Monday, January 4, 2021

ବଣମଲ୍ଲୀ💐

                   ସରସ୍ବତୀ ନାୟକ 

          ସୁରଭି ଭର୍ତ୍ତି ମୋ ଦେହେ 

              ସୁନ୍ଦରେ ନିପୁଣା

          ବଣ   ମୁଲକରେ  ବାସ 

              ଜଗତରେ ଜଣା       ।।

           କରେନାହିଁ   ଅଭିମାନ 

              ମାନ କା' ଉପରେ 

           ଅନ୍ଧାରିରାଇଜେ  ରହି 

            ନିନ୍ଦେ ମୋ ଭାଗ୍ୟରେ  ।।

          ଅଟବୀରେ ହୋଇ ଜନ୍ମ

             ସୁବାସ  ବିତରେ 

          ଉଚ୍ଚନୀଚ   ଭେଦଭାବ 

             ନାହିଁ ମୋ ହୃଦରେ     ।।

          ଗୁଣ ଥାଇ   ଅସମ୍ମାନ 

              ଦୁର୍ଗୁଣେ ପ୍ରଶଂସା 

         ସତେ ଜନ୍ମ   ଅପରାଧ

              ହୁଏ ଲୋକହସା       ।।

         ମୋର ସମ  ହତାଦର 

              ଗାଁଆର ପ୍ରତିଭା 

         ତା' ଗୁଣକୀର୍ତ୍ତନ କିଏ 

              କରିବ କାହୁଁବା        ।।


                     ପୁରୀ

କୃଷକ

କବି ଗଗନ କୁମାର ଦାଶ


ଜାଗରେ ମୋହର କୃଷକ ସମାଜ

ଧରି ଲଙ୍ଗଳର ମୁନ,

ତଡି ଦେବା ପରେ ଇଂରେଜ ସମାଜ

ବଢିଅଛି ଆମ ମାନ ।


ଦଳିତ ପତିତ ନୁହେଁ ରେ ଆମେ

ସମାଜର ସେବା ପାଇଁ,

ଜାତିର ଗୌରବ ବଢାଉ ଆମେ ରେ

ମନ ରେ ଗରବ ନାହିଁ ।


ସବୁ ସମ୍ପତ୍ତି କୁ ଢାଲି ଦେଉ ଆମେ

ପର ଉପକାର ପାଇଁ,

ଟିକେ ହେଲେ ଦୁଃଖ ଆମର ମନରେ

ଜନମ ହୁଅଇ ନାହିଁ ।


ବରଷା ଆମର ପ୍ରିୟ ବନ୍ଧୁଟିଏ

ବଳଦ ଆମର ମିତ,

ଲଙ୍ଗଳ, ଯୁଆଲି, ଶଗଡ, ଢିପେଇ

ଆମର ନିଜ ସଙ୍ଗାତ ।


ଗ୍ରୀଷ୍ମ, ଶୀତ, ବର୍ଷା ଡରୁନା କେବେରେ

ମୁଠେ ଅନ୍ନ ଦେବା ପାଇଁ,

ଗରୀବ ମୁହଁ ରେ ହସଟି ଦେଖିଲେ

ଗରବେ ଛାତି ଫୁଲଇ ।


ଗୋଟିଏ କ୍ଷେତରେ ଅନେକ ଫସଲ

ଉପୁଯାଇ ଆମେ ପାରୁ,

ଆମରି ପାଇଁ ତ ଏହି ସଂସାର ରେ

ବଞ୍ଚୁଅଛ ମରୁ ମରୁ ।


ବାସି ପଖାଳରେ ଶାଗ ଭଜା ଖାଇ

ମାଟି ସହ ମାଟି ହେବୁ,

ଆମରି ଅର୍ଜନେ ଗରବ କରନ୍ତି

ଧୋବ ଧଉଳିଆ ବାବୁ ।


ତୋଷାମଦକାରୀ ନୁହଁଇ ଆମେରେ

ଆମ ପାଇଁ ସାହା ମାଟି,

ପରକୁ ବଞ୍ଚାଇ ନିଜେ ମରିଗଲେ

ଦୁଃଖ ଆସେନି ଆମଠି ।


ଆସ ଭାଇମାନେ ପରିଶ୍ରମ କର

ବେକାରୀ ହୋଇବ ଦୂର,

କର୍ମ କୋଢା ହୋଇ ପରର ହାତକୁ

ତୁମ ହାତକୁ ନ ପାର ।


ମାଁ ମାଣିକେଶ୍ଵରୀ  ସାହି
ମୋହନା, ଗଜପତି-୭୬୧୦୧୫

ବାହାନା

        ବାସନ୍ତୀ ଲତା ଜେନା


ମନୁଷ୍ୟ ସ୍ଵଭାଵ ଜନ୍ମରୁ ସ୍ୱଚ୍ଛତା

        ପରିବର୍ତ୍ତନ ବଡ଼ରେ

ପ୍ରତି ପ୍ରଦକ୍ଷେପ ବାହାନା କରଇ

       ମିଥ୍ୟା ଆଳସ୍ୟ ପଣରେ    l୧l


କେତେ ବେଳେ ସିଏ ସ୍ୱାର୍ଥପର ହୋଇ

      କରି ଥାଏ ତ ବାହାନା

ନିଜ ପରିବାର ଦାଇତ୍ୱ ନେବାକୁ

      କରି ଥାଏ ତ ଛଳନା    l୨l


ସ୍ୱାର୍ଥ ପର ହୁଏ ଭାଇ ଭଉଣୀର

        କାଟି ଦିଏ ସ୍ନେହ ଡୋରି

ନିଜ ଘର ଛାଡି ବାହାରେ ରୁହଇ

      ନିଜ ପିଲା ଛୁଆ ଧରି     l୩l


ବୃଦ୍ଧ ପିତା ମାତା ପର କରି ଦିଏ

      ନନା ବାହାନା ଦେଖାଇ

ଅନାଥ ଆଶ୍ରମେ ନେଇ ଛାଡି ଦିଏ

       ଅଶ୍ରୁରେ ଚକ୍ଷୁ ଭିଜଇ    l୪ l


ବନ୍ଧୁ ଠାରେ ବନ୍ଧୁ ସ୍ୱଚ୍ଛତା ନ ଥାଏ

         ବିପଦ ଯେବେ ପଡଇ

ମିଛ କଥା କହି ବାହାନା କରଇ

       ଆଡ଼ ହୋଇ ଯାଏ ସେହି   l୫l


ଭାଇର ଦୁଃଖ ଯେ ଭାଇ ନ ବୁଝଇ

       ଆତ୍ମସହୋଦର ହୋଇ

ଉଚ୍ଚ ପଦବୀରେ ଅଭିମାନ କରେ

         ରକ୍ତକୁ ପର କରଇ      l୬l


ପର ଲୋକ ଯେବେ ନିଜର ହୁଅଇ

       ହୃଦୟରେ ସ୍ଥାନ ପାଏ

ବାହାନା ତା' ଠାରେ ବହୁ ଦୂରେ ଥାଏ

        ଶୁଦ୍ଧ ମଣିଷଟେ ସିଏ      l୭l


ମାନ ଅଭିମାନ ବାହାନା ଛାଡ଼ିବା

     ଭକ୍ତିର ମାର୍ଗ ବାଛିବା

ପର ଆପଣାର ଭେଦ ଭାବ ଭୁଲି

      ସଭିଙ୍କୁ ଖୁସି ବାଣ୍ଟିବା        l୮l


ଗାନ୍ଧିନଗର, ନବରଙ୍ଗପୁର 

-ଦମ୍ପତି-

     ସୁକାନ୍ତ ଖଣ୍ଡା

ଘରଚଟିଆ ଚଢେ଼ଇ ଦମ୍ପତି ଚାଳରେ ରହୁଥିଲେ। ସୂର୍ଯ୍ଯ ଉଦୟ ନ ହେଉଣୁ କିଚିରି ମିଚିରି ଶଦ୍ଦ କରନ୍ତି ତ ଘର ଲୋକେ ବିଛଣା ଛାଡ଼ନ୍ତି। ଏହି ଘରଚଟିଆ ଦମ୍ପତି କାହିଁ କେତେ ଦିନରୁ ବସା ବାନ୍ଧି ରହିଥିଲେ। ଘର ଲୋକଙ୍କ ସଙ୍ଗେ ତାଙ୍କର ଏମିତି ଭାବ ହୋଇ ଯାଇଥିଲା ଯେ ଘର ଲୋକେ ଏ ଦମ୍ପତିକୁ ଘଡି଼ଏ ନ ଦେଖିଲେ ନ ଚଳେ। 

          ଦିନେ ପୁରୁଷ ଘରଚଟିଆ ବାହାରକୁ ଯାଇଥିଲା। ସ୍ତ୍ରୀ ତା'ର ଅଣ୍ଡା ଉଷୁମାଉଥିଲା। ପୁରୁଷ ଘରଚଟିଆ ସକାଳୁ ଯାଇ ସଞ୍ଜ ସରିକି ଫେରିଲା ନାହିଁ ତ ସ୍ତ୍ରୀ ତା'ର ମନ ଦୁଃଖ କରି ଖୋଜିବାକୁ ଚାଲିଗଲା। ସ୍ତ୍ରୀ ଯାଇ ଦେଖିଲା ତା'ର ସ୍ବାମୀ ଅନ୍ଯ ଜଣକୁ ଭଲ ପାଇ ଗପସପ ହେଉଛି। ଦୂରରୁ ଦେଖି ଫେରି ଆସିଲା। ତା'ର ହୃଦୟ କୋଣରେ ସୃଷ୍ଟିହେଲା ଲଜ୍ଜା ଓ ଘୃଣା। ସେ ଯେ କେତେ ଭଲ ପାଉଥିଲା ଏ କଥା କହିବା କାଠିକର ପାଠ। ସେ ନିଜକୁ ଦୃଢକଲା ଆଉ ଶପଥ ବି ନେଲା କି ଏ ଅଣ୍ଡାଙ୍କୁ ଫୁଟାଇ ଦୁନିଆର ସୌନ୍ଦର୍ଯ୍ଯ ଦେଖେଇବ। ସେ ସ୍ବାମୀଙ୍କୁ ଭୁଲିଗଲା ଓ ନିଜ କର୍ମରେ ଲାଗିପଡି଼ଲା। ଆଜି ତା'ର ପୁଣି ଦୁଇଟି ଛୁଆ ଜନ୍ମ ହେଲେଣି। ଛୁଆମାନେ ଖଣ୍ଡିଉଡା଼ ହେଲେଣି। ମାଆଙ୍କର ଅସୀମ ଆନନ୍ଦ ଯେ ସ୍ବାମୀଙ୍କର ବିନା ସହାୟତାରେ ଛୁଆଙ୍କୁ ବଡ଼କରି ସାରିଛି।

         ଛୁଆ ଦୁହେଁ ବଡ଼ ହୋଇ ଉଡି ଚାଲିଗଲେ। ମାଆ ଆଜି ପୁଣି ଏକୁଟିଆ। ସେ ସ୍ବାମୀ ବିନା ରହିବାକୁ ହେବ। ଯେତେ ଦିନ ଯାଏ ଇହ ଧାମରୁ ବିଦାୟ ନ ନେଇଛି। ସେ ଏକୁଟିଆ ଖାଇ ପିଇ ରହିଲା। ମନରେ ଦୁଃଖ କି ଶୋକ ନାହିଁ। ଯିଏ ଚାଲିଗଲା ତାକୁ ଫେରେଇ ଆଣିବାକୁ ବି ଇଛା କରୁନି। ସେ ଭାବି ସାରିଛି ଯଦି ମୁଁ ମୋର ସ୍ବାମୀଙ୍କୁ ଫେରେଇ ଆଣିବି। ଭଲ ପାଇ ବାହା ହୋଇଥିବା ସେ ନାରୀର ଅବସ୍ଥା କ'ଣ ହେବ? ଲୁହ ଓ କୋହ ବେଳେବେଳେ ଚିବୁକ ଦେଇ ବୋହିଯାଏ ହେଲେ ପୁଣି ହୃଦୟକୁ ପଥର କରି ନିଜକୁ ଶାନ୍ତ୍ବନା ଦିଏ। 

        ଦିନେ ଏକୁଟିଆ ବସି କାନ୍ଦୁଥିବା ବେଳେ ସେ ଘରର ସାନ  ପୁଅ ଚିଣ୍ଟୁ ଦେଖିଦେଲା ଆଉ କହିଲା,"ମାଆ ! ସେ ମାଆ ଘରଚଟିଆ ଯେ କାନ୍ଦୁଛି କ'ଣ ହୋଇଛି ତା'ର?" ମାଆଙ୍କୁ ତ ଏ କଥା ଜଣା ହିଁ ନ ଥିଲା। କରିବେ କ'ଣ ନା କହିବେ କେମିତି? ସେ କହିଲେ,"ଚିଣ୍ଟୁ ! ଏବେ ନୁହେଁ କିଛି ସମୟ ପରେ କହିବି। ମୋତେ ତା'ର ମର୍ମ ବୁଝିବାକୁ ଦିଅ।" ମାଆ କଥାରେ ଚିଣ୍ଟୁ ନିରବ ରହିଲା। ସେ ଅପେକ୍ଷା କଲା ମାଆ କେବେ କହିବେ?  ଚିଣ୍ଟୁ କିଛି ସମୟ ପରେ କହିଲା,"ମାଆ ! ଆର ସ୍ବାମୀ ଘରଚଟିଆ ଚଢେ଼ଇଟି ବି ଦେଖା ଯାଉ ନାହିଁ ବୋଧେ ତା'ର ଅନୁପସ୍ଥିତି ପାଇଁ କାନ୍ଦୁଥିବ?" ମାଆ କହିଲେ ଠିକ୍ କହିଲୁରେ  ଚିଣ୍ଟୁ? ଯଦି ତୋ'ର ବାପା ପାଖରେ ନ ରହିବେ ମୁଁ କାନ୍ଦନ୍ତି ନାହିଁ କି?" 

           ଛୋଟ ହେଲେ ବି ଚିଣ୍ଟୁ ବୁଝିଲା ଦମ୍ପତି କ'ଣ? ଜଣେ ଆରକ ପାଇଁ ଝୁରିହେବା ହିଁ ତ ଭଲ ପାଇବାର ମାନେ। କେତେ ଭଲ ପାଉଥିଲେ ଏ ଘରଚଟିଆ ଦମ୍ପତି ଅଥଚ ଏଥର ବିଚ୍ଛେଦ ଆଣିଦେଲା ଅସୀମ ଦୁଃଖ ଆଉ ଶୋକ। ଧିରେନବାବୁ ଆସିଲେ ତ ଚିଣ୍ଟୁ କହିଲା,"ବାପା ! ଯଦି ମାଆ ଅନୁପସ୍ଥିତ ହୁଅନ୍ତି ତୁମକୁ କିପରି ଲାଗିବ?" ବାପା କହିଲେ,"ଧନ ! ତୁ କହୁନୁ? ତୋ'ର ମାଆ ଅନୁପସ୍ଥିତରେ ତୋତେ କେମିତି ଲାଗିବ?" ଚିଣ୍ଟୁ କହିଲା,"ବାପା ! ମାଆ ବିନା ତ ମୋର ଚାରିଆଡେ଼ ଅନ୍ଧକାର ଦେଖାଯିବ।" ଏଥର ବାପା ବି କହିଲେ,"ଧନ ! ମାଆ ବିନା ତୋ'ର ଅବସ୍ଥା ଯେପରି ତୋ' ମାଆ ବିନା ମୋର ଅବସ୍ଥା ସେପରି?" ଟିକିଏ ରହି ପୁଣି କହିଲେ,"ଧନ ! ତୁ ଏମିତି କହୁଛୁ କାହିଁକି?" 

         ଚିଣ୍ଟୁ ଆଙ୍ଗୁଳି ନିର୍ଦ୍ଦେଶ କଲା। ଚାଳ ଉପରେ ବସିଥିଲା ମାଆ ଘରଚଟିଆ ଚଢେ଼ଇ ତ ବାପା ବୁଝିଲେ ଓ କହିଲେ,"ଧନ ! ବାପା ଘରଚଟିଆ ବିନା ମାଆ ଘରଚଟିଆର ଅବସ୍ଥା ଆଜି ସେପରି ହେଉଥିବ ନିଶ୍ଚୟ।"

       ଏ କଥା ଶୁଣି ଚିଣ୍ଟୁ ଲୁହ ଗଡେ଼ଇ ଦେଲା ତ ବାପା କହିଲେ,"ଧନ ! ଆଉ କାନ୍ଦନା ଏ ସଂସାରଟା ହିଁ ଏହିପରି। କେବେ ଦୁଃଖ ତ କେବେ ସୁଖ। ଈଶ୍ବର ଏମିତି ହିଁ ଖଞ୍ଜିଛନ୍ତି। ଚିଣ୍ଟୁ ବାପାଙ୍କୁ ଅନୁରୋଧ କଲା ସେ ବାପା ଘରଚଟିଆକୁ ଫେରେଇ ଆଣିବାକୁ। ବାପା କରିବେ କ'ଣ ହଁ କହିବା ବ୍ଯତିତ ପୁଅକୁ ଅନ୍ଯ ଉପାୟ ନ ଥିଲା। 

        ସତରେ ! ପ୍ରତି ଦମ୍ପତିଙ୍କର ସ୍ନେହ,ପ୍ରେମ ଓ ଭଲ ପାଇବା ହିଁ ଅସୀମ ଥାଏ ଯେମିଏ ଏ ଘରଚଟିଆ ଚଢେ଼ଇ ଦମ୍ପତି।

                      *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

କବିତା - ମନ

             କଳ୍ପନା ରାୟ

ଭାବନାରେ.........

ପ୍ରଜ୍ଞା ରେ ...........

ମାନସ ଚକ୍ଷୁରେ ............

ବିଜନ ବେଳାଭୂମି ରେ........

କେଉଁଠି ବି ଥାପିଦିଅ ପାଦ


ହୃଦ ଅଙ୍କୁରରେ ବୀଜଟିଏ ହୋଇ

ଏ ଅଗଣା ସେ ଅଗଣା ବୁଲୁ ବୁଲୁ

କେତେବେଳେ ସ୍ଥିର ହୁଅ

ଚାହିଁଲେ ବି ଜାଣି ପାରେନି

ବୁଝିଲେ ବି ବୁଝି ପାରେନି

କେତେବେଳେ ନଦୀଟିଏ

ହୋଇ ସମୁଦ୍ରକୁ ଵହିଯାଅ


କେବେ ପୁଣି କୁନି ପିଲା ହୋଇ

ମିଠା ମିଠା କଥା କୁହ

ରାଗି ଯାଉ ଯାଉ ଚୁପ୍ ଚାପ୍

ନିଆଁରେ ପାଣି ପଡ଼ିଲା

ପରି ସତେ ରହିଯାଅ

କେମିତି ଧୈର୍ଯ୍ୟ ଧରି ରୁହ


ସାରା ପୃଥିବୀ ବୁଲିବାକୁ

କିଛି କ୍ଷଣ ଲାଗେ

ଚାହିଁଲେ ରୁହ ନ ହେଲେ

ଅପସରି ଯାଅ

ଟିକିଏ କଥାରେ ଭାଙ୍ଗି ପଡ

ପୁଣି ବଡ଼ କଥାରେ 

ସଳଖି ଠିଆ ହୁଅ


ପ୍ରଭୁଙ୍କ ଭଜନଵେଳେ

ହୁଏତ ସ୍ଥିର ରୁହ

ନ ହେଲେ ଅନ୍ୟତ୍ର ପଳାଅ

କୁହତ.............

