ବାସନ୍ତୀ ଲତା ଜେନା
ପଳାଶ କୁସୁମ ରୂପରେ ସୁନ୍ଦର
ଗୁଣ ତାର କିଛି ନାହିଁ
ନାଲି ଟହ ଟହ ସୁରଭି ବିହୀନ
ନ୍ୟୁନ ତାରେ ଗଣା ଯାଇ l୧l
ଶୀତର ଶେଷରେ ବସନ୍ତ ଆଗମେ
ଫୁଟି ଦିଶୁଥାଏ ତୋରା
ଦୂରରୁ ସୁନ୍ଦର ମନ ମୁଗ୍ଧ କର
ପାଶେ ବାସ ନାହିଁ ପରା l୨l
ପତ୍ରହୀନ ଡାଳେ ରଙ୍ଗ ଭରି ଦିଏ
ପେନ୍ଥା ପେନ୍ଥା ପୁଷ୍ପ ହୋଇ
ଆଦର ନ ଥାଇ ତଳେ ଲୋଟି ଯାଏ
ନାଲିଆ ଗାଲିଚା ହୋଇ l୩l
ରୂପ ପାଇ ଅଛି ଧରାରେ ହସୁଛି
ଅଭିଶପ୍ତ ପ୍ରାଣ ତାର
ତଥାପି ସୂଚନା ତା ମନରେ ନାହିଁ
ହସ ଖୁସି ଝରଣାର l୪l
ଦେବା ଦେବୀ ପାଖେ ପୂଜିତ ନ ହୁଏ
ହୁଏ ବର୍ଷକରେ ଥରେ
ଶିବ ରାତ୍ରି ଦିନ ଶିବ ମସ୍ତକରେ
ପଳାଶ ଅରଖ ଶୋହେ l୫ l
ଏକ ଦିନ ପାଇଁ ସବୁରି ଆଦରେ
ସୁଭାଗ୍ୟଶାଳୀ ସେ ହୁଏ
ସାରା ଜୀବନରେ ଦୁଃଖ ଭୂଲି ଯାଇ
ପ୍ରଭୁ ଧନ୍ୟବାଦ ଦିଏ l୬l
ଯେତିକି ପାଇଛି ସେତିକିରେ ଖୁସି
ଅଭିମାନ କରେ ନାହିଁ
ମନୁଷ୍ୟକୁ ଶିକ୍ଷା ସେତ ଦେଉ ଥାଏ
ମନ ଊଣା କର ନାହିଁ l୭l
ଯାହା ଭାଗ୍ୟେ ବିହୀ ଯାହାତ ଲେଖିଛି
ସେଥିରେ ସନ୍ତୁଷ୍ଟ ହୁଅ
ଜୀବନ ମରଣ ବିଧାତା ଲିଖନ
ତାକୁ ମନେ ରଖି ଥାଅ l୮l
ହସି ହସାଇବା ଦୁଃଖ ଲିଭାଇବା
ସ୍ନେହ ପ୍ରେମ ଖୁସି ଦେଇ
ଗଙ୍ଗଶିଉଳୀର ଆୟୁଷକୁ ନେଇ
ସୁବାସ ଦେବା ବିଛାଇ l୯l
ଗାନ୍ଧିନଗର, ନବରଙ୍ଗପୁର l
No comments:
Post a Comment