Tuesday, December 1, 2020

ତିନୋଟି ଅଣୁ ଗଳ୍ପ

ସୁକାନ୍ତ ଖଣ୍ଡା
            କ୍ଷମା ପ୍ରାର୍ଥନା-୧
ଉଣେଇଶି ଶହ ଅନେଶତ ମସିହାର କଥା। ଓଡି଼ଶାରେ ମହାବାତ୍ଯା ପରେ ପରେ ଆମେ ଭୋଜି କରୁଥିଲୁ। ଭୋଜି ଖୁବ୍ ସାଧାସିଧା ଥିଲା। ଭାତ ଆଉ ମାଂସ। ମାଂସ ରୋଷେଇ କରୁଥିଲେ କୃଷ୍ଣଚନ୍ଦ୍ର ମାନସିଂହ ବାବୁ। ମୁଁ ପାଖରେ ବସି ଦେଖୁଥିଲି। ମାନସିଂହ ବାବୁ ଏକ କି.ଗ୍ରା. ମାଂସରେ ମାତ୍ର ପଚାଶ ମି.ଲି.ରୁ ଟିକିଏ ଅଧିକ ହେବ ସୋରିଷ ତେଲ ଦେଇ କଷିଲେ। ମୁଁ ଯାହା ଜାଣିଛି ଏକ କି.ଗ୍ରା. ମାଂସରେ ଏକ ଶହ ମି.ଲି. ତେଲ ନିହାତି ଦେବାକଥା। ତେଲ କିଣା ହୋଇ ଆସିବା ପରେ ବି ଦେଲେ ନାହିଁ ତ ମୁଁ ଯୁକ୍ତିକଲି। ସେ କିନ୍ତୁ ନ ଶୁଣିଲା ପରି ହେଲେ ଓ ରୋଷେଇ କରି ଚାଲିଲେ। 
           ମୁଁ ରାଗ ତମତମ ହୋଇ ଉଠି ପଳେଇଲି। ମନରେ କେତେ କ'ଣ ଗାଳିଦେଲି। ଭଲ ହେବ ନାହିଁ ତ ଖାଇବି ନାହିଁ ବୋଲି ସଙ୍କଳ୍ପ କଲି। 
     ଠିକଣା ସମୟରେ ଡକା ହେଲା। ଖାଇବି ନାହିଁ ବୋଲି ସିନା ସଙ୍କଳ୍ପ ନେଇଛି। ହେଲେ ନ ଖାଇଲେ ନ ଚଳେ। କେତେ ଆନନ୍ଦ ଉଲ୍ଲାସରେ ଭୋଜି କରିଛୁ,କାଳେ କ'ଣ ଭାବିବେ ଅଗତ୍ଯା ଯାଇ ବସିଲି। ଭାତ ଖାଇ ମାଂସ ତରକାରୀ ପାଟିକୁ ଯାଇଛି ତ ଯେତିକି ରାଗରେ ଗାଳି ଦେଇଥିଲି ସେତିକି ପ୍ରଶଂସାରେ ପୋତି ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲି। ମୁଁ ଶୁଣିଲି ମାଂସକୁ କଷା ସମୟରେ ପାତିଆକୁ ସବୁ ମସଲା ଯେତେବେଳେ ଯାଏ ନ ଆସିଛି ମାଂସ ପକେଇବ ନାହିଁ। ଏହିପରି କରିବ ତ ଅଳ୍ପ ତେଲରେ ସୁସ୍ବାଦୁ ହୋଇ ପାରିବ।
            କ୍ଷମା ପ୍ରାର୍ଥନା-୨
ଆମ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସୁରେଶ ଚନ୍ଦ୍ର ସାହୁ ଥରେ ଅଣପୁରୁଷା କଦଳୀ ଆଣି ନିଜ ବ୍ଯାଗରେ ଥୋଇଲେ। ଥୋଇବାବେଳେ ମୋ ନଜରକୁ ଆସିଲା। ମୁଁ ପ୍ରଶ୍ନ କରି କହିଲି,"ଆଜ୍ଞା ! ଏ କଦଳୀ କ'ଣ କରିବେ କି? ଏହାକୁ କେଉଁଠୁ ଆଣିଲେ? ଏହାକୁ ମଣିଷ ଖାଏ? ଏହାକୁ ତ ଫିଙ୍ଗିବାର କଥା ବ୍ଯାଗରେ ପୂରେଉଛନ୍ତି କ'ଣ?" ମୁଁ ଏକ ନିଶ୍ବାସର କହିଗଲି। ସୁରେଶ ସାର୍ କୌଣସି ଉତ୍ତର ନ ଦେଇ ମଉନ ରହିଲେ।
         ପର ଦିନ ବିଦ୍ଯାଳୟରେ ଖାଇବା ବେଳେ ଆଣିଥିବା ତରକାରୀ ମୋତେ ଦେଲେ। ମୁଁ ଚାଟିଚାଟି ଖାଇଲି। ଆହା ! କି ସ୍ବାଦ।ସେ ମୋତେ କହିଲେ,"ସାର ! ତରକାରୀ କେମିତି ଲାଗୁଛି?" ଉତ୍ତରରେ କହିଲି,"ବାଃ କି ସ୍ବାଦ !ଭାଉଜ ଆଜି ମନଜାଣି ରୋଷେଇ କରିଛନ୍ତି।" ମୁରୁକି ହସି କହିଲେ,"ହଁ ଆଜ୍ଞା ! ଗତକାଲି ଯେଉଁ ଅଣପୁରୁଷା କଦଳୀ ନେଇଥିଲି ସେଇ କଦଳୀ ହିଁ ଏ ତରକାରୀର ସ୍ବାଦ।"
        ମୁଁ ସାରଙ୍କୁ କହିବି କ'ଣ? ମୁଣ୍ଡ ତଳକୁ ନଇଁଗଲା ଆଉ ଭୁରିଭୁରି ପ୍ରଶଂସା ବଢି଼ବା ସହ କ୍ଷମା ପ୍ରାର୍ଥନା କଲି।
                କ୍ଷମା ପ୍ରାର୍ଥନା-୩
ବିଦ୍ଯାଳୟ ଭୋଜି ହୁଏ। ଖାଇବାବେଳେ ଆଲୋଚନା ହୁଏ ଗୋଲଆଳୁ ପକେଇ ଥିଲେ ଭଲ ହୋଇଥା'ନ୍ତା,କିଏ କହେ ସାରୁ ଦେଇଥିଲେ ଭଲ ହୋଇଥା'ନ୍ତା ଆଉ କିଏ କହେ ଅମୃତଭଣ୍ଡା ଦେଇଥିଲେ ଭଲ ହୋଇଥା'ନ୍ତା। ଏ କଥା ମୁଁ ଶୁଣେ ମୋର ଯେମିତି ବ୍ରହ୍ମଚିଡେ଼। ମୁଁ କହେ,"ଆଜ୍ଞା ! ଗୋଲଆଳୁ,ସାରୁ କି ଅମୃତଭଣ୍ଡା ଦିଆଯାଏ ସେତେବେଳେ ଯେତେବେଳେ ମାଂସର ଅଭାବ ଥିବ। ଅଳ୍ପ ମାଂସ ତ କିଛି ଗୋଲଆଳୁ,ସାରୁ କି ଅମୃତଭଣ୍ଡା ପକେଇଦେଲେ ଅଧିକ ହେବ ଆଉ ଖାଇବାରେ ମଧ୍ଯ ସୁବିଧା। ଯଦି ଭରପୂର ମାଂସ ଅଛି ଏ ସବୁ ପକେଇବା କୌଣସି ଆବଶ୍ଯକ ନାହିଁ।
       ଅନ୍ଯ ସାରମାନେ କିଛି କୁହନ୍ତି ନାହିଁ ତ ମୁଁ ଗର୍ବରେ ଭାବେ ବୋଧେ ଜିତିଗଲି। ଥରେ କୁକୁଡା଼ ମାଂସ ଭୋଜିରେ ନିମାଇଁ ଚରଣ ସାର୍ ଅମୃତଭଣ୍ଡା ଦେଇ ରୋଷେଇ କଲେ। ଆହା ! କି ସ୍ବାଦ। ମୁଁ ଖାଉଖାଉ ଏତେ ପ୍ରଶଂସାରେ ପୋତି ଦେଲି ଯେ ସେମାନେ ହସି ପକେଇ କହିଲେ,"ସାର ! ଏ କୁକୁଡା଼ ଦୁଇ ବର୍ଷର ହେବ ଏଣୁ ଭଲକି ସିଝିବାକୁ/ତୁଳାଭଳି ନରମ ହେବାକୁ ଏଇ ଜିନିଷ ପକେଇଛୁ। ସେମାନେ ଅମୃତଭଣ୍ଡାର ଖଣ୍ଡଟିଏ ମୋତେ ଦେଖେଇଲେ। ମୁଁ ପ୍ରଶଂସାରେ ପୋତି ପକେଉଥିବା ବନ୍ଦ କରି କ୍ଷମା ପ୍ରାର୍ଥନା କଲି। 
           ସତରେ ! ମାଂସକୁ ତୁଳାଭଳି ନରମ କରିବାକୁ ହେଲେ ଅମୃତଭଣ୍ଡା ନିହାତି ଦେବା ଆବଶ୍ଯକ।
                    ***
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy