Sunday, December 27, 2020

ଆସନ୍ତା କି ଶୀତ

ଶିଶିର କୁମାର ସ୍ୱାଇଁ

ଆସନ୍ତା କି ଶୀତ ହୋଇଣ ଉଷତ 

ମୋ ଗାଆଁ ଦାଣ୍ଡକୁ ଚାଲି,

ଅବୋଧ ବାଳୁତ ଭାଇ ବନ୍ଧୁ ମିତ

ଖେଳନ୍ତେ ଆନନ୍ଦେ ବାଲି I


ଜାଳି କୁଟାପାଳ ବୁଢାବୁଢି ଦଳ

ନିଆଁ ପୁଆଁ ଅନ୍ଧାରରୁ,

ହୋଇ କନ୍ୟାମେଳ ଗୋବରର ଖେଳ

ଚୋରି କରି ଗୁହାଳରୁ I


ଶିଶୁକୁ ଗେଲରେ ସୋରିଷ ତେଲରେ 

ମାଲିସ୍ କରନ୍ତେ ଆଈ ,

ଉହ୍ମେଇର ନିଆଁ ଘଷି ଜାଳ ଧୂଆଁ 

ଶିଶୁକୁ ସେକନ୍ତା ନେଇ I


ଧାନ କଟା ବିଲେ ପିଲା ଦଳେ ଦଳେ 

ଗୋଟାଇ ଝଡ଼ିବା ଧାନ,

କୈବର୍ତ୍ତର ଘରେ ଧାଇଁବେ ସତ୍ତ୍ୱରେ

ମୁଢି ଖାଇବାକୁ ମନ I


ପାଣିର ଛିଟିକା ଦେହକୁ ଝଟକା

ଦିଅନ୍ତା ପୋଖରୀ କୂଳେ ,

ଗାଧୁଆର କଥା ଶିଶୁଙ୍କୁ ଯେ ବ୍ୟଥା

ଲୁଚିବେ କମ୍ବଳ ତଳେ l


କାହିଁ ଯାଅ ଶୀତ ହୋଇଣ ଦୁଃଖିତ

ମୋ ଗାଆଁକୁ ଯାଇଛ ଭୂଲି,

ଆଧୁନିକତାର ଘୋଡ଼ାଇ ଚାଦର

ଭୁଲିଛୁ ଉହ୍ମେଇ ଚୁଲି I


ଗାଙ୍ଗପୁର

ଗଞ୍ଜାମ

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy