Sunday, August 15, 2021

ଏ କି ସ୍ୱାଧୀନତା

# ଡ଼. ପଦ୍ମଲୋଚନ ରାଉତ

ଯେଉଁଠି ନାରୀ ନୁହେଁ ସୁରକ୍ଷିତା
    ଯୁବକ ବିପଥଗାମୀ
ରାଜରାସ୍ତାରେ ବସିଛନ୍ତି ଚାଷୀ
     ନେତା ଏଠି ପରାକ୍ରମୀ
     ଜନତା ଆଖିରେ ଲୁହ
ଆତଙ୍କବାଦୀର ଗୁଳି ବନ୍ଧୁକରେ
      ଛୁଟୁଛି ରକତ ସୁଅ  l 1

ହତ୍ୟା ଲୁଣ୍ଠନେ ନାରୀ ବଳାତ୍କାରେ
      ସମାଜ   ଥର ହର
ଲାଞ୍ଚ ନ ଦେଲେ ହୁଏ ନାହିଁ କାମ
     ନିଦା ବିଷ୍ଣୁ ସରକାର
     ଚାରିଆଡେ ହା' ହା' କାର
ଶିକ୍ଷିତ ଯୁବକ ବେକାର ବୁଲୁଛି
      ନାହିଁ ତାର ରୋଜଗାର l  2

ତାଳୁରୁ ତଳିପା ବ୍ୟାପିଛି ଦୁର୍ନୀତି
     ଲୁଣ୍ଠିତ ଦେଶବାସୀ
ନେତାଙ୍କ ଭାଷଣେ ବିକାଶର ଚିତ୍ର
     ମହାଶୂନ୍ୟେ ଆସେ ଭାସି
      ଆସିଛି ସ୍ୱାଧୀନତା
ସାମ୍ପ୍ରଦାୟିକ ହିଂସା ଅନଳେ
       ଜଳୁଚି ଜୀଵନ ଚିତା  l 3

ସୁରକ୍ଷିତ ନୁହେଁ ଜନତା ଜୀଵନ
    ଚାରିଆଡେ ଫୁଟେ ଗୁଳି
ଧରମ ନାଆଁରେ ଚାଲୁଛି ଶାସନ
     ନେତାଏ ବାହୁବଳୀ
      କାନ୍ଦୁଚି ଭାରତ ମାତା
କ୍ଷମତା ଜାଲରେ ବନ୍ଧା ପଡ଼ିଅଛି
     ଏ ଦେଶର ସ୍ୱାଧୀନତା l  4

ହିଂସାର ନିଆଁ ଜଳୁଚି ଦେଶରେ
    ସ୍ୱାଧୀନତା ଅସହାୟ
ତଥାପି ଶୁଭୁଚି ସହସ୍ର କଣ୍ଠରୁ
     ଭାରତ ମାତାକି ଜୟ
    ସତ୍ୟ ଅହିଂସା ପଥେ
ବାପୁ ଆଣିଛନ୍ତି ଏଇ ସ୍ୱାଧୀନତା
    କହି ପାରିବକି ମୋତେ ?? 5

ସେବା ନାଆଁରେ ଚାଲିଛି ଲୁଣ୍ଠନ 
   'ବାବୁ ମାନେ' କୋଟିପତି
ନେତାଙ୍କ ଭାଷଣେ ବିକାଶର ସ୍ବପ୍ନ
       ସ୍ୱାଧୀନତା ଦେଖେ ନିତି
       ହିଂସାର ନିଆଁ ଜାଳି
ସ୍ୱାର୍ଥପର ଶିଖାଉଛି ଦେଶପ୍ରେମ
      ସତ୍ୟ -ଅହିଂସା ଭୁଲି !  6

ତଥାପି ଉଡ଼ୁଛି ଏ ଦେଶ ବକ୍ଷରେ
     ତ୍ରିରଙ୍ଗା ଫର ଫର
"ଜନ -ଗଣ -ମନ "ଗାଉଛି ଜନତା
     ମନେ ନାହିଁ ତିଳେ ଡର
     ଭାରତ ମାତାକି ଜୟ
'ବନ୍ଦେ ମାତରମ' 'ଜୟ ହିନ୍ଦ'ରେ
     ସ୍ୱାଧୀନତା ରଖେ ଲୟ  l  7

        *****
ଗବେଷକ, ଇଂରାଜୀ ସାହିତ୍ୟ
କଳିଙ୍ଗ ବିଶ୍ୱବିଦ୍ୟାଳୟ, ରାଇପୁର l

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy