ଚାଖିନୁ ଅମୃତ କହୁଛୁ ମିଠା
ଭୋଗିନୁ ନରକ କହୁଛୁ ଅଠା
ଦେଖିନୁ ସରଗ କେତେ କଳ୍ପନା
ପାରିଜାତ ଫୁଲ ଦେଉ ତୁଳନା
ଧନ୍ୟ ଧନ୍ୟ ଚିନ୍ତା ବାନା,
ଯେତିକି ପାଇଛୁ ସେତିକି ଯଥେଷ୍ଟ
ଅଧିକ ଉଡ଼ିବା ମନା।
ସୋମରସ ଭାବି ନିଶାରେ ମଥା
ଉର୍ବଶୀ ମେନକା ଘରଣୀ ଯଥା
ଚନ୍ଦ୍ରକୁ ନ ଚିହ୍ନି ଚନ୍ଦ୍ର ବଦନା
କାମଧେନୁ ଭାବି ଗୋଠ ସଜାନା
ସୁକୃତ ର ସୂତ୍ର ଧରି,
ବାସ୍ତବତା ଗୁଣେ ସୁଧୁରି ଯିବାଟା
ନିଜ ପାଇଁ ଶୁଭଙ୍କରୀ।
ମୃତ୍ୟୁ ସଂଜୀବନୀ ପାଇବା ପାଇଁ
ବାରମ୍ବାର ବିଷ ପିଉଛୁ କାହିଁ
ଉଚ୍ଚୈଶ୍ରବା ଅଶ୍ଵ ପିଠିରେ ଚଢ଼ି
ପୁଷ୍ପକ ଯାନରେ ଯାଆନା ଉଡ଼ି
ମନକୁ ଲଗାମ ଦେଇ,
ସୀମିତ ସମୟ ବେଳକାଳ ଦେଖି
କାମକୁ କରୁଥା ଭାଇ।
ଆତ୍ମା ଅବିନାଶୀ ପଢ଼ିଛୁ ବୋଲି
ଦଦରା ନାଆରେ ଜୀବନ ମେଲି
ବଳ ଅଛି ହନୁମାନ ଭାବନା
ହୁଁ' କାର ଧ୍ଵନୀଟା ଆଉ ଶୁଣାନା
ମନକୁ ସୁମନ କର,
ଇଚ୍ଛା ବାଞ୍ଛା ସବୁ ଯମ ଜାଣୁଥିବ
ଚିତ୍ରଗୁପ୍ର ପାଞ୍ଜିକାର।
***********************
ଡଃ ଚପଳା ପଣ୍ଡା, ଶିକ୍ଷୟିତ୍ରୀ
(ବୃତ୍ତି ନିବୃତ୍ତ),ଖୋର୍ଦ୍ଧା.
No comments:
Post a Comment