଆକଟର ଶବ୍ଦ ସବୁ
ଶକ୍ତ ଲାଗୁଥିଲା ସତେ।
କିନ୍ତୁ ପର୍ବତଭଳି ନିଶ୍ଚଳ ରହି
ମାର୍ଜିତ କରି
ଗଢି ଦେଇଥିବା ଜୀବନଟା ବୋଧେ
ବର୍ତ୍ତମାନ ଚକଲଗା ରଥ ଭଳି
ଗଡ଼ିଚାଲେ ପଥୁରିଆ ଚଟାଣ ଉପରେ।
ତୁମ ଉପଦେଶ ଆଉ ଜ୍ଞାନ ଦର୍ଶନ
କରି ଦେଇଛି ଆଜି ଆତ୍ମନିର୍ଭରଶୀଳ
ଆଉ ଶିଖାଇ ଦେଇଛି
ଆତ୍ମଭିମାନରେ ବଞ୍ଚିବାର ଶୈଳୀ।
ତୁମେ ଶିଖାଇ ଦେଇଛ
ଅନ୍ଧାରୁ ଆଲୋକ ସାଉଣ୍ଟିବାର ରାସ୍ତା।
ଆଉ ମଧ୍ୟ ଉଦାସୀନତାରୁ ବାହାରି ଆସି
ବଞ୍ଚିବାର ଶୈଳୀ।
ତୁମେ ଥିଲ ଅଛ ଆଉ ଥିବ
ମୋର ଦିଗଦର୍ଶକ ଓ ପ୍ରେରଣାର ଉତ୍ସ।
ଅଶ୍ୱପୁରମ, ତେଲେଙ୍ଗାନା
No comments:
Post a Comment