କାହା ସାଥେ ବା କେଉଁଠି

ସ୍ଥିର ଥାଅ.....


ପିଲାଦିନର ଅଝଟରେ

କଣ୍ଢେଇ କାଞ୍ଚୁଲିରେ

ଜେଜେମା ଗପରେ......

ଯୁବାବସ୍ଥାର ଉଦ୍ଦାମତାରେ

ନା ପରିଶ୍ରମରେ

ଅବା ଜିଦ୍ ରେ.........

ବାର୍ଦ୍ଧକ୍ୟର ସ୍ଥିରତାରେ

ଅନାବନା ଭାବନାରେ

ପ୍ରଭୁଙ୍କ ଶ୍ରୀ ପୟରେ.........

ସଵୁଠିକୁ ତୁମର ପ୍ରବେଶ


ତୁମେ ହିଁ ମଣିଷର ଅସ୍ତ୍ର

ବିବେକ ସହ ତୁମ ଯତିପାତ

ଯଦି ହୁଏ ........

ସେ ଗଣାଯାଏ ଅସଲ ମଣିଷ

ମଣିଷ ପଣିଆର ଆତ୍ମସନ୍ତୋଷ


କଳ୍ପନା ରାୟ,ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର,

🌹ପ୍ରସଂଗ--କାହିଁକି ଏ ବ୍ୟବଧାନ 🌹

ଭାବନାରେ.........

ପ୍ରଜ୍ଞା ରେ ...........

ମାନସ ଚକ୍ଷୁରେ ............

କାହିଁକି ଏ ବ୍ୟବଧାନ 

କର ଝିଅ ଓ ବୋହୁ ମଧ୍ୟରେ.......


ତୁମ ଝିଅ ଭଳି ବୋହୁ ମଧ୍ୟ ପିଲା ଦିନର ଅଝଟରେ

ପାଳନ ହୋଇଛି କଣ୍ଢେଇ କାଞ୍ଚୁଲିରେ ଜେଜେମା ଗପରେ


ତୁମ ଝିଅ ଭଳି ବୋହୁର ଅଛି ଉଦ୍ଦାମତା ଯୁବାବସ୍ଥାରେ

ସେ ମଧ୍ୟ ପାଳନ ହୋଇଛି ନା ଗେହ୍ଲାରେ ଅବା ଜିଦ୍ ରେ


ପରିବାର ମଧ୍ୟେ ଏକତ୍ର ଭୋଜନ ଏକ ସୁସ୍ଥ ପରମ୍ପରା, 

ବଢେ ସଦଭାବ, କି ଅସୁବିଧା ବୋହୁକୁ ସଂଗେ ଭୋଜନ ଦ୍ୱାରା 


ଝିଅ ଜିନ୍ସ ପିନ୍ଧି ବାହାରେ ବୁଲିଲେ କୁହ ଭାରୀ ସୁନ୍ଦର

ବୋହୁ ମୁଣ୍ଡରୁ ଲୁଗା ଖସିଗଲେ କିଆଁ କୁହ ଭିନ୍ନ ନଜର


ଝିଅ କିଛି ନକରି ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ରେ ଗପିବ

କାମ ସାରି ବୋହୁ ଫୋନ ଧରିଲେ କିଆଁ ଅଭିଯୋଗ ଆସିବ


ଝିଅ ରାଗି ଜବାବ ଯଦି ଦିଏ ତାହା ଆଖି କୁ ତ ଦିଶେନା

ବୋହୁ ତୁଣ୍ଡ ଖୋଲିଲେ, ଭଲ ବୋହୁରେ ତ ଗଣା ହୁଏନା


ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ

ସର୍ଜିଛି ଭାଗ୍ୟ ବିଧାତା

ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ 


ଶାଶ୍ଵତ ପ୍ରେମର ପରାକାଷ୍ଠା ଇଏ

ନୁହେଁ ସେତ ଅଶ୍ଳିଳତା 

ଚକ୍ଷୁ ଦେଖେ ଯାହା ସତ୍ୟ ନୁହେଁ ତାହା 

ସର୍ଜିଛି ଭାଗ୍ୟ ବିଧାତା ।।


ଲୋତକରେ ସିକ୍ତ ତନୁ ମନ ମୋର 

ଭାବ ପ୍ରବଣତା ଜାଗେ 

ଜାଣି ପୃଷ୍ଠଭୂମି ଚାଲେ ମୋ ଲେଖନୀ 

ଯାହା ଭାଗ୍ୟେ ତାହା ଭୋଗେ ।।


ସପ୍ତଦଶ କାଳ ଫ୍ରାନ୍ସର ଶାସକ 

ବିଳାସ ବ୍ୟସନ ମେଳେ 

ପୁରାତନ କଥା ରହିଅଛି ଗାଥା 

ଚତୁର୍ଦ୍ଦଶ 'ଲୁଇ' କାଳେ ।।


ନିଷ୍ଠୁର ଶାସକ ନାହିଁ ତା' ବିବେକ 

ନୀରିହ ବୃଦ୍ଧକୁ ସଜା 

ଦେଇଗଲା ସିଏ ଚୋରି ପାଇଁ ଖାଦ୍ୟ 

କୁବୁଦ୍ଧି ସମ୍ପନ୍ନ ରାଜା ।।


କାରାଗାରେ ରହି ଭୋକ ଉପାସରେ 

କାଳକାଟେ ବୃଦ୍ଧ ବ୍ୟକ୍ତି 

ତାହାରି ଦୁହିତା ମାଆର ମମତା 

ଯୋଗାଏ ତା' ପାଇଁ ଶକ୍ତି ।।


ଶିଶୁ ପୁତ୍ର ଧରି ଦର୍ଶନ ସେ ଲୋଡେ 

ଜଗୁଆଳି ପାଶେ ରହି 

ଦୟା ପରବଶେ ଛାଡି ଦିଏ ଦ୍ବାର 

ନାରୀ, ଶିଶୁ ମୁଖ ଚାହିଁ ।।


ବିବାହିତା କନ୍ୟା ଧରି ଶିଶୁ ପୁତ୍ର 

ରେଲିଂ ପାଖେ ଭେଟେ ପିତା 

ସହି ପାରେ ନାହିଁ ପିତାଙ୍କର କ୍ଷୁଧା 

ନିବାରଣେ ସାଜେ ମାତା ।।


ନିତ୍ୟ ପ୍ରତିଦିନ ଯାଏ କାରାଗୃହେ 

କ୍ଷୁଧିତ ପିତାଙ୍କ ପାଶ 

ଦେଖୁ ଦେଖୁ ବିତେ ଚାରି ମାସ କାଳ 

ଜାଗେ ବଞ୍ଚିବାର ଆଶ ।।


ପରି ଭ୍ରମଣାର୍ଥେ ଆସିଲେ ରାଜନ 

ଦେଖିଲେ ବୃଦ୍ଧଙ୍କ ମୁହଁ 

ବିଷାଦର ଚିହ୍ନ ନାହିଁ ଆତ୍ମଗ୍ଳାନି 

ବିଚଳିତ ତିଳେ ନୁହଁ ।।


ନିଷିଦ୍ଧ ତ' ଥିଲା ଦାନାପାଣୀ ତାର 

ଜୀବିତ କିଆଁ ରହିଲା 

ଡାକି ଜଗୁଆଳି ଉଚ୍ଚସ୍ବର ତୋଳି 

କହ ବିବରଣୀ ଭଲା ।।


କେମନ୍ତେ ଜୀବନ ପାଇଲା ଏ ପୁଣ 

ବିନା ଖାଦ୍ୟ ଖାଇ ସିଏ 

କର ଅନୁଧ୍ୟାନ ବାର୍ତ୍ତା ଦିଅ ମତେ 

ଚବିଶ ଘଣ୍ଟାର ମଧ୍ୟେ ।।


ନ ହେଲେ ଚଢିବ ଶୁଳି ପରେ ସର୍ବ 

କାରଣ ଦର୍ଶାଅ ମୋତେ 

ଭୟଭୀତ ହେଲେ ସର୍ବ ଜଗୁଆଳି 

କେମିତି ଜାଣିବା ସତେ ।।


ନିରୀକ୍ଷଣ କଲେ ଜାଗ୍ରତ ରହିଣ 

ଆସେ କନ୍ୟା ତାର ପାଶେ 

କାଖେ ଛଅ ମାସ ଶିଶୁକୁ ଧରିଣ 

କ୍ଷୁଧା ନିବାରଣ ଆଶେ ।।


ନିଜ ସ୍ତନ କ୍ଷୀର ପିତାଙ୍କୁ ପିଆଇ 

ଆତ୍ମ ଶାନ୍ତି ଲାଭ କରେ 

ଦେଖି ଏଇ ଦୃଶ୍ୟ ସ୍ତବ୍ଧ ସର୍ବ ଲୋକ 

ଆଖିରୁ ଲୋତକ ଝରେ ।।


ପୁତ୍ରୀ ମମତାକୁ ଦେଖି ରାଜନର 

ତରଳେ କ୍ରୁର ହୃଦୟ 

ଆଶ୍ଚର୍ଯ୍ୟ ଚକିତ ହୋଇ କହେ ସିଏ 

ମୁକ୍ତକର ଯାଇ ବୃଦ୍ଧ ।।


ଅଦ୍ଭୁତ ବନ୍ଧନ କିଣି ନେଲା ମନ 

ବିଗଳିତ କରି ପ୍ରାଣ 

କନ୍ୟାର ଆନନ୍ଦ କି ବର୍ଣ୍ଣିବି ଆଉ 

ପାଇ ପିତାଙ୍କ ଜୀବନ ।।


ଧନ୍ୟ ସେ ଦୁହିତା ଧନ୍ୟ ତା' ମମତା 

ମହୀୟସୀ ଗରିୟାନ 

ନାରୀ ଜାତି ପାଇଁ ଗର୍ବ ଓ ଗୌରବ

ତା' ପାଦେ କରେ ନମନ ।।


ଚିତ୍ରକର ସେ "ନିକୋଲାସ ଲାଙ୍କ୍ରେଟ"

ଆଙ୍କି ଦେଲେ ଚିତ୍ରପଟ 

ହୃଦୟ ସ୍ପର୍ଶୀ ସେ ତୂଳିରେ ଜୀବନ୍ତ

ମମତା ସେ ନିଷ୍କପଟ ।।

A Fallen Soldier

Inspiration: This poem is my tribute to every fallen soldier on the Earth, for the motherland. It touched my heart when a phlegmatic news anchor on TV channel mocked over a rival soldier's death recently. 


Whenever a soldier falls

Where ever, 

On whatever land

For his country

Or whichever motherland

There,

Some mother's heart bleeds

A lady's life shatters

Some kids become orphans

A father loses his last hope

Some lose their brother

Few lose, their,

Brave and Dear Friend.

Whenever a soldier falls,

Country loses,

A real hero of a mother land.


He was a trained soldier

Stood tall on the country's guard

To protect his country,

and his country's pride.

He doesn't hate anyone,

Like a barbarous terrorist.

He doesn't kill innocents,

Like a psychopath militant.

A soldier loves his country,

Far more than his own life.

He doesn't bear grudges,

Even for his counterpart.

He just fights for his country

For safety of his country clan


He may be a rival soldier

Do not mock, for he is fallen.

If you can't shed  a tear,

Don't laugh over his remains.

Revere his bravery

Do not titter over his gear.

Hail his chivalry, for he faught, 

untill, he breath his last.

Rejoice your victory.

Don't redicule his defeat.

He is a fallen soldier,

Salute and honour him, 

With the Last Post.

Pray him a place in heaven,

For his rest in peace.

For his supreme sacrifice.


Col Dr Vasant Ballewar
VASANTRB


Appeal: Please do not mock over a soldier's death. Even if he is from a rival country. This was taught by Lord Krishna in The Bhagwat Geeta too. 


Last Post: The "Last Post" is bugle call used at military funerals, and ceremonies commemorating those who have lost their lives in war.

 

Sunday, December 27, 2020

ହେ ନବବର୍ଷ

       ଅଜୟ କୁମାର ମଲିକ


ନବବର୍ଷ ତମେ ଏମିତି ଆସିଲ

      ମୁଣ୍ଡରେ ଓଢଣୀ ଦେଇ

ସୁଖକୁ ବାଣ୍ଟିଲ ଏ ଧରା ପୃଷ୍ଠରେ    

      ପ୍ରେମର ଗଜଲ ଗାଇ  !

ତମ ହୃଦୟରେ ନାହଁ ଭେଦଭାବ

      ସଭିଙ୍କୁ କୋଳେଇ ନେଲ

ସବୁରୀ ମନରେ ନୂଆରଙ୍ଗ ଭରି 

      ହିଂସାକୁ କବର ଦେଲ   !

ହସର ଲହରୀ ଶାନ୍ତିର ମଳୟ

       ଚାରିଆଡେ ବୁହାଇଲ

ଅସତ୍ୟ ଅନ୍ଧାର ଦୂର କରିଦେଇ

       ସତ୍ୟର ଆଲୋକ ଦେଲ !

ନୂଆ ସକାଳର ନୂଆ କିରଣରେ

       ନୂଆ ରଙ୍ଗ ବୁଣିଦିଅ

ସଭିଙ୍କ ମନରୁ ଅହଂଭାବ କାଢି

        ଶାନ୍ତିର ବାରତା ଦିଅ  !

ନବବର୍ଷ ତମେ ନବବଧୂ ସାଜି

       ଥରୁଟିଏ ପଛେ ଆସ

ସମସ୍ତେ ଭୁଲିବେ ଦୁଃଖ ଓ ଯାତନା

      ଦେଖିଲେ ତମରି ହସ   !

🌲🌲🌲🌲🌲🌲🌲🌲🌲💐🌹🌻🌹🌻💐🌹🌻🌹

ଅଜୟ କୁମାର ମଲିକ , ସହକାରୀ ଶିକ୍ଷକ , ଜୟପୁର , କୋରାପୁଟ

ଶୀତ ଆସିଛ ତମେ

ଡ.ଗୁରୁ ମୂର୍ତ୍ତି ନାୟକ


ତମେ ଏତେ ଦିନ

କେଉଁଠି ଥିଲ

ଆସିଲ ବୋଲି ସବୁ ଖାଲି

ଶୂନଶାନ ଦିନଦ୍ୱିପହରରେ

ଗଛସବୁ ପତ୍ରଝଡା 

ନୂତନ କଳେବର ପାଇଁ

ବୃଦ୍ଧ,ବୃଦ୍ଧା ଡରୁଥିଲେ ବାରବାର

ନଇଁ ଆସୁଛି କି ପଶ୍ଚିମ ସମୟ

ପାଖରେ ନିଆଁ 

ନିଜପାଖରୁ ନିଜେ କେତେଦୂର

ନାହିଁ ପରିଣତ ବୟସର ଖେଳ

କୁହ ଶୀତ

ତମେ କେମିତି ଜାଣିଲ ଯେ

ସମୟଟା ତମ ପାଇଁ ଅଭିପ୍ରେତ ।

ସଂଜ ନଇଁଲେ

ପତ୍ରଗହଳରୁ ଅନ୍ଧାର ସାଥେ

ବାଘପରି ଛପି ଛପି ଆସ

ଦେହ,ମନକୁ ଥରାଇ

ଶରୀରକୁ କ୍ଷୀଣ କର ।

ପଦ୍ମକୁ ବିନାଶ କର

ରକ୍ଷା କରିପାରନ୍ତି ନାହିଁ

ବିଷ୍ଣୁ, ବ୍ରହ୍ମା, ସୂର୍ଯ୍ୟ, ଲକ୍ଷ୍ମୀ

ଯେଉଁମାନେ ଦିନେ ଏତେ

କରୁଥିଲେ ସେହ୍ନ

ବିପଦ ବେଳେ

ନୋହିଲେ ସହାୟ

ଚନ୍ଦନ ନେଲା ବିଦାୟ

ଦେଖ ଖିର ନୀର ସଂପର୍କରେ

କେତେ ନିବିଡ଼ତା

ବନ୍ଧୁ ପାଇଁ ନୀର ତପ୍ତରେ

ପ୍ରାଣ ତ୍ୟାଗ କରେ

ତୋହଠାରେ ନାହିଁ କି ସେହ୍ନ

ପଦ୍ମକୁ କଲୁ ତୁ ବିନାଶ ।

ଶୀତ ଆସିଲା ବୋଲି ତ

ଜୀବନ କୁହୁଡି ମୟ

ଜ୍ଞାନ ସୂର୍ଯ୍ୟ ଦେଖାଯାଏ ନାହିଁ।

ଶୀତର ପ୍ରକୋପ

କାହାକୁ ବା ଜଣା ନାହିଁ ।।

ଅଧ୍ୟାପକ

ଭଂଜନଗର, ଗଂଜାମ

ନବବର୍ଷ ରେ ନବ ବରଷ

ନବ ବରଷରେନବ ବରଷ

ମନେ ଆଣିଦେବୁତୁହିତ ହସ

 କଷ୍ଟ ହେଉ ପଛେ ଏ ଚଲା ପଥ

ଦୃଢ ରହିଥାଉ ମୋ ମନ ରଥ 

ସାହା ହୋଇଥାନ୍ତୁ  ଜଗତନାଥ

ଚରଣ ଯୁଗଳେ ରହୁ ଏମାଥ

ସୁଖ ସମୃଦ୍ଧିର ମଣି ପରଶ 

ନବ ବରଷରେ ନବ''''... ବରଷ

ବିଷାଦ କାଳୀମା କରିବୁ ଦୂର

ନଦେବୁ କାହାର ନୟନେ ନୀର

 ବିଷମ ଜଂଜାଳେ ଲାନଛନା ଗାର

ଦୁଃଖ ଅପ୍ରମିତ ନହେଉକାର 

ଢାଳି ଦିଅ ତୁହି ପ୍ରୀତି ପୀୟୂଷ.. ନବ ବରଷରେ....

ସତ୍ୟ ପ୍ରେମ ଯହିଁ ଶାନ୍ତି କପୋତ

ବିଭୁ ପାଦେ କୃପା ଅନୁ ସରିତ

ରଜନୀ ପୁଲକେ ଗାଇ ସଙ୍ଗୀତ

 ହେଉ ମଧୁମୟ ବିଶ୍ୱଜଗତ

ଆନନ୍ଦିତ ହେଉ ପ୍ରାଣ ସରସ

ନବ ବରଷରେ ନବ ବର୍ଷ-----/


ଉସ୍ମିତା ମଞ୍ଜରୀ ମିଶ୍ର(କୁଲାଡ)

କବିତା-ଶୀତ ଆସିଛି ମୋ ଗାଁ'କୁ

ଶୀତ ଆସିଛି ମୋ ଗାଁ'କୁ ପରଦେଶୀ ସାଜି

ମୋ ବିବାହ ଜୀବନକୁ ରଙ୍ଗେଇଦେଲା  ଆଜି

ନୂତନ ବିବାହର ସେହି ମଧୂର ମିଳନ

ଶୀତ ଆସନ୍ତା ସତେ କି ସବୁଦିନ ।।


ଥଣ୍ଡା ଥଣ୍ଡାରେ ଦେହ ଗରମ୍ ହେଇଛି

ମୋ ପ୍ରିୟାକୁ ଆଜି ମତୁଆଲା କରିଛି

କୁହନ୍ତି ଚାଲିଆସ ସାଥି ମୋରି ପାଖକୁ

ରଙ୍ଗେଇ ଦିଅଥରେ ମୋ ତନୁମନକୁ ।।


ଥରି ଥରି ପ୍ରିୟା କଥା କହୁଥାନ୍ତି

ଆଜି ପ୍ରଥମ ପ୍ରେମର ମଧୂର ରାତି କୁହନ୍ତି

ତିଳେହେଲେ ମାତ୍ର ଲାଜନାହିଁ ତାଙ୍କର

କଥାଶୁଣୀ ଦେହଭିତର ହେଲାଣୀ ମୋ ଜହର ।।


ସହିପାରିଲି ନାହିଁ କଥାସୁଣୀ ତାଙ୍କର

ଭୁଲିଗଲି ଏ ମାୟା ସଂସାର

ଦେହ ସାଥେ ଦେହର ମିଳନ ହୋଇଲା

ମୋ ପ୍ରିୟା ଦେଖିକି ମତେ ଲାଜେଇଗଲା ।।


ଶୀତ ଆସିଥିଲା ମୋ ଗାଁ'କୁ ପରଦେଶୀ ସାଜି

ତାହାରି ସାଥିରେ ପ୍ରେମୀ ଯୁଗଳ ଯାଇଛୁ ହଜି

ଆହାକି ସୁନ୍ଦର ସତେ ସେହିଁ ପ୍ରତିଟି ମିଳନ

ଆମ ଛାତିକୁ କରୁଥାଏ କନକନ  ।।


ନାମ-ନାମ-ପିଙ୍କୁ ରଣବିଡା
ଜିଲ୍ଲା-ସମ୍ବଲପୁର,ଠେମରା

ନବ ବର୍ଷ


ପୁରୁଣା ବରଷ ବିତିଯିବା ପରେ

  ଆସିଅଛି ନୁଆ ବର୍ଷ 

ସଭିଙ୍କ ମନରେ ହୃଦୟ ଅନ୍ତରେ

  ଖେଲି ଯାଉଅଛି ହର୍ଷ।।

ନବ ବରଷର ପହିଲି କିରଣ

  ରୋଗଶୋକ କରୁ ଦୁର

ଖୁସିର ଲହରୀ ଖେଲୁଥାଉ ସଦା

  ହସୁଥାଉ ଏ ସଂସାର।।

ଗତବର୍ଷ ଗଲା ନୂତନ ଆସିଲା

  ରାଗରିସା ସବୁ ଭୁଲି 

ଭାଇଭାଇ ପରି ମିଳିମିଶି ଥିବା

  ହୃଦୟ ଦୁଆର ଖୋଲି।।

ଧୂପଦୀପ ଦେଇ ଇଶ୍ବର ଚରଣେ

  ଏତିକି ଆମ ପ୍ରାର୍ଥନା 

ନିର୍ବିଘ୍ନରେ ବର୍ଷ କଟିଯାଉ ହୃଦେ

  ଦିଅ ହେ ସତ୍ଯଚେତନା।।

ଦୟାପ୍ରେମ ସେବା ଅହିଂସା ଆଦର୍ଶ 

  ହୃଦୟରେ ପାଉ ସ୍ଥାନ 

ନୂତନ ବର୍ଷର ନୂତନ ଦିନରେ

  ଜଣାଏ ଅଭିନନ୍ଦନ।।

🙏🌹🌼🪔🌼🌹🙏
ଶ୍ରୀ ଜିତେନ୍ଦ୍ରିୟ ସାହୁ 
ଚୁହାନ ପାଲି,ଘେଁସ,ବରଗଡ

ଆସନ୍ତା କି ଶୀତ

ଶିଶିର କୁମାର ସ୍ୱାଇଁ

ଆସନ୍ତା କି ଶୀତ ହୋଇଣ ଉଷତ 

ମୋ ଗାଆଁ ଦାଣ୍ଡକୁ ଚାଲି,

ଅବୋଧ ବାଳୁତ ଭାଇ ବନ୍ଧୁ ମିତ

ଖେଳନ୍ତେ ଆନନ୍ଦେ ବାଲି I


ଜାଳି କୁଟାପାଳ ବୁଢାବୁଢି ଦଳ

ନିଆଁ ପୁଆଁ ଅନ୍ଧାରରୁ,

ହୋଇ କନ୍ୟାମେଳ ଗୋବରର ଖେଳ

ଚୋରି କରି ଗୁହାଳରୁ I


ଶିଶୁକୁ ଗେଲରେ ସୋରିଷ ତେଲରେ 

ମାଲିସ୍ କରନ୍ତେ ଆଈ ,

ଉହ୍ମେଇର ନିଆଁ ଘଷି ଜାଳ ଧୂଆଁ 

ଶିଶୁକୁ ସେକନ୍ତା ନେଇ I


ଧାନ କଟା ବିଲେ ପିଲା ଦଳେ ଦଳେ 

ଗୋଟାଇ ଝଡ଼ିବା ଧାନ,

କୈବର୍ତ୍ତର ଘରେ ଧାଇଁବେ ସତ୍ତ୍ୱରେ

ମୁଢି ଖାଇବାକୁ ମନ I


ପାଣିର ଛିଟିକା ଦେହକୁ ଝଟକା

ଦିଅନ୍ତା ପୋଖରୀ କୂଳେ ,

ଗାଧୁଆର କଥା ଶିଶୁଙ୍କୁ ଯେ ବ୍ୟଥା

ଲୁଚିବେ କମ୍ବଳ ତଳେ l


କାହିଁ ଯାଅ ଶୀତ ହୋଇଣ ଦୁଃଖିତ

ମୋ ଗାଆଁକୁ ଯାଇଛ ଭୂଲି,

ଆଧୁନିକତାର ଘୋଡ଼ାଇ ଚାଦର

ଭୁଲିଛୁ ଉହ୍ମେଇ ଚୁଲି I


ଗାଙ୍ଗପୁର

ଗଞ୍ଜାମ

ସପନ ଭିଜା ମୋ ଆଖି

ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ ।।


ଶୀତୁଆ ସକାଳେ ଘନ କୁହୁଡିରେ ଲାଗୁଛି ସରଗ ପୁର 

ସତେ କି ମୋ ମାଆ ପିନ୍ଧି ଅଛି ଏବେ ଶ୍ବେତ ତୁଷାରର ବସ୍ତ୍ର

ଅମୃତର ସମ ସରସ ସୁନ୍ଦର ଲାଗେ ମୋର ବସୁନ୍ଧରା 

ମୋହିତ କରୁଛି ଶିଶିରର ବିନ୍ଦୁ ସବୁଜ ଗାଲିଚା ଭରା ।।


ଝଲମଲ ଦିଶେ ରୂପାର ଥାଳିଆ ସଜଫୁଟା ଫୁଲରାଜି

ଝରି ପଡୁଅଛି ମକରନ୍ଦ ସେଠି ନୀଳାଭ ଆକାଶେ ମଜ୍ଜି ।

କୋହଳା ପବନ ଶୀତ ରୂପସୀଟି ଦେହକୁ ଦେଉଛି ଛୁଇଁ 

କାକର ଟୋପାରେ ମୁହଁ ଟା ଦେଖୁଛି ପାହାନ୍ତି ତାରାଟି ନଇଁ।।


ନିବିଡ ଆଶ୍ଳେଷେ କଡ ଲେଉଟାଏ କମ୍ବଳ ଭିତରେ ଥାଇ 

ନରମ ପଶମ ଦେହକୁ ଉଷୁମ ଭାରି ଭଲ ଲାଗୁଥାଇ ।

ଅଭୂଲା ସ୍ମୃତିକୁ ଭୁଲେଇ ପାରେନି ମହକିତ ହୃଦ ଦେଶେ

ପ୍ରୀତିମୟ ସ୍ବର୍ଶ ପରିପୂର୍ଣ୍ଣତାର ହଜିଯାଏ ତବ ପାଶେ ।।


ସପନ ଭିଜା ମୋ ଆଖିର ଅଞ୍ଜନ ଆସିଯାଅ ପ୍ରାଣପ୍ରିୟ 

ମଧୁଝରା ରାତି ପ୍ରୀତିର ଆଶ୍ଳେଷେ କରିଯାଅ ମଧୁମୟ ।।

ଶୀତ ଆସିଛି ମୋ ଗାଁ କୁ

ସମୟର  ସାଥେ   ଋତୁ ଚକ୍ର ଘୂରେ

        ଗ୍ରୀଷମ ବରଷା ଶୀତ

ଦଶହରା ଠାରୁ      ପସରା  ମେଲାଇ

         ଶୀତ ଆସି ବସେ ମିତ  ||1 ||

ଭଲ ମନ୍ଦ ଦୁଃଖ     ସୁଖ ବାଣ୍ଟିସିଏ

         ସ୍ମୁତି ଯାଏ କିଛି ଛାଡି

ଶୀତ ବଳ ବଢ଼ି      ଥାଏ ମାଘମାସେ

         ବାଘ ପରି ବସେ ମାଡି || 2 ||

ଧୂନି ଜାଳି ଲୋକେ  ସକାଳ ଓସଂଜେ 

        ଶୀତ କଷ୍ଟ ଭୂଲି ଥାନ୍ତି

କୁଟା କାଠି ଝଟା    ଅସକରା ଜାଳି

       ଗାଁଦାଣ୍ଡେ ପୁଇଁ ହୁଅନ୍ତି  || 3 ||

ଅମଳ ସମୟେ    କ୍ଷେତ ଖଳା ଦେଖି

         କୃଷକ ଆନନ୍ଦେ ହସେ

ଗେଣ୍ଡୁଓ ସୋରିଷ ଫୁଲର ଶୋଭାରେ

       ମୋଗାଁଟି  ସୁନ୍ଦର ଦିଶେ  || 4||

ମାଣବଷା ସାଥେ   ସରସ୍ବତୀ ପୂଜା

      ସମ୍ବାଦଶାମୀ ରେ ମିଶି

ମକର ସଂକ୍ରାନ୍ତି     ପୁଷୁପୁନେଇଁ କୁ

      ପାଳନ୍ତି ସଭିଏଁ ହସି  ||5 ||

ଭୋଜିଭାତ ସାଥେ ଭାଇଚାରା ଭାବ

        ସଭିଙ୍କୁ ବାନ୍ଧି ରଖିଛି

ଭାବ ଭକତିର     ନିଆରା ସେ ଦୃଶ୍ୟ

     ମୋଗାଁକୁ ଶୀତ ଆସିଛି  ||6 ||

~~~~~~

ରାତିନାରାୟଣ ରାଉତ |ପ୍ର. ଶି.
ପିଟାଟାଙ୍ଗର ଉ. ପ୍ରା. ବିଦ୍ୟାଳୟ
ହରିଚନ୍ଦନପୁର, କେନ୍ଦୁଝର, ଓଡିଶା

ଶୀତ

ଶୀତ ଓହ୍ଲାଇଛି ଆମରି ଗାଁରେ

ଘନ ଅନ୍ଧାରକୁ ନେଇ

କୋହଲା ପବନ ଧିରେ ଧିରେ ବହେ

କୁହୁଡି ମେଖଳା ଦେଇ

କାକର ବିନ୍ଦୁରେ ଉଷା ସଜାଉଛି

ଗାଁର ପ୍ରତିଟି ଭୂଇଁ

ନିତି ଗୀତ ଗାଇ ଗାଇ

ଶୀତ ଶୁଣାଉଛି ନୀରବ ରାଗିଣୀ

ତା ମିଠା ମିଠା ସ୍ପର୍ଶ ଦେଇ ାା


ଶୀତରେ ବୋଉ ମୋ ଅଳସ ତେଜି

ଗୁରୁବାର ପୂଜେ ଯାଇ

ପ୍ରଥା ପରମ୍ପରା ନୀତି ନିୟମକୁ

ଅକ୍ଷରେ ପାଳଇ ସେଇ

ନାରୀ ଯେ ଅଟଇ ସହନଶୀଳା

ନିଇତି ପ୍ରତୀତ ହୁଅଇ ାା


ଶୀତର ଛୁଆଁରେ କୃଷକ ଭାଇଟା

ଶକତ କରିଛି ଶରୀର

ଉଦିତ ସୂର୍ଯ୍ୟକୁ ଅଳସୁଆ କରି

ସେ ଚଳଇ ଅତି ପ୍ରଖର

ବିଲରେ ପଶି କରିଣ ଚାଷ

ଅନ୍ନ ଦିଏ କଷ୍ଟ ସହି

କୃଷକ ଯେ ଆମ ଦେଶ ମେରୁଦଣ୍ଡ

ଶୀତ ହିଁ ଦିଏ ବତାଇ ାା


ଶୀତରେ ଚଳଇ ଶ୍ରମିକ ଭାଇଟା

କରେ ନିଜ ପରିଶ୍ରମ

କରମ ଅଟଇ ପରମ ଧରମ

କରମ ଯେ ଭଗବାନ

ଦେହ ତା କଷଣ ସହି

ଶୀତକୁ ନ ଡରି ରୋଜଗାର କରି

ଚଳାଏ ସଂସାର ସେହି ାା


ଶୀତ ସକାଳରେ ପାହାନ୍ତି ଖରାରେ

ଗାଁ ମୋ ସୁନ୍ଦର ଲାଗଇ

ଗାଁର ଯୁବକ ,ବୃଦ୍ଧ ନର ନାରୀ

ଖରାରେ ବସନ୍ତି ରହି

ପିଲାଙ୍କ ଖେଳ ଜମଇ

ନଦୀ ନାଳ ବିଲ ପାଟପରେ ଦେଖ

ଶୀତ ର ରାଜୁତି ଚାଲଇ

ବସି ରହିଥାନ୍ତି ସଭିଁ ଖରାରେ

ନିଇତି ପିଠି ଦେଖାଇ

ସ୍ନାହାନ ନିମନ୍ତେ ଯାଇ ାା


ଶୀତ ଓହ୍ଲାଇଛି ଆମରି ଗାଁରେ

ପାହାନ୍ତି ର ଧୁନୀ ନେଇ

ପ୍ରତିଟି ସକାଳେ ସୁଖରେ ଦୁଃଖରେ 

ଭାଇଚାରା ବାର୍ତ୍ତା ଦେଇ

ତା ପାଇଁ ପରା ନିତି ପ୍ରଭାତରେ

ମେଳାପି ଙ୍କ ମେଳା ଜମଇ

ଗାଁ ମନ୍ଦିରରେ ପହିଲି ଭୋଗ

ନିଇତି ନିଇତି ଲାଗଇ

ଶୀତ ବି ସୁନ୍ଦର ହୁଏ ପ୍ରମାଣିତ

ଯେ ଗାଁ କୁ ଏକାଠି କରଇ  ାା

ତ୍ରିନାଥ ବେହେରା

ଶୀତ ଆସିଛି


ଶ୍ରୀ ସୁଦାମ ଦଳବରା

 

ଶୀତ ଆସିଛି ଆଜି ଶୀତତ ଆସିଛି

ଗାଁ ଠାରୁ ସହର ଯେ ଦୋହଲ୍ଲାଇ ଦେଇଛି ।

ଥଣ୍ଡା କାକରରେ ସାରା ସହର ଥରୁଛି

ମନ ଆଉ ଦେହ ମଧେ ସିହରଣ ଖେଳୁଛି ।


କେବେ କେବେ ଦେହ ପାଇଁ ଅଟେ ଉପକାରୀ

କେବେ ସିଏ ଜୀବନକୁ ଦେଇଥାଏ ମାରି ।

ଶୀତରେ ଶୀତର ମଜା ଲଗାଇ ଅଲଗା

ବେଳେ ବେଳେ ଶୀତକୁ ଯେ ପଡିଥାଏ ଖୋଜା ।


ଯୁବକ ବୟସ ଲୋକ କରନ୍ତି ଉପଭୋଗ

ବୃଦ୍ଧାଙ୍କ ପାଇଁ ଶୀତ ଅଟେ ପରମ ବିପଦ

କାହା ପାଇଁ ଶୀତ ଋତୁ ଭରେ ଯେ ଆନନ୍ଦ

କାହା ଘଟିଥାଏ ଘୋର ପରମାଦ ।



କମ୍ବଳ,ବେଢ଼ାଣ କିଛି କାମ ତ ଦିଏନି

ଶୀତର ପ୍ରକୋପ ଜମା ସହିତ ହୁଏନି ।

ଶୀତର ଅନୁଭୂତ ମନରୁ ଯାଉନି

ଶୀତ ପାଇଁ ବେଳେ ବେଳେ ପଡ଼ଇ ଭାଳେଣୀ ।


ଛଅ ଋତୁ ମଧ୍ୟରେ ଶୀତ ଲାଗାଇ ଅଲଗା

ଶୀତର ଉପଭୋଗ ଲାଗେ କେତେ ମଜା

ବରଷକୁ ଥରେ ଆସୁଅଛି ଶୀତ

ଶୀତର ପ୍ରବାହେ ଆଜି ଗାଉଅଛୁ ଗୀତ ।


ଶ୍ରୀ ସୁଦାମ ଦଳବରା

ତୁରୁମୁ, ଭଞ୍ଜନଗର, ଗଞ୍ଜାମ

Sunday, December 20, 2020

वो हमें आईना दिखाते है

प्रेरणा:   यह कविता बेघर बच्चों (Street Children) की जीवन से‌ प्रेरीत हैं।


लालबत्ती चौराहों पर जब भी

कुछ पल के लिए हम रुकते है

छोटे-बडे़ मासूम कूपोषीत भूखे बच्चे

एक उम्मीद से जब हमें देखते है

असल मे वो हमारे समाज का 

हमें आईना दिखाते है


मंदिर की सीढ़ियों पर

दरगाह की गलियारों पर

रेलवे के  प्लेटफार्म पर

होटल के बाहर, चाट के ठेले पर

अचानक, एक नाबालिग सी लड़की

गोद में बच्चा लिए, कमजोर, कुपोषित

एक उम्मीद से आपकी और

जब हांथ फैलाती है

वो हमारे समाज का 

हमें आईना दिखाती है


बद किस्मती ने इनका छत छीना

और मा-बाप का साया भी

सरकारी नितियों ने इनकी उम्मीद छिनी 

मेहनत से दो रोटी खुद कमाने की

बाल-मजदूरी कानून का भय इतना

काम देने तयार नहीं, एक पंक्चर की दुकान भी

भिख ना मांगे तो जिएं कैसे

चोरी ‌के‌ सिवा‌ कोई चारा नहीं

सभी है कहते, क्यों नहीं हो पढते

अच्छे खासे तो दिखते हो, 

भीख क्यो मांगते हो


लोग पुण्य की उम्मीद रखकर

आवारा कुत्तों को बिस्कुट तो खिलाते हैं

पर इंसान की औलाद को दुत्कारकर

पाप का घड़ा भी तो भरते हैं

बच्चे‌ भगवान का रूप है

ये कहते वें थकते नहीं

पर इन बेसहारा बच्चों को देखकर

किसी की रग जरा भी दुखती नहीं

चौराहों पर जब ये बच्चे भिख मांगते हैं

या चोरी करते हुए पीटे जाते है

तब, जिस तरह से हमें वो देखते है

वो हमें समाज का आईना दिखाते है


विज्ञान ने तो मंगल को चूम लिया

लेकिन संज्ञान अंधकार में गूम हूआ

इमारतों ने चूमा आसमान

पर बेघर बच्चों का छत गूम हूआ

सरकारों ने खूब नीतियां बनाई

इन बच्चों के हिफाजत की

पर बाल मजदूरी कानून ने

बेघर बच्चों के हैं पंख काटे

इन के जीने के हर अंग काटे

बाल कल्याण विभाग खूब पनपे

अशासकीय संस्थाए भी खूब पनपी

इन के बल, बाकी सभी विकसित हुए

बेघर बच्चे जहा कल थे, आज‌ भी वही रह गए

इनको जीने का, खुद कमाने का‌ हक दो

इन्हें ‌पढने का‌, खुद से बढ़ने का‌ हक‌ दो


ये‌ बेबस निराधार कूपोषित बच्चे

सड़क पर, जिस तरह से हमें देखते है

असल में वो हमारे समाज का 

हमें आईना दिखाते है।


वसंत आरबी
कर्नल वसंत बल्लेवार


आवाहन: मेरे विचार में बाल मजदूरी कानून ‌मे‌ संशोधन जरूरी है। मैं बाल मजदूरी के पक्ष में नहीं हूं। बेघर बच्चे  जिनके सिर पर मां-बाप का साया नहीं और जिनके ऊपर छोटे भाई बहनों की जिम्मेदारी हो, ऐसे बच्चों का बाल मजदूरी कानून ने जीवन और भी दुश्वार कीया है। बच्चों की उम्र पढ़ने की ही होती हैं। पर कई ऐसे बच्चे हैं, जिन्हें मजबूरी में काम करना ‌जरूरी हो‌ जाता है। ऐसे बच्चों को इस कानून के डर से कोई काम नहीं देता और इन‌ बच्चो को भिख मांगना या ग़लत काम ‌करने के सिवा दूसरा विकल्प नहीं बचता। चोरी छुपे कोई काम देता भी है तो उन्हें पूरा मेहनताना नहीं मिलता।  अगर आप मेरे विचार से सहमत हैं और मेरी यह रचना आपके दिल को छूती हो तो आप इसपर टिप्पणी जरूर दें और इसे अत्यधिक शेअर करे ताकि समाज का यह आइना सरकार तक पहुंचे। 

जयहिंद।

#streetchildren #savethechildren #begharbachche #lifeunderflyover

अब भी वही खड़ा हूं मैं

 My new poetic composition on farmer's condition and difficulties they are facing.

प्रेरणा: यह कविता देश के अधिकतर किसानों की हालात और मुश्किलात से प्रेरित है। यह कविता काल्पनिक नहीं है। एक किसान पुत्र होने के नाते मैंने खुद यह अनुभव किया है।


कई बरसों से यूं ही

बस यूं ही, इसी तरह 

अब भी ‌वही खड़ा हूं मैं


सभी कहते है, 

मै अन्नदाता हूं

सृष्टि का पालनहार हूं

भूमि पुत्र हूं, विश्वकर्मा हूं

विश्व की अर्थ व्यवस्था,

कंधों पर ढोता हूं

पर फिर भी मै, यूंही 

बरसो से इसी तरह 

अब भी वही खड़ा हूं मैं


कोई कहते भूमिहार हूं मैं, 

राज नीती करता नहीं।

मेहनतकश भी हूं मैं,

व्यवसाय मेरे बस में नहीं।

वो सब सलाह देते है मुझे

जो खेती का 'ख ' भी नहीं जानते 

किसानी का पाठ पढ़ाते है मुझे

जो हल चलाना भी नहीं जानते ।

कोई दलाल है, तो कोई नेता

कोई व्यापारी है, कोई अभिनेता

मतलब नहीं हैं इनका दर्द से मेरे

सरोकार नहीं है इनका हालात से मेरे।

मेरी तकलीफों का इन्हे 

जरासा अहसास भी नहीं

पर कंधों पर रखकर मेरे

बंदूक चलाते हैं यूं ही।

मेरे हालात पर ये सब

खेल खेलते हैं बस यूं ही

कई बरसों से इसी तरह 

मैं ‌खड़ा हूं बस, अब भी, 

जहां था वही।


अजीब है मेरी दुर्गति और

अजीब है मेरी व्यथा

कभी बारिश बेमोसम, कभी सुखा

कभी खेल किस्मत का, कभी तुफां।

फसल घर ना पहुंचे जब तक,

हर पल सांस अटकती मेरी।

फसल कम हो गम तो है ही

ज्यादा हो तब भी, सांस अटकती है मेरी

क्यों की मेहनत मेरी बिकनी जो है

अब कौड़ीयों के मोल।

बस यूं ही, बरसों से, यूं ही

डरा सा रहता हूं मैं हरपल

इसी तरह, बस जी रहा हूं मैं

अब भी, जहां था 

वही पर खड़ा हूं मैं

इस देश का किसान हूं मैं ।


**

कर्नल डॉ वसंत बल्लेवार

आवाहन:  किसानों के प्रति सिर्फ हमदर्दी काफी नहीं उनकी माली हालत सुधारने में सहयोग दें। स्वदेशी अपनाएं, स्वदेशी बने। आपकी प्रतिक्रिया जरूर दें और शेअर करे।

 जय हिन्द।


#farmers #FarmersWithModi

Thursday, December 17, 2020

ମେଘ

ମାଧବୀ ପଟେଲ।

ହେ ମେଘ

ଅମ୍ବରର ଶୋଭା ତୁହି

କେବେ ଧଳା ଗୋଲାପି ଧୂସର

ପୁଣି ହଳଦିଆ ନୀଳ।

ତୋ ଉଦରେ କେତେଯେ ସମୁଦ୍ରଜଳ

ଲୁକ୍କାୟିତ କରିଥାଉ ଠୁଳ।

କେତେ ଯେ ଗରମ ବାଷ୍ପ

ଅନ୍ତରିକ୍ଷେ ଯାଇ ଭାସୁଥାଏ।

ଘନିଭୁତ ହେଲେ ବର୍ଷାହେଇ

ପୃଥିବୀ କୋଳକୁ ଫେରିଆଏ।

ମେଘରେ

ତୁତ ବାନ୍ଧବ ଜଗତର।

ତୋରିପାଇଁ ତୃଷିତ ମାଟି

ଚାହିଁଥାଏ ବର୍ଷିବୁ ତୁ ଜଳ।

ତୋ ଆଗମନରେ ହସେ

ବିଲରେ ଫସଲ।

ଭରିଯାଏ ନଈନାଳ।

ତୋ କୃପାରେ ନୃତନ ସୃଷ୍ଟି

ହୁଏ ସରଞ୍ଚନା।

ତୁଜଳିପୋଡି ଘନିଭୁତ ହେଉଥାଉ

ଆସୁଥାଉ ଯାଉଥାଉ।

ଏକେମିତି ପ୍ରେମ ଧରା ସହ

ଦୂରେ ଥାଇ ଶୁଣିପାରୁ

 ଦଗ୍ଧ ମାଟିର ଚିତ୍କାର।

ଅଥୟ ହୁଏତେ ପ୍ରାଣ

ଘନିଭୁତ ହୁଏ ଦେହ।

ଛାଡି ଆକାଶର ମୋହ।

ଟପ୍ ଟପ୍ ବର୍ଷା ହେଇ

ଫେରିଆସୁ ପୁଣଥରେ

 ପୃଥିବୀର କୋଳ।

ପୃଥିବୀ ଓ ଆକାଶର ପ୍ରେମେବନ୍ଧା

ତୁ ଖେଳୁଥାଉ ଖେଳ।

ଜୟ ମାଆ କମଳା

କଳ୍ପନା ରାୟ

ଜୟ ମାଆ କମଳା

ଭାଗ୍ୟ ବିପର୍ଯ୍ୟୟ ହୁଏ 

ତୋତେ କଲେ ହେଳା


ଵୈଭଦାୟିନୀ ଅଟୁ

ନାମ ତୋର ବିମଳା

ସିନ୍ଧୁ ସୂତା ବୋଲି ନାମ

ହେଲା ତୋ ସିନ୍ଧୁଜା

ଗଜଲକ୍ଷ୍ମୀ ଧନଲକ୍ଷ୍ମୀ

ଅଷ୍ଟନାମେ  ଲକ୍ଷ୍ମୀ

ସୁଦଶା ନାମରେ ବ୍ରତ

ତୋର ପ୍ରିୟ ଭାରୀ

ଧନୀ ହେଉ କି ଗରିବ

କରେ ତୋ ଗୁହାରି

ବ୍ରତେ ଦେଇ ଦଶଗଣ୍ଠି

ତୋ ନାମ ସୁମରି

ଛାଡନ୍ତିନି କେବେ ବିଧି

ତୋତେ ମାନି କରି

ଗେଣ୍ଡୁଫୁଲ ପଦ୍ମଫୁଲ

ଆଣି ତ ଶ୍ରଦ୍ଧାରେ

ଝୋଟିଚିତା ଘରଦ୍ୱାର

ଦିଅନ୍ତି ଵିଧିରେ

ବିଷ୍ଣୁଙ୍କ ଘରଣୀ ଅଟୁ

ନାମ ବିଷ୍ଣୁପ୍ରିୟା

ସଂସାର ଚାଲେ ଦୟାରୁ

ଶ୍ରୀ ନାମେ ଶ୍ରିୟା

ମାର୍ଗଶୀର ଶ୍ରେଷ୍ଠ ମାସ

ତୁହି ପା' ଅଧିଷ୍ଠାତ୍ରୀ

ଜୀବନ ପାଇଁ ପୂଜା ତୋର

କମଳିନୀ ଡାକୁ ଅହୋରାତ୍ରୀ


ଜଗତଜନନୀ ଅଟୁ ତୁ ଚଞ୍ଚଳା

ତୋତେ ଡାକି ନ ପାରିଲେ

ବୁଡ଼ିଯିବ ବିଶ୍ଵ ଭେଳା


କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର।

-ସ୍ବାଗତଂ-

         ସୁକାନ୍ତ ଖଣ୍ଡା

ରାତି ନ ପାହୁଣୁ କୁକୁଡା଼ ଗଞ୍ଜାଟି

ସ୍ବାଗତଂ ସକାଳକୁ

କାଉ ରାବଦିଏ ସକାଳ ନମସ୍ତେ

ଉଠିକି ଦେଖ ରବିକୁ।୧

କନକ କିରଣ ବିଂଛାଡି଼ ଦେଇଛି

ଚଉଦିଗେ କିନିକିରି

ସୁନାର ରଙ୍ଗରେ ରଙ୍ଗେଇ ହେଲାଣି

ଦେଖ ପୃଥିବୀର ଶିରୀ।୨

କଅଁଳ କିରଣେ ପଶୁ ପକ୍ଷୀ ସବୁ

ଦେହକୁ ଦେଖେଇ ଦେଇ

ସଂଗ୍ରହ କରନ୍ତି ଭିଟାମିନ ଡି଼'କୁ

ଶରୀର ସୁରକ୍ଷା ପାଇଁ।୩

ମନ୍ଦମନ୍ଦ ଗୀତ ସମୀରଣ ଗାଏ

ସଭିଙ୍କ ହୃଦ ନେବାକୁ 

କୋଇଲି ପଂଚମ ତାନ ଛାଡି଼ଲାଣି

ଦେଖିକି ମହୀ ଛବିକୁ।୪

ମୟୂର ନାଚୁଛି ଆକାଶରେ ଦେଖି

ଭସା ବାଦଲର ଛବି

ସଭିଏଁ ବିଭୋର ସକାଳ ହେବାରୁ

କବିତା ଲେଖୁଛି କବି।୫

ସ୍ବାଗତଂ କର ହେ ଯେ' ଯେଉଁଠି ଅଛ

ଉଠି ନିଦ୍ରା ପରିହରି

ଅଳସ ପଣକୁ ଦୂରେ ଫିଙ୍ଗିଦେଇ

କରମ କରନ୍ତୁ ଜାରି।୬

କରମର ଫଳ ବ୍ଯର୍ଥ ହୁଏ ନାହିଁ

ସୁକର୍ମେ ସୁଫଳ ମିଳେ 

ଦୁଷ୍କର୍ମ କରିଲେ ଅଧଃ ପତନକୁ

ସ୍ବାଗତଂ ହିଁ କାଳେକାଳେ।୭

ଅଳସ ପଣରେ ଶୋଇ ରହିବାଟା

ମୋଟେ ଯମା ଭଲ ନାହିଁ

ଆଈ କହୁଥିଲେ ନାତି ନାତୁଣୀଙ୍କୁ

ଉଠେଇ ମୁହଁକୁ ଚାହିଁ।୮

ନାତି ନାତୁଣୀଏ ଆଈଙ୍କ କଥାକୁ

ସନମାନ ଦେଇ ସଦା

ପ୍ରଣାମ କରିଲେ ସୂରୁଯ ପବନ

ପୃଥିବୀଙ୍କୁ ଉଠି ସିଧା।୯

ଆଈଙ୍କୁ ପ୍ରଣାମ ସ୍ବାଗତଂ ସହିତ 

ଘର ପରିବାର ଆଦି

ସକଳ ସୁଖରେ ରଖନ୍ତୁ ଠାକୁର

କା' ମନ ଦିଅ ନା ଛେଦି।୧୦

                 *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

ଶବ ର ଶବ୍ଦ ...

ଶୂନ୍ୟସ୍ଥାନ ର ଛବିଟିଏ ପରି

ପଡିଥାଏ ନିଶ୍ଚଳ ହୋଇ...

ନା ଜାଣିପାରେ ବର୍ତ୍ତମାନର

ଅୟୁତ ଅୟୁତ ଆକାଂକ୍ଷାର ସ୍ପର୍ଶ

ନା ବୁଝିପାରେ ତା' ଉପରେ ବସୁଥିବା

କଞ୍ଚାମାଟିରେ ତିଆରି ମନସ୍ତାପ 

ଆଲୋକର କ୍ଷଣସ୍ଥାୟୀ  ଦୀପର ଉତ୍ତାପ   ।

ସେ ତ ଭାଗ ହୋଇଯାଉଥିବା 

ସମୟର ଶୂନ୍ୟସ୍ଥାନ ...ଯାହାର ଅତୀତ ଟା

ଅମାପ ସ୍ମୃତିର ଭଣ୍ଡାର ଏବଂ ବର୍ତ୍ତମାନ ଟା

କ୍ରନ୍ଦନଶୀଳ ନିର୍ଦ୍ଦିଷ୍ଟ ସଂଖ୍ୟାର ଚାଙ୍ଗୁଡ଼ି

ଆଉ ଯାହାର ଭବିଷ୍ୟତ କେବଳ 

ଦିଗନ୍ତ ବିସ୍ତାରୀ ଅନ୍ଧାର ହିଁ ଅନ୍ଧାର ...।

ଦରଦ ମାନେ ମଥାପିଟୁଥାନ୍ତି 

ଆଉ ଉତ୍ତାଳ ଲହରୀ ପରି ମାଡ଼ିଆସି 

ପୁଣି ଫେରିଯାଇ ବିଲୀନ ହୋଇଯାନ୍ତି 

ଗହଳ ପରିସ୍ଥିତିର ଜଳରେ ...।

ବଦଳୁଥାଏ ରଙ୍ଗ ବଦଳୁଥାଏ ଢଙ୍ଗ

ହେଲେ ବଦଳେନି ଶବର ସ୍ୱର ଠିକ ସେମିତି 

ଯେମିତି ଆଲୋକର ଉଜ୍ୱଳ ଜ୍ୟୋତି 

ଆଉ ଅନ୍ଧାରର ନିଃଶବ୍ଦ ପ୍ରଳାପ ...।।


ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ,କେନ୍ଦୁଝର --758083

କବିତା- ବୈଦେହୀ ଉବାଚ

     ଅରାତି ବିହିନ ଧରାରେ

                   କାନ୍ତ ବନସ୍ତେ ଯିବ

         ମାଗୁଣି ରଖ ହେ କୈାଶଲ

                     ମୋତେ ସଙ୍ଗରେ ନେବ       ।


        ଅଯୋଧ୍ୟା ଶ୍ରୀହିନ ଦିଶିବ

                        ମାତା ମୁଖ ବିଷାଦ

        ପିତୃସତ୍ୟ ପାଳି କାନ୍ତ ହେ

                         ଯେବେ ଯିବ ବନସ୍ତ             ।


         ଘୋର ଅନ୍ଧକାର ହୋଇବ

                           ପ୍ରଜାଙ୍କର ଭାଳେଣୀ

          କୈାଶଲ୍ୟା,ସୁମିତ୍ରା, କୈକେୟୀ

                            ଲୁହ ମାରେ ଲହରୀ          ।


           ପିତା ତବ ନାମ ଧରିଣ

                          ସର୍ଯ୍ୟାଶାୟୀ ହୋଇବେ

           ଜନ,ପଶୁ,ପକ୍ଷୀ ଝୁରିବେ

                          କିବା ମୁକ ହୋଇବେ        ।


           ଦିବାକର କର ଶିଥିଳ

                           ଚନ୍ଦ୍ରକର ମଳିଣ

           ଅଯୋଧ୍ୟା କରି ପରିତ୍ୟାଗ

                           ଯେବେ ଯିବ ହେ ବନ          ।

     

           ସରଜୁ ନଦୀ କି ଖୋଜିବ

                            ପ୍ରଭୁ ତବ ଶ୍ରୀପାଦ

           ଭାଇ ଲଇକ୍ଷଣ ଧର୍ଯ୍ୟର 

                           ସୀମା ଲଙ୍ଘିବ ବନ୍ଧ            ।


             ଭରତେ ଅଛନ୍ତି ମାତୁଳେ

                              ସମ୍ପାଦ ସେ ପାଇବେ

              ହେ କାନ୍ତ ଅନଳ ମଧ୍ୟକୁ

                                 କିମ୍ପା ଝାସ ସେ ଦେବେ  ।


              ଝୁରିବ ଅଯୋଧ୍ୟା ନଗରୀ

                          ଗିରି,ବନ,କାନନ

               ଅଦିନେ ବତାଶ,ବହିବ

                         ସିଂହାସନ ଶ୍ରୀହିନ            ।


            ଶ୍ରୀପଦେ ମୈଥେଳି ଗୁହାରି

                           ଅଶ୍ରୁ ପଡୁଛି ଝରି

           ନ ଯାଅ ବନସ୍ତେ କାନ୍ତ ହେ

                             ହସ୍ତ ଯୋଡୁଛି ହରି           ।


              ହରିହର ଭୂକ୍ତା
                   ରାକସ, ତାଳଚେର
                         ଅନୁଗୋଳ

🌚ଆସ ମୃତ୍ୟୁ ତୁମେ କାହିଁକି 🌚

ଶକ୍ତିଦା ବିଷୋୟୀ

ଆସ ମୃତ୍ୟୁ ତମେ କହିଁକି ପାରୁନି ମୁଁ ପଚାରି 

ମର୍ତ୍ତ୍ଯେ ଜନ୍ମ ହେଲେ ନିଶ୍ଚୟ ମୃତ୍ୟୁ ଏଦେହ ଧାରି।।

ପାତାଳରେ କିବା ମରତେ ଅବା ସ୍ବର୍ଗେ ଜନମ

କାଳବଳେ ହୁଏ ପିଣ୍ଡର ଜରା ମୃତ୍ୟୁ ବରଣ।।

ଫରକ ଏତିକି ମାନବ ଚିରଜୀବି ମୃତ୍ୟୁର

ଜୀବଥାଉ ମୃତ୍ୟୁ ଲଭଇ ଦୁଷ୍କର୍ମ ନିରନ୍ତର।।

ଚିରଞ୍ଜିବୀ ସଦା ଅମର ବୈରାଗ୍ୟ ସତ୍ କର୍ମରେ

ଚିର ସ୍ମରଣିୟ ଅମର ସବୁରିଙ୍କ ହୃଦରେ।।

ଦେବତା ହେଲେବି ମରଇ ଶରୀର ପଞ୍ଚଭୂତ

ନଡରି ମୃତ୍ଯୁକୁ ସ୍ଵାଗତ ଘଟ ରୂପାନ୍ତରିତ।।

ଦେଶର କଲ୍ୟାଣ ନିମନ୍ତେ ଦିନେ ଭଗତ ସିଂହ

ହସି ହସି ଫାଶି ମୃତ୍ୟୁକୁ କରିଥିଲେ ବରଣ।।

ଶରୀରର ସିନା ବିନାଶ ଆତ୍ମା ସଦା ଅମର 

ଆତ୍ମା ପରିଚୟ ପାଇଲେ ମୃତ୍ୟୁ କାହିଁକି ଡର।।

ଆତ୍ମା ଉଡେନାହିଁ ସମୀରେ ଜଳେବୁଡଇ ନାହିଁ

ନହୁଏ ଭସ୍ମିତ ଅଗ୍ନିରେ ତାରକ୍ଷୟ ନୁହଇ।।

ଦୁର୍ଲଭ ଜୀବନ ମାନବ ଶରୀର ମାଧ୍ଯମରେ

ବିଚାରର କେନ୍ଦ୍ର ମସ୍ତିଷ୍କ ବହୁ ଉଚ୍ଚ ସ୍ତରରେ।।

ହାତ ଗୋଡ ବୁଦ୍ଧି ମାଧ୍ଯମେ ବହୁ ଉପକାରିତା

କାର୍ଯ୍ୟ ସମ୍ପାଦନ କରିବା ହେବା ଜଗତ ଜିତା।।

ମୃତ୍ୟୁ କେବେ ଆମ ପାଶକୁ ପାଖ ମାଡିବ ନାହିଁ

ମୃତ୍ୟୁ କାହିଁପାଇଁ ଆସୁଛ କେବେ ପଚାର ନାହିଁ ।।

   ସୋରଡା, ଗଞ୍ଜାମ୍

ନୂପୁର।

ମାଧବୀ ପଟେଲ।

ନୂପୁରର ଖିଲିଖିଲି ହସ ଓ ଝୁମୁର ଝୁମୁର ପାଉଁଜିର ଶବ୍ଦରେ ଶବ୍ଦମୟ ପାଲଟିଯାଇଥିଲା କୁଡିଆଟି।ଦୀର୍ଘ ଅଠେଇଶ ବର୍ଷପରେ ଏ ଘରେ ପିଲାର କିଲ୍କାରି ର ଗୁଞ୍ଜରଣ ଶୁଣିବାକୁ ମିଳୁଥିଲା।ସ୍ବାଧିନର ଜନ୍ମବେଳେ

ଏଘର ଏମିତି ଉତ୍ସବମୁଖର ହୋଇଯାଇଥିଲା।ତାରି କୁଆଁକୁଆଁ ଡାକରେ ଏକ ପବିତ୍ର ବାତାବରଣ ସୃଷ୍ଟିହୋଇ ଯାଇଥିଲା।ତାର ଯତ୍ନ ନେଉନେଉ ତାସହ ଖେଳୁଖେଳୁ କଟିଯାଉଥିଲା ସମୟ।ତାରି ପସନ୍ଦର  ଜିନିଷ ଖୋଜିଆଣୁଥିଲେ ବାପା ମାଆ।ସ୍ବାଧିନ ଧିରେ ଧିରେ ବଡ ହେବାକୁ ଲାଗିଲା।ଭଲ ପଢିଲା।ବଡ ଚାକିରି ପାଇ ସହରରେ ରହିଲା।ଭଲଘର ଦେଖି ଝିଅଟିଏ ବାଛି ସୁମିତ୍ରା ବୋହୁକରି ଆଣିଲା ଘରକୁ।

ଯାହାକୁ କୁହନ୍ତି ସୁଗୃୃହିଣୀ ସୁନା ବୋହୁଟେ।

ଯେମିତି ସୁନ୍ଦର ସେମିତି ସ୍ବଭାବ ବି ସେମିତି ଉତ୍କୃଷ୍ଟ।

ସମସ୍ତଙ୍କୁ ମାନ୍ୟଦେବା ଭଲପାଇବା ଶିଖିଛି।କୌଣସି ଗୃହକର୍ମରେ ସେ ପଛୁଆ ନୁହଁ।ସମସ୍ତଙ୍କୁ ସଂଖୋଳି କୁଡିଆକୁ ସ୍ବର୍ଗପୁରୀରେ ପରିବର୍ତିତ କରିଦେଇଛି।

ହେଲେ ତାକୁ କଣ ସବୁଦିନ ଗାଁ ମାଟିରେ ଏମିତି ଛନ୍ଦି ରଖି ପାରିବ ସୁମିତ୍ରା।ପୁଅ ସହରରେ ଏକାକୀ ରହୁଛି।ତାର ଖାଇବା ପିଇବାର ଯତ୍ନ ନେବାକୁ ବିତ ଜଣେ ଦରକାର।ବାଧ୍ୟହୋଇ ସେ ବୋହୂକୁ ପୁଅ ପାଖକୁ ପଠାଇ ଦେଲେ।ପୁଅ ପାଖେ ଛଅ ମାସ ନ ରହୁଣୁ ଖବର ଆସିଲା ବୋହୁର ଗର୍ଭଅଛି।ଗାଁ ମନ୍ଦିରରେ ଯାଇ  ବୋହୁର ଶୁଭ ମନାସି ନଡିଆ ବାଡେଇ ଆସିଲା।ସୁନ୍ଦର ସ୍ବସ୍ଥ୍ୟବାନ ସନ୍ତାନଟେ ଦିଅ ବୋଲି ଭଗବାନଙ୍କୁ ଗୁହାରିକଲା।ଦେଖୁ ଦେଖୁ ସମୟର ଚକ ଗଡି ଚାଲିଲା ପ୍ରସୁତିର ସମୟ ଆସିଗଲା।

ସମୁଦିଘରେ ଓ ସେମାନେ ମିଳି ନୂତନ ଅତିଥୀ ପାଇଁ ଆଗରୁ କେତେ ଖେଲଣା ଗାଡି ଷ୍ଟ୍ରଲର୍ ଦୁଲି   ମସାରି କିଣିକି ରଖିଥାନ୍ତି।ସବୁ ଅପେକ୍ଷାର ଅନ୍ତଘଟାଇ ପସୁତି ଗୃହରୁ ଏକ କଅଁଳ ଶିଶୁର କାନ୍ଦ ଭାସି ଆସିଲା।ଏକ ମଧୁ ଉନ୍ମାଦନରେ ସମସ୍ତ ପରିଜନ ଉଦ୍ଗ୍ରୀବ ହୋଇ ଅନେଇ ରହିଲେ ଖୁସି ଖବର ଶୁଣିବାକୁ।ନର୍ସଟିଏ ବାହାରିଆସି କହିଲା ଝିଅଟିଏ ହୋଇଛି। ତୁମ ଘରକୁ ଲକ୍ଷ୍ମୀ ଆସିଛନ୍ତି।ସୁମିତ୍ରାର ସ୍ବାମୀ ଶୀଘ୍ର ପାଞ୍ଚଶହ ଟଙ୍କା ନର୍ସକୁ ଦେଲେ ହସ୍ପିଟାଲର ସମସ୍ତେମିଠା ଆଣି ଖାଇବ ବୋଲି।ଗୋରୀ ସୁକୁମାରୀ କୁନୀ ଝିଅଟିଏ ଆଣି ଯେତେବେଳେ ମାଆ ପାଖେ ନର୍ସ ଶୁଆଇଦେଲେ

ସମସ୍ତେ ଖୁସିରେ ଘେରିଗଲେ ତାକୁ।ତାର ଫଟୋ ଇଠାଇ ଓ୍ବାଟସପ୍ ଓ ଫେସବୁକରେ ପଠାଦେଲେ ବନ୍ଧୁପରିଜନ ସମସ୍ତେ ଦେଖିବେ ବୋଲି।ତାପରେ ବଧାଇ ର ସୁଅ ଛୁଟିଲା ଗୋଟିଏ ପରେ ଗୋଟିଏ।

ଦୁଇଦିନପରେ ପିଲାକୁ ନେଇ ଘରକୁଫେରିଲାପରେ

ଘରେବି ଗହଳଚହଳ ଲାଗିରହିଲା ବନ୍ଧୁ ବାନ୍ଧବ ପରିଜନଙ୍କର।ଗୋଟିଏ ମାତ୍ର ପୁଅର ପ୍ରଥମ ନାତୁଣୀ ।ସମସ୍ତଙ୍କ ଅଳିଅଳ ଥିଲା।ଯେତେବେଳେ ବର୍ଷକର ହେଲା ସୁନାଚୁଡି ପାଉଁଜି ପିନ୍ଧେଇଲେ ସୁମିତ୍ରା।ଯୁଆଡେଯାଏ ଝୁମୁରୁ ଝୁମୁରୁ ଶବ୍ଦରେ ନିନାଦିତ ହେଉଥାଏ ଘରଟି।ତାର କୁନି କୁନି ଦରୋଟି ଭାଷାରେ

ସମସ୍ତଙ୍କ ମନରେ ଖୁସିର ଲହରଟିଏ ଖେଳିଯାଉଥାଏ।

ମାଆ ବାପା ଆଈମା ଦାଦା ନାନୁ ନାନୀମା ଏମିତି ଡାକିବାକୁ ଆରମ୍ଭ କରିଥାଏ।ପ୍ରାୟତଃ ସେ ସହରରେ ତା ମାଆବାପାପାଖେରହେ।ହେଲେ ମଝି ମଝିରେ ଛୁଟିହେଲେ ଗାଁକୁ ଆସନ୍ତି।ସେତେବେଳେ ଗାଁର କୁଡିଆଘରଟି ସ୍ବର୍ଗ ସ୍ବର୍ଗ ଅନୁଭୁତ ହୁଏ।ଗୁହାଳର ଗାଈ ଗୋରୁ କୁକୁଡା ବତକ ଛେଳି କୁକୁରଓ ପକ୍ଷୀମାନଙ୍କୁଦେଖି ଝିଅଟି ବହୁତ ଖୁସିହୁଏ।ହେଲେ ସୁଖର ସମୟ ବେଶି ଦିନ ରହେନି ବୋଲି କୁହନ୍ତି।

ସେଦିନ ବି ଏକ ଦୁର୍ଯୋଗର ସମୟ ଥିଲା।ସୁମିତ୍ରା ନାତୁଣୀକୁ ବାହାରେ ଖେଳାଉଥିଲେ।ଫୋନ୍ଟିଏ ଆସିଲା

ଫୋନରେ କଥାହେଉହେଉ ସେ କେତେବେଳେ ଝିଅକୁ ପଛ କରିଦେଲେ।ସେହି ସୁଯୋଗରେ ଛୁଆଟି ରାସ୍ତାମଝିକୁ ଚାଲିଗଲା ଓ ଦ୍ରୁତଗତିରେ ଆସୁଥିବା ମୋଟରସାଇକିଲ ରେ ପିଟିହେଇ ଛିଟିକିପଡିଲା ଏକ ରାସ୍ତାକଡର ପଥର ଦେହରେ।ଶବ୍ଦଶୁଣି ସୁମିତ୍ରାମୁହଁବୁଲାଇ ଦେଖିଲା ବେଳକୁ ତାଙ୍କର ଅଳିଅଳି ନୂପୁର ରକ୍ତଜୁଡୁବୁଡୁ ହୋଇ ଗଡୁଥିଲା ଧୂଳିରେ।

ସେ ଯୋର୍ରେ ନୂପୁର ଡାକି ଦଉଡି ଆସିଲେ ପାଖକୁ।ଶରବିଦ୍ଧ ପକ୍ଷୀଟିଏ ପରି କ୍ଷତାକ୍ତ ହୋଇ ପଡିଥିଲାଝିଅଟି

କଥା କହିବାର ସାମର୍ଥ୍ୟ ନଥିଲା।ଏ ଖବରପାଇ ଦଉଡି ଆସିଲେ ତାର ବାପାମାଆ।ନିଜ ଜୀବନର ଟୁକୁଡାକୁ ଏପରି ଅବସ୍ଥାରେ ଦେଖି କୋଉ ବାପାମାଆର ହୋସ୍ ରହିବ।ସେମାନେ ମାଆକୁ ଯାହାତାହା ଗାଳିକଲେ।ଦାୟିତ୍ବ ହୀନ ପିଲାର ଯତ୍ନ ରଖିପାରିଲୁନି ବୋଲି କହିଲେ।ଫୋନକଲ୍ ତୋପାଇଁ ବଡ ହେଇଗଲ।ସୁମିତ୍ରା ତ ପିଲାର ଅବସ୍ଥାଦେଖି ମୁକ ହୋଇ ସାରିଥିଲା ସେ ପୁଅ ବୋହୁଙ୍କ କଥା କଛି ଶୁଣିପାରୁନଥିଲା।ସେଇ ଆଘାତରେ ତାର ବିଚାରଶକ୍ତି ହରାଇଲା।ସେ ନିଜକୁ ଦୋଷିଭାବି ନିଜକୁ ଡାହାଣୀ ବୋଲି କହିହେଲା।ସେ କହିଲା ମୁଁ ଗୋଟେ ପିଲାଖାଇ ରେ ମୋ ପାଖକୁ କାହାରି ପିଲା ଛାଡିବ ନାହିଁ।ମୋର ଛାଇପଡିଲେ ତୁମ ଘର ନଷ୍ଟ ହେଇଯିବ।ତୁମ ଜୀବନ ଛାରଖାର ହେଇଯିବ।ମୁଁ ତୁମ ପିଲାର ରକ୍ତ ପିଇଯିବି ନୂପୁରର ଯେମିତି ପିଇଗଲି।ଏମିତି ବକି ବକି ସେ ପାଗେଳି ହୋଇଗଲା।ପୁଅବୋହୁ ମନଦୁଃଖରେ ଚାକିରି ଜାଗାକୁ ଚାଲିଗଲେ।ସୁମିତ୍ରାର ହ ସ୍ବାମୀ ସୁବୋଧବାବୁ ତାକୁ ରାଞ୍ଚୀ ପାଗଳଖାନା ନେଇଗଲେ ତାରଚିକିତ୍ସାପାଇଁ।ସେଠି ଛାଡି ଗାଁକୁ ଚାଲିଆସିଲେ ।ଏତେ ସୁନ୍ଦରଘର ଏବେ ମଶାଣୀ ପରି ଲାଗୁଥିଲା।ସୁମିତ୍ରା ଜଣେ ସ୍ନେହି ଦାୟିତ୍ବବାନ ସ୍ତ୍ରୀଥିଲେ

ହେଲେ ଦୁର୍ୟଭାଗ୍ୟ ପାଖରେ କାହାର ବଳ ଅଛି।ସ୍ବାଧିନ ଓ ବୋହୁ ବି ଏ କଥା ଅନୁଭବକଲେ।ଏପରି ଘଟଣା ତାଙ୍କସହ ବି ଘଟି ପାରିଥାନ୍ତା ଏକ ଅସତର୍କ ମୁହୂର୍ତରେ।ସେମାନେ ମାଆ କେମିତି ଭଲ ହେବ ସେ କଥା ଭାବି ଏକ ଦ୍ବିତୀୟ ସନ୍ତାନ କରିବାକୁ ମନସ୍ତ କଲେ।ସୌଭାଗ୍ୟକୁ ସିଏ ବି ଝିଅଟିଏ ହେଲା ଅବିକଳନୂପୁରପରି ଦେଖିବାକୁ।ବଡହେଲାପରେ ସେମିତି କୁନିକୁନି ଖଣ୍ଡିଆ କଥାରେ ବାପା ମାଆ ଆଈମା ଡାକିଲା।ତାକୁ ନେଇ ସୁମିତ୍ରା ପାଖରେ ଛାଡିଲେ।ତାର ରୁମୁଝୁମୁ ପାଉଁଜିର ସ୍ବର ଓ ଆଈମା ଡାକ ସୁମିତ୍ରାର ସ୍ମରଣ ଶକ୍ତି ଉପରେ ହଲଚଲ ସୃଷ୍ଟିକଲା।ସେ ଝିଅଟିକୁ କିଛିକ୍ଷଣ ନିରିଖେଇ ଦେଖିଲା

ଓ କହିଲା ମୋର ନୂପୁର ମରିନି ମୋର ନୂପୁର ବଞ୍ଚିଛି।

ମୁଁ ଡାହାଣୀ ନୁହେଁ।ମୁଁ ପିଲାଖାଇ ନୁହେଁ।ହେ ଭଗବାନ ମୋର ପରୀକୁ ତୁମେ ଭଲ କରିଦେଲ ତୁମକୁ ଧନ୍ୟବାଦ ପ୍ରଭୁ କୋଟି କୋଟିନମସ୍କାର।

ସୁମିତ୍ରାର ପାଗଳରୋଗ ଭଲ ହୋଇ ଯାଇଥିଲା।ପୁଅବୋହୁ ତାକୁ ଆଦରକରି ଘରକୁ ଡାକି ଆଣିଲେ।

ଏତେ ବର୍ଷର ନୀରବତା ପରେ ପୁଣି ସେ ଭଙ୍ଗା କୁଡିଆରେ ହସର ଲହର ଟିଏ ଗୁଞ୍ଜରଣ ତୋଳୁଥିଲା

କୁନି ନୂପୁରର ପାଉଁଜି ପୁଣି ଝୁମୁରୁ ଝୁମୁରୁ ବାଜୁଥିଲା

ସେଇ ନିକାଞ୍ଚନ ବନ୍ୟ ଭୂମିରେ।ଆଜି ପୁଣି ସରଗ ସରଗ ଅନୁଭୁତ ହେଉଥିଲା ଜାଗାଟି।ଏତେ ଦିନ ପରେ ଘରେ ଭୋଜିର  ବାସ୍ନାଟେ ଭାସି ଆସୁଥିଲା।ଆାଜି ପୁଣି ସମସ୍ତେ ମଶି ଭଲଭାବେ ଭୋଜନର ସ୍ବାଦ ଉପଭୋଗ ।କରିବେ।

ମାଧବୀ ପଟେଲ।

ପଳାଶ କୁସୁମ

ନଳିନୀ ପ୍ରଭା ମିଶ୍ର

ବସନ୍ତ ଋତୁର ଶୋଭା ବିବର୍ଦ୍ଧକ

  ହେଲେ ହେଁ ପଳାଶ ତୁହି

ବାସ ହୀନ ଯେଣୁ କାହାର ଆଦରେ

    ପାଇଁ ତୋର ସ୍ଥାନ ନାହିଁ।

ବସନ୍ତ ଲାଳିମା ଧରି ଅନୁପମା

   ବିରହ ବେଦନା ହାଣେ

ନୀରବ ବିଜନେ ଦୁଃଖ ଚାପି ବୁକେ

  ଜଳୁଥାଉ ତୁହି ବଣେ।

ତୋ' ଗୁଣ ଜାଣେନି ମଣିଷ ସମାଜ

  କିନ୍ତୁ ତୁହି ଭାଗ୍ୟ ବାନ

ଶିବରାତ୍ରି ଦିନ ଶିବଙ୍କ ମସ୍ତକେ

 ହୁଏ ତୋର ଅବସ୍ଥାନ।

ଉପନୟନରେ ବ୍ରତ ଚାରୀ ହସ୍ତେ

  ତୋ' ଦଣ୍ଡ ଧାରଣ ପାଇଁ

ଦ୍ବିଜ ଙ୍କ ନିମିତ୍ତ ବ୍ରତ ଘର ଲାଗି

  ଉପଜୀବ୍ୟ ଥାଉ ହୋଇ।

ନ ଥିଲେ ହେଁ ବାସ ପବିତ୍ର କର୍ମରେ

  ଉପୋଗ ର ନିମିତ୍ତ

ହୋଇଅଛୁ ଧନ୍ୟ କୁସୁମ ରୂପରେ

  ନିଜକୁ କରି ପବିତ୍ର।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ମାର୍ଗଶୀର ମାସ

ଲକ୍ଷ୍ମୀଙ୍କର ପ୍ରିୟ ମାର୍ଗଶୀର ମାସ

ତା ମଧ୍ୟରେ ଗୁରୁବାର

ଭକତି ମନରେ ପୂଜିଲେ ନାରୀଟି

ଦାରିଦ୍ରତା ହୁଏ ଦୂର।

ଶାନ୍ତ ପରିବେଶ ଗୋମୟ ସୁବାସ

ଆଦର ମାତାଙ୍କୁ ଭାରି

ପାଦପଦ୍ମ ଚିତା ଝୋଟିର ମୋହରେ

ଆସନ୍ତି ସେ ଥିରିଥିରି।

ଭେଦଭାବ ଘୃଣା ନାହିଁ ତାଙ୍କ ମନେ

ଜାତି ହେଉ ଅବା ଗୋତ୍ର

ବିଧି ବିଧାନରେ ଶାନ୍ତ ଚିତ୍ତରେ

କରେ ଯିଏ ତାଙ୍କ ବ୍ରତ।

ହୃଦୟ ଅଟଇ ଦୟାର ସାଗର

ଭକତିରେ ବନ୍ଧା ପୁଣି

ଅକୁଣ୍ଠ ଚିତ୍ତରେ ଦିଅନ୍ତି ଅଜାଡି

ବିଷ୍ଣୁଙ୍କର ପାଟରାଣୀ।

ବିରାଜିଲେ ମାତା ଘର ଅଗଣାରେ

ପ୍ରକାଶଇ ଯଶ ତାର

ପୁତ୍ରକନ୍ୟା ଗୋପଲକ୍ଷ୍ମୀ ବୃଦ୍ଧିହୋଇ

ହସିଉଠେ ପରିବାର।


ସରୋଜ କୁମାର ସାହୁ
ଆଠଗଡ,କଟକ

🌿🌹 " ଶୀତ ଅନୁଭୂତି " 🌹🌿

✍ ଅମରନାଥ ବାରିକ୍


               ଆସିଛି ଶୀତ ଚାଲରେ ମିତ

                      କରିବା କସରତ

                ଶରୀର ହେବ ପଥର ପରି

                    ଶୁଦ୍ଧ ହୋଇବ ରକ୍ତ ।

               ବଡ଼ି ଭୋଅରୁ ଶେଯରୁ ଉଠି

                   ବସିଲେ ବ୍ୟାୟାମରେ

                 ଲାଗିବ ଫୁର୍ତ୍ତି ମନ ନିଶ୍ଚଳ

                   ରହିବା ନିରୋଗରେ ।

                ଖାଇଲେ ଯାହା ହଜମ ହୁଏ

                    ଶୀତଋତୁ ଏ କାଳେ

                ଲାଗଇ ଭଲ ଶୋଇବା ପାଇଁ

                    ମୋଟା କମ୍ବଳ ତଳେ ।

                  ନିଆଁ ଜଳାଇ ପିଲାଠୁଁ ବୁଢ଼ା

                     ହାତ ଗୋଡ଼କୁ ସେକି

               ମନ ଯେ ଡା଼କେ ବସିବା ପାଇଁ

                    ଖରା ଜାଗାଟେ ଦେଖି ।

               ଲାଗିଲେ ଜାଡ଼ ଖୋଜା  ପଡ଼ଇ

                      ଉଷୁମ   ବସ୍ତ୍ରମାନ

                 ଥଣ୍ଡାରୁ ପୁଣି ଆରାମ ମିଳେ

                   ଘୋଡ଼ାଇ ହେଲେ କାନ ।

                 ଶୀତଳ ଜଳ ଗାଧୁଆ ପାଇଁ

                      କରିଲେ ବ୍ୟବହାର

                ଆପାଦମସ୍ତକ ଶୀତରେ କମ୍ପେ

                       ହୁଅଇ ଥରଥର ।

                  ତଥାପି ନିତି ଜରୁରୀ ଆମ

                       ଶରୀର ପକ୍ଷେ ସ୍ନାନ

                ନିୟମିତ କଲେ ଜଳରେ ସ୍ନାନ

                      ଭଲରେ କଟେ ଦିନ ।

                   ପନିପରିବା ତଟକା ଶାଗ

                      ସବୁଜିମା ଚୌଦିଗେ

                ସୋରିଷ କ୍ଷେତ ସୁନେଲି ଆଭା

                      ଖେଳେ ଦିଗ ବିଦିଗେ।

                 ସବୁ ସୁବିଧା ମିଳେ ଶୀତରେ

                         ବସନ୍ତ ଆବାହକ

                ଋତୁ ପାଲିଙ୍କିରେ ଶୀତର ଗୀତ

                       ପ୍ରାଣେ ଭରେ ମହକ।


.                            ସମାପ୍ତ

        ____●◆●____

✍ ଶ୍ରୀମାନ ଅମରନାଥ ବାରିକ୍
💌 କୟାଁ, ମଙ୍ଗଳପୁର, ଯାଜପୁର
            ଓଡ଼ିଶା - ୭୫୫୦୧୧

🌹ମାଁବୁଆ ହେଲେଁ ବୁଢାବୁଢୀ🌹

✍️ଶ୍ରୀ ଜିତେନ୍ଦ୍ରିୟ ସାହୁ

     ମକର୍‌ଧଜ୍‌ ପୁର୍‌ ବଲିକରି ଗୁଟେ ଗାଁ ଅଛେ। ସେ ଗାଁ ନ ସଭେ ମିଲିମିଶି କରି ରହେସନ୍‌।। କିହେ କାହାକୁଁ ଛନ୍‌-କପଟ୍‌ କି ହିଁସା-ହଁକାର୍‌ ନି କରନ୍‌। ଗାଁ ର ମଝାମୁଝି ଜଗନ୍ନାଥ୍‌ ଗୁଡି ପାଖେଁ ଅଛେ ଯଶ୍‌ପାଲ୍‌ ଘର୍‌। ତାର୍‌ ଘରେଁ ତାର୍‌ ପୁଓ ହାରାଧନ୍‌,ଝି ସୁଭଦ୍ରା ଆର୍‌ ତାର୍‌ ସିଆନି ଯଶୋମତି ସଭେ ମିଲିମିଶି କରି ରହେସନ୍‌। 

       ହାରାଧନ୍‌ ଯୁଆନ୍‌ ହେଲାକି ତାର୍‌ ବୁଆ ତାହାକେ ବିହା କରିନେଲା। ବଛ୍‌ରେ ଉତାରୁଁ ତାକର୍‌ ଘରେଁ ପିଲା ଟେ ହେଲା ତାର୍‌ ନାଁ ଦେଲେ ହିରୋ। ତେଥ୍‌ରୁଁ ଦିନାଦୁ ଗଲାକି ବନେ ଘର୍‌ ଟେ ଦେଖିକରି ସୁଭଦ୍ରା କେ ବିହା କରିନେଲେ। ସୁଭଦ୍ରା ତାର୍‌ ମାଁବୁଆର୍‌ ବନେ ଦେଖ୍‌ଭାଲ୍‌ କରୁଥିଲା। ତାପ୍‌ନେ ଖଟି ଗଲାକି ହାରାଧନ୍‌ ତାର୍‌ କୁଟୁମ୍‌ ଥିଁ ଘାଟି ହେଇକରି ମାଁବୁଆ କେ ହେତେ ଦେଖ୍‌ଭାଲ୍‌ ନି କଲା। ବଛର୍‌ ଦୁ ଉତାରୁଁ ବୁଢାବୁଢୀ ହେଇଗଲେ କି ତାହାକୁଁ ଅଲ୍‌ଗେଁ ତରାପଟିଆ ଘରେଁ ରହ ବଏଲା। ଏନ୍‌ତା କଥାବାର୍‌ତା ଶୁନିକରି ତାର୍‌ ମାଁ ଯଶୋମତି ର ମନ୍‌ ପୁରା ଫାଟିଗଲା। କାଁକରି ବଏଲେଁ ମାଁ ହିଁ ଜାନ୍‌ସି ଛୁଆ କାଣା ଆଏ ଯେ। ଦଶ୍‌ ମାସ୍‌ ଦଶ୍‌ ଦିନ୍‌ ଦିହେଁ ବୁହିକରି କେତେଟେ ଦୁଖ୍‌ ସହିକରି ଜନମ୍‌ ଦେଇଛେ ଆର୍‌ ତାହାକେ କେତେ ଯତନ୍‌ ପାତନ୍‌ କରି ବଡ୍‌ କରିଛେ ଯେ। ହେଲେଁ ଇ ଯୁଗର୍‌ ମହିମା କାହାକେ କହେମା।

        ହିରୋ କେ ପାଁଚ୍‌ ଛ ବଛର୍‌ ହେଲା କି ଟିକେ ବଡ୍‌ ହେଲା ଉତାରୁଁ ତାର୍‌ ବୁଢା ଦଦା ବେଇ ନିକେ କଥାନି ଶୁନିଜେ। ଦିନେ ଯଶ୍‌ପାଲ୍‌ ବୁଢା ବଳଦ୍‌ ର କଥାନି କହୁଛେ - ବଳଦ୍‌ ଯୁଆନ୍‌ ଥିଲେଁ ହଲ୍‌ ଶଗଡ୍‌ ଫାନ୍‌ଲା ବେଲେଁ କେତେ କୁଣା,ପିରୁଆ,ଲଟା,ପୁଆଲ୍‌ ଖାଏବାର୍‌ କେ ଦେସନ୍‌। ହେଲେଁ ବଳଦ୍‌ ଟାକ ବୁଢା ହେଲେଁ ଅପାରୁ ହେଲା ବଲିକରି କହେ ନି ପଚ୍‌ରନ୍‌ ହେନ୍‌ତା ଛଚେଁ ପଡିଥିସି ନ ବୁପୁରା ଆର୍‌ ଜାଣା ଟିକେଟିକେ ଦେଲେଁ ଖଉଥିସି। ନାତିଆ ହିରୋ କେ ଏନ୍‌ତା କଥାନି କହେତେ କହେତେ ବୁଢା ଯଶ୍‌ପାଲ୍‌ ଶୁରେଁଶରେଁ କହି ପକାଲା ଯେନ୍‌ତା କି ମୁଇଁ ବଲିକରି।

             ଆର୍‌କ ଦିନ ମଏଧାନେଁ ହିରୋ ଆର୍‌ ତାର୍‌ ବୁଆ ହାରାଧନ୍‌ ଖଉଥିଲା ବେଲେଁ ହିରୋ ପଚ୍‌ରଉଛେ - ବା ଗୋ ମୋର୍‌ ବୁଢା ଦଦା ବେଇ କେନ୍‌ତା ଆମର୍‌ ସାଂଗେଁ ନିଖାଏବାର୍‌ ଅଲ୍‌ଗେଁ ତରାପଟିଆ ଘରେଁ ଖାଏସନ୍‌ ଆର୍‌ ହେନ ରହେସନ୍‌। ଇ କଥା ଶୁନିକରି ହାରାଧନ୍‌ ବଲୁଛେ ଛାଡ୍‌ ବୋ ହେମାନେ ବୁଢାବୁଢି ହେଲେ ନ। କେନ୍‌ତା ଖାସୁଛନ୍‌ ଆର୍‌ ଗନ୍‌ହୁଛନ୍‌ ଦେଖୁଛୁ କିନି। ବୁଆର୍‌ କଥା ଶୁନିକରି ହିରୋ ତାର୍‌ ବୁଆକେ କହୁଛେ ବା ଗୋ ତୁଇଁ ଯେନ୍‌ତା ମୋର୍‌ ଦଦା ବେଇ କେ ଅଲ୍‌ଗେଁ ତରାପଟିଆ ଘରେଁ ରଖିଛୁ ତତେ ବି ହେନ୍‌ତା ବୁଢା ହେଲେଁ ହେ ତରାପଟିଆ ଘରେଁ ରଖ୍‌ମି। ହାରାଧନ୍‌ ହାତେଁ ଭାତ୍‌ ଧରିକରି ମୁହୁଁକେ ନେଲା ବେଲେଁ ଏନ୍‌ତା କଥା ଶୁନିକରି ତାର୍‌ ହାତୁଁ ଭାତ୍‌ ତଲେଁ ପଡିଯେଇକରି ଆଖୁଁ ଥପ୍‌ଥପ୍‌ ଲହ ବାହାରିଗଲା। ତାର୍‌ ମନ୍‌କେ ତେଥ୍‌ରୁଁ ମୁନୁଷ୍‌ପନ୍‌ ଟା ଡୁକ୍‌ଲା ଠିକ୍‌ କହୁଛୁ ରେ ବାବୁ ବଲିକରି କହେଲା।

          ଇତାର୍‌ ଉତାରୁଁ ହାରାଧନ୍‌ ନର୍‌ଦିତେଲ୍‌ ଯେଇକରି ତାର୍‌ ମାଁବୁଆର୍‌ ପାହାଁତଲେଁ ପଡିକରି କହୁଛେ ମୋର୍‌ ଭୁଲ୍‌ ହେଇଯେଇଛେ ମତେ ମାପ୍‌ କରିନିଅ। ବୁଢାବୁଢି ଦେଖିକରି ଅକାମକା ହେଇଗଲେ। ଆଏଜ୍‌ ନି କେଲ୍‌ ନି କାଣା ହେଲା ଆମର୍‌ ବାବୁ କେ ବଲୁଛନ୍‌। ତାର୍‌ ବୁଆ ତେଥ୍‌ରୁଁ ଉଟ୍‌ ବାବୁ ଉଟ୍‌ ତୋର୍‌ କାଣା ଭୁଲ୍‌ ହେଲା ବୋ କିଛି ତ ନିକରିଁ। ହାରାଧନ୍‌ ଉଠିକରି କହୁଛେ ଆଏଜ୍‌ ଠାନୁ ତମେ ଦୁହିଜନ ଆମର୍‌ ସାଂଗେଁ ରହେବ ଗୁଟେ ଠାନେଁ ଖାଏମା ମିଲିମିଶି କରି ରହେମା। ମୁଇଁ ଅନ୍‌ମୁନ୍‌ଶିଆ ହେଇ ଯେଇଥିଲି ମୋର୍‌ ବେଟା ହିରୋ ମତେ ମୁନୁଷ୍‌ପନ୍‌ ଦେଖେଇ ନେଲା। ଇତାର୍‌ ଉତାରୁଁ ଯଶୋଧନ୍‌ ର ଘରେଁ ଆଗର୍‌ ଲେଖେଁ ସଭେ ହସିଖୁସି କରି ରହେଲେ।

    ଆମେ ଯଦି ମାଁବୁଆକୁଁ ଭଲ୍‌ଭାବେଁ ନି ରଖ୍‌ଲେଁ ଆମର୍‌ ଛୁଆମାନେ ଦେଖିକରି ଆମକୁଁ ବି ଏନ୍‌ତା ଅବସ୍ତା କର୍‌ବେ। ତ ଆମେ ମାଁବୁଆକର୍‌ ମିଲିମିଶି କରି ରହେଲେଁ ତାକର୍‌ ସେବା କର୍‌ଲେଁ ଆମର୍‌ ତ ମଂଗଲ୍‌ ହେବା ତାର୍‌ ସାଂଗେଁ ଆମର୍‌ ଛୁଆମାନେ ବି ଠିକ୍‌ ଶିକ୍ଷାଟେ ପେଇ ପାର୍‌ବେ। ପର୍‌କୁତ୍‌ ରେ ମାଁବୁଆ ଭଗବାନ୍‌ ଠାନୁ ବି ବଡ୍‌ ଆନ୍‌। ତାହାକୁ ସେବା କର୍‌ଲେଁ ତାହାକୁଁ ହସେଇ କରି ରଖ୍‌ଲେ ଯେନ୍‌ ଫଳ୍‌ ମିଲ୍‌ସି ଜପତପ କି ଯେତେ ଯଜ୍ଞ କର୍‌ଲେଁ ଏତ୍‌କି ଫଳ୍‌ ନି ମିଲେ।

ପଦ୍ମ ପୁରାନ୍‌ ଥିଁ ବ୍ଯାସଦେବ୍‌ ଲେଖିଛନ୍‌ -

ପ୍ରାକ୍‌ ପିତ୍ରୋରର୍ଚୟା ବିପ୍ରା ମଦ୍ଧର୍ମଂ ସାଧୟେନ୍ନରଃ ।

ନ ତତ୍‌କ୍ରଶତୈରେବ ତୀର୍ଥଯାତ୍ରାଦିଭିର୍ଭୁବି ।।

ପିତା ଧର୍ମଃ ପିତା ସ୍ବର୍ଗଃ ପିତା ହି ପରମଂ ତପଃ ।

ପିତରି ପ୍ରୀତିମାପନ୍ନେ ପ୍ରୀୟନ୍ତେ ସର୍ବଦେବତାଃ ।।

ପିତରୋ ଯସ୍ଯ ତୃପ୍ଯନ୍ତି ସେବୟା ଚ ଗୁଣେନ ଚ ।

ତସ୍ଯ ଭାଗୀରଥୀସ୍ନାନ ମହନ୍ଯହନି ବର୍ତତେ ।।

ସର୍ବତୀର୍ଥମୟୀ ମାତା ସର୍ବଦେବମୟଃ ପିତା ।

ମାତରଂ ପିତରଂ ତସ୍ମାତ୍‌ ସର୍ବଯତ୍ନେନ ପୂଜୟେତ୍‌ ।।

      (ପଦ୍ମ ପୁରାନ୍‌, ସୃଷ୍ଟି ଖଣ୍‌ ୪୭/୮-୧୧)

        ଇତାର୍‌ ମାନେଁ ପହେଲା ମାଁବୁଆ କୁଁ ପୂଜା କରିକରି ମୁନୁଷ୍‌ ଯେନ୍‌ ଧରମ୍‌ କର୍‌ସି, ସେଟା ଗୁର୍ଦୁଟେ ଯଜ୍ଞ ଆର ତିର୍‌ଥ କର୍‌ଲେଁ ବି ନେଇଁ ମିଲେ। ବୁଆ ଧରମ୍‌, ବୁଆ ସରଗ୍‌ ଆର୍‌ ବୁଆ ହିଁ ତପ୍‌ ଆଏ। ବୁଆ ଖୁସ୍‌ ହେଲେଁ ସବୁ ଦେବ୍‌ତା ଖୁସ୍‌ ହେଇ ଯାଏସନ୍‌। ଯାହାର୍‌ ସେବା ଅଉ ସତ୍‌ଗୁନ୍‌ ଥିଁ ମାଁବୁଆ ଖୁସି ହେଇଯାଏସନ୍‌, ସେ ପୁଓ କେ ସବୁଦିନ୍‌ ଗଂଗା ଠାନେଁ ଗାଧ୍‌ବାର୍‌ ଫଳ୍‌ ମିଲ୍‌ସି। ମାଁ ସବୁତୀର୍‌ଥ ଆନ୍‌ ଆର୍‌ ବୁଆ ସବୁ ଦେବ୍‌ତା ମାନ୍‌କର୍‌ ଭେସ୍‌ ଆନ୍‌ : ଇଥିର୍‌ ଲାଗି ସବୁ ପର୍‌କାରେଁ ମାଁବୁଆ କର୍‌ ଯତନ୍‌ କରି ତାହାକୁଁ ସେବା କର୍‌ବାର୍‌ କଥା ।।

ମାଁବୁଆ ଆନ୍‌ ବଡ୍‌ ମାହାଁପୁରୁ 

ତାହାକୁଁ କେଭେଁ ନାଇଁ ଭାବ୍‌ବ ସୁରୁ।।


ଶ୍ରୀ ଜିତେନ୍ଦ୍ରିୟ ସାହୁ 
ଚୁହାନ୍‌ ପାଲି,ଘେଁସ୍‌,ବର୍‌ଗଡ୍

ହୃଦୟସ୍ପର୍ଶୀ ହେଉ ତୁମର ସ୍ଵଭାବ

ଶୁଭେ ଶୁଭେ ଯାଉ ଏ ଶୁଭ ସକାଳ

ଘେନି ଆସୁ ଶୁଭ ପୁଣି ମାଳ ମାଳ

ଜୀବନଫୁଲ ବାସୁ ଯେହ୍ନେ ତମାଳ

ଦୁଃଖର ଫଳକୁ ବାଛି ନେଉ କାଳ

,

ଜଗନ୍ନାଥ ଆଶୀର୍ବାଦ ପଥରେ ଵରଷୁ

ବୁଦ୍ଧି ଲୋକଙ୍କର ମଙ୍ଗଳେ ପ୍ରକାଶୁ

ଗୋଲାପି ସ୍ଵପ୍ନରେ ରାତିରାଣୀ ହସୁ

ମାଆ ମହାମାୟୀ ଶୁଭ ଵରଷନ୍ତୁ


ଶୁଭ ଚିନ୍ତା ଶୁଭ ଭାବନାରେ ମନ

ଆନନ୍ଦ ଉତ୍ସଵେ ହେଉ ତ ମଗନ

ଶୁଭଫଳଦାୟୀ କାମରେ ହୃଦୟ

ଵିଗଳିତ ହେଉ ନ ରହୁ ତ ଭୟ


ଶୀତ କାକରରେ ଥରୁଅଛି ଯିଏ

ରାହା ମିଳିଯିବ କ୍ଷଣକେ ଆଶ୍ରୟେ

ଦିଅ ତାକୁ ତୁମେ ନିଜ ସକ୍ଷମରେ

ଏକପାଦ ଵଢୁ ଭଗବତ୍ ବିଶ୍ଵାସେ


ଖରା ବର୍ଷା ସହି ଆମ କୃଷକ ଭାଇ

ଜମିରେ ଖଟିକି ଶସ୍ୟ ଉପୁଜାଇ

ଅନ୍ୟର ମୁହଁରେ ଦାନା ଟିକେ ଦିଏ

ସନ୍ତୋଷେ ନିରୋଗ କୁଡ଼ିଆରେ ଥାଏ


ଆଶୀର୍ବାଦ ବୃକ୍ଷ ବଢିବ ସ୍ନେହରେ

ଦେଉଥିବା ପ୍ରେମ ଆଉ ମମତାରେ

ତୁଳନା କରନି ତାକୁ ନିର୍ଜୀବ ଧନରେ

ଲଗାଅ ସର୍ବଦା ମଣିଷରୂପି ଗଛରେ


ଲକ୍ଷ୍ମୀ ତ ଚଞ୍ଚଳା ସ୍ଵଛ ଗୃହେ ବାସ

ଧନ ପାଇଁ କେବେ ନ ହରା ବିଶ୍ବାସ

ଚଞ୍ଚଳା ତ ଯିବେ, ଯିବ ବନ୍ଧୁବାନ୍ଧବ

ସେଥିପାଇଁ ବନ୍ଧୁ ମନେ ଦୟାଭାବ ରଖ


କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର ।

ଏମିତି ମାରିଦବ

ମୋତେ କଣ ଏମିତି ମାରିଦବ ମୁଁ          

ପରା ତୁମ ପ୍ରେମକୁ ଅପେକ୍ଷା କରିଛି     

ପ୍ରେମ ସ୍ବାଦ ଜାଣିବା ଆଗରୁ ଏମିତି     

କେମିତି ମାରି ଦଉଛ ତୁମେ ।। 


ଆଖିଦୁଇଟି ଅପେକ୍ଷା କରିଛି ଦେଖିବ     

ତୁମ ଚେହେରା ଛଳନା ନା ସ୍ବାର୍ଥପର     

ଏତିକି ଦେଖିବାକୁ ଦିଅ ତା ପରେ       

ତମେ ମାରି ଦେବ ମୋତେ ।। 


ଆଉ କଣ ଦେଖାଇବ ମୋତେ ଜେ

ମୁଁ ଦେଖିବି ତୁମକୁ ଯାର ମନ

ଅପେକ୍ଷା ହୂଦୟ ଟା ମଳିନ କେ

ଜାଣେ ଦେହରେ ଥିବ ଦାଗ ।।


ମେକପ ମାରୁଥିବା ମୁହଁ ଅନେକ

ମିଥ୍ଯା କହିଥାଏ ମୁଁ ତୁମର ନୁହଁ

ଆଉ ଏ ପ୍ରେମ ଛଳେଇ ଆଉ

କାହାର ହେଇ ସାରିଛି ।। 


ମୁଁ ତୁମ ପ୍ରେମ ଅପେକ୍ଷା ରେ ଏଠି

ମରୁଛି ଛଳନା କରିଲ ଜଦି ମୋ

ସହିତ କରିଥାନ୍ତ କିନ୍ତୁ ମୋ ବିଶ୍ବାସ

ସହିତ କରିଲ ଏତିକି ବାଧିଲା ।। 

°°°°°°°°°°°°°°°°°°°°°°°°°°°°°°°

                 ଦୁଷ୍ମନ୍ତ ବେହେରା

                      ରାସୋଳ

ପଳାଶ କୁସୁମ


      ବାସନ୍ତୀ ଲତା ଜେନା


ପଳାଶ କୁସୁମ ରୂପରେ ସୁନ୍ଦର

      ଗୁଣ ତାର କିଛି ନାହିଁ

ନାଲି ଟହ ଟହ ସୁରଭି ବିହୀନ

       ନ୍ୟୁନ ତାରେ ଗଣା ଯାଇ   l୧l


ଶୀତର  ଶେଷରେ ବସନ୍ତ ଆଗମେ

      ଫୁଟି ଦିଶୁଥାଏ ତୋରା

ଦୂରରୁ ସୁନ୍ଦର    ମନ ମୁଗ୍ଧ କର

       ପାଶେ ବାସ ନାହିଁ ପରା   l୨l


ପତ୍ରହୀନ  ଡାଳେ ରଙ୍ଗ ଭରି ଦିଏ

         ପେନ୍ଥା ପେନ୍ଥା ପୁଷ୍ପ ହୋଇ

ଆଦର ନ ଥାଇ ତଳେ ଲୋଟି ଯାଏ

       ନାଲିଆ ଗାଲିଚା ହୋଇ     l୩l


ରୂପ ପାଇ ଅଛି ଧରାରେ ହସୁଛି

       ଅଭିଶପ୍ତ ପ୍ରାଣ ତାର

ତଥାପି ସୂଚନା ତା ମନରେ ନାହିଁ

      ହସ ଖୁସି ଝରଣାର      l୪l


ଦେବା ଦେବୀ ପାଖେ ପୂଜିତ ନ ହୁଏ

       ହୁଏ ବର୍ଷକରେ ଥରେ

ଶିବ ରାତ୍ରି ଦିନ ଶିବ ମସ୍ତକରେ

     ପଳାଶ ଅରଖ ଶୋହେ    l୫ l


ଏକ ଦିନ ପାଇଁ ସବୁରି  ଆଦରେ

       ସୁଭାଗ୍ୟଶାଳୀ ସେ ହୁଏ

ସାରା ଜୀବନରେ ଦୁଃଖ ଭୂଲି ଯାଇ

      ପ୍ରଭୁ ଧନ୍ୟବାଦ ଦିଏ        l୬l


ଯେତିକି ପାଇଛି ସେତିକିରେ ଖୁସି

       ଅଭିମାନ କରେ ନାହିଁ

ମନୁଷ୍ୟକୁ ଶିକ୍ଷା ସେତ ଦେଉ ଥାଏ

       ମନ ଊଣା କର ନାହିଁ      l୭l


ଯାହା ଭାଗ୍ୟେ ବିହୀ ଯାହାତ ଲେଖିଛି

     ସେଥିରେ ସନ୍ତୁଷ୍ଟ ହୁଅ

ଜୀବନ ମରଣ ବିଧାତା ଲିଖନ

      ତାକୁ ମନେ ରଖି ଥାଅ    l୮l


ହସି ହସାଇବା ଦୁଃଖ ଲିଭାଇବା

      ସ୍ନେହ ପ୍ରେମ ଖୁସି ଦେଇ

ଗଙ୍ଗଶିଉଳୀର ଆୟୁଷକୁ ନେଇ

      ସୁବାସ ଦେବା ବିଛାଇ     l୯l


ଗାନ୍ଧିନଗର, ନବରଙ୍ଗପୁର   l

Tuesday, December 1, 2020

ଫୁଟପାତ ଜୀବନ

ମନୋଜ କୁମାର  ଦାସ

ଅସହାୟ  ନିରୀହ ଜୀବନଟା
ଡହଳ ବିକଳ ହେଉଛି 
ଶୀତୁଆ  ରାତିର
ଖୋଲା  ଆକାଶ  ତଳେ  l
ଜୀବନ  ଜୀବିକାର  ମୋହ ରେ
ଘୁରି ବୁଲୁଛି କେଉଁକାଳୁ
 ନ ଥିଲା
ଭିଟାମାଟି ନା  କୁଡ଼ିଆଘରଟେ
ବାପା  ମା 'ଛେଉଣ୍ଡ
ବା  ଥିଲେ  ଆତ୍ମୀୟ ସ୍ୱଜନ  l
ଚିର ଅବହେଳିତ  ଜୀବନ
ଏ ଗାଁ ରୁ  ସେ  ଗାଁ
ବଜାର ରୁ  ସହର
ଏମିତି ଚାରିଆଡେ
ଜୀବନ ବିତେ  l
  ପରିସ୍ଥିତି ରେ  ପଡି
ସମୟ ଚକ୍ର ରେ
ମାନସିକ ଯନ୍ତ୍ରଣା ଭୋଗୁ ଭୋଗୁ
 ରୋଗl ଗ୍ରସ୍ତ ହୋଇ
ଭୋକ ଉପବାସ ରେ
ଅଇଁଠା ପତ୍ରରୁ
ଡଷ୍ଟ ବିନ ରୁ 
କୁକୁର, ବିଲେଇ ଙ୍କ  ସହମିଶି
ପେଟକୁ କିଛିଟା ଆହାର
ମିଳେତ 
ବେଳେବେଳେ ମୁନ୍ଦl ଏ
ପାଣି ରେ  ଜୀବନ  ବଞ୍ଚେ  l
ଶାସନ  ପ୍ରଶାସନ ର
ନ ଥାଏ ନଜର
ଆଶ୍ରୟ ସ୍ଥଳ ରେ  ଝୁଲେତାଲା
ଏ ଦୁନିଆରେ କିଏ କାହାକୁ
ପଚାରୁଛି
ଦାନ ଧର୍ମ ଅର୍ଥରେ
ଦିନେ ଓଳି ଏ  ଦେଇ ପାରେ
ଆଶ୍ରୟ ପାଇଁ ନ ଥାଏ  ସୁବିଧା
ଜନ୍ମରୁ  ମୃତ୍ୟୁ ଯାଏ
ଫୁଟପା ତ  ହିଁ
ଜୀବନ  ଠିକଣା  l
################
ଆଳିଜଂଗ l, କେନ୍ଦ୍ରାପଡା

🦋ସମ୍ପର୍କ🦋

      ଡ.ଶ୍ୟାମା ପ୍ରସାଦମିଶ୍ର

କାହିଁକି କେଜାଣି ବେଳେ ବେଳେ
ଇଛାହୁଏ
ଦେଖିବାକୁ ସ୍ବପ୍ନ ଟିଏ
ନିଝୁମ ରାତିରେ 
ନିଦର ସାମ୍ରାଜ୍ୟ ଭିତରେ ।
ବହଳ ବହଳ ନିଦ ମାନଙ୍କୁ
ସାଥି କରି ଥିଲାବେଳେ
ନିଦକୁ କୁହନ୍ତି
ଥିରିଥିରି ଡାକିବାକୁ ସ୍ବପ୍ନକୁ,
ଆସିଗଲେ ସ୍ବପ୍ନ
ସ୍ବପ୍ନକୁ କୁହନ୍ତି
ଯାଅ ତୁମେ ପାଦ ଚିପି ଚିପି
ଜୀବନର ଅଦୃଶ୍ୟ କାନଭାସ ଭିତରୁ
ତୁମକୁ ଡାକି ଆଣିବାକୁ
ମୋ' ଶବ୍ଦ ଶୁନ୍ୟ ଇଲାକା ଭିତରକୁ ।
ଆସିଗଲେ ତୁମେ
ହେଉପଛେ ସ୍ୱପ୍ନରେ
ତୁମକୁ କୁହନ୍ତି
"ଦେଖ-
ଏତ ନଇଁ ଯିବାର ବେଳ
ସଞ୍ଜବତୀ ଜାଳିବାର ବେଳ,
ସତେ କଣ ଏଠୁ ଏମିତି 
ତୁମର ଦୁରେଇ ଯିବାର ବେଳ ? "
ସତେ ତୁମେ ଯଦି ଆସିଯାଅନ୍ତ
ଥିରିଥିରି ପାଦ ଚିପି ଚିପି ଥରେ
ଜାଳି ଦେବାକୁ ସଞ୍ଜବତୀ
ମୋ ହୃଦୟର ଗୋପନ ଠଣାରେ
ସମସ୍ତଙ୍କ ଅଲକ୍ଷରେ ଗୋପନ ଭାବରେ;
ଦେଖନ୍ତ କେମିତି ତା' ଆଲୋକରେ
ଆଲୋକିତ ହେଇଯାଆନ୍ତା ସମୟ
ବଦଳି ଯାଆନ୍ତେ ମୁହୂର୍ତ୍ତ ମାନେ
ବଦଳି ଯାଆନ୍ତା 
ପ୍ରୀତି ସଂଗୀତର ସ୍ୱର
ଜୀବନ୍ତ ହେଇ ଯାଆନ୍ତା 
ମୋ ଡାଏରୀରେ ଲେଖା
ଜୀବନର ଗୋପନ 
ଗଜଲ ସବୁ ଯେତେ ।
ଗାଇଦେଲେ ତୁମେ ଥରେ
ସ୍ଵପ୍ନରେ ହେଉ ପଛେ
ପ୍ରୀତିର ଗଜଲ
କ୍ଲାନ୍ତି ସବୁ ଦୁରେଇ ଯାଆନ୍ତେ;
ଜୀବନର ଅଦୃଶ୍ୟ ଭଙ୍ଗା ସିଲଟରେ
ଦେଖନ୍ତ କେମିତି
ଚିତ୍ରୀତ ହେଇଯାଅନ୍ତା
ଦିଗବଳୟୁ ଦିଗବଳୟ ଯାଏ
ପରିବ୍ୟାପ୍ତ ଆମ ସମ୍ପର୍କର ନିଡ଼ ।
               🦋ବ୍ରହ୍ମପୁର,ଗଞ୍ଜାମ

ତିନୋଟି ଅଣୁ ଗଳ୍ପ

ସୁକାନ୍ତ ଖଣ୍ଡା
            କ୍ଷମା ପ୍ରାର୍ଥନା-୧
ଉଣେଇଶି ଶହ ଅନେଶତ ମସିହାର କଥା। ଓଡି଼ଶାରେ ମହାବାତ୍ଯା ପରେ ପରେ ଆମେ ଭୋଜି କରୁଥିଲୁ। ଭୋଜି ଖୁବ୍ ସାଧାସିଧା ଥିଲା। ଭାତ ଆଉ ମାଂସ। ମାଂସ ରୋଷେଇ କରୁଥିଲେ କୃଷ୍ଣଚନ୍ଦ୍ର ମାନସିଂହ ବାବୁ। ମୁଁ ପାଖରେ ବସି ଦେଖୁଥିଲି। ମାନସିଂହ ବାବୁ ଏକ କି.ଗ୍ରା. ମାଂସରେ ମାତ୍ର ପଚାଶ ମି.ଲି.ରୁ ଟିକିଏ ଅଧିକ ହେବ ସୋରିଷ ତେଲ ଦେଇ କଷିଲେ। ମୁଁ ଯାହା ଜାଣିଛି ଏକ କି.ଗ୍ରା. ମାଂସରେ ଏକ ଶହ ମି.ଲି. ତେଲ ନିହାତି ଦେବାକଥା। ତେଲ କିଣା ହୋଇ ଆସିବା ପରେ ବି ଦେଲେ ନାହିଁ ତ ମୁଁ ଯୁକ୍ତିକଲି। ସେ କିନ୍ତୁ ନ ଶୁଣିଲା ପରି ହେଲେ ଓ ରୋଷେଇ କରି ଚାଲିଲେ। 
           ମୁଁ ରାଗ ତମତମ ହୋଇ ଉଠି ପଳେଇଲି। ମନରେ କେତେ କ'ଣ ଗାଳିଦେଲି। ଭଲ ହେବ ନାହିଁ ତ ଖାଇବି ନାହିଁ ବୋଲି ସଙ୍କଳ୍ପ କଲି। 
     ଠିକଣା ସମୟରେ ଡକା ହେଲା। ଖାଇବି ନାହିଁ ବୋଲି ସିନା ସଙ୍କଳ୍ପ ନେଇଛି। ହେଲେ ନ ଖାଇଲେ ନ ଚଳେ। କେତେ ଆନନ୍ଦ ଉଲ୍ଲାସରେ ଭୋଜି କରିଛୁ,କାଳେ କ'ଣ ଭାବିବେ ଅଗତ୍ଯା ଯାଇ ବସିଲି। ଭାତ ଖାଇ ମାଂସ ତରକାରୀ ପାଟିକୁ ଯାଇଛି ତ ଯେତିକି ରାଗରେ ଗାଳି ଦେଇଥିଲି ସେତିକି ପ୍ରଶଂସାରେ ପୋତି ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲି। ମୁଁ ଶୁଣିଲି ମାଂସକୁ କଷା ସମୟରେ ପାତିଆକୁ ସବୁ ମସଲା ଯେତେବେଳେ ଯାଏ ନ ଆସିଛି ମାଂସ ପକେଇବ ନାହିଁ। ଏହିପରି କରିବ ତ ଅଳ୍ପ ତେଲରେ ସୁସ୍ବାଦୁ ହୋଇ ପାରିବ।
            କ୍ଷମା ପ୍ରାର୍ଥନା-୨
ଆମ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁ ଥରେ ଅଣପୁରୁଷା କଦଳୀ ଆଣି ନିଜ ବ୍ଯାଗରେ ଥୋଇଲେ। ଥୋଇବାବେଳେ ମୋ ନଜରକୁ ଆସିଲା। ମୁଁ ପ୍ରଶ୍ନ କରି କହିଲି,"ଆଜ୍ଞା ! ଏ କଦଳୀ କ'ଣ କରିବେ କି? ଏହାକୁ କେଉଁଠୁ ଆଣିଲେ? ଏହାକୁ ମଣିଷ ଖାଏ? ଏହାକୁ ତ ଫିଙ୍ଗିବାର କଥା ବ୍ଯାଗରେ ପୂରେଉଛନ୍ତି କ'ଣ?" ମୁଁ ଏକ ନିଶ୍ବାସର କହିଗଲି। ସୁରେଶ ସାର୍ କୌଣସି ଉତ୍ତର ନ ଦେଇ ମଉନ ରହିଲେ।
         ପର ଦିନ ବିଦ୍ଯାଳୟରେ ଖାଇବା ବେଳେ ଆଣିଥିବା ତରକାରୀ ମୋତେ ଦେଲେ। ମୁଁ ଚାଟିଚାଟି ଖାଇଲି। ଆହା ! କି ସ୍ବାଦ।ସେ ମୋତେ କହିଲେ,"ସାର ! ତରକାରୀ କେମିତି ଲାଗୁଛି?" ଉତ୍ତରରେ କହିଲି,"ବାଃ କି ସ୍ବାଦ !ଭାଉଜ ଆଜି ମନଜାଣି ରୋଷେଇ କରିଛନ୍ତି।" ମୁରୁକି ହସି କହିଲେ,"ହଁ ଆଜ୍ଞା ! ଗତକାଲି ଯେଉଁ ଅଣପୁରୁଷା କଦଳୀ ନେଇଥିଲି ସେଇ କଦଳୀ ହିଁ ଏ ତରକାରୀର ସ୍ବାଦ।"
        ମୁଁ ସାରଙ୍କୁ କହିବି କ'ଣ? ମୁଣ୍ଡ ତଳକୁ ନଇଁଗଲା ଆଉ ଭୁରିଭୁରି ପ୍ରଶଂସା ବଢି଼ବା ସହ କ୍ଷମା ପ୍ରାର୍ଥନା କଲି।
                କ୍ଷମା ପ୍ରାର୍ଥନା-୩
ବିଦ୍ଯାଳୟ ଭୋଜି ହୁଏ। ଖାଇବାବେଳେ ଆଲୋଚନା ହୁଏ ଗୋଲଆଳୁ ପକେଇ ଥିଲେ ଭଲ ହୋଇଥା'ନ୍ତା,କିଏ କହେ ସାରୁ ଦେଇଥିଲେ ଭଲ ହୋଇଥା'ନ୍ତା ଆଉ କିଏ କହେ ଅମୃତଭଣ୍ଡା ଦେଇଥିଲେ ଭଲ ହୋଇଥା'ନ୍ତା। ଏ କଥା ମୁଁ ଶୁଣେ ମୋର ଯେମିତି ବ୍ରହ୍ମଚିଡେ଼। ମୁଁ କହେ,"ଆଜ୍ଞା ! ଗୋଲଆଳୁ,ସାରୁ କି ଅମୃତଭଣ୍ଡା ଦିଆଯାଏ ସେତେବେଳେ ଯେତେବେଳେ ମାଂସର ଅଭାବ ଥିବ। ଅଳ୍ପ ମାଂସ ତ କିଛି ଗୋଲଆଳୁ,ସାରୁ କି ଅମୃତଭଣ୍ଡା ପକେଇଦେଲେ ଅଧିକ ହେବ ଆଉ ଖାଇବାରେ ମଧ୍ଯ ସୁବିଧା। ଯଦି ଭରପୂର ମାଂସ ଅଛି ଏ ସବୁ ପକେଇବା କୌଣସି ଆବଶ୍ଯକ ନାହିଁ।
       ଅନ୍ଯ ସାରମାନେ କିଛି କୁହନ୍ତି ନାହିଁ ତ ମୁଁ ଗର୍ବରେ ଭାବେ ବୋଧେ ଜିତିଗଲି। ଥରେ କୁକୁଡା଼ ମାଂସ ଭୋଜିରେ ନିମାଇଁ ଚରଣ ସାର୍ ଅମୃତଭଣ୍ଡା ଦେଇ ରୋଷେଇ କଲେ। ଆହା ! କି ସ୍ବାଦ। ମୁଁ ଖାଉଖାଉ ଏତେ ପ୍ରଶଂସାରେ ପୋତି ଦେଲି ଯେ ସେମାନେ ହସି ପକେଇ କହିଲେ,"ସାର ! ଏ କୁକୁଡା଼ ଦୁଇ ବର୍ଷର ହେବ ଏଣୁ ଭଲକି ସିଝିବାକୁ/ତୁଳାଭଳି ନରମ ହେବାକୁ ଏଇ ଜିନିଷ ପକେଇଛୁ। ସେମାନେ ଅମୃତଭଣ୍ଡାର ଖଣ୍ଡଟିଏ ମୋତେ ଦେଖେଇଲେ। ମୁଁ ପ୍ରଶଂସାରେ ପୋତି ପକେଉଥିବା ବନ୍ଦ କରି କ୍ଷମା ପ୍ରାର୍ଥନା କଲି। 
           ସତରେ ! ମାଂସକୁ ତୁଳାଭଳି ନରମ କରିବାକୁ ହେଲେ ଅମୃତଭଣ୍ଡା ନିହାତି ଦେବା ଆବଶ୍ଯକ।
                    ***
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

ସର୍ତ୍ତ

ବିଶ୍ୱାସ ଯେଉଁଠି ନିଶ୍ୱାସ ନେବାକୁ 
ଲୋଡ଼ୁଥାଏ ନିତି ସର୍ତ୍ତ... 
ଆଶା ତ ସେଇଠି ଅସୁମାରୀ ଅଶ୍ରୁ 
ନିୟତିର ନଗ୍ନ ନୃତ୍ୟ...
କିଛି ମିଛ କିଛି ସତ... 
ଯାତନା ଯଜ୍ଞରେ ଆହୁତି ସାଜଇ 
ସାଉଁଟା ସ୍ମୃତିର ଘୃତ... 

ସମ୍ପର୍କ ଯେଉଁଠି ସର୍ତ୍ତର ସମିଧ 
ଅଗ୍ନି ଅଫେରା ମୁହୂର୍ତ୍ତ... 
ମହାମନ୍ତ୍ର ସେଠି ମୂକର ବଚନ
ପ୍ରତାରଣା ପୁରୋହିତ... 
ସ୍ବପ୍ନ ବି ଅଵଗୁଣ୍ଠିତ... 
କୋଇଲି ଗାଉଛି କରୁଣ କଣ୍ଠରେ 
ବସନ୍ତର ଶେଷ ଗୀତ... 

ଜୀବନ ଯେଉଁଠି ସର୍ତ୍ତ ସନନ୍ଦରେ 
ସ୍ୱାର୍ଥର ଆଙ୍ଗୁଳି ଛାପ... 
ହତାଶା ସେଇଠି ହାତ ଠାରି ଡାକି 
କରଇ କେତେ ଆଳାପ... 
ଭାବନାର ଭିନ୍ନ ରୂପ... 
ଦଇବ ଦୁଆରେ ମଣିଷ ଜୀବନ 
ଦି ମୁଠା ମାଟିର ଦୀପ... 


ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର 

ଏ ଜୀବନ ଏକ ସଂକଳ୍ପ

ନଳିନୀ ପ୍ରଭା ମିଶ୍ର

ଏ ଜୀବନ ଏକ ସଂକଳ୍ପର କ୍ଷେତ୍ର
  ନୁହେଁ ଉପଭୋଗ ଲାଗି
କର୍ମର ନିମିତ୍ତ ଦୃଢ଼ ଇଚ୍ଛାଶକ୍ତି
  ଉଠିଥାଏ ସଦା ଜାଗି।
ସଂକଳ୍ପିତ କର୍ମ ନୁହଁଇ ଅକର୍ମ
  ଦଧିଚିଙ୍କ ଅସ୍ଥି ଦାନ
ରାମ ବନବାସ ସୂର୍ଯ୍ୟ ବଂଶ ଗାଥା
  ରହିଛି ହୋଇ ମହାନ୍।
ଜଗତର ହିତେ ଜନ୍ମିତ ମାନବ
   ସଂକଳ୍ପ ପଥେ ପଥିକ
ମହାପୁରୁଷର ଆଖ୍ୟା ବହି ସଦା
  ରଖି ଯାଇଛନ୍ତି ଟେକ।
ସଂକଳ୍ପ ‌ହି ଆଣେ ସମାଜେ ସଂସ୍କୃତି
  ସଂସ୍କାର ବଦ୍ଧ ଜୀବନ
ମାନବିକତାକୁ କରି ଜପାମାଳି
 ଜୀବନ କୁ କରେ ଧନ୍ୟ।
ଯେତେ ସତକାର୍ଯ୍ୟ ହୁଅଇ ନିଧାର୍ଯ୍ୟ
  ସବୁ ସଂକଳ୍ପର ମୂଳ
ପରମ କାରଣ ମହୀ ଉଦ୍ଧାରଣ
   ଯଶ ରହେ କାଳ କାଳ।
ସଂକଳ୍ପକୂ କରି ଜୀବନର ପନ୍ଥା
   ଦୃଢ଼ତାକୁ କରି ଜୟ
ଅଳୀକ ଜୀବନ କ୍ଷଣିକ ସପନ
  ଦିଅ ନିଜ ପରିଚୟ।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

🙏ମା'ତାରିଣୀ🙏

 ସରିତା ଶତପଥୀ

ଚାଲେ ସଖି ସଅଳ ଉଠି
   ତୋଳିଦେବା ଯେତେ ମନ୍ଦାର
ମନ୍ଦାରରେ ତାରିଣୀ ମା
      ଦିଶନ୍ତି ଲୋ ସୁନ୍ଦର।

ସଜାଡି ରଖ ଵାଡି ନଡ଼ିଆ
     କରନି ଆଉଲୋ ଡେରି
ନଡ଼ିଆ ରେ ମା'ଙ୍କର
            ସରଧା ଲୋ ଭାରି
ସଅଳ ଵାହାରି ପଡ଼
        ଵେଳ ହେବଲେ ଉଛୁର
ଚାଲେ ସଖି ସଅଳ ଉଠି.......

ମାଆ ଡୋରି ଲାଗେ
              ସିଧା ହୃଦୟକୁ
ପାଗଳ ହୁଏଯେ
           ତାକୁ ଦେଖିଵାକୁ
ବସିଲା ସ୍ଥାନରୁ
             ନିଏଲୋ ଉଠାଇ
ଯେଵେ ଲାଗେ ଡୋରି ତାର
     ଚାଲେ ସଖି ସଅଳ ଉଠି......

ମୁଁହ ଦେଖି ମା
         ଵୁଝନ୍ତିଲୋ ଦୁଃଖ
ଖୋଲି କହିବାକୁ
           ପଡେନିଲୋ କଷ୍ଟ
ଜଗତ ପାଇଁପା ଖୋଲା
        ତାଙ୍କରି ଦୁଆର
ସନ୍ତାନ ପାଇଁ
      ହାତେ ଆୟୂଧ ତାଙ୍କର
ଚାଲେ ସଖି ସଅଳ ଉଠି.......

            ମାଲକାନଗିରି

ଅନାଥ ମଣିଷ


             ଅମୂଲ୍ୟ କୁମାର ଦାଶ
  
କିଏ ଆପଣାର
କିଏ ପୁଣି ପର
ଏ ମାୟା ସଂସାରେ
ନୁହଁଇ କାହାର,
ଜନ୍ମ ତ ପାଇଛି
ବଞ୍ଚିବାକୁ ଅଛି
ଚାଲିବାକୁ ହେବ
ଅନେକ ପଥ ।

ନାହିଁ ତାର ମାତା
ନାହିଁ ଜନ୍ମଦାତା
ଟାହି ଟାପରା ରେ
ଘୃଣ୍ୟ ଆବେଗତା,
ଅଙ୍ଗେ ନିଭାଇଛି
ଅନେକ ବ୍ୟଥା
କହିପାରେ ନାହିଁ
ସେ ପରା ଅନାଥ ।।

ପରିବାର କଥା
ଜଞ୍ଜାଳ ବାରତା
ପାଇବ ସେ କାହୁଁ
ସ୍ନେହ ପ୍ରୀତି ବୋଳା
ମଧୁର ମମତା,
ସେ ପରା ଅନାଥ,
ସାହା ଏକା ତା'ର
ଅନାଥର ନାଥ
ପ୍ରଭୁ ଜଗନ୍ନାଥ ।।

*************************
ଦାଶରଥି ନଗର, ଆସିକା, ଗଞ୍ଜାମ

ନ୍ୟାୟ

ହରିହର ଭୂକ୍ତା

          ଏଠି କାହାକୁ ନ୍ୟାୟ ମିଳିଛି
          ଦେଖ ଅରଣ୍ୟ ରୋଦନ ଚାଲିଛି
          ଧରମ ନୟନେ ପରଦା ପଡିଛି
            ଅସତ୍ୟ ଶକତି ବଢୁଛି
        ମହମ ବତୀର ଶିଖା ଜାଳି ଜାଳି
           ନ୍ୟାୟ ମିଳିବକି ଭାବୁଛି
        ଏଠି କାହାକୁ ନ୍ୟାୟ ମିଳିଛି  ।

         ଏଠି ଜାଜ୍ଞସେନୀ କାନ୍ଦୁ ଶୁଭୁଛି
         ଦେଖ ବସ୍ତ୍ର ହରଣ ନୀତି ଚାଲିଛି
         ଦ୍ରୈପଦୀ ଭାବନା କୃଷ୍ଣ ଆଗମନ
            ଦୂର୍ଯୋଧନ ମାନ ବଢୁଛି
         ରାବଣ ଲଙ୍କାରେ ମାୟା ଦେଖା ଦିଏ
             ସ୍ବଣ୍ଣ ଲଙ୍କା ଗର୍ବ ଘାରିଛି
           ଏଠି କାହାକୁ ନ୍ୟାୟ ମିଳିଛି  ।

       ଏଠି ସୁକନ୍ୟା ଯୋଜନା ଚାଲିଛି
        ଦେଖ କଳିଟି ଝଡିକି ପଡୁଛି
       ଦୂରଦର୍ଶନରୁ ,ମୋବାଇଲ,ରେଡିଓ
         ବେଟି ବଚାଓ କାର୍ଯ୍ୟକ୍ରମ ଏବେ
      ନରସିଂ ହୋମରେ ଗର୍ଭପାତ ଚାଲିଛି
          ସ୍ବାର୍ଥ ଅନ୍ଧ ଏବେ ସାଜିଛି
         ଏଠି କାହାକୁ ନ୍ୟାୟ ମିଳିଛି   ।

           ଏଠି ଭାଷଣ ନିଇତି ଚାଲିଛି
          ଦେଖ ଜନତା ଜଳକା ସାଜିଛି
         ଯୋଜନା ପ୍ରବଳ କାର୍ଯ୍ୟକାରୀ ନୁହଁ
             ପିସି ଖାଇ ପେଟ ବଢୁଛି
        ଗାନ୍ଧାରୀ ଶପଥ ଗାନ୍ଧାରୀ କହେ
              ଗୀତାର ଶପଥ ଚାଲିଛି
            ଏଠି କାହାକୁ ନ୍ୟାୟ ମିଳିଛି  ।

           ଏଠି ବୃଦ୍ଧାଶ୍ରମ ଗଢା ଚାଲିଛି
          ଦେଖ ଆଜ୍ଞାକାରୀ ପୁଅ ହୋଇଛି
          ଲୋକ ଦେଖାଣିଆ ପିତା,ମାତା ସେବା
           ସୋସିଆଲ୍ ମିଡିଆରେ ବୁଲୁଛି
            ବୟସର ଆଜି ଅପରାହ୍ନରେ
             ପିତା,ମାତା କାନ୍ଦୁ ଶୁଭୁଛି
            ଏଠି କାହାକୁ ନ୍ୟାୟ ମିଳିଛି
           ଏଠି କାହାକୁ ନ୍ୟାୟ ମିଳିଛି  ।

         ରାକସ,ତାଳଚେର,ଅନୁଗୋଳ

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy