ଡ.ଶ୍ୟାମା ପ୍ରସାଦମିଶ୍ର
କାହିଁକି କେଜାଣି ବେଳେ ବେଳେ
ଇଛାହୁଏ
ଦେଖିବାକୁ ସ୍ବପ୍ନ ଟିଏ
ନିଝୁମ ରାତିରେ
ନିଦର ସାମ୍ରାଜ୍ୟ ଭିତରେ ।
ବହଳ ବହଳ ନିଦ ମାନଙ୍କୁ
ସାଥି କରି ଥିଲାବେଳେ
ନିଦକୁ କୁହନ୍ତି
ଥିରିଥିରି ଡାକିବାକୁ ସ୍ବପ୍ନକୁ,
ଆସିଗଲେ ସ୍ବପ୍ନ
ସ୍ବପ୍ନକୁ କୁହନ୍ତି
ଯାଅ ତୁମେ ପାଦ ଚିପି ଚିପି
ଜୀବନର ଅଦୃଶ୍ୟ କାନଭାସ ଭିତରୁ
ତୁମକୁ ଡାକି ଆଣିବାକୁ
ମୋ' ଶବ୍ଦ ଶୁନ୍ୟ ଇଲାକା ଭିତରକୁ ।
ଆସିଗଲେ ତୁମେ
ହେଉପଛେ ସ୍ୱପ୍ନରେ
ତୁମକୁ କୁହନ୍ତି
"ଦେଖ-
ଏତ ନଇଁ ଯିବାର ବେଳ
ସଞ୍ଜବତୀ ଜାଳିବାର ବେଳ,
ସତେ କଣ ଏଠୁ ଏମିତି
ତୁମର ଦୁରେଇ ଯିବାର ବେଳ ? "
ସତେ ତୁମେ ଯଦି ଆସିଯାଅନ୍ତ
ଥିରିଥିରି ପାଦ ଚିପି ଚିପି ଥରେ
ଜାଳି ଦେବାକୁ ସଞ୍ଜବତୀ
ମୋ ହୃଦୟର ଗୋପନ ଠଣାରେ
ସମସ୍ତଙ୍କ ଅଲକ୍ଷରେ ଗୋପନ ଭାବରେ;
ଦେଖନ୍ତ କେମିତି ତା' ଆଲୋକରେ
ଆଲୋକିତ ହେଇଯାଆନ୍ତା ସମୟ
ବଦଳି ଯାଆନ୍ତେ ମୁହୂର୍ତ୍ତ ମାନେ
ବଦଳି ଯାଆନ୍ତା
ପ୍ରୀତି ସଂଗୀତର ସ୍ୱର
ଜୀବନ୍ତ ହେଇ ଯାଆନ୍ତା
ମୋ ଡାଏରୀରେ ଲେଖା
ଜୀବନର ଗୋପନ
ଗଜଲ ସବୁ ଯେତେ ।
ଗାଇଦେଲେ ତୁମେ ଥରେ
ସ୍ଵପ୍ନରେ ହେଉ ପଛେ
ପ୍ରୀତିର ଗଜଲ
କ୍ଲାନ୍ତି ସବୁ ଦୁରେଇ ଯାଆନ୍ତେ;
ଜୀବନର ଅଦୃଶ୍ୟ ଭଙ୍ଗା ସିଲଟରେ
ଦେଖନ୍ତ କେମିତି
ଚିତ୍ରୀତ ହେଇଯାଅନ୍ତା
ଦିଗବଳୟୁ ଦିଗବଳୟ ଯାଏ
ପରିବ୍ୟାପ୍ତ ଆମ ସମ୍ପର୍କର ନିଡ଼ ।
🦋ବ୍ରହ୍ମପୁର,ଗଞ୍ଜାମ
No comments:
Post a Comment