Monday, August 16, 2021

ଜୟୀ ରାଜଗୁରୁ

*କବି ସୌରଭ*
*ବୈଜୟନ୍ତୀ ମାଳା ମହାପାତ୍ର*

ମହାନ ଯୋଦ୍ଧା ବୀର ପାଇକ
ମୁକୁନ୍ଦ ଦେବ ସେନା ନାୟକ
ଓଡ଼ିଆ ପୁଅ ବୀର,
ତାଙ୍କରି ନାମ ମୁକ୍ତି ସଂଗ୍ରାମେ
ଲେଖା ଯେ ସ୍ୱର୍ଣ୍ଆକ୍ଷର ll

ଉତ୍କଳର ସେ ପ୍ରଥମ ଯୋଦ୍ଧା
ଯେ କରି ଥିଲେ ବଳକୁ ଅଧା
ଇଁରେଜ ମାନଙ୍କର,
ତାଙ୍କରି ନାମ ଶୁଣିଲା ମାତ୍ରେ
ଲୋମ ଯେ ଥରହର ll

ମହା ଚାଲାକ ବଣିକ ଜାତି
ଭୟ କାତରେ ରାତିକେ ରାତି
ଚୁଗୁଲିଆଙ୍କୁ ଧରି,
ବନ୍ଦୀ କରିଲେ ରାଜ ଗୁରୁଙ୍କୁ
ଫାନ୍ଦଫିକର କରି ll

ମେଦିନୀପୁର ବାଘତୋଟାରେ
ବର ଗଛର ଦୁଇ ଡାଳରେ
ବାନ୍ଧି କରିଲେ ଫାଳ,
ବୀର ଶହୀଦ ହୋଇଲେ ସିଏ
ମନରେ ଭରି ବଳ ll

ତାଙ୍କରି ଭଳି ଯୋଦ୍ଧା ନିର୍ଭୀକ
ନାହିଁ କେ ଆଉ ବୀର ସୈନିକ
ସ୍ୱାଧୀନତା ସଂଗ୍ରାମେ,
ଉତ୍ସର୍ଗ କରି ନିଜ ପରାଣ
ଅମର ଧରାଧାମେ ll

ସତର ଶହ ଅଣଚାଳିଶ
ଅକ୍ଟୋବରର ଅଣତିରିଶ
ଶୁଭ ତାରିଖ ଦିନ,
ପୁରୀ ଜିଲ୍ଲାରେ ଜନମ ଲଭି
ଜୀବନ କଲେ ଧନ୍ୟ ll

ଅଠର ଶହ ଛଅ ମସିହା
ଡିସେମ୍ବରର ଛଅରେ ଠିଆ
ହୋଇ ସହୀଦ ରୂପେ
ଇହ ଧାମକୁ ଛାଡ଼ି ସେ ଥିଲେ
ବୀର ଦର୍ପରେ ଆପେ ll

ଉତ୍କଳ ମାତା ସୁଯୋଗ୍ୟ ସୁତ
ଜ୍ଞାନ ଗୁଣ ଓ ବଳେ ବିଖ୍ୟାତ
ତାଙ୍କ ସରି କେ ନାହିଁ,
ମଥାଟି ନୁଏଁ ଚରଣେ ତାଙ୍କ
ଦେଶ ପ୍ରେମକୁ ଚାହିଁ ll

    *ଫୁଲବାଣୀ, କନ୍ଧମାଳ*

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy