ଧନ୍ୟ ଏ ଦୁନିଆ ଧନ୍ୟ ଏ ଜନମ
ଧନ୍ୟ ଏ ଦୁନିଆ ନୀତି
ଅନୀତିର ମାର୍ଗ ପ୍ରଶସ୍ତ ଏଇଠି
ମନେ ଦିଏ ବହୁ ଭୀତି ।
ଏ ରଙ୍ଗ ମଞ୍ଚରେ ସର୍ବେ କଳାକାର
ରଙ୍ଗ ବୋଳା ପ୍ରିୟାପ୍ରୀତି
ସ୍ୱାର୍ଥରେ ଜଡିତ ସର୍ଵ ଜନାଦୃତ
ହୃଦୟେ ଭରି ଅନୀତି ।
ଧରି ହରିନାମ କରନ୍ତି ଅନୀତି
ସ୍ୱାର୍ଥକୁ ଗଣ୍ଠିଲି କରି
କାନ୍ଦି କାନ୍ଦି ନିଜ ଭଣ୍ଡାର ଭରନ୍ତି
ଆନ ହୃଦେ ଦୁଃଖ ଭରି ।
ବିଚିତ୍ର ଦୁନିଆ ବିଚିତ୍ର ସଭ୍ୟତା
ଅସଭ୍ୟଙ୍କ ଗନ୍ତାଘର
ନିଜ ସୁଖ ଶାନ୍ତି ସଭିଙ୍କର ଚିନ୍ତା
ନୀତିରୁ ସଭିଏଁ ଦୂର ।
ଆହେ ଦୟମୟ ଜଗତ ପାଳକ
ଦେଖ ଦୁନିଆର ନୀତି
ସୁନ୍ଦର ସୃଷ୍ଟିରେ ସୃଷ୍ଟି କରିଥିଲ
ସୁନ୍ଦର ମଣିଷ ଜାତି ।
ଜ୍ଞାନ ଗୁଣ ଧର୍ମ ସବୁ ତ ଦେଇଛ
ମାନବକୁ ଶ୍ରେଷ୍ଟ ବୋଲି
ଶ୍ରେଷ୍ଟ ପ୍ରାଣୀ ହୋଇ ଅନୀତି ଆଧାରେ
ଖେଳୁଛି ରକତ ହୋଲି ।
ଶେଷ କର ପ୍ରଭୁ କଳିକାଳ ନୀତି
ଅନୀତିକୁ ଶେଷ କର
ଏ ମହିମଣ୍ଡଳ ସୁନ୍ଦର ସର୍ଜନା
ଅନୀତିରୁ ହେଉ ଦୂର ।
ସଭ୍ୟ ମାନବର ଅସଭ୍ୟ ଅଭ୍ୟାସ
ସଭ୍ୟତା କଲାଣି ନଷ୍ଟ
ଦେଖି ଦେଖି ପ୍ରଭୁ ସରଳ ମନରେ
ହେଉଛି ଅନେକ କଷ୍ଟ ।
ଆହେ ଭାବଗ୍ରାହୀ ଅଭାବ କିମ୍ପାଇଁ
ଜଗତେ ଦେଇଛ ଭରି
ଭାବକୁ ନ ବୁଝି ମଣିଷ ଜାତିର
ମନକୁ ନେଇଛ ହରି ।
ଦୟମୟ ହରି ଶୁଣ ମୋ ଗୁହାରି
ଦୁନିଆର ବଡ ଦାଣ୍ଡେ
ମିଥ୍ୟା ପ୍ରବଞ୍ଚାନା ଛାଡୁ ଏ ଦୁନିଆ
ସତ୍ୟ କହୁ ପ୍ରାଣୀ ତୁଣ୍ଡେ ।
ସତ୍ୟର ମହିମା ପ୍ରସାରିତ ହେଉ
କଳିକାଳ ହେଉ ଶେଷ
ଜୀବନ ଦୁଆରୁ ଭୟ ଲୋପ ପାଉ
ସତ୍ୟରେ ଚଳୁ ମଣିଷ ।
*ଜୟ ଜଗନ୍ନାଥ.........🙏🏻*
*ରଞ୍ଜନ କୁମାର ପଣ୍ଡା*
*କୋରାପୁଟ*
No comments:
Post a Comment