Thursday, August 27, 2020

ରାଧା ଷ୍ଟମୀ -ରାଧା ରାଧା ନାମ

     ✍✍✍ଶକ୍ତିଦା ବିଷୋୟୀ

ରାଧା ରାଧା ନାମ ବାଇ ବଂଶୀ ସ୍ବନ ବିରହ ପିରତି ତୋଷ
ମୋହନୀୟ ବଂଶୀ ସପ୍ତ ସୁରେ ରସି
ନିଷ୍କାମ ପ୍ରେମ ପରସ ।।
ଶ୍ରୀ ରଙ୍ଗା ଅଧରେ ବଙ୍କିମା ଠାଣୀରେ
ମୃଦୁ ମନ୍ଦ ମନ୍ଦ ହାସେ
ବଂଶୀ ସ୍ବନେ ଗୋପୀ ଲଳିତା ରାଧିକା
କୁଞ୍ଜବନେ ହାସ ରସେ।।
ପ୍ରୀତି ପର୍ଣା ସଖୀ ରାଧା ଚନ୍ଦ୍ର ମୁଖୀ
ପୁଲକିତ ମଧୁ ବନ
ରାଗିଣୀ ଆତୁର ସ୍ବନ ବିହ୍ବଳ ର
ରୋମାଞ୍ଚିତ ତନୂ ମନ ।।
କଟିତଟେ ପିତ ବସନ ସ୍କନ୍ଦ ରେ
ଉତ୍ତରୀୟ ଶୋଭାବନ
ଗଳାରେ କାଇଁଚ ବନ ପୁଷ୍ପ ହାର
ଝଲସେ କଳା ବଦନ ।।
ଶିରରେ ମୁକୁଟ ଦିସେ ଝଟ ଝଟ
ଚନ୍ଦିକା ବଙ୍କିମା ଚୂଳ
ପୟରେ ନୁପୁର ରୁଣୁ ଝୁଣୁ ସ୍ବନ
ଶୋହେ କର୍ଣରେ କୁଣ୍ଡଳ ।।
ରାଧେ କୃଷ୍ଣ ରାଧେ କୃଷ୍ଣ ରାଧେ କୃଷ୍ଣ
ରାଧେ କୃଷ୍ଣ ରାଧେ କୃଷ୍ଣ
ପ୍ରାଣ ପ୍ରଣୟିନୀ ମଦନ ମୋହନୀ
ଛନ୍ଦା ଚରଣେ ଭୂମିଷ୍ଠ ।।

ସୋରଡ଼ା, ଗଞ୍ଜାମ୍

ସ୍ବାଧିନୋତ୍ତର ଭାରତର ଗ୍ରାମ୍ୟ ଜୀବନ

ପ୍ରବନ୍ଧ- ସ୍ବାଧିନୋତ୍ତର ଭାରତର ଗ୍ରାମ୍ୟ ଜୀବନ (©ପ୍ରାବନ୍ଧିକ- ତ୍ରିନାଥ ବେହେରା, ଶିକ୍ଷକ )

           କେଉଁ ଆବହମାନ କାଳରୁ ଭାରତ ବର୍ଷ ନିଜ ବକ୍ଷରେ କଳା,ସ୍ଥାପତ୍ୟ, ସଂସ୍କୃତି, ପରମ୍ପରା, କୁ ରିଦ୍ଧିମନ୍ତ କରି ବଜାୟ ରଖି ଏକ ଉନ୍ନତ ସଭ୍ୟତା ରୂପେ ସ୍ବତନ୍ତ୍ର କିର୍ତ୍ତୀ ସ୍ଥାପନ କରିପାରିଥିବାରୁ ଆମେ କହୁ ଗର୍ବରେ ମେରା ଭାରତ ମହାନ ା ବିଭିନ୍ନତା ମଧ୍ୟରେ ଏକତା ମୂଳ ବୈଶିଷ୍ଟ୍ୟ ରଖୁଥିବା ଭାରତ ସଦା ଗାଇ ଆସିଛି ସେଇ କାଳଜୟୀ ବାଣୀ ବସୁଧୈବ କୁଟୁମ୍ବକଂ ା ସର୍ବଦା ଭାରତ ବକ୍ଷରେ ଗୁଞ୍ଜରିତ ହୋଇଛି ବୁଦ୍ଧଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି, ସଂଘମ୍ ଶରଣଂ ଗଚ୍ଛାମି ର ଅଭୟ ବାଣୀ ାା ଏଠି ଏକାକାର ହୋଇଛନ୍ତି ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ ଆଦି ଅନେକ ଧର୍ମ ର ସଂପ୍ରଦାୟ ର ବ୍ଯକ୍ତି ବିଶେଷ ଓ ତିନିଶହ ପ୍ରକାର ରୁ ଉର୍ଦ୍ଧ୍ବ ଭାଷାଭାଷି । ତଥାପି ଐତିହାସିକ ପୃଷ୍ଠଭୂମି, ଆଧ୍ୟାତ୍ମିକ ପରିବେଷ୍ଟନୀ, ଭୌଗୋଳିକ ପରିବେଶ ତଥା ସୁସଂହତ ସାମାଜିକ ଜୀବନଯାପନ ଶୈଳୀ ଭାରତକୁ ବିଶ୍ବରେ ସର୍ବଦା ଅନନ୍ୟ କରି ରଖିଛି ା
             ପ୍ରାକୃତିକ ଶୋଭାର ଅପୂର୍ବ ଗନ୍ତାଘର , ରମ୍ୟ ଚେତନାର ପେଣ୍ଠସ୍ଥଳୀ ଭାରତ କିନ୍ତୁ ବ୍ରିଟିଶ ଶାସନାଧିନ ରହିଥିଲା ଦୀର୍ଘ ଦୁଶ ଶତାବ୍ଦୀ ଧରି ା ଭୂଲୁଣ୍ଠିତ ହୋଇଥିଲା ଗୌରବରାଜୀ ା ଜାତିର ଜନକ ସ୍ବାଧିନତାର କର୍ଣ୍ଣଧାର ବାପୁଙ୍କ ତତ୍ତ୍ବାବଧାନ ତଥା ଅହିଂସା ବଳରେ ଶେଷରେ ଶତ ସହସ୍ର ସହସ୍ର ସ୍ବାଧିନତା ସଂଗ୍ରାମୀଙ୍କ ବଳିଦାନରେ ଭାରତ ଫେରିପାଇଥିଲା ସ୍ବାଧିନତା ା ଏହି ଗାଥା ଆଜି ଇତିହାସର ଶତ ଶତ ପୃଷ୍ଠା ମଣ୍ଡନ କରିଛି ା ବର୍ତ୍ତମାନ ଭାରତ ଅଣ୍ଟା ସଳଖି ଛିଡା ହେବାରେ ଚେଷ୍ଟିତ ା ଦୀର୍ଘ ଚଉସ୍ତୁରୀ ବର୍ଷ ହେଲା ଅହରହ ସଂଗ୍ରାମ କରି ଭାରତ ଆଜି ପାଲଟିଛି ଏକ ବିକାଶୋନ୍ମୋଖୀ ରାଷ୍ଟ୍ର ା ସ୍ବାଧିନୋତ୍ତର ଭାରତର ଗ୍ରାମ ଗୁଡିକରେ ବିକାଶ ଏ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପରିଲକ୍ଷିତ ହୁଏ ା
ମହାତ୍ମା ଗାନ୍ଧୀ ସେଦିନ କହୁଥିଲେ ଆମେ ଯଦି ଭାରତର ବିକାଶ କରିବା ତେବେ ପ୍ରଥମେ ଭାରତର ଗାଁ ଗୁଡିକର ବିକାଶ କରିବା ଅବସମ୍ଭ୍ୟାବୀ ଅଟେ ା ତାଙ୍କ ମତରେ ଭାରତର ଆତ୍ମା ଗାଁ ରେ ହିଁ ରହିଛି ା ସେଥିପାଇଁ ତ ସେ ପ୍ରଥମେ ଭାରତର ଗାଁ କୁ ଗାଁ ଭ୍ରମଣରେ ବାହାରିଥିଲେ ା ପରେ ଗାଁ ଗୁଡିକରେ କିପରି କୁଟୀର ଶିଳ୍ପର ବିକାଶ ହେବ,ଗାଁ ଗୁଡିକରେ ନିଶା ନିବାରଣହୋଇପାରିବ, ଗାଁ ଗଣ୍ଡା ସବୁ ମଇଳା ଆବର୍ଜନା ମୁକ୍ତ ହୋଇପାରିବ , ଲୋକମାନେ ଅନ୍ଧବିଶ୍ବାସ, କୁସଂସ୍କାରରୁ ମୁକ୍ତ ହେବେ, ଜୁଆ ଖେଳ ଭଳି ମାରାତ୍ମକ ବ୍ୟାଧିଠୁ ଦୂରେଇ ରହିବେ,ସମସ୍ତେ ଧନ୍ଦାମୂଳକ ଶିକ୍ଷା ଗ୍ରହଣ କରିବେ , ନାରୀ ଶିକ୍ଷାର ପ୍ରସାର, ନୟୀ ତାଲିମ ଶିକ୍ଷାର ପ୍ରଚାର ସହ ସ୍ବଦେଶୀ ଦ୍ରବ୍ୟକୁ ଆଦର କରି ବିଦେଶୀ ଦ୍ରବ୍ୟ କୁ ବର୍ଜନ କରିବେ ଆଦି କୁ ଗାନ୍ଧିଜୀ ନିଜ ଜୀବନକାଳ ମଧ୍ୟରେ ବହୁତ ପ୍ରାଧାନ୍ୟ ଦେଉଥିଲେ ା ଗାନ୍ଧିଜୀ ସ୍ବାଧିନୋତ୍ତର ଗ୍ରାମ୍ୟ ଜୀବନରେ ବ୍ୟାପକ ପରିବର୍ତ୍ତନ ଆଣିବା ପାଇଁ ଓ ସ୍ବପ୍ନର ରାମ ରାଜ୍ୟ ପ୍ରସ୍ତୁତି ନିମିତ୍ତ ମୁଳଦୁଆ ପକାଇଥିଲେ ା 
            ଭାରତର ସ୍ବାଧିନତା ପ୍ରାପ୍ତି ପରେ ଗାଁ ଗୁଡିକର ଚିତ୍ର ଧିରେ ଧିରେ ବଦଳିଥିଲା ା ସବୁଆଡେ ସଡକ ପଥ ର ବ୍ୟବସ୍ଥା, ଡାକ ଓ ତାର ସେବା ର ବ୍ୟାପକ ପ୍ରସାର ଆଦି ସହ ଉନ୍ନତ ଶିକ୍ଷା ର ପ୍ରଚଳନ ନିମିତ୍ତ ଜାତୀୟ ଶିକ୍ଷା ନୀତି ପ୍ରଚଳନ କରି ଗାଁ ଗହଳିର ଲୋକଙ୍କୁ ଶିକ୍ଷିତ କରାଇବା ର ପ୍ରଚେଷ୍ଟା ବାସ୍ତବିକ ସ୍ବାଗତ ଯୋଗ୍ୟ ଯାହା ତତ୍କାଳୀନ ସରକାର ଯୋଜନା କରିଥିଲେ ା ଗାଁ ର ବିକାଶ ପାଇଁ କୃଷି ଓ କୃଷକର ଉନ୍ନତି ଅନିର୍ବାଯ୍ୟ ଏଣୁ ଏ ଦିଗରେ ବି ବ୍ୟାପକ ବ୍ୟବସ୍ଥା ହେଲା ା ସ୍ବାସ୍ଥ୍ୟ ହିଁ ସଂପଦ ହେତୁ ଧିରେ ଧିରେ ଭାରତର ଚିକିତ୍ସା କ୍ଷେତ୍ରରେ ବି ଉନ୍ନତି ପରିଲକ୍ଷିତ ହେଲା ା ସମୟ ର କଷଟି ପଥରରେ ଭାରତ ର ସାମାଜିକ ଜୀବନ, ରଜନୈତିକ ପରିବେଶ ମଧ୍ୟରେ ଆନ୍ତଃ କ୍ରିୟାକଳାପ ର ଫଳ ସ୍ବରୂପ ଗଣତନ୍ତ୍ର ଅଧିକ ବିକଶିତ ହେଲା ାା
              ଅଧୁନା ଭାରତବର୍ଷର ଗାଁ ଗୁଡିକୁ ଗଲେ ମନେ ହୁଏ ଚାରିଆଡେ ବିକାଶ ନିଜର ଯାଦୁକରୀ ହାତ ବୁଲାଇ ଆଣିଛି ାସର୍ବାଧିକ ଗ୍ରାମକୁ ଆଜି ପକ୍କା ସଡକ , ସେତୁ ଆଦି ସଂଯୋଗ ହୋଇଛି ା ଗାଁ ରାସ୍ତା ସିମେଣ୍ଟ କଂକ୍ରିଟ ା ସର୍ବାଧିକ ଲୋକ ଭଲ ଘରେ ରହୁଛନ୍ତି ା ଗାଁ କୁ ବିଜୁଳି, ପାନୀୟ ଜଳ ଯୋଗାଣ ସୁବ୍ୟବସ୍ଥିତ ହୋଇଛି ା ଲୋକଙ୍କୁ ସର୍ବନିମ୍ନ ସୁବିଧା ସୁଯୋଗ ପ୍ରଦାନ କରି ଉନ୍ନତ ଶିକ୍ଷା, ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାକୁ ସରକାର ଆଜି ସଙ୍କଳ୍ପ ବଦ୍ଧ ା କିନ୍ତୁ ଆଜି ବି ଏମିତି କିଛି ଗାଁ ରହିଛି ଯେଉଁ ଗାଁକୁ ବିଜୁଳି, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ଶିକ୍ଷା ଭଳି ବିକାଶ ସଚଳ ଉପାଦାନ ସାତ ସପନ ମନେ ହୁଏ ା ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଇଲାକ ଗାଁ ଗୁଡିକର ଅବସ୍ଥା ଶୋଚନୀୟ ା ଏଥି ପ୍ରତି ସଂପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ ର ଗୁରୁତ୍ବ ରହିଛି ା
                ଗାଁ ଗୁଡିକ ହେଉଛି କଳା, ସଂସ୍କୃତିର ବାର୍ତ୍ତାବହ ଏଣୁ ସରକାର ଗାଁର ବିଲୁପ୍ତପ୍ରାୟ କଳାର ପୁନରୁଦ୍ଧାର କରିବା ବିଧେୟ ା ସଂପ୍ରତି ସବୁଠାରୁ ଭାବିବାର କଥା ଏହା ଯେ ଲୋକ ମାନେ କର୍ମଠ ହେବା ପରିବର୍ତ୍ତେ ସରକାରଙ୍କ କିଛି ଅଦୂରଦର୍ଶୀ ଯୋଜନା ଯୋଗୁଁ ବରଂ କର୍ମ କୋଢିଆ ହେବାରେ ଲାଗିଛନ୍ତି ା ଭିଟାମାଟି ଛାଡି ଦାଦନ ଖଟିବାକୁ ପସନ୍ଦ କରୁଛନ୍ତି ା ସଚେତନତାର ଅଭାବରୁ କୁସଂସ୍କାର, ଅନ୍ଧ ବିଶ୍ବାସ, ନିଶା, ନିରକ୍ଷରତା ଆଦିର ବଶବର୍ତ୍ତୀ ହେଉଛନ୍ତି ା କିଛିଲୋକ ଗାଁ ଛାଡି ସହରକୁ ସବୁଦିନ ପାଇଁ ଆପଣାଇ ନେଉଛନ୍ତି ା କିଛି ଲୋକ ଗାଁ ଟାଉଟର, କୁଜି ନେତାଙ୍କ ପରାମର୍ଶରେ ବିପଥଗାମୀ ହେଉଛନ୍ତି ା ରାଜନୈତିକ, ସାମାଜିକ ଆଦି କାରଣରୁ ପରସ୍ପର ଲଢେଇ କରୁଛନ୍ତି, ଲାଞ୍ଚ ମିଛ ର ସାହାରା ନେଇ ଅସତ୍ଯ ପଥରେ, ଅନ୍ଯାୟ ପଥରେ ଯାଉଛନ୍ତି, ଯାହା ଆମ ଦେଶ ଭାରତ ଭଳି ଏକ,ସମାଜ ମଙ୍ଗଳକାରୀ, ଉଦାରବାଦୀ ,ଧର୍ମନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର
ପାଇଁ ଆଦୌ ଶୁଭଙ୍କର ନୁହେଁ ା ଭାରତକୁ ବିକଶିତ ରାଷ୍ଟ୍ର କରି ଗଢିତୋଳିବା ପାଇଁ ସବୁ ମହଲରୁ ଗଠନ ମୂଳକ ଚିନ୍ତା ପୋଷଣ ସହ ବିହିତ କାର୍ଯ୍ୟ ଅନୁଷ୍ଠାନର ଆବଶ୍ୟକତା ବହୁତ ରହିଛି ା ଯୁବବର୍ଗ ସଚେତନ ହୋଇ ଗାଁର ଭାଇଚାରା ବଜାୟ ରଖି ଅସୁବିଧାରେ କାନ୍ଧକୁ କାନ୍ଧ ମିଳାଇ ଉନ୍ନତିକାମୀ ହୋଇପାରିଲେ, ସଂପ୍ରତିର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ର ବ୍ୟବହାର କରିଲେ, ଗାଁ ପରିବେଶ କୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିଲେ ଭାରତର ସ୍ବାଧିନୋତ୍ତର ଗ୍ରାମଗୁଡିକରେ ଅଭୁତପୂର୍ବ ପରିବର୍ତ୍ତନ ଆସିପାରିବ ଏଥିରେ ଅଣୁଏ ସନ୍ଦେହ ର ଅବକାଶ ନାହିଁ ାା

ଭଞ୍ଜନଗର, ଗଞ୍ଜାମ

"ପଡୋଶୀ"

✍✍✍ଜ୍ୟୋତିଶଙ୍କର ତ୍ରିପାଠୀ

ସମାଜ ମଧ୍ୟରେ ଏକ ପରିବାର
   ନମୁନା ଅଟେ 'ପଡୋଶୀ',
ବିପଦ ଆପଦ ସମୟେ ସର୍ବଦା
   ସାହା ହୁଏ 'ପ୍ରତିବେଶୀ'।

  ଆତ୍ମୀୟତା, ଧର୍ଯ୍ୟ ସ୍ନେହ ଓ ସାହାସ
          ହୃଦୟେ ଉଦାର ଭାବ,
'ପଡୋଶୀ' ରୂପରେ ସ୍ୱୟଂ ଭଗବାନ
           କରନ୍ତି ଦୂର ଅଭାବ।

'ପଡୋଶୀ-ସମ୍ପର୍କ' ସୁଦୃଢ଼ ସମ୍ପର୍କ
           ଅବିଚ୍ଛିନ୍ନ ଅନାବିଳ,
   ସମାଜ ମଧ୍ୟରେ ସାମାଜିକ ତାର
          ଅମୂଲ୍ୟ ଏକ ସମ୍ବଳ।

ପର୍ଵ ଓ ପର୍ବାଣୀ ଯାନୀ ଯାତ୍ରା ମଧ୍ୟେ
        ଆଦାନ ପ୍ରଦାନ ଭାବ,
ପିଠାପଣା,ଜାମା,ମିଷ୍ଟାନ୍ନ, ଭୋଜନ
       ବଢ଼ାନ୍ତି ଦେଇ ସ୍ଵ-ଭାଵ।

'ପଡୋଶୀ' ର ଧର୍ମ ଆନନ୍ଦେ ପାଳନ୍ତି
           ଜୀବନକୁ ତୁଚ୍ଛ ମଣି,
    କର୍ତ୍ତବ୍ୟ ସେବାରେ ତତ୍ପର ହୁଅନ୍ତି
            ହୃଦୟ ନିଅନ୍ତି ଜିଣି।

ଭିନ୍ନ ହେଲେ ସୁଦ୍ଧା ପରିବାର ଭଳି
     ଏକତା ରଖି ବଜାୟ,
ସୁଖଦୁଃଖ ଭାବ ସମ ଭାବେ ବାଣ୍ଟି
      ସୁରକ୍ଷା ଦିଅନ୍ତି ପ୍ରାୟ।

 ଏପରି ବିଶାଳ ହୃଦୟ ଯାହାର
   ପ୍ରକୃତ 'ପଡୋଶୀ' ସେଇ,
  ସମ୍ପର୍କ ବନ୍ଧନ ଅତୁଟ ରଖଇ
      ଜୀବନ ବାଜି ଲଗାଇ।

ଜୟପୁର, ଜିଲ୍ଲା-କୋରାପୁଟ
ଓଡିଶା।

** *ସମାପ୍ତ ***

ପଡୋଶୀ

ଜନମିଛି ନର ଏହି ସଂସାର ରେ 
     ଶ୍ରେଷ୍ଠ ପ୍ରାଣୀ ଟିଏ ହୋଇ
ଗଢିଛି ସମାଜ ସହଯୋଗୀ ତାର
    ପରିପୂରକତା ନେଇ।
 ଗଢିଥାଏ ଗୃହ ଜନବସତିରେ
     ନାଶି ଏକାକୀ ଆବାସ
ପଡୋଶୀ ସହିତ ମିତ୍ରତା ପଣରେ
    କରି ରହିଥାଏ ବାସ।
ପଡୋଶୀ ସହିତ ମଧୁଭରା ଭାବ
    ବଣ୍ଟାବଣ୍ଟି ସୁଖ ଦୁଃଖ
    ମାନି ଯାତ୍ରାରେ ଭୋଜିପରବରେ
           ସାହାଯ୍ୟ ଥାଏ ଅମାପ।
ପଡୋଶୀ ସମ୍ପର୍କେ ଜାତି ଧର୍ମର
   ନଥାଏ ବାଛ ବିଚାର
ଅନାବିଳ ଭାବ ଆଣେ ଗ ଉରବ
    ପ୍ରତିବେଶୀ ସମ୍ପର୍କର।
ପୁରାଣେ କଥୂତ ଯା ନୀତି ପ୍ରଦତ୍ତ
     ପର ହିଁ ପରମେଶ୍ବର
ପର ନିନ୍ଦା ଗାନ ନକଲେ ଜୀବନେ
    ଲଭିବ ସୁଖ ଅପାର।
 ପ୍ରତିବେଶୀ ପ୍ରତି ନକରି ଅସୂୟା
      ବନ୍ଧୁତା ଭାବକୁ ନେଇ
ପରସ୍ପର ପରିପୂରକ ପଣରେ
     ଚଳିବା ବିଧାନ ଏହି।

ନଳିନୀ ପ୍ରଭା ମିଶ୍ର

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ସ୍ବାର୍ଥପର ବନ୍ଧୁ

ସ୍ବାର୍ଥପର ଏହି    ମଣିଷ ସମାଜେ
        ଚଳିବା ହେଲାଣି କଷ୍ଟ
ସ୍ବାର୍ଥଲାଭ ପରେ   ମୁହଁ ମୋଡି ଦେଇ
       ଯାଆନ୍ତି କେବଳ ଦୁଷ୍ଟ ।୧।

ଯେତେଦିନ ସ୍ବାର୍ଥ     ଥିବ ମୋ ପାଖରେ
         କରନ୍ତି କେତେ ଆଦର
ସ୍ବାର୍ଥ ସରିଗଲେ     ନ ଚାହାଁନ୍ତି ମୁହଁ
        କୁହନ୍ତି ମୋତେ ବେକାର ।୨।

ବେକାର ପଛରେ     ଧାଉଁ ଥିଲା ଦିନେ
         ନଦେଇ କେଣେ ନଜର
ପାଇଗଲା ହାତ       ଆଜି ତା ମୁଣ୍ଡକୁ
        କରୁନି ମୋତେ ଆଦର ।୩।

ବନ୍ଧୁତା ଦିବସେ     ଫୋନ କରି ଥିଲି
         କହିଲା କେଉଁଠି ଘର
ଜାଣିତ ପାରୁନି      ନାମ ଯେ ତୁମର
          ପଡୁନି କାହିଁ ମନର ।୪।

ପୁରୁଷ ହେଉକି    ମହିଳା ହେଉ ସେ
        କହିବିନି ନାମ ତାର 
ସେଦିନ ସମୟ      ନାହିଁ ଆଜି ଆଉ
       ଚାକିରୀ କରେ ମାଷ୍ଟର ।୫।

ଚାକିରୀ କରିଲା     ସମ୍ମାନ ବଢିଲା
        ପାଇଲା ସେ ପୁରସ୍କାର
ବେଶି କହିଲେ ସେ     ରାଗିଯିବ କାଳେ
          ମାରିବ ମୋତେ ପଥର ।୬।

ବନ୍ଧୁତା ଦିବସେ     ମାଡ ଖାଇବାଟା
         ନୁହଁଇ ଅଟେ ସୁନ୍ଦର
ଧନ୍ଯ ମହାପ୍ରଭୁ      କି ଲୀଳା ତୁମର
         ବସିଛ ହୋଇ ପଥର ।୮।

ପଥର ହେଲକି       କାଠର ଠାକୁର
        ଶ୍ରୀମନ୍ଦିର ତୋର ଘର
କାହିଁକି ଜାଳିଲୁ       ବନ୍ଧୁତାକୁ ମୋର
       କହିଣ ଦିଅ ଏଥର ।୯।

ବନ୍ଧୁତା ଦିବସେ    ସାଜିଲ ବଇରୀ
        ମନରେ ଦେଇ ଯେ କଷ୍ଟ
ଆଜି ମୁଁ କହୁଛି       ତୋତେ ରେ କାଳିଆ
          ହେବୁ ନାହିଁ କେବେ ଦୁଷ୍ଟ ।୧୦।

ସ୍ବାର୍ଥ ସରିଗଲା    ବନ୍ଧୁ ଭୁଲିଗଲା
          ରହିଲା କି ଅବଶିଷ୍ଟ
ବନ୍ଧୁତା ଦିବସେ     ବନ୍ଧୁକୁ ଛଡେଇ
          କଟିଲାକି ତୋର ରିଷ୍ଟ ।୧୧।

ସମ୍ପାଦକ-ମୋ ଅନୁଷ୍ଠାନ, କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, 
ଆଳଦା, ଖଇରା,ବାଲେଶ୍ବର,

ପାନ୍ଥଶାଳା

             ନାହିଁ ମୋ ଠିକଣା  ପରିଚୟ କିଛି
                  ଜୀବନ  ଭୂମିର   ବେଳା
            ଯାହାକୁ  ପଚାର  କହିଦେବ  ସିଏ
                 ନାମ  ମୋର  ପାନ୍ଥଶାଳା ।
            ପାନ୍ଥଶାଳା  ସିନା  ଦିଏ  ତୃପ୍ତି ଭରି
                 ବାଟୋଇ   ମନକୁ   ଜାଣି
            ବୁଝନ୍ତିନି କେହି ପିପାଷୁ ପ୍ରାଣ ମୋ
                 ମିଳେ ନାହିଁ ଟୋପେ ପାଣି ।
            ପଡ଼ି  ରହିଥାଏ  ପଥ  ପାରୁଶରେ
                 ଭଙ୍ଗା   ମନଟାକୁ   ନେଇ
            ଅତିଥି  ମାନଙ୍କୁ  ଆପଣେଇ  ନିଏ
                 ନିଜ  ପ୍ରେମ  ପ୍ରୀତି  ଦେଇ ।
           ଜାତି ଭେଦ ଭାଵ ବୁଝେ ନାହିଁ କିଛି
                 ମତୁଆଲା   କରେ    ମନ
           ଦ୍ୱିପ୍ରହର   ଅବା   ପାହାନ୍ତି  ସକାଳ
                 ନାହିଁ  ରାତି   ନାହିଁ   ଦିନ ।
           ମନ ମୋ  ପିଆସି ସଭିଙ୍କର ଦାସୀ
                 ପିଆଲା  ପରଶ   ଫେଣା
           ଖୋଜି ଖୋଜି ଆସି କରନ୍ତି ପ୍ରବେଶ
                 ପଥ   ହରା  ବାଟ   ବଣା ।
           ମେଣ୍ଟାଇବି ଶୋଷ ଜୀବନେ ଯାତନା
                ଥାଉ ପଛେ ଯେତେ ମୋର
           କିଛି  ସମୟର   ବ୍ୟବଧାନ   ପରେ
                ମିଳିବନି   ଦେଖା    ତୋର ।
           ତୁ ମୋର  ଜୀବନେ ପାନ୍ଥଶାଳା ମଧୁ
                ମୁଁ   ତୋର   ଲଳିତ   ଗିରି
           ପ୍ରେମ ନଗରୀରେ ମାୟାବିନୀ ହୋଇ
                ଯିବି   ତତେ   ପାନ   କରି ।
           ଏ   ଆଳାପ   କରି   ଶୟନ  କରନ୍ତି
                ପାନ୍ଥଶାଳା    ଭାବି   ମତେ
           ଦରଦୀ   ବନ୍ଧୁର  ଦୁଃଖ  ଦୂର  କରେ
                ଦରଦରେ   ଦେହ   ତାତେ ।
           ଦୋହଲା   କମ୍ପନ  ଥର ହର  କରେ
                ଉଛୁଳା   ଯୌବନ   ଭରେ
           ଛାତି   ଥରା  ଶବ୍ଦ  କଅଁଳ  ସ୍ୱରରେ
                କରୁଣ     ଚିତ୍କାର    କରେ ।
           ଥାଏମୋ ଦେହରେ ନଖଚିହ୍ନ କେତେ
                ଲୋହିତ     ଚିତ୍ର    ବିଚିତ୍ର
           କରମ   ଆଦରି    ବକ୍ଷଜକୁ     ଭରି
                ହୁଏ    ମୁଁ   ସଭିଙ୍କ    ମିତ୍ର ।
           ଛାଇ   ଆଲୁଅର   ଲୁଚକାଳି   ଖେଳ
                ଖେଳନ୍ତି ମୋ ସହ  କେତେ
           ନିରବରେ    ସେଠି  ପଡ଼ି   ରହିଥାଏ
                ଯାତନା ମୋ ଦେହେ ବିତେ ।

.                           ସମାପ୍ତ

______●◆●_____

             ✍ ଅମରନାଥ ବାରିକ୍
        💌 ଯାଜପୁର,ମଙ୍ଗଳପୁର,କୟାଁ

ଶିଶୁ ସଙ୍ଗୀତ

               🐒🦄🐆🐊🐅🦘

ମାଙ୍କଡ଼ କହିଲା ଗଧ ଭାଈନା ହୋ
କୁଆଡ଼େ ଯାଉଛ ଶୁଣ,
ସମସ୍ତେ କୁହନ୍ତି ତମ ପାଖେ ଗୋଟେ
ଅଛି କାଳେ ଭଲ ଗୁଣ ।

ଯେତେ ଯାହା ଦେଲେ ଲଦି ତମପରେ
ନେଇ ଯାଅ ହସି ହସି,
କଳି ଦ୍ୱନ୍ଦ କିଛି କର ନାହିଁ ତମେ
ବସ ନାହିଁ କେବେ ରୁଷି ।

ଆଜି ମୋର ମନ ବଳିଅଛି କିଆଁ
ମାମୁଁ ଘର ଯିବା ପାଇଁ,
ବାଘ ମାମୁଁ ମତେ ଚାହିଁ ବସିଛନ୍ତି
ସାଙ୍ଗରେ ବାଘୁଣି ମାଇଁ ।

ତମ ପିଠିପରେ ବସେଇ ମତେ ଗୋ
ନେଇ ଟିକେ ଛାଡ଼ି ଦିଅ,
ବଦଳରେ ତୁମେ କଅଣ ଚାହୁଁଛ
ଦେବି ମତେ ଟିକେ କୁହ ।

ଗଧ ଯେ କହିଲା ମାଙ୍କଡ଼ ନନା ହୋ
ଶୁଣ ଟିକେ ଦେଇ ମନ,
ଗଧ ଜନମ ଟା ପାଇଥାଇ ପାରେ
କିନ୍ତୁ ଅଛି ଅଳ୍ପ ଜ୍ଞାନ ।

ତୁମେ କି ଭାବୁଛ ନିଜକୁ ଚାଲାଖ
ମୋର ଟିକେ ବୁଦ୍ଧି ନାହିଁ,
କୁମ୍ଭୀର ଭଳିଆ ଠକିଦେଇ ମତେ
ବାଘ ମୁହେଁ ଦେବ ନେଇ। 

କହୁଥିଲେ ମତେ ବିଲୁଆ ମଇତ୍ରେ
ଯାଇଥିଲ ତମେ ବୁଲି,
ବାଘ ମାମୁଁ ସଙ୍ଗେ ଭେଟ ହେଇ ଗଲା
ଜଙ୍ଗଲରେ ପୁଣି କାଲି ।

ବାଘୁଣି କହିଲା ଖାଇବ ତମକୁ
ନରମ ଶରୀର ଦେଖି,
ଆସିଅଛ ଦେଇ କଥା ସେମାନଙ୍କୁ
ମତେ ନେବ ବୋଲି ଡ଼ାକି ।

ଛକି ଶୁଣୁଥିଲେ ବିଲୁଆ ମଇତ୍ରେ
ଆସି କହିଦେଲେ ମତେ,
ଆଜି ମୁଁ ଦେଖୁଛି ମାଙ୍କଡ଼ ନନା ହେ
ତମେ ଧୋକାବାଜ କେତେ ?

.                           ସମାପ୍ତ

       ____●◆●____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

-ରାଧାଷ୍ଟମୀ-

         ✍ସୁକାନ୍ତ ଖଣ୍ଡା 
ଆଜି ରାଧାଷ୍ଟମୀ ଆଈ ମାଆଙ୍କର ଗୋଡ଼ ତଳେ ଲାଗୁ ନାହିଁ। ସକାଳୁ ସକାଳୁ ନିଜର ଦୈନନ୍ଦିନ କର୍ମ ସଂପାଦନ କରି ଠାକୁର ଘରେ ପଶିଲେ। ରାଧାରାଣୀଙ୍କ ଫଟୋଚିତ୍ରରେ ଫୁଲ ଅର୍ପଣ କରି ଧୂପ, ଦୀପ ଓ ନୈବେଦ୍ୟ ପ୍ରଦାନ କରି ମୁଣ୍ଡିଆ ମାରିଲେ। ତା' ଆଖି ଛଳଛଳ କି ସେ ବୁଢୀ ହୋଇ ଗଲାଣି। ତା'ର ଅତି ଆପଣାର ଲୋକ ଆର ପାରିରେ। ସେ ଗୁଣୁଗୁଣେଇ କୃଷ୍ଣରାଧେ କୃଷ୍ଣରାଧେ ନାମ ଧରି କାନ୍ଦୁଛି ଆଉ କହୁଛି ଯେତେ ଶିଘ୍ର ପାର ମନର ମଣିଷ ପାଖକୁ ନେଇଯାଅ। 
         ବୁନି କେତେବେଳେ ଆସି ପାଖରେ ବସିଛି ତାଙ୍କୁ ଜଣା ନାହିଁ। ଆଈ ମାଆଙ୍କ ପ୍ରାର୍ଥନା ସରିଲା ତ ବୁନି ରାଧାରାଣୀଙ୍କୁ ପ୍ରଣାମ କରି କହିଲା,"ଆଈ ମାଆ ! ତୁମର ଡାକ ରାଧାରାଣୀଙ୍କ ପାଖରେ ପହଞ୍ଚିବା କଷ୍ଟକର ହେବ। ତୁମର ଡାକ ଭୁଲ ଥିଲା।" ଆଈ ମାଆ ଏହା ଶୁଣି କହିଲେ, "ବୁନି ! ମୋର ଡାକ କେଉଁଠି ଭୁଲ ଥିଲା କହିବୁ କି?" ବୁନି କହିଲା,"ଆଜି ରାଧାଷ୍ଟମୀ ତୁମେ ରାଧାଙ୍କୁ ନ ଡାକି କୃଷ୍ଣଙ୍କୁ ଯୋଡିଲ କାହିଁକି? ଯଦି ବା ଯୋଡିଲ ତାହା ମଧ୍ୟ ଭୁଲ ଥିଲା। ଭୁଲଟି ଏଇଆ ଯେ ରାଧେକୃଷ୍ଣ ନ କହି କୃଷ୍ଣରାଧେ କହୁଥିଲ। 
          ଏହା ଶୁଣି ଆଈ ମାଆ ମନେ ପକାଇଲେ। ସେ ନିଜର ଭୁଲ ସ୍ବୀକାର କରି ଛଳଛଳ ନୟନରେ ପୁଣି ରାଧାଙ୍କ ଫଟୋଚିତ୍ରରେ ଫୁଲଟି ଦେଇ ହାତ ଯୋଡ଼ି କ୍ଷମା ଭିକ୍ଷା କଲେ। ବୁନି ସେତେବେଳେ ପଢ଼ିବା ଘରକୁ ପଳେଇ ଆସି ପାଠ ପଢ଼ାରେ ମନ ଦେଲା। ଆଈ ମାଆ ବୁନିକୁ ମନେ ମନେ ଗୁରୁ କରି ସାରିଥିଲେ। ବୁନି କୁନିଟିଏ ହେଲେ ବି ମୁଣ୍ଡରେ ହରେକ ବୁଦ୍ଧି। ସେ ପାଖକୁ ଯାଇ ଆନନ୍ଦରେ କୁଣ୍ଢାଇ ମନେ ମନେ ରାଧାରାଣୀଙ୍କ ନାମ ଧରି ଭୋଗ ଖୁଆଇଲେ। 
     କିଛି ସମର ପରେ ଆଈ ମାଆ ଘରେ ବିଭିନ୍ନ ପିଠା ମିଠା କରି ବୁନି ଓ ଘର ପରିବାରକୁ ଖୁଆଇଲେ। ବୁନି ଖାଉ ଖାଉ କହିଲା, "ବାପା ! ଜାଣିଛ ଆଜି ଆଈ ମାଆ ଅଜାଙ୍କ ପାଖକୁ ଯିବା ପାଇଁ ରାଧାରାଣୀଙ୍କ ନିକଟରେ ପ୍ରାର୍ଥନା କରୁଥିଲେ। ହେଲେ ମୁଁ କି ଆଈ ମାଆଙ୍କୁ ଯିବାକୁ ଦେବି ଆଈ ମାଆ ଅଛନ୍ତି ବୋଲି ତ ଭୁରି ଭୋଜନ ମିଳୁଛି ନୁହେଁ..।?" ଆଈ ମାଆ କାନ୍ଦି ପକାଇ କହିଲେ, "ମୋର ଏ ସଂସାରଟା ପ୍ରତି କାହିଁକି ବିତୃଷ୍ଣା ଆସୁଛି? ସଭିଏଁ ତ ପାଖରେ ଅଛ ତଥାପି...।" ବୁନି ପାଖକୁ ଆସି ଆଈ ମାଆଙ୍କ ଲୁହ ପୋଛି କୁଣ୍ଢାଇ ଧରିଲା ଯେମିତି ବୁନିର ଆଈ ମାଆ ବିନା ଭବିଷ୍ୟତ ଅସାର ଓ ଅକାରଣ ହୋଇଯିବ।
        ପାଖରେ ବାପା ମାଆ ଓ ଭାଉଜ ଏମାନଙ୍କୁ ଦେଖି ଆଖିରୁ ଲୁହ ଗଡ଼ାଇ ଦେଲେ। 
ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ୟାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

ମା ଓ ମମତା

ମା' ସରଳ ପରିଭାଷା ଟିଏ... 
ମା' ସ୍ନେହ ର ପାରାଵାରା ଟିଏ... 
ମା ' ଜୀବନର ସତ୍ୟତା ଟିଏ... 
ମା ' ସଂସ୍କାରର ଇତିହାସ ଟିଏ... 

ମା' ଚଳନ୍ତି ଦେବୀ ପ୍ରତିମା ଟିଏ.. 
ମା' ମମତାର ଅରୁଣିମା ଟିଏ.. 
ମା' ସକଳ ତୀର୍ଥସ୍ଥାନ ଟିଏ.. 
ମା' ବଳିଦାନର ଜୀବନ୍ତ ମୂର୍ତ୍ତି ଟିଏ.. 

ମା' ଶବ୍ଦ ଶିଶୁର ପ୍ରଥମ ବୋଲି ଟିଏ.. 
ମା' ସଂସାରର ପାର୍ବଣ, ହୋଲି ଟିଏ.. 
ମା' ସୁଖ ଦୁଃଖ ର ଚିର ସାଥୀ ଟିଏ.. 
ମା' ହାନି ଲାଭର ହିସାବ ବହି ଟିଏ... 

ମା' ରୌଦ୍ର ତାତିର ଶୀତଳ ସମିରଣ.. 
ମା' ଘନ ବର୍ଷାର ଅମୋଘ ଆବରଣ.. 
ମା' ବସନ୍ତର କୋଇଲିର କୁହୁ ତାନ.. 
ମା' ହାଡଭଙ୍ଗା ଶୀତରେ ଉଷ୍ମତା କମ୍ପନ.. 

ମା' ଶିଶୁଟିର ପହିଲି ଗୁରୁ ଟିଏ.. 
ମା' ପରିବାରର ବିଶାଳ ତରୁ ଟିଏ.. 
ମା' ସଂସାରର ଅମୁଲ ବରଦାନ ଟିଏ 
ମା' ସର୍ବଂସହା ଧରିତ୍ରୀର ରୂପାନ୍ତର ଟିଏ.. 

ମା' ମମତାମୟୀ ଅବତାର ରୂପ ଟିଏ.. 
ମା' କରୁଣାମୟୀ ଦେବୀଙ୍କ ସ୍ୱରୂପ ଟିଏ.. 
ମା' ଦୟାମୟି ଚଳନ୍ତି ମୂର୍ତ୍ତିରୂପ ଟିଏ.. 
ମା' ସ୍ନେହମୟୀ ଦେବୀଙ୍କ ପ୍ରତିଛବି ଟିଏ... 

ମା' ମମତାର ଅତୁଟ ବନ୍ଧନ ଟିଏ.. 
ମା' ଶରଧାର ଅସରନ୍ତି ଭଣ୍ଡାର ଟିଏ... 
ମା' ନିଃସ୍ୱାର୍ଥ ପ୍ରେମର ପ୍ରତୀକ ଟିଏ.. 
ମା' ତ୍ୟାଗର ଜୀବନ୍ତ ପ୍ରତିମୂର୍ତ୍ତି ଟିଏ.. 

ମା ' ଅବ୍ୟକ୍ତ ଓଁକାର ଶବ୍ଦ ଟିଏ.. 
ମା ' କରୁଣା ର ମରୁଝର ଟିଏ.. 
ମା ' ଶ୍ରଦ୍ଧା ର ଗନ୍ତାଘର ଟିଏ.. 
ମା' ଖୁସିବସନ୍ତର ଝୁଲଣ ଟିଏ.. 

ମା ' ଜୀବନର ପହିଲି ସାଥୀ ଟିଏ.. 
ମା' ଜୀବନର ପହିଲି ଅଭିବ୍ୟକ୍ତି ଟିଏ.. 
ମା' ଜୀବନର କଷ୍ଟ ର ଆହାଶବ୍ଦ ଟିଏ.. 
ମା' ଜୀବନର ଅସମାପ୍ତି ଶବ୍ଦକୋଷ ଟିଏ 

ମା' ମମତାର ସୀମାହୀନ ସାଗର ଟିଏ.. 
ମା' ମର୍ତ୍ୟମଣ୍ଡଳର ଜୀବନ୍ତ ଦେବୀ ଟିଏ.. 
ମା' ଅସରନ୍ତି ପ୍ରେମର ଅକ୍ଷୟଭଣ୍ଡାର ଟିଏ 
ମା' ଚତୁରବେଦ ର ପ୍ରଥମେ ଛନ୍ଦ ଟିଏ 

ନିର୍ମଳ ନାୟକ 
ନାଗପୁର, ମହାରାଷ୍ଟ୍ର. 44 00 14

* ସ୍ୱପ୍ନରେ ଶ୍ରୀମନ୍ଦିର *

ପରିକଳ୍ପନା -
ସଂଗ୍ରାମ କେଶରୀ ସାମନ୍ତରାୟ -
(ଓଡିଶା ଅର୍ଥସେବା ,ଭୁବନେଶ୍ୱର I) 
ଦୂରଭାଷ -7327944077,8895946799
********
ବିରକ୍ତି ବଳୟରେ ଝଟକୁଥାଏ 
ଦିବ୍ୟ ଜ୍ୟୋତି ଧIରି 
ରତ୍ନ ସିଂହାସନ
ଲୋହିତ ବଳିତାର 
ଜ୍ୟୋତି ପବନର ହାଲୁକା 
ଝଟକାରେ ତିନି ମୃତ୍ତି କୁ 
କରିଥିଲା ଜ୍ୟୋତିଦାନ II

ଶ୍ରୀମନ୍ଦିର ନେତ ପବନକୁ 
କରିଥିଲା ଦାସ 
ଫରଫର ଉଡି ମାନବ ଜାତିକୁ 
ଦେଉଥିଲା ପୁର୍ଣ ବିଶ୍ୱାସ 
ଭୟ ମଧ୍ୟେ ଦିବ୍ୟ ଦୃଶ୍ୟର 
ଅବଲୋକନରେ ଥାଏ ଆକାଶ 
ନେତ ଦର୍ଶନ ପରେ ବିଶ୍ୱର କ୍ଷୁଦ୍ର 
ସତ୍ତାଧରି ମାନବ ଅୟସ ଆରାମରେ 
ବଂଚିବାକୁ କରିଥାଏ ସାହସ II

ବଡଦIଣ୍ଡ ଉପରେ ଭକ୍ତଙ୍କ ପଟୁଆର 
ଚାଲିଥାଏ ଜଗନ୍ନାଥଙ୍କ ଜୟ ଗାନ କରି 
ଦୁଇଜଣ ଭକ୍ତ ଲାଗନ୍ତି ପରଦେଶୀ ପରି 
ଆଗକୁ ବଢ଼ୁଥାନ୍ତି 
ଦୁଇଟି ପତାକାକୁ ଧରି 
ଶବ୍ଦରେ ଗୁଣୁ ଗୁଣୁ ହଉଥାନ୍ତି 
ଜଗନ୍ନାଥଙ୍କୁ ସୁମରି 
ଆକାଶରେ ମେଘମାଳା 
ଆସୁଥାଏ ଘୁମୁରି ଘୁମୁରି 
ଦିଶୁଥିଲା ମେଘମାଳା 
ଜଗନ୍ନାଥଙ୍କ ଛବିପରି 
କେହି କେହି ଆସୁଥିଲେ 
ଥଟ୍ଟା ପରିହାସ କରି II

ପବନ ଭୁଲିଛି ଗାର୍ଜନର ଭାବ 
ମୃଦ୍ୟୁ  ମଧ୍ୟ ଲାଗୁଥିଲା ଶାନ୍ତ ସ୍ଵଭାଵ
କ୍ରୋଧ ସବୁ ଲାଗେ ଚୁରମାର 
ହତାଶାର ଆଗେ II

ଭକ୍ତି ଭାବେ ବନ୍ଧା ପଡି 
ଖାଲି ପାଦ ହୋଇଥିଲା କ୍ଷତାକ୍ତ 
ଲୋଭ ମୋହ କବର ନେଲାପରେ 
ହୋଇଥିଲା ମୃତ II

ଶ୍ରୀମନ୍ଦିର ପହଡ ଖୋଲିବାର 
ବିଳମ୍ବ ଭକ୍ତଙ୍କୁ କରିଥିଲା ଆହତ 
ଜଗନ୍ନାଥ ନାମ ବିନା ଭକ୍ତ 
ଭାବୁଥିଲା ସେ ନୁହେ ଜୀବିତ II

ସ୍ବପ୍ନ ଥିଲା ଅବାସ୍ତବ ଛାୟାର ପ୍ରତୀକ 
ଅଶାନ୍ତିର ଦେବତା ସାଜିଥିଲା 
ଜନ୍ମ ମୃତ୍ୟୁର ବିଚାରକ 
କିଛି ଚାନ୍ଦI ଦେଇ ଭକ୍ତ ଭାବେ 
ହୋଇଯିବ ପ୍ରଚାରକ II

ମୋତେ ଲାଗୁଥିଲା ସମୟ 
ହେବ ଉପନୀତ 
ଜୀବନର ଗତି କିଛି କIଳ ପରେ 
ଚାଲିବ ମୃତ୍ୟୁ ବ୍ୟତୀତ 
ମହାମାରୀର ଭୟ ହୋଇସାରିଥିବ ଅସ୍ତମିତ 
ବିଜୟଯାତ୍ରାର ମୁଁ ସାଜିଥିବି ଉଦଘୋଷକ 
ବଡ଼ଠାକୁର ଥିବେ ସହମତ II

ସ୍ୱପ୍ନରେ ଶ୍ରୀମନ୍ଦିର ବାସ୍ତବତାର 
ଚାଦରରେ ଝଟକୁଥିବ
ଭଗବାନଙ୍କ ମହିମା ଗାନ ଚାଲିଥିବ 
ସମସ୍ତେ ସ୍ୱରରେ ତାଳରେ 
ହଜିବା ସପକ୍ଷରେ ଥିବେ 
ଜହ୍ନ ନକ୍ଷତ୍ର ଶୁଭ୍ର ଜ୍ୟୋସ୍ନାରେ 
ଶ୍ରୀମନ୍ଦିରକୁ ଆଲୋକିତ କରୁଥିବ II

**********
ବି .ଏସ .ସି,
ଏମ .ଏ (ଇଂରାଜୀ ),ଏମ .ଏ (ଅର୍ଥନୀତି ),
ଏମ .ଏ (ରାଜନୀତି ବିଜ୍ଞାନ ),
ଏମ .ଏ (ଇତିହାସ ),ଏମ .ଏ (ସାମ୍ବାଦିକତା ),
ଏଲ .ଏଲ .ବି,
ଏମ. ବି .ଏ (ଅର୍ଥ )
**********

🌹କଳିଯୁଗ ମଣିଷ🌹

    🙏🏻ଦିଲ୍ଲୀପ୍ କୁମାର ନନ୍ଦୀ 🙏🏻

ଧର୍ମ କର୍ମ ଭୁଲି ଆଜି ଏ ମଣିଷ 
            ନିତି ନିୟମକୁ ଲଙ୍ଘେ 
ନାକ ଯାଏ ପାଣି ବୁଡ଼ି ଅନିଶ୍ୱାସ 
          ତଥାପି କହେ ସେ ଜଙ୍ଘେ
ନୁଖୁରା ନିଷରେ ମାରୁଥାଏ ହାତ 
            ତେଲ ମାଖିବାର ଢଙ୍ଗେ।।

ମାଆ ବାପା ନିଜ ପରିବାର ଜନେ 
              ନିମିଷେ ନଥାଏ ମନେ 
ପାପ ମହାପାପ ଯେତେ ଯାହା କରେ
            ଶୋଚନା ନକରେ ଦିନେ 
ନିଜ ସୁଖ ପାଇଁ ତଣ୍ଟି କାଟିବାକୁ 
           ଚିନ୍ତୁଥାଏ ସଦା ମନେ 
ମାଳା ଜପୁଥାଇ ତିଳକ ଲଗାଇ 
         ବସି ଯୋଗ ମୁଦ୍ରାସନେ ।।

ଦୟା-ମାୟା ସବୁ ଭୁଲି 
 ଦେଶ ସେବାନାମେ ବଜାଇ ଡେଙ୍ଗୁରା 
    ଭାଷଣ ଭଳିକୁ ଭଳି 
ମୁଁ ଏକା ସଚା ନାହିଁ କେହି ଆଛା 
       ଆଉ କେ ମୋଠାରୁ ବଳି 
ନିର୍ମଳ ଧୋବ ଧୋବଲା 
   ତା'ଠାରୁ ଭଲ କିଏ ଅବା ଅଛି 
ଯେ' ଯେତେ କହିଲା ବାଲା।। 

🌹ଭବାନୀପାଟଣା କଳାହାଣ୍ଡି 🌹

ଗ୍ରାମ୍ୟ ମଣିଷ

                 ✍ଅମୂଲ୍ୟ କୁମାର ଦାଶ
                     (ବିଜ୍ଞାନ ଶିକ୍ଷକ)

ଗ୍ରାମ୍ୟ ମଣିଷଟା ଭାରି ସରଳିଆ
             ଗାଁରେ  ଜନମ ତାର ।
ପର ଉପକାରୀ ସାହି ପଡ଼ିଶାର
            ଅଟଇ  ନିଃସ୍ଵାର୍ଥପର ।

ସମୟର ମୂଲ୍ଯ ବୁଝିଥାଏ ସିଏ
             କର୍ମକୁ କରି ଆଦର ।
ମଣିଷ ପଣିଆ ହୃଦୟେ ବହିଛି
            ତା ମନ ଅତି ସୁନ୍ଦର।

ପର ଆପଣାର ଭେଦଭାବ ନାହିଁ
          ବିଶ୍ୱାସୀ ସେ ସଭିଙ୍କର ।
ମିଳିମିଶି ଚଳି ଗାଁ ଲୋକେ ମେଳି
        ସର୍ବେ ହୋଇ ଏକା କାର।

କୃଷକ,କମାର,ତନ୍ତୀ, କୁମ୍ଭକାର
               ଶ୍ରମିକ ଓ କାରିଗର ,
ଜୀବିକା ଜଞ୍ଜାଳ ଭିତରେ ବୁଡିଣ
               ଶ୍ରମ ପାଇଁ ତତପର ।

ଗାଆଁପରିବେଶ   ଗାଆଁର ମଣିଷ
                   କରଇ ଅତି ନିଜର,
ପ୍ରକୃତିକୋଳରେ ଖେଳାଏ ସେହସ
              ଅନ୍ୟକୁ ଦେଇ ଆହାର ।

ଭାଗବତ  ଟୁଙ୍ଗୀ, ଗାଆଁ  ର ମନ୍ଦିର
                ସଂସ୍କୃତିର  କଳେବର,
  ସବୁ  ପରମ୍ପରା  ସାଇତି   ରଖିଛି
              ପରିଚୟ ଦେଇ ନିଜର ।

ଦୁଃଖର ସେ ସାଥୀ ସୁଖର ସେ ସାଥୀ
               ନକରି   ମନ୍ଦ   ବିଚାର,
  ଜନମ  ଯେଉଁଠି  ମରଣ  ସେଇଠି
             ଏ ପରା ମଣିଷ ଗାଆଁର ।

**********
ସାହି-ଦାଶରଥିନଗର,ତାଲୁକା ରୋଡ
ପୋଷ୍ଟ-- ଆସିକା, ଜିଲ୍ଲା-- ଗଞ୍ଜାମ
ପିନ୍-୭୬୧୧୧୦

ତୁମେ ଗଲା ପରେ

ତୁମେ ଗଲା ପରେ ଝୁରୁଛି ଶ୍ରାବଣ 
ବସନ୍ତ ବି ବାଟବଣା... 
ଶରତ ଶୋଇଛି ଶାନ୍ତିର ନିଦରେ 
ଋତୁ ଭୁଲିଛି ଠିକଣା... 
ଆଉ କି ଲୋଡ଼ା ପାଉଣା... 
ତୁମେ ଗଲା ପରେ ପ୍ରାପ୍ତି ପାଲଟିଛି 
ଆଉ ଏକ ପ୍ରଶ୍ନମୁଣା... 

ତୁମେ ଗଲା ପରେ ସ୍ବପ୍ନ ସମୂହ ଯେ 
ସାଜେ ସମାପିକା କ୍ରିୟା... 
ସ୍ମୃତି ବି ପାଲଟେ ଶୁଖିଲା ସମିଧ 
ଜୀବନ ଯେ ଯଜ୍ଞ ନିଆଁ... 
ପ୍ରୀତିର କୁହୁଳା ଧୂଆଁ... 
ତୁମେ ଗଲାପରେ ଅତୀତ ବି ଲାଗେ 
ଅଜଣା ଅସ୍ପଷ୍ଟ ଛାୟା... 

ତୁମେ ଗଲା ପରେ ଇନ୍ଦ୍ରଧନୁ ତାର 
ଇତିବାକ୍ୟ ଦିଏ ଲେଖି... 
ପରିହାସ କରେ ଜହ୍ନର ଜୋଛନା 
ତାରାର ମିଟିକା ଆଖି... 
ତଥାପି ପଡିନି ଥକି... 
ତୁମେ ଗଲା ପରେ ନିଃସଙ୍ଗତାରେ ମୁଁ 
ବଞ୍ଚିବା ଯାଇଛି ଶିଖି... 

ରଞ୍ଜନ କୁମାର ମହାନ୍ତି 
ବାଲେଶ୍ୱର

ଯାହା ଇଛା କର

✍ଡ.ଗୁରୁ ମୂର୍ତ୍ତି ନାୟକ

ଠିକ୍ ଅଛି ତୁମ ଇଛା
ଯାହା କରିବାର କର
ସ୍ୱଭିମାନକୁ ନିଲାମ ନକର
ଅଭିମାନ କରନି
ବିବେକ ଗୁରୁଙ୍କୁ ପଚାର
ବୁଦ୍ଧିର ଲଗାମରେ 
ମନକୁ ଟାଣକରି ବାନ୍ଧ
ଅଭିନୟ ତ କରିବ ସଂସାରେ
ପେଟପାଟଣା ପାଇଁ
ତଥାପି ଅଣ ଲେଉଟା
ଅବୁଝା ଶରୀର
ବୁଝିବେ ନାହିଁ ତୋ ପରିସ୍ଥିତି
ସେମାନଙ୍କ ଖୁସି ପାଇଁ
ଲଦି ଚାଲିବେ ବୋଝ
ବେଢି ଉପରେ କୋରଡା
ଭୟଙ୍କର ମୁହୂର୍ତ୍ତର ଖେଳ
କାଳ ହୋଇ ଦଂଶନ କରିବ
ଅନ୍ୟର ଆଖିର ଲୁହ
ଦେଖି ପାରିବ ନି ବୋଲି
ନିଜେ କୋହ ବତୁରା ଲୁହରେ
ଆଖିପତା ଭିଜା କରି ଚାଲିବ
ଏଇ ତ ଦୁର୍ବଳତାର ସୁବର୍ଣ୍ଣ ସୁଯୋଗ
ଅତ୍ୟଚାର କରିବେ
ନିଜ ସ୍ୱାର୍ଥ ଓ ଖୁସି ପାଇଁ
ଅରଣ୍ୟ ରୋଦନ ତୁମ
ଶୁଣିବେନି କେହି
ସ୍ବାର୍ଥ ସମାଜର ହିଂସ୍ର ମାନବ
ତୁମ ଶାନ୍ତି ସହି ପାରନ୍ତିନି ବୋଲି
ଲଦି ଦିଅନ୍ତି ଅଶାନ୍ତି ପାହାଡ
ଋଣ ସୁଝିବ ବୋଲି ମାଆର
ବାରବାର କ୍ଷେତାକ୍ତ ହୁଅ
ଭାଇଭଉଣୀ ଠାରେ
ସମୟର ଦାରୁଣ କଷ୍ଟରୁ
ନିସ୍ତାର ନାହିଁ ମାନବିକତାର
ବାରମ୍ବାର ଭେଟ ହେବ
ସ୍ବାର୍ଥପର କଂସେଇମାନକୁ
ବେଳକାଳ ଜାଣି ସଚେତନ ହୁଅ
ଭଲପାଇବା ଦୁର୍ବଳତାରେ
ଦୃଢତା ଆଣ
ଭୀଷ୍ମ, କର୍ଣ୍ଣ ,ଦ୍ରୋଣ ନହୋଇ
ଦୁର୍ଯ୍ୟୋଧନଙ୍କ ଭାଇ
ହୋଇ ଧର୍ମ ପଥେ ଲଢେ଼ଇ କର
ଡରନି ଯାହା କରିବାର କରନ୍ତୁ
ଠିକ୍ ପଥେ ହୁଅ ଅଗ୍ରସର
ପେଟ ପାଇଁ ସ୍ୱଭିମାନକୁ
ଦିଅ ନାହିଁ ବଳି ।।

ଅଧ୍ୟାପକ
ଭଂଜନଗର, ଗଂଜାମ

ନୁଖୁରା ମୁଣ୍ଡ

ଭାବନାରେ କେବେ ଭବସାଗରରେ
ଆଶାର କମଳ ଫୁଟାଇଥାଏ
ଖରାତାତି ପାଇ ଶୁଖିପଡ଼େ ଝଡ଼ି
ତୋଳିବାକୁ ହାତେ ବଳ ନ ଥାଏ     ।।

ଆଖିରେ ରଙ୍ଗର ପସରା ମେଲାଇ
ଛାତି ତଳେ ଟାଣେ ଦୀର୍ଘ ନିଃଶ୍ୱାସ
ସେ ନିଃସ୍ୱାସେ ଯେତେ ଉଡିଯାଏ ରଙ୍ଗ
ସାଉଁଟି  ଦେଖେ ସେ ଖାଲି ଅବଶୋଷ     ।

ଦିନ ବେଳା ଦିଶେ ସବୁ ଝିଲମିଲ
ନୁଖୁରା ମୁଣ୍ଡ ବି ଦିଶେ ସୁନେଲି
ରାତିର ତକିଆ ତଳେ  ଲୁଚିଯାଏ
ଛିଣ୍ଡା ମଶିଣାର ବେଦନା ଭୁଲି       ।

ସମୟ ଚକରେ ବସି ଘୁରୁଥାଏ 
ତେଲିଆ ନୁଖୁରା ଭାଗ୍ୟ କଣ୍ଢେଇ
ଅଜଣା ତ ତାକୁ କେତେବେଳେ କିଏ
ପଥ ପାରିହେବ ତାକୁ ମୁଣ୍ଡେଇ    ।।

ଦୀପ୍ତି ଦେବଦର୍ଶିନୀ ସୁତାର
ଓରାଳି ,ହାଟଡିହୀ, କେନ୍ଦୁଝର -758083

ଗଳ୍ପ - ଦ୍ବିଧା

                    ✍କଳ୍ପନା ରାୟ
          
          ପ୍ରସନ୍ନବାବୁ ନିଜ ପ୍ରେମକୁ ନେଇ ଖୁବ୍ ପ୍ରସନ୍ନ ଥିଲେ  ।  ନଵନୀତା ତାଙ୍କ ପ୍ରେମିକା  ।  ଉଚ୍ଚ ବଂଶଜ।  ପାଠ ପଢିଛି, ସୁଶ୍ରୀ ସୁନ୍ଦର  ।  କେଉଁଥିରେ କମ୍ ନୁହେଁ  ।  ନିଜ ଭାଗ୍ୟକୁ  ଦେଖି ନିଜେ ଖୁସି ହେଉଥିଲେ ।

         ମାଆ କିନ୍ତୁ ରାଜି ନ ଥିଲେ  ।  କାହିଁକି ତାଙ୍କ ମନ ଖଟ୍ କା ଲାଗୁଥିଲା ସେ ନିଜେ ହୁଏତ ଜାଣି ନ ଥିଲେ  ।  ତାଙ୍କର ଗଉଡ ଘର  । ତାଙ୍କ ପୁଅ ଚାକିରି କରିଛି  । ପେଶାରେ ଡାକ୍ତର, କିନ୍ତୁ ନିଶାରେ ଜଣେ ସମାଜସେବୀ  ।  ସେଥିପାଇଁ ବୋଧହୁଏ  ପ୍ରସନ୍ନ ଉଚ୍ଚ ବଂଶଜା ନଵନୀତାକୁ ଭଲପାଇ ଖୁସି ଅଛି  । ନଵନୀତା କୌଣସି ଗୁଣରେ କମ୍ ନୁହେଁ  ।

         ପ୍ରସନ୍ନଙ୍କ ମାଆ ଵିବାହର ଦୁଇ ବର୍ଷ ପରେ ଵିଧଵା ହୋଇଥିଲେ ସ୍ଵାମୀଙ୍କ ଦୁର୍ଘଟଣାରେ ମୃତ୍ୟୁ ଯୋଗୁଁ ।  କିନ୍ତୁ ସ୍ବାମୀଙ୍କ ପାଇଁ ସେ ଚାକିରି ଖଣ୍ଡିଏ ପାଇ ଯାଇଥିଲେ  । ହେଲେ କୋଳରେ ବର୍ଷକର ପ୍ରସନ୍ନ  । ତାକୁ ଛାଡ଼ି ଅଫିସ୍  । ଜୀବନରେ ବହୁ କଷ୍ଟରେ ସମୟ ଅତିବାହିତ କରି ଆଜି ଏଠି ଉପସ୍ଥିତ ।  ସବୁ ଠିକ୍ ଥିବା ସତ୍ତ୍ୱେ ନଵନୀତାକୁ ନେଇ ସେ କାହିଁକି ଖୁସି ହୋଇ ପାରୁ ନ ଥିଲେ ସିଏ ନିଜେ ଭି ଵୁଝି ପାରୁ ନ ଥିଲେ  ।

        ପରଦିନ ନଵନୀତାର ଵାପାକୁ ଡକାଇପଠାଇଲେ  ।  ଜଳଖିଆ ପର୍ବ ସରିଲା ପରେ ପଚାରିଲେ ଆମ ଗୌଡଘରେ ଝିଅ ଦେବାକୁ ଆପଣଙ୍କର ଆପତ୍ତି ନାହିଁ  ?? ଆପଣ ଉଚ୍ଚ ବଂଶଜ  । ଆମ ପରିବାରରେ ବନ୍ଧୁ କଲେ ଆପଣଙ୍କୁ କେହି କିଛି କହିଵେ ନାହିଁ  ?? ଉତ୍ତରରେ ନବନୀତାର ବାପା ରୋହିତବାବୁ କହିଲେ, ଆଜିକାଲି ସେସବୁକୁ ଆଉ କିଏ ପ୍ରାଧାନ୍ୟ ଦେଉଛି  ??  ତଥାପି କିଛି ଲୋକ ତ ନିଶ୍ଚୟ କହିଵେ  ।  ତାଙ୍କ କଥା ଶୁଣି ନ ଶୁଣିଲା ପରି ରହିବାକୁ ପଡ଼ିବ  । ପ୍ରସନ୍ନ ଭଲ ପିଲା, ତା ପରେ ମୋ ଝିଅ ନଵନୀତାର ପସନ୍ଦ  ।  ମୁଁ ଜାତି ଗୋତ୍ର ଧରି ଆଜିର ଯୁଗରେ କଣ ବସି ପାରିବି  ??  ଆଜିକା ପିଲା, ଵିଵାହ ନ କଲେ କେତେ କଣ କରୁଛନ୍ତି  ।  ଵାହା ଦେଇଦେଲେ କାମ ଶେଷ  । କାହିଁ, ଆପଣଙ୍କର ମୋ ଝିଅ ପସନ୍ଦ ନୁହେଁ କି  ??  ନଵନୀତା ପରି ଝିଅକୁ କିଏ ନାପସନ୍ଦ କରିବ  ??  ହେଉ ତିଥି ଠିକ୍ କରି ମୋତେ କହିଵେ  ।

         ଠିକ୍ ସମୟରେ ଵିଵାହ ସରି ବନ୍ଧୁବାନ୍ଧବ ସବୁ ପଳାଇଥିଲେ  ।  ଦିନେ ସନ୍ଧ୍ୟାରେ ମାଆଙ୍କ ଅନୁମତି ନେଇ ପ୍ରସନ୍ନ ଓ ନଵନୀତା ଵୁଲି ଵାହାରିଥିଲେ।  ସହରର ଗହଳି ଭିତରୁ ଦୂରକୁ ଯିବେ ଵୋଲି ସ୍ଥିର କଲେ ଦୁହେଁ  ।  ସେହି ଅନୁସାରେ ଯାଉଥିବା ସମୟରେ ଏକ ଷଣ୍ଢ ଦୌଡି ଗାଡି ସମ୍ମୁଖକୁ ଆସି ଯାଇ ଥିଵାରୁ ଗାଡିର ଵ୍ରେକ୍ ଦବାଇଥିଲା ପ୍ରସନ୍ନ  । ଏତେ ଜୋରରେ ଵ୍ରେକ୍ ଦଵାଇଵାରୁ ଗାଡି ଓଲଟି ପଡିଥିଲା  । ଠିକ୍ ସେହି ସମୟରେ ଵିପରୀତ ଦିଗରୁ ଆସୁଥିବା ଏକ ହାଇୱା ଗାଡି ତାଙ୍କ ଗାଡି ଉପରକୁ ଚଢି ଯାଇଥିଲା  ।  ତତ୍ କ୍ଷଣାତ୍ ଲୋକ ଗଦା ହୋଇଯାଇଥିଲେ  ।  ସହଜରେ ଵାହାରି ପାରିଥିଲା ପ୍ରସନ୍ନ  ।  ମୁଣ୍ଡ ହାତ ଗୋଡ଼ ମାଡ ହୋଇଥିଲା  । ଛିଡି ଛିଡି ଯାଇଥିଲା ଵି  ।  କିନ୍ତୁ ନବନୀତାକୁ କଟର ମେସିନ୍ କାଟି ଵାହାର କରିଥିଲା  । ଦୁଇ ଗୋଡର ଆଣ୍ଠୁ ପାଖରୁ ଏମିତି କୁଚ୍ କୁଚା ହୋଇଥିଲା ଯେ ଡାକ୍ତର ତାର ଆଣ୍ଠୁ ତଳକୁ କାଟିବାକୁ ବାଧ୍ୟ ହୋଇଥିଲେ  । ମାଆ ଦୁର୍ଗାଙ୍କ ପୂଜାରେ ଦିନଦିନ ବସିଥିଲେ ତାଙ୍କ ପୁଅର ଦୁର୍ଗତି ନାଶ ପାଇଁ  ।

          କିଛିଦିନ ମେଡିକାଲରେ ରହି ଦୁଇ ଜଣ ଘରକୁ ଆସିଥିଲେ  । ନଵନୀତା ଆସିଥିଲା ପୁରା ନୂଆ ହୋଇ  । ଦୁଇ କାଖରେ ଆଶାଵାଡି ଧରି  । ବଡ ଦୟନୀୟ ଥିଲା ଦୃଶ୍ୟ  । ପ୍ରସନ୍ନ ତାକୁ ସର୍ବଦା ମାନସିକ ଖୁସି ଦେବାକୁ ଚାହିଁଥିଲା  ।  କିନ୍ତୁ ନଵନୀତା ମୋଟେ ଵୁଝୁ ନ ଥିଲା ।  ସେ ଜିଦ୍ କରିଥିଲା ପ୍ରସନ୍ନର ଦ୍ବିତୀୟ ବିବାହ ପାଇଁ  ।

          ଏ ପ୍ରସ୍ତାବରେ କେହି ରାଜି ନ ଥିଲେ ।  ଏମିତିକି ଶାଶୁ ଵି  ।  ଏ କେମିତି ସମ୍ଭବ  ।  ପ୍ରଥମ ସ୍ତ୍ରୀ ବଞ୍ଚି ଥାଉ ଥାଉ ଦ୍ଵିତୀୟ ସ୍ତ୍ରୀ  !!!!  ଶାଶୁ ଵୁଝାଇଥିଲେ ଏଥିର ଅସମ୍ଭବତାକୁ  । ଘରର ଏତେ ଦୁଃଖ ସମୟରେ ଆତ୍ମପ୍ରକାଶ କଲା ଏକ ଖୁସି, ଯାହା ଥିଲା ନଵନୀତା ମାଆ ହେବାର ଖବର  ।  ଏ ଖବର ଶାଶୁ ଓ ସ୍ବାମୀଙ୍କୁ ଦ୍ଵିଧାରୁ ବଞ୍ଚାଇ ଦେଲା ।  ସମସ୍ତେ ମିଶି ଠିକ୍ କରିଥିଲେ ପୁଅ ହେଉ ବା ଝିଅ ତାର ନାମ ରଖାଯିବ ଦ୍ବିଧା  ।  ନଵନୀତାର ବାପା ଭଗବାନଙ୍କୁ ଧନ୍ୟବାଦ ଦେଉଥିଲେ।  

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର  ।

ଗଳ୍ପ - ଗରୀଵର ସ୍ଵର

                     ✍କଳ୍ପନା ରାୟ

          ସରିତା ଆକାଶ ପାତାଳ ଭାବୁଥିଲା  ।  କଣା ଚାଳରୁ ପାଣି ତଳ ମାଟିର ଅବସ୍ଥା ଦେଖି ହେଉ ନ ଥିଲା ।  ଘରର ସବୁ ବାସନ ଏଠି ସେଠି ସବୁଠି ରଖିସାରିଥିଲା  ।  ତଥାପି ଦୁଇ ଚାରି ଯାଗା ପାଣି ଗଳୁଥିଲା  ।  ଏ ବର୍ଷ ବହୁତ ଥର ପଞ୍ଚାୟତକୁ ଯାଇ  ଘରଟିଏ ପାଇଁ କହିଥିଲା  । ପଞ୍ଚାୟତର ସରପଞ୍ଚ ହଁ ହଁ କହିଚାଲିଥିଲେ  । ତା'ପରେ ମହାମାରୀର କରାଳ ଛାୟା ।  କିଏ ଆଉ କଣ ଦେଖୁଛି ଯେ ତାର କାମ ହେବ  । ଶାଶୁ ତାର ଆସିବାର କିଛି ମାସ ପରେ ଚାଲିଯାଇଥିଲେ  ।

       ପୁଅ ତାଙ୍କର କାହା ପାଖକୁ ଯାଇ ଗୁହାରି କରିବା କେହି ଦେଖିନି ।  ନିଜ କାମ ନିଜେ କରୁଥାଏ  ।  ସେଥିପାଇଁ ଆଜି ଚାଳ ଉପରେ ଚଢି ଦୁଇ/ଚାରି ଵିଡା ଛଣ ଦେଇଛି  । ଛୋଟ ପଣତ, ଏପଟେ ଟାଣିଲେ ସେପଟ ଖାଲି,  କଣ ଏ ଲଘୁଚାପର ଲଗାଣ ବର୍ଷାକୁ ଅଟକାଇ ହେଉଛି  । ଘରେ କଅଁଳିଆ ଛୁଆକୁ ଛାଡି କେଉଁଠିକୁ ଯାଇ ହେଉନି  ।  ଘରେ ଯିଏ ଯାହା କାମ ଦେଉଛି କରୁଛି  । ଚାରି/ପାଞ୍ଚ ମାସ ହେଲା ଫ୍ୟାକ୍ଟ୍ରିକୁ ଯାଉନି  । ଯାହା ଯେମିତି ସଞ୍ଜୟ କରି ରଖିଥିଲା, ସବୁ ସରିଗଲାଣି  ।

        ସୂର୍ଯ୍ୟ ଭଲ ପିଲା  । କିନ୍ତୁ ସାଙ୍ଗମାନଙ୍କୁ କିଛି କହି ପାରେନି  । ଘରେ ଛ ମାସର ଛୁଆଟା  ।  ବର୍ଷା ଅନବରତ ପଡୁଥିବାରୁ ଆଜି ଛିଙ୍କ କାଶ ଟିକିଏ ଟିକିଏ ହେଲାଣି  । ସୂର୍ଯ୍ୟ ଏଇଠି ଯିଏ ଡାକିଲେ କାମକୁ ଯାଉଥିଲା  ।  ପ୍ରଧାନମନ୍ତ୍ରୀଙ୍କ ଚାଉଳ, ଡାଲି ବହୁତ ଉପକାରରେ ଆସିଥିଲା  । ସୂର୍ଯ୍ୟ ଯେଉଁଠି କାମ କରେ, ସେଠି ଦିନରେ ଖାଏ  ।  ରାତିରେ ଚାଉଳ ଦିଟା ଵାଟି ରୋଷେଇ ପରେ କଦଳୀ ପତ୍ରରେ ବାନ୍ଧି ନିଆଁରେ ପକାଇ ଦିଏ ସରିତା  । ଆଉ ରାତିରେ ଚୁଲି ଲଗାଇଵାକୁ ପଡେନା, ସେଥିରୁ ଵଳିଲେ ସିଏ ଖାଏ, ନ ହେଲେ ଅଙ୍ଗନବାଡି ଦିଦି ଦେଇଥିବା ଛତୁଆ ଖାଇ ଶୋଇପଡ଼େ ସରିତା  ।  କେବେକେବେ ଦୁଇଜଣଯାକ ଛତୁଆ ଖାଆନ୍ତି  ।ଅଙ୍ଗନୱାଡି ଦିଦିଙ୍କୁ ନେହୁରା ହୋଇ ଆଉ ଗୋଟେ ଅଧିକା ଆଣେ  । 

          ସେଦିନ ମଦ ପିଇ ଘରକୁ ପଶିଥିଲା ସୂର୍ଯ୍ୟ  ।  ମନେ ମନେ ରାଗି ସରିତା ଆଉ କିଛି କହିଲା ନାହିଁ ।  ଘରେ ଗୋଟାଏ ଟଙ୍କା ନାହିଁ, ଛୁଆଟାର ଦେହ ଭଲ ନାହିଁ, ଡାକ୍ତରଖାନାରେ କଣ ଔଷଧ ଦେଇଥିଲେ ଦେଇଛି ତାକୁ ସରିତା  । ଗୋଟିଏ ଵୋଲି ପିଲା ସରିତା ଆଉ ସୂର୍ଯ୍ୟର ସେ  ।  ହେଲେ ଶୋଇବା ବସିବାକୁ ଯାଗା ନାହିଁ, ଲୁଗା ଶୁଖେଇଵାକୁ ଯାଗା ନାହିଁ,  କାଲି ଯାଇ ପାଖ ବାବୁଙ୍କ ଘରୁ କିଛି ଲୁଗା କନାପଟା ମାଗି ଆଣିଥିଲା  ।  ତିନିଦିନିଆ ଲଗାଣ ବର୍ଷା ତାଙ୍କର ରହିବା ଵ୍ୟଵସ୍ଥାକୁ ପୁରା ହଲାଇ ଦେଇଛି  ।

            ମଦ ପିଇ ଆସିବାର ଦେଖି ଚୁପ୍ ଚାପ୍ ଶୋଇପଡିଲା, ଡାକିଲେ ଶୁଣି ନ ଶୁଣିଲା ପରି ରହିବାକୁ ଠିକ୍ ମଣିଲା  ।  ନା, ଆଉ ସହି ହେବନି, ଆଗରୁ ସାଙ୍ଗମାନଙ୍କ ସହ ମିଶି ଯାହା ତାହା ଖାଇ ଟଙ୍କା ଉଡାଉଥିଲା  । ଏବେ ମଦପାଣି ଅଭ୍ୟାସ କରିବା ସହିତ ସ୍ତ୍ରୀ ଛୁଆକୁ ଧ୍ୟାନ ନାହିଁ, ସୂର୍ଯ୍ୟ ସରିତାକୁ ଡାକି ନ ଶୁଣିବାରୁ ଭାବିଲା ଛୁଆକୁ ଶୋଇ ଦେଉଥିଵ  ।  ନିଜେ ଖାଇ ଶୋଇ ପଡିଲା  । 

        ସକାଳୁ ସରିତା ଉଠି ନିତ୍ୟକର୍ମ ସାରି ଛୁଆକୁ ଖାଇବାକୁ ଦେଇ ମଦ ଖାଉଥିବା ଲୋକଙ୍କର ସ୍ତ୍ରୀ ମାନଙ୍କୁ ଏକାଠି କରି ମଦ ଦୋକାନ ଆଗରେ ଥିବା ପ୍ରଶସ୍ତ ବାରଣ୍ଡାରେ ବସି ପଡ଼ିଲା - ମଦ ଦୋକାନ ବନ୍ଦ କରିବା ଆମର ଦାବି  ।  ସ୍ତ୍ରୀ ଲୋକମାନେ ବର୍ଷାରେ ଵି ଏକାଠି ହେବା ଦେଖି ଓଟିଭିର ପୂଜା ଦିଦି ପ୍ରଥମେ ପହଞ୍ଚି ଓଟିଭିରେ ପ୍ରସାର କରିଥିଲେ  । ଏହା ପରେ ଵେଳ ବଢି ଚାଲିଲା।  ଏକାଠି ହୋଇଥିବା ନାରୀଙ୍କ ସଂଖ୍ୟା ବଢିଲା ସିନା କମିଲା ନାହିଁ।  ଏ ମଦ ଦୋକାନ ରହିଥିବା ହେତୁ ଆମ ଘରର ଟଙ୍କାର ଅପଵ୍ୟୟ ହିଁ ହେଉଛି  ।  ସୂର୍ଯ୍ୟ ଆସି ସରିତାକୁ ଵୁଝାଇବାକୁ ଚେଷ୍ଟା କରିଥିଲା, ମୁଁ ରାଣ ପକାଉଛି, ଆଉ ଖାଇଵି ନାହିଁ, ତା ଦେଖା ଦେଖି ବହୁତ ମଦୁଆ ଵି ସେହି ଏକା କଥା କହିଲେ  ।

       ସେ ଭଲ ଲୋକ ନୁହେଁ, ଆମେ ତ କିଣି ଖାଉଛୁ, ତାର ଦୋଷ କଣ  । ତୁମେମାନେ ଧର୍ମଘଟ ବନ୍ଦକର।  ଆମେ ଆଉ ଖାଇଵୁ ନାହିଁ  । 

        ଯେତେ କହିଲେ, ନାରୀମାନଙ୍କ  ଶକ୍ତି ବଢିବାରେ ଲାଗିଲା ।  ଶେଷରେ ମନ୍ତ୍ରୀ ଆସିଲେ, ମଦ ଦୋକାନ ବନ୍ଦ ହେଲା  ।  
        ଏମିତି କେତେ ଦିନ ଭଲରେ ଚାଲିଗଲା  । ସୂର୍ଯ୍ୟ କାମକୁ ଯାଉଥିଲା  ।  ଘରେ ବସି ବିଡି ତିଆରି କରୁଥିଲା ସରିତା ।  ଛୁଆଟା ଏଥର କୋଳ ଛାଡି ଟିକେ ଟିକେ ଚାଲୁଛି  ।  ଏଥର ୟାକୁ ନେଇ ବି କାମକୁ ଯାଇହେବ ଵୋଲି ଵିଡି ତିଆରି କରିବା ସହ ଭାବୁଛି ସରିତା  ।
       ଆଜି ବି ବର୍ଷା ହେଉଛି  । କୋଉଠି ଖାସି କଟାହେଉଥିଲା ଯେ ଅଢେଇଶହ ଟଙ୍କା ଦେଇ ଅଧକେଜି ମାଂସ ଓ ସବୁ ତେଲ ମସଲା ଦେଇ ଯାଇଛି ସୂର୍ଯ୍ୟ  । ଆଜି ଖରାବେଳେ ଘରେ ଖାଇବ ବୋଲି କହିଥିବାରୁ ରୋଷେଇ ସାରି ଵିଡି ତିଆରି କରୁଛି ସରିତା  ।

        ସମୟ ଗୋଟାଏ ପାଖାପାଖି  ଛୁଆଟି ଖେଳୁଛି  । ଚାରି/ପାଞ୍ଚ ଜଣ ହଠାତ୍ ପଶି ଆସିଲେ ଘରକୁ  । ଏମାନଙ୍କୁ କାହାକୁ ହେଲେ ଚିହ୍ନି ନ ଥିଲା ସରିତା  ।  ତୁମେମାନେ କିଏ  ?? କିଏ  ??  କଣ ହେଲା କହୁ କହୁ ମାଡି ବସିଲେ ରାକ୍ଷସ ଭଳି  । ମାନବ ଶୃଙ୍ଖଳ ତାଙ୍କ ପାଖରେ ଟିକିଏ ନ ଥିଲା  ।  ଦେଖୁ ଦେଖୁ ସବୁ ଶେଷ  । ରକ୍ତାକ୍ତ ଅବସ୍ଥାରେ ପଡିଥିଲା ସରିତା  ।  ମାଆ ଶୁଣୁ ନ ଥିବାରୁ ଛୁଆଟା ଜୋରରେ କାନ୍ଦୁଥିଲା  ।  ସେ ରାକ୍ଷସମାନଙ୍କର ଚିହ୍ନ ବର୍ଣ୍ଣ ନ ଥିଲା   ।

       ଖାଇବାକୁ ଅତି ଖୁସିରେ ପଶି ଆସିଲା ସୂର୍ଯ୍ୟ  । ଛୁଆଟାର ପାଟି ଵାହାରକୁ ଶୁଭୁଛି  ।  ସରିତା, ସରିତା କହି ପଶି ଆସିଲା ବେଳକୁ ନିଜ ଆଖିକୁ ଵିଶ୍ଵାସ କରି ପାରିଲାନି ସୂର୍ଯ୍ୟ  ।  ଚାଣ୍ଡାଳୀ, ମୁଁ ସେଦିନ ତୋତେ ଏତେ ଵୁଝାଇଲି, ସେମାନେ ମଣିଷ ନୁହେଁ, ରାକ୍ଷସ  ।  ତାଙ୍କ ସାଙ୍ଗରେ ଲାଗେନା  । ସେମାନଙ୍କ ସାଥିରେ ସରକାର ଅଛି  । ଏମାନେ ମଦ ବିକ୍ରିକଲେ ବେଶୀ ଟଙ୍କା ପାଉଛି ସରକାର  ।  ସେଇଥିପାଇଁ ତ ଲକ୍ ଡାଉନରେ ସଵୁ ଦୋକାନ ବନ୍ଦ ହେଉଛି ମାତ୍ର ମଦ ଦୋକାନ ଖୋଲା  ।  ଆମେ ତ ବୋକା  ।  ଟଙ୍କା ଖର୍ଚ୍ଚ କରି ସେ ମଦ ଖାଉଛୁ, ଘରେ ଖାଇବାକୁ ପିନ୍ଧିଵାକୁ ନ ଥାଇ  ।  ମୋ ସଂସାର ଭସେଇ ଦେଲୁ ଲୋ ସରିତା, କହି କାନ୍ଦି କାନ୍ଦି ସମସ୍ତଙ୍କୁ ଡାକୁଥିଲା ସୂର୍ଯ୍ୟ  ।

         ପୋଲିସ ଆସିଲା, ତା ପରେ ଚାଲିଲା ଅନୁସନ୍ଧାନ.........। ସୂର୍ଯ୍ୟର ସ୍ଵର ପାଣି ହୋଇ ଯାଇଥିଲା ବର୍ଷାର ଛିଟାରେ, ଆଉ ପିଲାଟିର ସ୍ବର.......??? 

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା, ସମ୍ବଲପୁର  ।

ଆସ କିଛି ଜାଣିବା......

କେଉଟର ଭାଗ୍ଯ କିପରି ପରିବର୍ତ୍ତନ ହେଲା ।

   ଜଣେ କେଉଟ ଥିଲା । ପ୍ରକୃତରେ ସେ ଥିଲା ଭାରି ଅସନ୍ତୁଷ୍ଟ । ମାଛ ଧରି ଭଲରେ ଚଳୁଥିଲେ ବି ସେ ସନ୍ତୁଷ୍ଟ ନ ଥିଲା । ସେଥିଲାଗି ସେ ନିଜ ଭାଗ୍ଯକୁ ଗାଳିମନ୍ଦ କରୁଥିଲା । କେବେ ତାର ଭାଗ୍ଯ ବଦଳିବ ବୋଲି ଭାବି ହେଉଥିଲା । ଦିନେ ସେ ଗାଁକୁ ଆସିଲେ ଜଣେ ତ୍ରିକାଳଦ୍ରଷ୍ଟା । କେଉଟଟି ଯାଇ ତାଙ୍କୁ ପଚାରିଲା--ମହାତ୍ମା, ମୋ ଭାଗ୍ଯ କେବେ ବଦଳିବ ?
    ସିଦ୍ଧ ପୁରୁଷ କହିଲେ--ଆଉ ଦୁଇ ଦିନ ପରେ । କେଉଟ ପଚାରିଲା--ତା ମାନେ ମୋ ଜାଲରେ ବଡ଼ ବଡ଼ ମାଛ ପଡିବେ ? 
ସିଦ୍ଧ ପୁରୁଷ କହିଲେ--ଏତେ ବଡ଼ ମାଛ ଯେ ତୁମ ବଂଶବୁନିଆଦର କେହି ସେତେ ବଡ଼ ମାଛ ଧରି ନ ଥିବେ । କେଉଟ ମନରେ ଆନନ୍ଦ ଭରିଗଲା । ସେ ତାର ସ୍ତ୍ରୀକୁ ଏ କଥା କହିଲା । ବଡ଼ ବଡ଼ ମାଛ ପଡିଲେ ବଜାରରେ କେଉଁ ଭାଉରେ ବିକି ଅଧିକ ପଇସା ଅର୍ଜନ କରିବ ତାହା ମନେ ମନେ ଭାବି ମଧ୍ୟ ନେଲା । 
    ଦୁଇ ଦିନ ପରେ ସତରେ ପଡିଲା ଗୋଟିଏ ଅତିକାୟ ମାଛ । ଏତେ ବଡ଼ ମାଛ ସେ କେବେ ବି ଦେଖି ନ ଥିଲା । କୌଣସିମତେ ଜାଲକୁ ଟାଣି ବହୁ କଷ୍ଟରେ ମାଛଟିକୁ କୂଳକୁ ଆଣିଲା । ତେବେ ସେଇ ବିଶାଳ ମାଛକୁ ସମ୍ଭାଳୁଥିବା ବେଳେ ହଠାତ୍ ତା'ର ଗୋଡ ଖସିଗଲା ଓ ସେ ତଳେ ପଡିଯାଇ ବେହୋସ ହୋଇଗଲା । ଚେତା ଫେରିବା ବେଳକୁ ସେ ଦେଖିଲା ଯେ ସେ ଘରେ ଶୋଇଛି ଓ ତାର ପଞ୍ଜରା ହାଡ ଭାଙ୍ଗି ଯାଇଛି । ସେ ଜାଣିଲା ଯେ ମାଛଟି ବି ସେହି ସ୍ଥାନରେ ନ ଥିଲା ଅର୍ଥାତ୍ ନଈକୁ ଖସି ଯାଇଛି । 
   ଏବେ ସେ ଶଯ୍ଯାଶାୟୀ ହୋଇ ପଡି ରହିଥିବା ବେଳେ ଭାବୁଥିଲା ତ୍ରିକାଳଦ୍ରଷ୍ଟାଙ୍କ ସବୁ କଥା ସତ ହେଲା ; ବଡ଼ ମାଛ ପଡିଲା ଓ ତା ଭାଗ୍ଯ ବଦଳିଗଲା । କିନ୍ତୁ ହାୟ, ତା' ବିଚାର ଅନୁସାରେ ନ ଘଟି ତାହା ଭଗବାନଙ୍କ ବିଚାର ଅନୁସାରେ ଘଟିଲା 

ସଂଗ୍ରହକାରୀ--ସମ୍ପାଦକ ମୋ ଅନୁଷ୍ଠାନ, କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର

ସରକାରଙ୍କର ନୂଆ ନିୟମ

                        (ବ୍ୟଙ୍ଗ)          
ସରକାରଙ୍କର ନିଅମାବଳୀ କୁ ଧନ୍ୟବାଦ ଦେବି ଭଲା
               ଗରିବ ବିଚରା ମଲା
               ସବୁ ଦୋକାନରେ ତାଲା
               ମଦ ଭାଟି ହେଲା ଖୋଲା
                ମସ୍ଜିତ୍ ରେ ଠେଲା ପେଲା
                ମନ୍ଦିର ବାରଣ କଲା
                 କାହିଁକି ଏମିତି ହେଲା
                  ଧନ୍ୟବାଦ ଦେବି ଭଲା ।

ରାଜ୍ୟ ସରକାର ବାହାରୁ ଆଣିଲେ ଦାଦନ ଶ୍ରମିକ ଥିଲା
                 ଭରି ଭରି ଗାଡି ଡାଲା
                  ସ୍କୁଲରେ ଛାଡି ଦେଲା
                  ଡାଲମା ଭାତ ମିଳିଲା
                  ଅନ୍ଲାଇନିରେ ପଢ଼ ପିଲା
                   ପାଠ କରିଦେଲୁ ଢିଲା
                    ପରୀକ୍ଷା ତିଥି ଘୁଞ୍ଚିଲା
                   ଧନ୍ୟବାଦ ଦେବି ଭଲା ।

ଚଷାଭାଈ ଆଜି ଅକାଳେ ମରୁଛି କ୍ଷେତ ସବୁ ଭାସିଗଲା
                   କରୋନା ଆକ୍ରାନ୍ତ କଲା
                  ଅକାଳେ ବରଷା ହେଲା
                   ଜଳରେ ଶସ୍ୟ ଭାଷିଲା
                   ହାହାକାର ଦୃଶ୍ୟ ହେଲା
                   ମୁଣ୍ଡରେ ବଜ୍ର ପଡିଲା
                    ସରକାର ନ ବୁଝିଲା
                    ଧନ୍ୟବାଦ ଦେବି ଭଲା ।

କିଷାନ କହୁଛି ଘରଣୀକୁ ତାର କାହିଁକି କରୁ ଝାମେଲା
                  ସଂସାର ଉଜୁଡି ଗଲା
                  ବରଷକ ଧାନ ମଲା
                   ମୁଣ୍ଡ ପିଛା ଦୁଇ ପାଲା
                    ଭାତ ଚାଉଳ ମିଳିଲା
                     ରାସନ କାଆଡ଼ ଥିଲା
                     ସେଥିରେ ଡାଲି ମିଳିଲା
                       ଧନ୍ୟବାଦ ଦେବି ଭଲା ।

.                           ସମାପ୍ତ
_____●◆●_____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

ନିର୍ଦୟ ତୁମେ

ତୁମ ପ୍ରତାରଣା ପରିହାସ ଘୃଣା
  ମୋ ଛାତିରେ ଭରେ କୋହ ଦରଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୧!!

ତୁମ ଛଳନାର ଦାଉ ଦାଉ ନିଆଁ
     ଜାଳି କଲା ମୋତେ ଜୀବନ୍ତ ଦଗ୍ଧ,
 ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୨!!

ପ୍ରତିକ୍ଷଣ ହୁଏ ଅନ୍ୟମନସ୍କ ମୁଁ
        ଉଦାସ ହୃଦୟ ଆଜି ନିଃଶବ୍ଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୩!!

ଲୁହରେ ଭିଜୁଛି ସପନ ଭାଙ୍ଗିଛି
        ତୁମେ ଗଲା ଦିନୁ ହଜିଛି ନିଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୪!!

ଯେତେ ବୁଝେଇଲେ ବୁଝୁନି ମୋ ମନ
        ଭୁଷୁଡି ପଡୁଛି ଧର୍ଯ୍ୟର ବନ୍ଧ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୫!!

ଉଲକା ଭଳି ଆସି ହୋଇଲ  ଉଭାନ
     ଭାବିଥିଲି ମୁଁ ତୁମକୁ ଚାନ୍ଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୬!!

କେଉଁ ଦୋଷ ପାଇଁ ଦେଲ ଏତେ ସଜା
       କରିଥିଲି ମୁଁ ଯେ କି ଅପରାଧ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୭!!

ମିଛ ହସ ହସି ମିଠା କଥା କହି
   ଚଖେଇଲ ମୋତେ ଦୁଃଖର ସ୍ଵାଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୮!!

ତୁମେ ସିନା ମୋତେ ଭୁଲି ଗଲ ଚାଲି
  ବାଟ ମୋର ଆଜି ଭୁଲିଛି ପାଦ,
ନିଶା ହେଲା ପରେ କେଜାଣି କାହିଁକି
  ପିଉଛି ମୁଁ ତୁମ ପ୍ରେମର ମଦ,,!!୯!!

ଜୀବନଟା ଆଜି ଦୋଛକିରେ ଅଛି
    ମିଛେ ବଞ୍ଚିବାକୁ ହେଉଛି ବାଧ୍ୟ,
ନିଶା ହେଲା ପରେ କେଜାଣି କାହିଁକି
ପିଉଛି ମୁଁ ତୁମ ପ୍ରେମର ମଦ,,!!୧୦!!

ଶ୍ରୀନିବାସ ବିଶ୍ଵାଳ,ସଇପୁର,ଯାଜପୁର

ମଧୁର ମିଳନ ଗୀତିକା

ମଧୁ ମାସ ଆସି ହେଲା ପ୍ରବେଶ
ମାୟା ବିରଚିଲେ ସେ ପୀତବାସ
ମୁକୁନ୍ଦ ଗୋବିନ୍ଦ ରଚିବେ ରାସ
ମୋହିନୀ ଶ୍ରୀ ରାଧା କଂ କିଣା ଦାସ
      ମଧୁର ଭାବରେ ରସି ସେ
ମାଗି ଛନ୍ତି ତ୍ରେତା ଯୁଗେ ରୁ୍ଷିଗଣ
ମାଧ୍ଯମ ଗୋପିକା ବେଶ ଯେ। 

ମନ୍ଦ ମନ୍ଦ ହସି କହନ୍ତି ରାଇ
ମୋ ନାମ କୁ ଧରି ଡାକଇ କେହି
ମନ ମୋ ଅଥୟ କାହିଁକି ହୁଏ
ମଧୁର ନିନାଦ ପାଖକୁ ଧାଏଁ
     ମିତଣି ଜାଣି ଛୁ  ତୁ କିରେ
ମଳୟ ମରୁତ ବହଇ ବିଶେଷ
ମୁଗ୍ଧ ହୁଏ ତନୁ ମନ ଯେ। 

ମଧୂ ମାଳତୀ କୁଞରେ ବସାଇ
ମଞୁଳା କହଇ ଶୁଣଗୋ ରାଇ
ମଦନ ଗୋପାଳ କଳା କହ୍ନାଇ
ମୋତେ ତ ଲାଗୁଛି ଲୁଚି ଛିଡା କାହିଁ
       ମୋହନ ବଇଁଶି  ତାର ଯେ
ମିତଣି ଗୋ ଶୁଣ ତୋ ନାମ ଧରିଣ
ମାର କୁ ଦିଏ ପଠାଇ ସେ। 

ମୀନ ନୟନା ସେ ହୋଇ ଣ ଛନ୍ନ
ମାୟାଧର କଂର ଶରଣାପନ୍ନ
ମିନତୀ କରୁଛି କହ ତୁ  ଯାଇ
ମନାକର ବଂଶୀ ବଜାଅ ନାହିଁ
     ମୁଁ ଯେ କୁଳ ବଧୂ ଅଳି ଯେ
ମନକୁ ଉଚ୍ଚାଟ କରିଣ କପଟ
ମୋହିତ ହେବା ର ନାହିଁ ଯେ। 

ମୋହନ କହନ୍ତି ଶୁଣଗୋ ସଖୀ
ମୋର ପ୍ରାଣ ପ୍ରିୟ ବଂଶୀ ଅଟନ୍ତି
ମୋତେ କି ଗରଜ ପଡିଛି କାହିଁ
ମୁଁ କିଆଁ ରାଧା ର ନାମ କୁ ଗାଇ
     ମୁରୁକି ହସିଣ କହେ ସେ
ମୋ ପାଖକୁ ଆସି ବଂଶୀ ନେଇଗଲେ, 
 ମାଗିବି ନିଜ ଆଉ ଥରେ ଯେ। 

ମକରନ୍ଦ ମୁଖି କହେ ରାଗିଣ
ମଲା ମୁଁ କାହିଁକି ଯିବି ପାଶେଣ
ମାଈ ତାର ମୁଁ ହିଁ ସେ ମୋ ଭଣଜା
ମତୁଆଲା କରେ ତା ରୂପ ସଜ୍ଜା
     ମୁଁ କି କରିବି ତୁ କହରେ
ମନ୍ତ୍ରିତ ଉପଚାର ପରି ହେଉଛି
ମୋ ପ୍ରାଣ ଦହୁଛି ପରା ରେ। 

ମଧୁ ମାସ ପୁଣି ସହଜେ ଯୁବା
ମିଳନ ରାଗିଣୀ ବଜାଇ ବାଜା
ମୀନକେତନ କରେ ଆଲିଙ୍ଗନ
ମାର୍କଣ୍ଡ ପରାୟେ ଦହେ ଜୀବନ
     ମାୟା ଘେରା ଏହି କାଳ ଯେ
ମଞ ପତ୍ର ପରି କରାଏ ଶରୀର
ମେଧ କି ସଜାଏ ମାର ଯେ। 

ମନ ଆତ୍ମା ଚଇତନ ବୁଡିଲା
ମରମ ସ୍ଥାନେ କି ତୀର ପଡିଲା
ମିଳନ ଆଶାୟୀ ଉଭୟ ଆତ୍ମା
ମଗଂଳ ଯୋଗରେ ବିଧି ର ଆଜ୍ଞା
    ମାନବୀୟ ଲୀଳା କରି ଯେ
ମର୍ତ୍ତ୍ଯ ବଇକୁଣ୍ଠ ସଜାଇ ଧରାକୁ
ମହିମା ସ୍ଥାପନ କଲେ ଯେ। 

ମାନ ମହତ କୁ ସବୁ ଏଡେଇ
ମଜ୍ବିଗଲେ ପ୍ରେମ ପୀୟୂଷ ପାଇଁ
ମଧୁଝରା ଭକ୍ତି ଭାବକୁ ଧରି
ମାୟା ବିରଚିଲେ ସେ ନରହରି
     ମାଖନଲବଣୀ ଖିଆ ସେ
ମିଳନ ବିରହ ମଧୁର ପ୍ରଣୟ
ମାପଦଣ୍ଡେ ତୁଳନା ନୁହେଁ ଯେ। 

ମାଧବ ମାଧବୀ ମିଳନ ରୀତି
ମଧୁର ରାସ ରେ ଅମର ପ୍ରିତୀ
ମହତ ଉଦ୍ଦେଶ୍ଯ ମାନସେ ନେଇ
ମଧ୍ଯ ଭୁମି କୁ ଆସିଲେ  ଓହ୍ଲାଇ
     ମୋକ୍ଷ ପ୍ରଦାନ ର ପାଇଁ ଯେ
ମଦନ ମୋହନ ରାଧା ରାଣୀ ସମ
ପ୍ରେମର ଉପମା ନାହିଁ ଯେ। 

ମୁଗ୍ଧ ହୋଇ ସଖି ଚତୁରୀ ଗଣ
ମଧୁପ ପରି ହେଲେ ଗୁଣ ଗୁଣ
ମଣ୍ଡପ ସଜାଇଲେ କୁସୁମ ରେ
ମୟୁର ନାଚେ କି ମେଘ ମହ୍ଲାରେ
      ମଧୁର ମିଳନ ପାଇଁ ଯେ
ମୂରଲି ମୋହନ ରାଧିକା ରମଣ
ମିଳନ ର ଗିତୀ ଗାଇ ଯେ। 

ମଦନ ଗୋପାଳ ରାଇ କିଶୋରୀ
ମିଳନ ହେତୁ ନର ରୂପ ଧରି
ମନ୍ଦ ବୁଦ୍ଧି ଭାବ କାହୁଁ ବୁଝି ବେ
ମଦନ କରୁଛି ବୋଲି ହେଜିବେ
       ମହାନ ବୈଷ୍ଣବ ବାର୍ତ୍ତା ସେ
ମାଟିରୁ ଆକାଶ ସ ସା ଗରା ଧରା
ମଧୁର ଲଗ୍ନରେ ମଗ୍ନ ଯେ। 

କବିତା ର ଶୀର୍ଷ କ-(ମଧୁର ମିଳନ ଗୀତିକା) 
ଡ. ନଳିନୀ ପ୍ରଭା ଦାସ
ଭଂଜନଗର ଗଂଜାମ।

ରାଧା ବିନା କୃଷ୍ଣ ଅଧା


 ଶ୍ରୀମତୀ  ବାସନ୍ତୀ ଲତା ଜେନା 

ବୃଷ ଭାନୁ ଜେମା ରାଧା ରାଣୀ ସିଏ 
     . କୃଷ୍ଣ ପ୍ରେମେ ବୁଡି ରହେ 
କୃଷ୍ଣ ବଂଶୀ ସ୍ଵନ ତା ହୃଦ ଚନ୍ଦନ 
      ମନ ବୃନ୍ଦାବନ କହେ   ll 
କୃଷ୍ଣ ପ୍ରେମ ସିନା ରାଧାଙ୍କ ପାଇଁ କି
        ନ ଦେଖିଲେ ହୃଦ ଝୁରେ 
କେଳି କୁଞ୍ଜ ବନ ଶୂନ୍ୟ ଲାଗୁ ଥାଇ 
      କୃଷ୍ଣ ଦିଶୁଛି ଛାଇରେ   ll
ରାଧା ବିନା ଅଧା କୃଷ୍ଣର ଜୀଵନ 
     କୃଷ୍ଣ ବିନା ଅଧା ରାଧା 
ଦୁଇଟି ଶରୀର ଏକ ଆତ୍ମା ପରା 
     ମାନେ ନାହିଁ କିଛିବଧା    ll 
ଶାଶ୍ୱତ ପ୍ରେମରେ ଜଡିତ ସେ ଦୁହେଁ 
     ଗୋପରେ ନିନ୍ଦା ହେଉଛି 
ଦିନେ ନ ଦେଖିଲେ ଦୁହେଁ ଦୁହିଁଙ୍କୁତ 
      ଅନ୍ତର ଝୁରି ମରୁଛି    ll
ବନ ଫୁଲ ମାଳ ମଉଳି ଯାଉଛି 
      ଦେଖା ନ ପାଇ ରାଧାର 
ବିରଷ ବଦନେ କାହ୍ନୁ ବସି ଅଛି 
     ଅଶ୍ରୁ ବହେ ଧାର ଧାର    ll 
ଝୁରୁଛି କଦମ୍ବ ଝୁରୁଛି ଯମୁନା 
     ଝୁରୁ ଅଛି ଗୋପ ପୁର 
ରାଧା ବିନା କାହ୍ନୁ ମୁଖେ ହସ ନାହିଁ 
      ଝୁରୁଛି  ବଂଶୀର ସ୍ୱର   ll 

ଗାନ୍ଧିନଗର, ନବରଙ୍ଗପୁର  l

ଘର

  ରଙ୍କନିଧି ସେଠୀ

ଅଦିନିଆ ବର୍ଷା ଧୋଇ ଦେଇ ଗଲା 
    ଝାଟି ମାଟି ଛୋଟ ଘର 
ସମୁଦ୍ର କୂଳରେ ଯେତେ ଘର କଲେ 
    ଢେଉ ଭାଙ୍ଗେ ବାରମ୍ବାର ll

ହୃଦୟ ଘରଟି ସୁକ୍ଷ୍ମ ତାରେ ଗଢ଼ା 
    ଛିଣ୍ଡିଯିବ ଲାଗେ ଡର 
ସପନର ଘର ତୋଳିବାକୁ ମନ 
    ସାହାସ ଜୁଟେନି ମୋର ll

ମନର ମନ୍ଦିରେ ତୋଳିଥିବା ଘର 
    ଆଘାତରେ ଚୁରମାର 
କେଉଁଠି ରଖିବି ତୁମକୁ ଗୋ ପ୍ରିୟା 
    ଭାବିଲେ ମନ ଆତୁର ll

ସମସ୍ତ ଘରକୁ ପରଖି ନେଇଛି 
    ନାହିଁ କେ ଯୋଗ୍ୟ ତୁମର 
ଏ ମାୟା ସଂସାରେ ରହି ପାରିବାନି 
    ଚାଲ ଯିବା ବହୁଦୂର ll

ପ୍ରେମୀ ପକ୍ଷୀ ଦୁଇ ଉଡି ବୁଲୁଥିବା 
    ଗାଇ କବିତା ପ୍ରେମର 
ଆକାଶ ଛାତିରେ ବାଦଲ କୋଳରେ 
    ଗଢିବା ସପନ ଘର ll

ମନ ଯାନେ ବସି ଯିବା ଉଡି ଉଡି 
    କେଉଁ ଅଜଣା ସହର 
ଅଦିନିଆ ଝଡ଼ ପାଖ ମାଡିବନି 
    ଗଢିବା ସୁଖ ସଂସାର ll

ରାଉରକେଲା

🙏ସର୍ବମୟ🙏

                ✍ରଂଜିତା ପତି

ଆକାଶ ର ନୀଳିମା ରେ ତୁମେ
  ବନାନୀ ର ସବୁଜିମା ରେ ତୁମେ
    ବାଳାରୁଣ ଲାଲିମା ରେ ତୁମେ
ବିହଗର କାକଳୀ ରେ ତୁମେ
  ସୁମନ ର ସୁରଭିରେ ତୁମେ
     ଦୀପ ର ଶିଖା ରେ ତୁମେ
ଧୂପ ର ମହକ ରେ ତୁମେ
    ଶିଶୁ ର ନିଷ୍ପାପହସରେ ତୁମେ
      ବିରହୀର ବେଦନାରେ ତୁମେ
ସକାଳ ରପ୍ରଶାନ୍ତି ରେ ତୁମେ
   ସନ୍ଧ୍ୟାର ଆଳତୀ ରେ ତୁମେ
     ଗୋଧୂଳିମାଧୁରୀମାରେତୁମେ
ଜୀବନର ଅୟମାରମ୍ଭ ରେ ତୁମେ
   ଜୀବନ ର ସାୟାହ୍ନ ରେ ତୁମେ
     ତୁମେତ "ସର୍ବମୟ",,,   ,,,, 
ତୁମଠି ଆରମ୍ଭ ତୁମଠାରେ ଶେଷ
             ଏ ଜୀବନ,,,,
ମୋର ମୋର ବୋଲି କାହିଁକରିବି
          ବୃଥା ଅଭିମାନ,,,,,,,।

 ଜଗନ୍ନାଥ ପ୍ରସାଦ
   ଗଂଜାମ

ଆସ କିଛି ଜାଣିବା......

ଦୁଃଖର ଅନ୍ତ କିପରି ଘଟିଲା

      ଥରେ ଜଣେ ବ୍ଯକ୍ତି ଅତି ଚାପଗ୍ରସ୍ତ ହୋଇ ତା ଗୁରୁଙ୍କୁ କହିଲା--ମୋ  ଦୁଃଖ ମୋଚନ କର ।  ଗୁରୁ କହିଲେ--ତୋ ଦୁଃଖ କ'ଣ ? ଲୋକଟି କହିଲା--ମୋର ଆୟ ବହୁତ କମ୍ । ସେଥିରେ ମୋର ପାଞ୍ଚ ପ୍ରାଣୀର କୁଟୁମ୍ବ । ଏଡିକି ବକଟେ ଘର ଯେ ହଲିବା ଲାଗି ବି ଜାଗା ନାହିଁ । କରିବି କ'ଣ ?
     ଗୁରୁ କହିଲେ--ହଉ ତୁ ସଵୁ କହିଲୁ । ଏବେ ମୋ କଥା ଶୁଣ । ମୋର ପାଞ୍ଚ ଜଣ ଚେଲା ଆଶ୍ରମ ବାହାରେ ରହି ଚଳିବା ଶିଖିବେ । ମୁଁ ସ୍ଥିର କରିଛି ଯେ ସେମାନେ ତୋ ଘରେ ରହିବେ । ତୁ ସେମାନଙ୍କ କଥା ବୁଝିବୁ । ଏହା ଶୁଣି ସେ ଲୋକର ମୁଣ୍ଡରେ ବଜ୍ର ପଡିଲା । ନିଜକୁ ଧିକ୍କାରି ସେ କହିଲା--ମଣିଷ ମହରଗରୁ ଆସି କାନ୍ତାରରେ ପଡିଲା । ସେ ଚିନ୍ତାଗ୍ରସ୍ତ ହୋଇ ଘରକୁ ଫେରିଲା । କିନ୍ତୁ ସେ ପହଞ୍ଚିଛି କି ନାହିଁ ତା ପାଞ୍ଚ ଜଣ ଯାକ ଚେଲା ହାଜର । ତା' ପରେ ସେ ଲୋକର ଅବସ୍ଥା କ'ଣ ହେଲା ତାହା ନ କହିବା ଭଲ । କେବଳ ଚେଲାମାନଙ୍କ ଉପସ୍ଥିତି ନୁହେଁ, ସେମାନଙ୍କ ଉତ୍ପାତ ତା' ଲାଗି ଅସହ୍ୟ ହୋଇଗଲା । କିଛି ଦିନ ପରେ ଲାଗିଲା ଯେମିତି ସେ ପାଗଳ ହୋଇଯିବ ବା ଆତ୍ମହତ୍ୟା କରିଦେବ । ଠିକ୍ ଏଇ ସମୟରେ ଗୁରୁଙ୍କ ଆଜ୍ଞା ପହଞ୍ଚିଲା ଏବଂ ଚେଲାମାନେ ଆଶ୍ରମ ଯିବାକୁ ବାହାରିଲେ । ଏବେ ଲୋକଟିର ଖୁସି କହିଲେ ନସରେ । ସେ ସ୍ବସ୍ତିରେ ନିଃଶ୍ବାସ ମାରିଲା । ଏବେ ତା'ଘର , ତାର ପରିବେଶ ସଵୁ କିଛି ଅମୃତମୟ ଲାଗିଲା । ସେ ବୁଝି ପାରିଲା ଯେ ଯାହା ତାହା ପାଖରେ ଅଛି ତାହା ଆନନ୍ଦ ଦେବାକୁ ଯଥେଷ୍ଟ । କାରଣ ଅବସ୍ଥା ଆହୁରି ଖରାପ ହୋଇଯାଇପାରେ । ତାର  ଦୁଃଖର ଅନ୍ତ ହେଲେ ।

ସଂଗ୍ରହକାରୀ--ସମ୍ପାଦକ ମୋ ଅନୁଷ୍ଠାନ, କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା,ବାଲେଶ୍ବର

ସବୁ ତାଙ୍କ ନିର୍ଦେଶରେ

ଆସିଲେ ଧରାକୁ ଜନମ ହୋଇଣ
      ଯିବାକୁ ଯେ ଦିନେ ପଡେ
ଭାଗ୍ୟ ଫଳ ନୁହେଁ ଯାହା ଫଳିଥାଏ
      ନିଜ ହାତେ ନିଜେ ଗଢ଼େ ।

ଗଢ଼ିଦେଲ ମତେ ସୁନ୍ଦର ସଂସାର
         ପାଞ୍ଚ ପ୍ରାଣୀର କୁଟୁମ୍ଭ
ଯେତେବେଳେ ଯାହା କରେ ଆବଶ୍ୟକ
        ହାରିନାହିଁ ମୋର ଦମ୍ଭ ।

ଦମ୍ଭ ଥିବାଯାଏ ସବୁ ମୋର ମୋର
         ହାରିଦେଲେ ସବୁ ପର
    କରିବନି ପର ଧରିଥିବ ହାତ
         କହୁଛି ଘରଣୀ ମୋର ।

ମୋର ବୋଲି କିଛି ନାହିଁ ଏ ସଂସାରେ
          ମାଧ୍ୟମ ମୁଁ ଏକା ତାର
ଯାହା କରୁଥାଇ ତାଙ୍କ ନିର୍ଦେଶରେ
        ରଚନ୍ତି ସେ ମାୟାଧର ।

ମାୟାଧର ମତେ ସାହା ହୋଇଥିବ
       ମୋର ଛୋଟ ସଂସାରକୁ
ହୋଇବ ସାରଥୀ ସଂସାର ରଥରେ
        ସୁ ପଥରେ ଚାଲିବାକୁ ।

    ଚାଲୁଛି ପ୍ରଭୁ ମୁଁ ଏକା ଏକା ବାଟ
           ତୁମ ପାଦେ ଆଶ୍ରା କରି
ଦେଲେ ଦିଅ ଯେତେ ଦୁଃଖ ଓ ଯାତନା
          ଡାକିବି ତତେ ସୁମରି ।

     ସୁମରଣା କରି କହୁଛି ପ୍ରଭୁ ହେ
         ଦୋଷ ଥିଲେ କ୍ଷମା ଦେବୁ
  ଜାଣେନା ଭକତି ତୋର ପୂଜା ନୀତି
         ପ୍ରାଣରେ ମୋ ବସିଥିବୁ ।

.                      ସମାପ୍ତ

_____●◆●_____

✍ ଅମରନାଥ ବାରିକ୍
💌 ଯାଜପୁର,ମଙ୍ଗଳପୁର,କୟାଁ

ପିଲାଙ୍କ ମୋବାଇଲ ପ୍ରେମ


                    ✍କଳ୍ପନା ରାୟ
     
        ଶିକ୍ଷାର ଆରମ୍ଭ ମାଆ ପେଟରୁ  ।  ଏହା ମୁଁ କହୁନାହିଁ, ଗୁରୁକୁଳ ଆଶ୍ରମର ଗୁରୁଠାରୁ ଏଵେର ଶିକ୍ଷାବିତ୍ ସମସ୍ତେ ଏଇ ଗୋଟିଏ କଥାରେ ଏକ ମତ  ।  ପାଠକେ ସମସ୍ତେ ଅଭିମନ୍ୟୁ, ସୁଭଦ୍ରାଙ୍କ ପୁତ୍ର ଵିଷୟରେ  ଜାଣିଛନ୍ତି  ।  ଅର୍ଜୁନଙ୍କଠାରୁ ସୁଭଦ୍ରା ଚକ୍ରଵ୍ୟୁହ ଵିଷରେ ଶୁଣୁଥିଲେ, ଶୁଣୁ ଶୁଣୁ ଅଧା ଶୁଣି ସେ ଶୋଇ ପଡିଥିଲେ  ।  ତେଣୁ ପେଟରେ ଥିବା ଅଭିମନ୍ୟୁ ଚକ୍ରଵ୍ୟୁହରେ ପଶିବା ଜାଣିଥିଲେ, ଵାହାରିଵା ଜାଣି ନ ଥିଲେ ।

       ଗୁରୁକୁଳରେ ପଢୁଥିବା ରାଜାପୁଅ ରାଜା, ମନ୍ତ୍ରୀପୁଅ କେମିତି ହୁଏ, ପେଟରୁ ହିଁ ସେ ସବୁର ଜ୍ଞାନ ହୁଏ  ।  କୁମ୍ଭାର ପିଲାଟିଏ ଭଲ କୁମ୍ଭାର କାମ, ଭଣ୍ଡାରିପିଲା ଭଲ ଭଣ୍ଡାରୀ କାମ କରିପାରନ୍ତି କିପରି  ??  ତା ମାନେ ନୁହେଁ ଯେ ଅନ୍ୟ ଜାତିର ପିଲାଟିଏ କେଉଁ କାମ କରିପାରିଵ ନାହିଁ  ।

       ହଁ, ଏଥର ଆମେ ଆମ ପ୍ରସଙ୍ଗକୁ ଆସିବା ।  ଆଗେ ପିଲାଟିଏ ଜନ୍ମ କରିବାକୁ ଥିବା ମାଆ ପୁରାଣ ପୋଥି ପଢୁଥିଲେ ଓ ସେହି ଅନୁସାରେ କାର୍ଯ୍ୟ କରୁଥିଲେ  ।  ତେଣୁ ପିଲାଟି ଜନ୍ମ ନେଇ ପରମ୍ପରା ସଂସ୍କୃତି ପ୍ରତି ଆଗ୍ରହୀ ହେଉ  ।  ତା ପରପିଢିର ମାଆମାନେ ବଡମାନଙ୍କ କଥାମାନୀ ଚଳୁଥିଲେ ଓ ବିଭିନ୍ନ ଉପାଦେୟ ପୁସ୍ତକମାନ ପଢୁଥିଲେ,ନତୁବା ଶୁଣୁଥିଲେ  ।  ତେଣୁ ପିଲାଟି ସଂସ୍କାରି ଓ ଧୀସଂପନ୍ନ ହେଉଥିଲା  ।  ପୁଣି ଜ୍ଞାନୀମାନେ କହିଛନ୍ତି ପିଲା ଜନ୍ମ ହେବାଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ  ତା ଜ୍ଞାନ ଆହରଣ କରିବାର ପ୍ରକୃତ ସମୟ  । ତେଣୁ ସେ ପାଞ୍ଚ ବର୍ଷ ଶାନ୍ତିରେ ଵୁଝାଇସୂଝାଇ ଖେଳ ଖେଳରେ କିଛି ଶିଖାଯାଉଥିଲା।  ଫଳରେ ବୟସ ବଢିବା ସଙ୍ଗେ ସଙ୍ଗେ ଵୁଦ୍ଧିର ଵିକାଶ ହେଉଥିଲା  ।

          କିନ୍ତୁ ଦୁଃଖର ବିଷୟ ଏହିକି ଯେ ଏବର ମାଆମାନେ ପେଟରେ ଛୁଆ ଥିଲା ଵେଳେ କାମ କରନ୍ତିନି, ଵେଡ୍ ରେଷ୍ଟ ନିଅନ୍ତି, ଆଉ ସେ ସମୟରେ ସେମାନେ ଅଧିକରୁ ଅଧିକ ସମୟ ମୋବାଇଲରେ ଗେଟ୍, ସିନେମା, ଚାଟିଙ୍ଗ୍ ଇତ୍ଯାଦି ରେ  ଖର୍ଚ୍ଚ କରନ୍ତି । ଛୁଆ ଜନ୍ମ ହେବା ପରେ ତାକୁ ମୋବାଇଲ ଦେଖାଇ ଦେଖାଇ ଖେଳାନ୍ତି  ।  ଆରେ ମାଆଛୁଆ, କି ପବିତ୍ର ସ୍ନେହ ପ୍ରେମ ର ସମ୍ପର୍କ  ।  ତା ସାଙ୍ଗରେ ଗତି ପାରିବନି, ଖେଳି ଵା ଖେଳାଇ ଚୁପ୍ କରି ପାରିବନି  ।  କାନ୍ଦୁଥିବା ପିଲାକୁ ଯୋଉମାଆ ବୁଝାଇ ଚୁପ୍ କରି ପାରେନା, ତା ହେଲେ ସିଏ କି ମାଆ  ??  କେତେ ମାଆ ଅଛନ୍ତି ପିଲା ହାତରେ ଏକ ଆନଡ୍ରୋଏଡ୍ ଫୋନ୍ ଧରାଇ ଦେଇ ସେମାନେ ନିଶ୍ଚିତ ମନରେ କାମ କରନ୍ତି  ।  ଆମେ ପିଲାବେଳେ କେଉଁଥିରେ ଖେଳୁଥିଲୁ  ??  ପିଲାଙ୍କ ପାଇଁ ଖେଳନା କିଣନ୍ତି ନାହିଁ କା କିଣିବାକୁ ଉଚିତ ମଣନ୍ତି ନାହିଁ  । ଫଳରେ ପିଲାଟି ମୋବାଇଲ ପାଇଁ ଜିଦ୍ କରେ  ।  ସବୁବେଳେ ମୋବାଇଲ ଦେଖି ଆଖି, ମୁଣ୍ଡ ତଥା ଵୁଦ୍ଧିର ଵିନାଶ ହୁଏ  ।  ପିଲାଙ୍କୁ ମୋବାଇଲ ଦେବା ଆନ୍
ଵାନ୍ ଶାନ୍ ର ଉଦାହରଣ ଵୋଲି ମନେ କରନ୍ତି  ।  ତା ପରେ ପରେ ପିଲାଟି ମୋବାଇଲ ପାଇଁ ଅଡିବସେ  ।  ଏହିପରି ତାର ମୋବାଇଲ ପ୍ରେମ ଦିନକୁ ଦିନ ବୃଦ୍ଧି ପାଏ  ।

        ମୋର କୌଣସି ପିତାମାତାଙ୍କୁ ଆକ୍ଷେପ କରିବା ଉଦ୍ଦେଶ୍ୟ  ନୁହେଁ  । ମାତ୍ର ପାଠକେ କୁହନ୍ତୁ, ଯେଉଁ ପିଲା ପେଟରେ ଅଛି ତାର ମାଆ ତା ପାଇଁ କଣ କରିବା ଆବଶ୍ୟକ  ।  ମୋ ସାନ ଭଉଣୀର ଯାଆଁଳା ଛୁଆ ହେବାର ଥାଏ, ଡାକ୍ତର କମ୍ପ୍ଲିକେସି ଅଛି, ବେଡ୍ ରେଷ୍ଟ ନେବାକୁ କହିଲେ,  ସେ କହିଲା ମୁଁ ଯେଉଁ ସ୍କୁଲରେ ଚାକିରି କରେ, ସେଠି ଦୁଇଟି ଷ୍ଟାଫ୍ ଅଛୁ, ତେଣୁ ମୋତେ ଛୁଟି ମିଳିବନି କି ମୁଁ ଛୁଟିରେ ରହିପାରିବି ନାହିଁ  । କଟକର ଡାକ୍ତର କହିଲେ, ମୁଁ ଲେଖି ଦେବି, ଦେଖିବା କିଏ ଛୁଟି ଦେବନି  ??  ପାଠକେ ହୁଏତ ଵିଶ୍ଵାସ କରି ନ ପାରନ୍ତି, ସେ ଡାକ୍ତର ବଦଳାଇ ଦେଲା, ଆଉ ଚାକିରିକୁ ଗଲା ବସ୍, କମାଣ୍ଡର - ଯେଉଁ ବାଟରେ ଥିଲା ରେଲୱେ ଗେଟ୍ ଏବଂ ଗେଟ୍ ପୂର୍ବରୁ ଓ ପରେ ଦଶ/ପନ୍ଦର ହମ୍ପ୍ସ  ।  ବସ୍ ରୁ ଓହ୍ଲାଇ ପ୍ରତିଦିନ ଦୁଇ କିଲୋମିଟର ଚାଲିବାକୁ ଆସିଲା ଵେଳେ ଦୁଇ କିଲୋମିଟର ଚାଲିବାକୁ ପଡେ।  ଚାକିରି  ଘରକାମ ରୋଷେଇ କରି ସେ ଦୁଇଟି ପିଲା ନର୍ମାଲରେ ଜନ୍ମ କଲା  ।  ଵେଡ୍ ରେଷ୍ଟ ନେଲେ ପିଲା ଖାଲି ଶୋଇବ ।  ମୋବାଇଲ ମନସ୍କ ମାଆର ଛୁଆ ନିଶ୍ଚୟ ମୋବାଇଲ ମନସ୍କ ହେବ, ଏଥିରେ ଆଉ ଭାବିବାର କଣ ଅଛି  ??

         ମାଆ -  ତ୍ୟାଗ, ଦୟା, କ୍ଷମା ର ମୂର୍ତ୍ତିମନ୍ତ ପ୍ରତୀକ  । ସଂସାରର ଦର୍ପଣ, ଶିଶୁର ପ୍ରଥମ ଶବ୍ଦ ଉଚ୍ଚାରଣ କରିଵାର ମାଧ୍ୟମ  । ଶିଶୁର ପ୍ରଥମ ଗୁରୁ, ମର୍ତ୍ତ୍ୟ ମଣ୍ଡଳର ଜୀବନ୍ତ ପ୍ରତିମା, ସ୍ନେହମୟୀ, କରୁଣାମୟୀ, ଜୀବନ ସା ରେ ଗା ମା ପା ର ସମସ୍ତ ସ୍ବର ସାଧନାର ପଥ  ।  ସିଏ ଯଦି ସ୍ବାର୍ଥ ଛାଡି ପାରିବ ନାହିଁ, ତେବେ ଶିଶୁ ଶିଖିଵ କଣ  ??  ଶିଖାଇବ କିଏ  ???  ଏହି ମୋବାଇଲ୍  ??

        ବର୍ତ୍ତମାନ ଵି ସମୟ ଅଛି, ପ୍ରତ୍ୟେକ ମାଆ ପିଲା ସହ ଖେଳନ୍ତୁ, ଖେଳାନ୍ତୁ, ଗପ/ ଗୀତ କହି ମନୋରଞ୍ଜନ କରାନ୍ତୁ  ।  ଉପଯୁକ୍ତ ଶିଶୁ ଭବିଷ୍ୟତର ସୁନାଗରିକଟିଏ ହେବ, ବର୍ତ୍ତମାନ ତାହା ପ୍ରତ୍ୟେକ ମାଆଵାପା ଉପରେ ନିର୍ଭର  । ଦେଶର କିପରି ଭବିଷ୍ୟତ ହେବା କଥା ସ୍ଥିର କରି କାର୍ଯ୍ୟ କରନ୍ତୁ

        ଏ ଅକିଞ୍ଚନର କିଛି ଭୁଲ୍ ଥିଲେ ଆପଣଙ୍କ ମାତୃଵତ୍ ଗୁଣରେ କ୍ଷମା କରିବେ  ।

କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା, ସମ୍ବଲପୁର

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy