Wednesday, November 11, 2020

କାର୍ତ୍ତିକର ଅନ୍ତଃସ୍ୱର

 ...ସ୍ମୃତି ଚୌହଦୀରେ କାର୍ତ୍ତିକ ମାସ...

        ମୋ କୁନି ଆଖିରୁ ନିଦ ଛାଡ଼ୁ ଛାଡ଼ୁ ଫର୍ଚ୍ଚା ଦିଶିଯାଏ ଚାରିଆଡ଼..। ଚଉରାମୂଳ ବି ସଜେଇ ହେଇସାରିଥାଏ ରଙ୍ଗବେରଙ୍ଗ ମୁରୁଜରେ । ମୋ' ପାଇଁ ଆଉ ଜାଗା ନଥାଏ । ମୁଁ ମନଦୁଃଖ କରେ । ବଡ଼ମାନେ ବୁଝେଇ ସୁଝେଇ ମୁରୁଜ ପକେଇବାକୁ କହନ୍ତି । ମୋ କୁନି ଟିପରେ କ'ଣ କେତିକି ମୁରୁଜ ଯାଏ କେଜାଣି ମେଞ୍ଚା ମେଞ୍ଚା ପଡ଼ି ବିଲେଇ ରାମ୍ପୁଡ଼ିଲା ପରି ଦିଶେ । କିନ୍ତୁ ଅନ୍ୟମାନେ କହନ୍ତି ବଢ଼ିଆ ହେଇଛି ! ବୋଧେ ସେଇ 'ବାହାଃବା' ମତେ ଆଜି ଗୋଟେ ଚିତ୍ରଶିଳ୍ପୀ ବନେଇଦେଇଛି..!! ଚାହୁଁ ଚାହୁଁ ଆସିଯାଏ ଦୀପାବଳି..! ଶ୍ରାଦ୍ଧ ପଡ଼ିବ ବୋଲି ସମସ୍ତେ ବ୍ୟସ୍ତ ଦିନସାରା-ମୁଁ ବୁଝିପାରେନି; କିନ୍ତୁ ଖାଲି ବୋଲହାକ କରିପକାଏ । ଏତେ ଲୋକରେ କି ଖୁସି..!! ଖାଲି 'ବଡ଼ବଡ଼ୁଆ ହୋ' କହିଲା ବେଳକୁ କାଉଁରିଆ ପଛପଟୁ ଏତେ ଧୂଆଁ ବାହାରେ ଯେ ମୁଁ ବିକଳରେ ତାକୁ ଚାହିଁଥାଏ- ଗୁରୁଜନମାନେ ଶିଖେଇଦିଅନ୍ତି କେମିତି ଧରନ୍ତି ସେ କାଠି, କେମିତି ପ୍ରାଣଭରେ ଡାକନ୍ତି ପୂର୍ବପୁରୁଷମାନଙ୍କୁ..ମତେ କିଛି ଶୁଣାଯାଏନି..କ'ଣ ସେମାନେ 'ବଡ଼ବଡ଼ୁଆ ହୋ' ପଦ ପରେ ଗାଆନ୍ତି-- କିନ୍ତୁ ମୁଁ ସେଇ ସ୍ଵରରେ ଲହରେଇ କେତେ କ'ଣ ଗାଇଯାଏ ! ସେଇ ବର୍ଷକୁ ଥରେ ଦେଖିବାକୁ ପାଏ କେତେ କେତେ ଗୁରୁଜନମାନଙ୍କୁ..ସେତେବେଳେ 'ଈଶାଣ' କ'ଣ, 'ବଡ଼ବଡ଼ୁଆ' କ'ଣ କିଛି ମୁଣ୍ଡରେ ପଶୁନଥିଲା..ଆକାଶକୁ ସମସ୍ତେ କାଉଁରିଆ ଦେଖାଇ ଚାହିଁଲାବେଳେ ମୁଁ ଖୋଜୁଥିଲି 'ଜହ୍ନମାମୁଁ'କୁ..ଧେତ୍ ! କେଡ଼େ ବୋକା ଥିଲି ମୁଁ ?! ଅମାବାସ୍ୟାରେ ମାମୁଁ କୁଆଡ଼ୁ ଆସିବେ ?? "ଆ କା ମା ବୈ.." ଏତିକି ପାଟିରେ ପଶୁଥିଲା । ସେତିକି ଯଥେଷ୍ଟ ଥିଲା ସେତେବେଳେ.. ବୋଧେ ସେଇ 'ଯଥେଷ୍ଟ' ମତେ ଆଜି ମୋ ସଂସ୍କୃତିକୁ ଜାଣିବାକୁ-ବୁଝିବାକୁ-ପାଳନ କରିବାକୁ 'ସଚେଷ୍ଟ' କରିଦେଇଛି ।

          ଏବେ ବୁଝିପାରୁଛି କେତେ ପୁଣ୍ୟ କରିଥିଲା 'କୃତ୍ତିକା', ଗୋଟେ ମାସକୁ ଜାବୁଡ଼ି ଧରିଛି ଆଧ୍ୟାତ୍ମିକତାର  ରଜ୍ଜୁରେ..ଦୁର୍ଲ୍ଲଭ ମହାପ୍ରସାଦର ବାସ୍ନାରେ..ପ୍ରେୟସୀ ରାଧାର ପାଦଦର୍ଶନରେ..ନିତ୍ୟ ରାଧାଦାମୋଦର ବେଶରେ..ମହ ମହ ହବିଷ ଭାତରେ..ମିଞ୍ଜି ମିଞ୍ଜି ଆକାଶ ଦୀପରେ..ମୋ ଓଡ଼ିଆକୁଳର ଗର୍ବଗୌରବ-ଐତିହ୍ୟ ସିଞ୍ଚିତ ବୋଇତ ବନ୍ଦାଣରେ...।।


ପ୍ରିୟରଞ୍ଜନ ସାହୁ
ରସୁଲଗଡ଼,ଭୁବନେଶ୍ୱର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy