Sunday, August 15, 2021

ଆଧୁନିକ କବିତାରେ ଦେଶାତ୍ମବୋଧ

*ଆଧୁନିକ କବିତାରେ ଦେଶାତ୍ମବୋଧ*
                   ଡ. ପ୍ରିୟମ୍ବଦା ସାମଲ
ଦେବଭୂମି, ବେଦ ଭୂମି, ଆର୍ଯ୍ଯଭୂମି, ସୁଜଳା ସୁଫଳା ଶସ୍ଯ ଶ୍ଯାମଳା ଭାରତ ବର୍ଷ ସମଗ୍ର ବିଶ୍ବରେ ମହାନ ଏୈତିହ୍ଯ, ପରଂପରା ଓ ସ୍ବର୍ଣ୍ଣ କମଳ ଭାବେ ବିଦିତ ଥିଲା। ଶୌର୍ଯ୍ୟମୟୀ, ବୀର ପ୍ରସବିନୀ, ଶୋଭାମୟୀ ମାଆର ଏୈଶ୍ବର୍ଯ୍ଯକୁ ଦେଖି ବିଦେଶୀ ର ଲୋଭିଲା ଆଖିରେ ଲୁଟିବାର ଅଗ୍ନି ମେଲାଇଲା ତାର ଲେଲୀହାନ ଶିଖା। ବାଣିଜ୍ଯ ବେପାର କରିବାକୁ ଆସି ଅଧିକାର କରି ନେଲା ଆମ ଦେଶମାତୃକାକୁ। ବଡ ଦୁର୍ଭାଗ୍ଯର  ବିଷୟ ଭାରତ ମାତାର ବୀର ସୁଯୋଗ୍ୟ ସଂତାନ ମାନେ ପରସ୍ପର ଯୁଦ୍ଧରତ ଦେଖି ବିଦେଶୀ ବେପାରୀମାନେ ଗ୍ରୁଧପରି ଝାମ୍ପି ନେଲେ ଆମ ଦେଶକୁ। ଶଠତା, ଚତୁରତା, ଛଳନାର କବନ୍ଧ ରେ ବନ୍ଦୀ କରିନେଲେ ଅମଳ ଦେଶମାତୃକାକୁ। ଶାସନ ନାମରେ ଆରମ୍ଭ କରି ଦେଲେ ଶୋଷଣ ଅତ୍ଯାଚାର। ବ୍ଯତିବ୍ଯସ୍ତ ଜନତା ଦଳିତ ,ନିଷ୍ପେଶିତ, ନିର୍ଯାତିତ ହୋଇ ଦୁଃଖ ରେ ଦିନ କାଟିଲେ। ଚିରସ୍ଥାୟୀ ବନ୍ଦୋବସ୍ତ, ସୂର୍ଯ୍ଯାସ୍ତ ଆଇନ୍ ଫଳରେ ଏ ଦେଶକୁ ପଙ୍ଗୁ, ଅଥର୍ବ ଓ କ୍ଷମତାହୀନ କରିଦେଲେ। ଧିରେଧିରେ ବିଦ୍ରୋହର ବହ୍ନି ଦିକି ଦିକି ହୋଇ ଜଳି ଉଠିଲା। ଝାନ୍ସୀର ରାଣୀ ଲକ୍ଷ୍ମୀ ବାଇ, ନାନା ସାହେବ, ତାନ୍ତିଆ ଟୋପୀ ପ୍ରଥମେ ଏଥିରେ ଦେଲେ ପୂର୍ଣ୍ଣ ହୁତି।ରାଜା ରାମ ମୋହନ ରାୟ, ସ୍ବାମୀ ବିବେକାନନ୍ଦ ପାଶ୍ଚାତ୍ୟ ଶିକ୍ଷା ସଭ୍ଯତାକୁ ଆଣି ଜନମାନସରେ ବସାବାନ୍ଧି ଥିବା କୁସଂସ୍କାର ରୂପୀ ଅନ୍ଧକାର କୁ ଦୂର କରିବା ପାଇଁ ଆପ୍ରାଣ ଚେଷ୍ଟା ଚଳାଇଲେ। ଜାତୀୟତାର ଲେଲୀହାନ ଶିଖା ରେ ଲମ୍ଫଦେଲେ ନବ୍ଯ ଶିକ୍ଷିତ ଭାରତୀୟ। ଇଂରେଜର ଦାସତ୍ବ ରୁ ମୁକ୍ତ ହେବାପାଇଁ ସେମାନେ ନେଲେ ଦ୍ରୁତଗାମୀ ସଂକଳ୍ପ। ଏହି ସମୟରେ ୧୮୮୫ରେରେ ଗଠିତ ହେଲା ଭାରତୀୟ ଜାତୀୟ କଂଗ୍ରେସ। ଏହାର ମହାନାୟକ ସାଜିଲେ ମୋହନଦାସ କରମ ଚାନ୍ଦ ଗାନ୍ଧୀ। ତାଙ୍କର ସତ୍ଯ ଅହିଂସାର ଯୁଦ୍ଧରେ ଯୋଗଦେଲେ ଶହ ଶହ ସ୍ବାଧୀନତା ସଂଗ୍ରାମୀ ଓ ଦେଶପ୍ରେମୀ। ଏହି ଦେଶ ପ୍ରାଣତା ମଧ୍ଯ ସାହିତ୍ଯ ରାଜ୍ଯରେ ଏକ ନୂତନ ପର୍ଯ୍ଯାୟ ଆଣିଲା। ଅସୀ ଠାରୁ ମସୀ ଶକ୍ତିଶାଳୀ। ଶକ୍ତ ହୋଇ ଉଠିଲା କଲମ ମୁନ। କବିର ଶାଣିତ ସ୍ରୁଷ୍ଟି ରେ ଜାଗି ଉଠିଲେ ଜନତା। ଜାତିର ପିତା ମହାତ୍ମାଗାନ୍ଧିଙ୍କ ଦେଶ ପ୍ରାଣତା ରେ ଉଦବୁଦ୍ଧ ହୋଇ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଲେଖିଲେ "ବନ୍ଦୀର ଆତ୍ମକଥାରେ"-
ସ୍ବରାଜ ମାନବର ଜନ୍ମ ଅଧିକାର
ଏହା ବିନେ ଦେଶ ହୁଏ ନାରଖାର। 
*************************
ଭାରତର ରାଜ ଧର୍ମ ସନାତନ
ପରଜା ରକ୍ଷଣ ପାଳନ ରଂଜନ। 
ସ୍ବରାଜ୍ୟେ ଏ ନୀତି ହୋଇବ ପ୍ରଚାର
ନରହିବ ଆଉ ଦୁଃଖ ଦୂରାଚାର।
ନ ସହିବ କଷ୍ଟ କେହି ଅନାହାରେ
ନ ମରିବ ଦୁଃଖି ଧନୀଙ୍କ ପ୍ରହାରେ। 
ତାଙ୍କର ଧର୍ମପଦ, ବନ୍ଦୀର ସ୍ବଦେଶ ଚିନ୍ତା, ଗୋମହାତ୍ମ୍ଯରେ ଦେଶାତ୍ମବୋଧକ ତାର ସ୍ବର ବେଶ୍ ବାରି ହୋଇ ପଡେ। ଦେଶପ୍ରାଣତାର ସ୍ବରରେ ଅନୁପ୍ରାଣିତ ହୋଇ ଲେଖନୀ ସ୍ପର୍ଶ ରେ ଅମ୍ଳାନ କବିତା ସ୍ରୁଷ୍ଟି କଲେ"ରଣଦୁନ୍ଦୁଭି " କବି ବୀର କିଶୋର-
      ଅହିଂସା ଆମର ଧର୍ମ ନୀତି
     ସାହସ ଆମର କର୍ମ ଭିତ୍ତି
    ଚରିତ୍ର ଆମର ପରମ ଦେବତା
   ଜୀବନର ବ୍ରତ ସ୍ବାଧୀନତା
      ବନ୍ଧୁ, ସେହି ଚିନ୍ତା। 
ଅହିଂସା, ଚରିତ୍ର ଗଠନ ଓ ଜାତିଭେଦ କୁ ମଧ୍ଯ ଗୁରୁତ୍ବ ଦିଆଯାଇ ଥିଲା।ଇଂରେଜ ମାନଙ୍କ ଅତ୍ଯାଚାର ପ୍ରସଙ୍ଗରେ ଗଣକବି ବୈଷ୍ଣବ ପାଣି ଲେଖିଥିଲେ-
   ବଣିଆ ଟୋକାଟା ଉଠାଇ ଦେଲାଣି
   ଜିଅଲଖାନାର କର ହେ
   ଦେଶ କାମ କରି ପଶଯା ତହିଁରେ
   ବରଷକୁ ଦଶ ଥର ହେ। 
ଚଳଚଂଚଳ ହୋଇ ଉଠିଲା ଓଡ଼ିଶା ର ବରପୁତ୍ର ମାନଙ୍କ ଲେଖନୀ। ଦେଶାତ୍ମବୋଧକତାରେ ମାର୍କସବାଦୀ ଚିନ୍ତା ଓ ଚେତନାକୁ ନେଇ କାଳନ୍ଦୀ ଚରଣ ପାଣିଗ୍ରାହୀ ଲେଖିଲେ "ମାଟିର ମଣିଷ"(୧୯୩୦), " ମୁକ୍ତାଗଡ଼ର କ୍ଷୁଧା "(୧୦୩୨), "ଅମର ଚିତା"(୧୯୩୩), "ଲୁହାର ମଣିଷ "(୧୯୩୭)। ସେହିପରି " "ମାଂସର ବିଳାପ "ଓ ପୁନଶ୍ଚ ଗଳ୍ପ ରେ ଦେଲେ ସାମ୍ବାଦିକ ଓ ଦେଶାତ୍ମବୋଧକତା। ସାଧାରଣ ମନୁଷ୍ଯର ଅଧିକାରକୁ ଦେଲେ ପ୍ରାଧାନ୍ଯ। ତରୁଣ ସନ୍ଯାସୀ ଅଭିରାମ ପରମହଂସ ରଚନା କଲେ" କଳି ଭାଗବତ"। ସେଥିପାଇଁ ସେ କାରାବରଣ କରିଥିଲେ। 
     ଗୋରା ପଲଟଣ ଯା'କୁ କହି
        ପଚିଶ ପ୍ରକୃତି ଟି ଏହି
        ଏହିଟି ବିଦେଶୀ ଅଟନ୍ତି
        ସ୍ବରାଜ୍ୟ ଉଜାଡିଣ ଦ୍ଯନ୍ତି। 
ଇଂରେଜ ବିରୁଦ୍ଧ ରେ ଏବଂ ଗାନ୍ଧୀ ବାଦକୁ ସ୍ବାଗତ କରି ଦେଶ ପ୍ରାଣତା ରେ ଉଦବୁଦ୍ଧ ହୋଇ ନାରୀ କବି କୁନ୍ତଳା କୁମାରୀ ଲେଖିଲେ"ଆହ୍ବାନ " କବିତାରେ-
  ସେନାପତି ଆଜି ଦେଇଅଛି ଡାକ
  ଉଠ ଭାରତର ବୀର ପୁତ୍ର ଯାକ
ଅପୂର୍ବ ଅସହେଯାଗ ରଣାଙ୍ଗନେ
ଆଜୀବନ ଅଣ୍ଟା କଷି ପରା ଜଣେଜଣେ
ଭାରତର ଯେତେ ବୀର ଗୁଣ ମଣି
ଚାଲିଆସ  ସେନାପତି ଡାକ ଶୁଣି। 
ଭାରତର ସ୍ବାଧୀନତା ସଂଗ୍ରାମ ରେ ବରପୁତ୍ର ମାନଙ୍କର ଅବଦାନ ଅପରିସୀମ। ତେଣୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ତ ଜନତା ପାରସ୍ପରିକ ବିଭେଦ ଓ ସ୍ବାର୍ଥ କୁ ତ୍ଯାଗ କରି ଜାତିପ୍ରେମ ରେ ଉଦବୁଦ୍ଧ ହେବାର ଅତ୍ଯନ୍ତ ଆବଶ୍ଯକତା ରହିଛି। ନିଜ ନାଆରେ ନାଉରି ହୋଇ ଦେଶମାତୃକାର
ଏୈକ୍ଯ,ସାର୍ବଭୌମତା ,ଜାତୀୟ ତାକୁ ବଜାୟ ରଖିବାକୁ ସତତ ତତ୍ପର ହେବାର ଅତ୍ଯନ୍ତ ଆବଶ୍ଯକତା ରହିଛି। ତେଣୁ ସମସ୍ତେ ଆମେ ଏକ ସ୍ବରରେ କହିବା"ଭାରତମାତା କି ଜୟ"। 
(ଏହା Prangya Prativa  ପତ୍ରିକାରେ ପ୍ରକାଶିତ) 
ପାରଳାଖେମୁଣ୍ଡି, ଗଜପତି

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy