Monday, August 16, 2021

ହାଏରେ ଶ୍ରାବଣ

                     କଳ୍ପନା ରାୟ


ଓଃଃ....... କି ଗରମ୍ !!!  ଏ କରେଣ୍ଟ ବି ମଣିଷର ବଡ଼ ବୈରୀ ଆଜିର ଦିନରେ ।  ଏକଦମ୍ ବିରକ୍ତ ମୁଡ୍ ରେ ସ୍ବାମୀଙ୍କୁ ଦେଖି ମନୀଷା ତରତର ହୋଇ ରୋଷେଇ ଘରକୁ ଚାଲିଗଲା । ହାତରେ ଦୁଇକପ୍ କୋଲ୍ ଡ କଫି ଧରି କିଛି ସମୟ ଭିତରେ ଚାଲିଆସିଲା ସ୍ବାମୀଙ୍କ ପାଖକୁ । ସ୍ବାମୀ କୋଲ୍ ଡ କଫି ନେଉ ନେଉ କହିଲେ ଚାହା କଲନି, ମୁଣ୍ଡଟା ପ୍ରବଳ ବିନ୍ଧୁଛି । ଅଫିସରେ ବହୁତ ଗଣ୍ଡଗୋଳ, କୋଉଠି ସପ୍ଲାଏ ପାଣି କମ୍ ଆସୁଛି ତ କୋଉଠି ନଳକୂପ ଅଚଳ । ବାରମ୍ବାର ସଜାଡ଼ିଲା ପରେ ମଧ୍ୟ ପାଣି ଆସୁନି । କ'ଣ କରିବ‌ ମଣିଷ ?? ଆଷାଢ଼ ଗଲା, ବିନା ବର୍ଷା, ଠାଏ ଠାଏ ଅଳ୍ପ ବର୍ଷାରେ, ଏବେ ଶ୍ରାବଣ ଲୁଚକାଳି ଖେଳୁଛି । ଜମି ଶୁଖିଲାଣି । କୂଅ ପୋଖରୀ କଥା କିଏ ପଚାରେ ?? ଏ ଲୋକଗୁଡା ଵୁଝୁନାହାନ୍ତି କେମିତି ?? ପାଣି ଆସିବ କୁଆଡୁ ?  ସ୍ତ୍ରୀ ମନୀଷା କଅଁଳିଆ ସ୍ବରରେ କହିଲେ, ତୁମେ ତୁମ ଘର କଥା ଚିନ୍ତା କର । କେତେ ପାଣି ଖର୍ଚ୍ଚ । ପାଣି ନ ହେଲେ ମଣିଷ କ'ଣ ଚଳି ପାରିବ ??? 


ନାହିଁ ନ ଥିବା ଗରମ ଏ ବର୍ଷ । ଡଗି ତ ଯେତେ ଗାଧୋଇଲେ ବି ଭୋ ଭୋ କରୁଛି, ଆହୁରି ଗାଧୋଇବା ପାଇଁ ‌। ଏତିକିବେଳେ ସିତୁ ଆସି ସିଧା ଚାଲିଲା ବାଥ୍ ରୁମ୍ । ଆରେ ବାପାଟା ପା, ଏଇଠି ଟିକେ ବସ, ଝାଳ ମରିଯାଉ, ତୁ ଥାଇ ଗାଧୋଇଚୁ । କାହିଁକି ଶୁଣିବ ସିତୁ । କହିଲା, ତୁ ବସ୍, ମୁଁ ଆଉ ସମ୍ଭାଳି ପାରିଵିନି, ମନୀଷା କହିଲେ, ଦେଖୁଛ ଏମିତି ଝାଳନାଳ ହୋଇଥିଲେ ମୋ ବାପା ମନା କରନ୍ତି ଗାଧୋଇବାକୁ, ଥଣ୍ଡା ହୋଇଗଲେ ସେ ନିଆଁ ଲଗା ରୋଗଟାକୁ ପୁଣି ଡରଲାଗୁଛି । କିଏ ମାନୁଛି ମୋ କଥା, ଝିଅ ଆସିଲା, ଗଲା ବାଥରୁମକୁ । ଏଥର ପୁଅ, କେତେ ସମୟରେ ବାହାରୁଛି ଦେଖ । ବାଥରୁମରୁ ପୁଅ କହୁଥିଲା, କାଲି ଏମିତି ଗରମ ଅନୁଭୂତ ହେଲେ ମୁଁ କୁଆଡ଼େ ଯିବିନି ।  ସ୍କୁଲ ନ ଗଲେ ତ କିଛି ହେବନି, ତାହେଲେ ଫିଲ୍ଡ ଯିବୁନି ଖେଳିବାକୁ । ନା଼ଃ...., ଖାଲି ଏଇଠି ତୋ ସାମ୍ନାରେ ବସି ତୋ ଵକର ଵକର ଶୁଣୁଥିବି ।


ଆରେ .... ଠିକ୍, ଠିକ୍ । ସିତୁ ଗୋଟିଏ ବଢିଆ ଆଇଡିଆ ଦେଲା । ହଁ, ପୁଅର ଆଇଡିଆ କି ଭଲ !! ସ୍କୁଲ ଯିବନି, କିନ୍ତୁ ଦୌଡିବା ପାଇଁ ଫିଲ୍ଡ ଯିବ। ସେତେବେଳକୁ ଗରମ୍ ହେବନି ବାବୁଙ୍କୁ । ଆଃ... ,ବାପ ପୁଣି ଯୋଗ ଦେଲେ, ବଢିଆ ଆଇଡିଆ । ନା, ମ, ଶୁଣ ମୁଁ କଣ କହୁଛି, ଯାଉଛି ଵର୍ଷା ଭଲକି ନ ହେବା ପର୍ଯ୍ୟନ୍ତ ମୁଁ ଛୁଟି ନେଇଯିବି, ଏ ବସ୍ତିଵାଲାଙ୍କଠାରୁ ମାଡ଼ ଖାଇବ କିଏ ?? ତା ସାଙ୍ଗରେ ପୁଣି ମନ୍ତ୍ରୀଙ୍କ ତାଗିଦ୍ - ଶୀଘ୍ର ପାଣି ସପ୍ଲାଏ କର, ସବୁ ନଳକୂପ ମରାମତି କରି ମୋତେ କୁହ । ମୂର୍ଖ.... ମନ୍ତ୍ରୀ ତ, ବୁଝାଇଲେ ବୁଝିବ କୁଆଡୁ ? ବସ୍ତିରୁ ତ ଭଲ ଭୋଟ ମିଳୁଛି, ତାଙ୍କ କଥା ନ ଶୁଣି କ'ଣ ଅଫିସରଙ୍କ କଥା ଶୁଣିବ ?? ସବୁଠାରୁ ଭଲ, ମାଆ ଦେହ ଭଲ ନାହିଁ କହି ଛୁଟିନେଇଯିଵି । ବାପ୍ ରେ ବାପ୍ !!! ତୁମେ ଦେଖିନାହଁ, କି ସାଙ୍ଘାତିକ ମାଇକିନାମାନେ !! ବାଲ୍ଟି, ଗରା ଧରି ମୋ ଟେବୁଲ୍ ପାଖରେ ହାଜର । ନା, ନା, କାଲି ଛୁଟି ନେବି । ଅଦୃଶ୍ୟ ଭୁତାଣୁ ଯାହା କରୁଛି ତ କରୁଛି, ତା ସାଙ୍ଗରେ ପାଣି ।  ଧାରା ଶ୍ରାବଣରେ ବୈଶାଖ ମାସର ଖରା !! ମନୀଷା କହିଲେ ତୁମ ଅସୁବିଧା ଵୁଝୁଛି, କିନ୍ତୁ ଭାବିଲ, ଗରୀବଗୁରୁବାଙ୍କର ପୁଣି ଗାଈଗୋରୁ ଛେଳି ମେଣ୍ଢା କୁକୁଡା ଆଦି ପ୍ରାଣୀ ଥିବେ । ଜଣକୁ ଛ' ଲିଟର ହିସାବରେ ପାଣି ଦେଲେ ସେମାନେ ଚଳିଵେ କେମିତି ? ସେତିକି ପାଣି ତ ପିଇବାକୁ ନିଅଣ୍ଟ । ବାକି ସବୁ କାମ ପାଇଁ ପାଣି କୋଉଠୁ ଆଣିବେ । ସେଥିପାଇଁ ଏହି ରାଗ ତାଙ୍କର । ଲୋକ, ସରକାର ମିଶିକି ଗଛ କାଟିଲେ । କୋଉଠି ରାସ୍ତା ହେବ, କୋଉଠି ଟ୍ରେନ ଲାଇନ୍ ଯିବ, ପାଣିପାଇପ ବସିବ ସରକାର କାଟିବେ । ଲୋକ ତାଙ୍କ ବ୍ୟବହାର ପାଇଁ କାଟିଵେ। ବର୍ଷା କୁଆଡୁ ହେଵ, ପାଣି କୁଆଡୁ ଆସିବ, ହଁ ତୁମ ଛୁଟି ଥିବ, ଛୁଟି ନିଅ ।


ଟେଲିଫୋନ ରିଂ ହେଲା, ହାଲୋ.....  ସାର୍..., ସାର୍, ସାର୍..., ସାର୍, ସାର୍ । ଫୋନ୍ କଟିଗଲା । ସେଲ୍ ଫୋନ୍ ଟାକୁ ଟି ପୟ ଉପରେ ରଖିଦେଇ,.....ହାଃ.... କରି ବସିପଡିଲେ । ମନୀଷା କହିଲେ ଆରେ....ଇୟେ କ'ଣ, ହାଲୋ, ସାର୍, ସାର୍, ସାର୍, କହି କ'ଣ ଫୋନ୍ କାଟିଦେଲ । ମନ୍ତ୍ରୀ ଙ୍କ ଫୋନ୍ ଥିଲା, ସେ ସ୍ତ୍ରୀ ଲୋକମାନେ ମନ୍ତ୍ରୀ ଘର ଘେରାଉ କରିଛନ୍ତି, ମନ୍ତ୍ରୀ କହିଲେ, କାଲି ସକାଳ ସୁଦ୍ଧା ପାଣି ସପ୍ଲାଏ ହେବ । ଯୋଉଠି ଥିଲେ ବି ଶୀଘ୍ର କାମ ସାର । ମୁଁ ଆଉ କ'ଣ କହିଥାନ୍ତି .....ହାଏ ରେ ଶ୍ରାବଣ.....ନେଲୁ ତୁ ମୋ ପ୍ରାଣ କହି ଅଫିସର ଉଠିଲେ ।


କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ, 
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,

ଲଇଡା, ସମ୍ବଲପୁର

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy