ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ ।।
ଶୀତୁଆ ସକାଳେ ଘନ କୁହୁଡିରେ ଲାଗୁଛି ସରଗ ପୁର
ସତେ କି ମୋ ମାଆ ପିନ୍ଧି ଅଛି ଏବେ ଶ୍ବେତ ତୁଷାରର ବସ୍ତ୍ର
ଅମୃତର ସମ ସରସ ସୁନ୍ଦର ଲାଗେ ମୋର ବସୁନ୍ଧରା
ମୋହିତ କରୁଛି ଶିଶିରର ବିନ୍ଦୁ ସବୁଜ ଗାଲିଚା ଭରା ।।
ଝଲମଲ ଦିଶେ ରୂପାର ଥାଳିଆ ସଜଫୁଟା ଫୁଲରାଜି
ଝରି ପଡୁଅଛି ମକରନ୍ଦ ସେଠି ନୀଳାଭ ଆକାଶେ ମଜ୍ଜି ।
କୋହଳା ପବନ ଶୀତ ରୂପସୀଟି ଦେହକୁ ଦେଉଛି ଛୁଇଁ
କାକର ଟୋପାରେ ମୁହଁ ଟା ଦେଖୁଛି ପାହାନ୍ତି ତାରାଟି ନଇଁ।।
ନିବିଡ ଆଶ୍ଳେଷେ କଡ ଲେଉଟାଏ କମ୍ବଳ ଭିତରେ ଥାଇ
ନରମ ପଶମ ଦେହକୁ ଉଷୁମ ଭାରି ଭଲ ଲାଗୁଥାଇ ।
ଅଭୂଲା ସ୍ମୃତିକୁ ଭୁଲେଇ ପାରେନି ମହକିତ ହୃଦ ଦେଶେ
ପ୍ରୀତିମୟ ସ୍ବର୍ଶ ପରିପୂର୍ଣ୍ଣତାର ହଜିଯାଏ ତବ ପାଶେ ।।
ସପନ ଭିଜା ମୋ ଆଖିର ଅଞ୍ଜନ ଆସିଯାଅ ପ୍ରାଣପ୍ରିୟ
ମଧୁଝରା ରାତି ପ୍ରୀତିର ଆଶ୍ଳେଷେ କରିଯାଅ ମଧୁମୟ ।।
No comments:
Post a Comment