(ପ୍ରିୟଦର୍ଶିନୀ ମିଶ୍ର)
ନୁହଁଇ ସେ ବାରିଧାରା
ବହି ଯିବ ସ୍ରୋତଟେ ହୋଇ...
ଝିପି-ଝିପି ଧାରା ସାଥେ
ଭରିଦେବ ତାଳର କୋଳ...
ଏତେ ଶକ୍ତି ନାହିଁ ତା'ର,
ନେଇ ପାରିବ କୋଳେଇ କୁମୁଦକୁ,
ପଦୁଅଁରେ ଭରିଦେବ ତା ପଣତକୁ,
ତଥାପି,
କ୍ଷଣକର ଅସ୍ତୁତ୍ଵ ଲଭି
ଶୋଇଛି ପତରର ଶେଯରେ
କିଛି କ୍ଷଣ...କିଛି ନିମିଷ ପାଇଁ,
ଭାସ୍କରର କରସ୍ପର୍ଶ ପାଇଲା ପରେ
ଲୀନ ହୋଇଯିବ ପ୍ରାଣ ତା'ର...l
କ୍ଷଣସ୍ଥାୟୀ ଅସ୍ତିତ୍ଵ ସିନା,
ବିନ୍ଦୁ ଭଳି ସେଇ ବୁନ୍ଦାଟିଏ ,
ନିର୍ଲିପ୍ତ ହୋଇ ପତର ଉପରେ
ବିଞ୍ଛିଦେଇ ଯାଏ କିଛି କ୍ଷଣର ଝଟକ,
ହୀରକ ପରି ଔଜ୍ଜଲ୍ୟ ତା'ର..,
ମୁକ୍ତାପରି ସୌନ୍ଦର୍ଯ୍ୟର ପ୍ରତୀକ ଏକ l
ପ୍ରତ୍ୟୁଷ ପ୍ରହରର ଅଳ୍ପ ଏ ଆୟୁଷ
ମୋଦଭରା ବାରିବିନ୍ଦୁ ମନେଭରେ ପୀୟୂଷ,
ଦୁନିଆଁକୁ ଦେଇଯାଏ ମହତ ସନ୍ଦେଶ,
ନୁହେଁ ସଜୀବଟେ,ନୁହେଁ ପ୍ରାଣବନ୍ତ,
ଭାସ୍କରର କର ପାଇ ନିମିଷଟେ
ଉଦ୍ଭାସିତ-ଦୀପ୍ତିମାନ ହୁଏ ପ୍ରାଣ ତା'ର
ନଶ୍ଵର,କ୍ଷୁଦ୍ର ବୁନ୍ଦାଟିଏ ମାତ୍ର,
ତଥାପି,
ଶିଖାଏ ଜୀବନ ଜୀଇଁବାର ମାନେ l
ଏଇ କ୍ଷଣିକ "ଓଷ" ର ଅସ୍ତିତ୍ଵ
ଦେଇ ଯାଏ ମାନବ କୁ ମହାଶିକ୍ଷା...
ଥାଉ ପଛେ କ୍ଷଣିକ ପ୍ରାଣ,
ସୁଖ-ଦୁଃଖ ବିଷାଦ-କୋହର ଜୀବନ
ସର୍ବସ୍ଵ ଭୁଲି ଝଟକି ଉଠ ,
ଦୁନିଆଁ-ଦାଣ୍ଡରେ ନିର୍ମାଣ କର
ଏକ ଅଲିଭା ସ୍ମୃତି,
ମରିବା-ମେଣ୍ଟିବା ପୂର୍ବରୁ
ପ୍ରତିଟିକ୍ଷଣ ହେଉ ଏକ ସ୍ମାରକ ସଦୃଶ
ଔଜ୍ଜଲ୍ୟଭରା ହେଉ ପ୍ରତି ମୁହୂର୍ତ୍ତ
ଏଇ "ଓଷ"ର ଅସ୍ତିତ୍ଵ ସମ l
ପ୍ରିୟଦର୍ଶିନୀ ମିଶ୍ର
ଜୁନାଗଡ଼ (କଳାହାଣ୍ଡି)
ଜନ୍ମଭୂମି-ମଣ୍ଡଳ (ବଲାଙ୍ଗିର)
No comments:
Post a Comment