Monday, January 4, 2021

ଅଖଣ୍ଡ ଭାରତ


             ସୁକାନ୍ତ ଖଣ୍ଡା

ପରମାନନ୍ଦ+2 ପରୀକ୍ଷା କେନ୍ଦୁଝର ଧରଣୀଧର କଲେଜରୁ ସଫଳତାର ସହ ପାଶ୍ କଲା। ତାକୁ ତା'ର ବାପା ମାଆ +3 ପଢି଼ବାକୁ ବିଭିନ୍ନ କଲେଜରୁ ଫର୍ମ ଆଣି ପକେଇଲେ। ବାପାଙ୍କର ଇଛା ପୁଅ ଉଚ୍ଚ ଶିକ୍ଷିତ ହେଉ। ସମାଜ ଓ ଗ୍ରାମରେ ତା'ର ମାନ ସମ୍ମାନ ବଢୁ। ଚାକିରି ନ କଲେ ବି ତାକୁ ବେପାର କରିବାକୁ ପର୍ଯ୍ଯାପ୍ତ ପରିମାଣରେ ଅର୍ଥ ଯୋଗାଇ ଦିଆଯିବ। ସେ ଆମ ଗହଣରେ ଥାଇ ଆମର ବୁଢା଼ବୁଢୀ଼ କାଳରେ ଯତ୍ନ ଓ ସେବା ଯୋଗାଇବ। ଏ କଥା ବାପା ବିନୋଦ ବାବୁ ହୃଦୟରେ ସ୍ଥାପନ କରି ପୁଅ ପରମାନନ୍ଦକୁ ଗଢି଼ ତୋଳିବାକୁ ଚାହିଁଥିଲେ। ସେ ନିଜେ ଅଙ୍ଗେ ଲିଭାଇଛନ୍ତି କି ତାଙ୍କର ବାପା ମାଆ ଗ୍ରାମରେ ରହୁଥିଲେ। ତା'ର ବାପା ପ୍ରାଥମିକ ବିଦ୍ଯାଳୟରେ ଚାକିରି କରି ଅବସର ପରେ ପେନସନ୍ ଟଙ୍କାରେ ଚଳୁଥିଲେ। 

         ମୁଁ (ବିନୋଦ ବାବୁ) ତାଙ୍କର ଏକମାତ୍ର ପୁଅଥିଲି। ମୋତେ କେତେ ଭଲ ପାଉଥିଲେ। ମୋର ଭବିଷ୍ଯତ ଗଠନ ପାଇଁ ପାଠ ପଢେଇ ଡାକ୍ତର ଚାକିରି କରେଇଲେ। ମୋର ସୁଦୂର ରାଉରକେଲାରେ ଚାକିରି ହେଲା। ବାପା ମାଆ କେତେ ଆଦରରେ ମୋତେ ଚାକିରି ପାଇଁ ପଠେଇ ଦେଲେ। ମୋର ଚାକିରି ହେବାର ମାତ୍ର ଛଅ ମାସ ଭିତରେ ବାପାଙ୍କର ମୃତ୍ଯୁ ହୋଇଗଲା ହେଲେ ମୁଁ ତାଙ୍କର ଶେଷ ଦର୍ଶନ ସୁଦ୍ଧା କରି ପାରିଲି ନାହିଁ। ବହୁ ବିଳମ୍ବରେ ପହଁଚଂଲି ତ ବାପାଙ୍କର ପାଉଁଶ ଦେଖିବା ସାର ହେଲା। ମାଆ ବିକଳ ହୋଇ କହିଲେ,"ତୁ ଆଭାଗା ପୁଅଟେ ମୋର। ତୋ'ର ବାପା କେତେ ଯତ୍ନ ଓ ସେବା କରି ନ ଥିଲେ କୁହ? ହେଲେ ତୋ'ର କାନ୍ଧରେ ସ୍ବର୍ଗକୁ ଯାଇ ପାରିଲେ ନାହିଁ।" ଏ କଥା ଶୁଣି ମୁଁ କେତେ ବିକଳ ହେଲି ନିଜର ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲି। ସେହି ଦୁଃଖ ମୋ ହୃଦୟରେ ବସା ବାନ୍ଧି ରହିଛି। ମୁଁ ମାଆଙ୍କୁ ତା'ପରେ ସାଙ୍ଗରେ ନେଇ ପାଖରେ ରଖିଛି। ଆଜି ରାଉରକେଲାରୁ ନିଜ ସହର କେନ୍ଦୁଝରକୁ ବଦଳି ହୋଇଛି। ପୁଅ ପରମାନନ୍ଦ ନିଜ ସହରର ବଡ଼ କଲେଜରେ ପଢି଼ ସଫଳତା ସହ ପାଶ୍ ହୋଇଛି। ତାକୁ ପାଖରେ ରଖି  ବେପାର କରିବାକୁ ପ୍ରଯତ୍ନ କରିବି।

        ବିନୋଦ ବାବୁ ପୁତ୍ର ମୋହରେ ଏତେ ଅନ୍ଧ ହୋଇ ଯାଇଥିଲେ ଯେ ମୁହୂର୍ତ୍ତଟିଏ ନ ଦେଖିଲେ ପାଗଳ। ବିନୋଦ ବାବୁ କେବଳ ନିଜର ଚାକିରି ସମୟକୁ ଛାଡି଼ଦେଲେ ବାକିତକ ସମୟ ଘର ପରିବାର ସହ ହସ ଖୁସିରେ କାଟୁଥିଲେ। ପୁଅ ଆଜି ପାଠ ପଢି଼ବ ତାକୁ ସବୁ ସୁବିଧା ଓ ସୁଯୋଗର ବ୍ଯବସ୍ଥା କରାଗଲା ବେଳେ ହଠାତ୍ ଏକ ଚିଠି ଆସି ଘରେ ପହଁଚିଂଲା। ବିନୋଦ ବାବୁ ଚିଠିଟି ପଢି଼ ଦୁଃଖରେ ଲୁହ ଝରାଇ ଦେଲେ। ସେ ଚିଠିଟି ପୁଅକୁ ନ ଦେଇ ଲୁଚେଇ ରଖିଲେ। ଘର ପରିବାର କାହାକୁ ସୁଦ୍ଧା ଜଣେଇଲେ ନାହିଁ। ପରମାନନ୍ଦ କିନ୍ତୁ ଜାଣିଥିଲା। ସେ ତା'ର ଅତିପ୍ରିୟ ସାଙ୍ଗର ମଧ୍ଯ ଏ ଚାକିରି ହୋଇଥିଲା। ପୋଷ୍ଟ ମାଷ୍ଟର ଫୋନ ମଧ୍ଯ କରିଥିଲେ କି ପରମାନନ୍ଦ ତୋ'ର ବି.ଏସ.ଏଫରୁ ଚିଠି ଆସିଛି। ପରମାନନ୍ଦ ବାପା ମାଆଙ୍କୁ ନ ଜଣାଇ ଏ ପରୀକ୍ଷା ଦେଇଥିଲା। ବିଭିନ୍ନ ଭ୍ରମଣ ପରିଦର୍ଶନରେ ଯାଉଛୁ କହି ଟଙ୍କା ମାଗିଥିଲା। ଆଜି ତା'ର ସ୍ବପ୍ନ ସାକାର ହୋଇଛି। ସେ ଅଖଣ୍ଡ ଭାରତର ସୁରକ୍ଷା ତଥା ଭାରତ ମାଆ ପାଇଁ କିଛି କାମ କରିବ। ସେ ଭାରତ ମାଆ ଉଦ୍ଦେଶ୍ଯରେ ମାଟିରେ ମୁଣ୍ଡ ଛୁଇଁ ପ୍ରଣାମ କଲା। ତା'ର ପ୍ରଣାମ କରିବା ସମୟରେ ହୃଦୟ କମ୍ପିତ ହେଲା। ସେ ଅନୁଭବ କଲା ଭାରତ ମାଆ ଡାକରା ଦେଲେଣି। ତାକୁ ଯିବାକୁ ହେବ। ସେ ଲଣ୍ଡଭଣ୍ଡ ହୋଇ ଘରକୁ ଚାଲିଲା। ଘରେ ପହଂଚି ଜେଜେ ମାଆ ଓ ମାଆଙ୍କୁ ପ୍ରଣାମ ସହ ଖିଆପିଆ କରି ଦୁହିଁଙ୍କୁ ପାଖରେ ବସାଇ କହିଲା,"ଜେଜେ ମାଆ ! ଆମେ କାହିଁକି ବାଜି ରାଉତଙ୍କୁ ମନେ ପକାନ୍ତି?" ଜେଜେ ମାଆ କହିଲେ,"ବାଜି ରାଉତ ଦେଶ ଓ ଜାତି ପାଇଁ ଜୀବନ ଦେଇଛି।" ପରମାନନ୍ଦ ପୁଣି କହିଲା,"ଦେଶ ଓ ଜାତି ପାଇଁ କେହି ଜୀବନ ନ ଦେଲେ କ'ଣ ହୁଅନ୍ତା ନାହିଁ? ଜେଜେ ମାଆ କହିଲେ,"ଯଦି ଦେଶ ଓ ଜାତି ପାଇଁ କେହି ଜୀବନ ଦେବାକୁ ଆଗେଇ ଆସିବେ ନାହିଁ ତ ଆମ ଅଖଣ୍ଡ ଭାରତ ଆଉ ଅଖଣ୍ଡ ହୋଇ ରହିବ ନାହିଁ। ବିଦେଶୀ ଶତ୍ରୁମାନେ ମାଡି଼ ଆସି ଏ ଦେଶକୁ ଧ୍ବଂସ କରି ନିଜ ଅଧିନକୁ ନେଇ ଯିବେ ଫଳତଃ ଅଖଣ୍ଡ ଭାରତର ଐକ୍ଯତା ନାହିଁ ବୋଲି ସାରା ବିଶ୍ବ ଜାଣିବ ଆଉ ଏ ଅଖଣ୍ଡ ଭାରତର ଧନ,ଜନ,ସଂସ୍କୃତିକୁ  ଖଣ୍ଡଖଣ୍ଡ କରି ନିଶ୍ଶିହ୍ନ କରିଦେବେ।" ଏତିକି କହି ଜେଜେ ମାଆଙ୍କ ଆଖିରେ ଲୁହ ଭରିଗଲା ତ ପରମାନନ୍ଦ ପାଖକୁ ଯାଇ ଲୁହ ପୋଛି କହିଲା,"ଜେଜେ ମାଆ ! ତୁମେ କାନ୍ଦିଲ କାହିଁକି?" ଜେଜେମା କହିଲେ,"ଅଖଣ୍ଡ ଭାରତ ଉପରେ ଏବେ ପଡୋ଼ଶୀ ଦୁଇ ଦେଶ ଯଥା ପାକିସ୍ଥାନ ଆଉ ଚୀନର ଲୋଲୁପ ଦୃଷ୍ଟି ପଡି଼ଛି। କେବେ ପାକିସ୍ଥାନ ତ କେବେ ଚୀନ ଆକ୍ରମଣ କରି ଅଖଣ୍ଡ ଭାରତର ମେରୁଦଣ୍ଡକୁ ଦୋହଲାଇ ଦେଉଛନ୍ତି।"

           ପରମାନନ୍ଦ ଏଇଟା ସୁବର୍ଣ୍ଣ ସୁଯୋଗ ଭାବି କହିଲା,"ଯଦି ମୁଁ ଯବାନ ହୋଇଯାନ୍ତି ତ ଶତ୍ରୁ ସୈନ୍ଯଙ୍କର ଛାଉଁଣୀକୁ ଧ୍ବଂସ କରି ଦିଅନ୍ତି। ଦେଖ ମୋ ଦେହରେ କେତେ ତାକତ୍।" ଏଥର ଜେଜେ ମାଆ ହସିଦେଇ କହିଲେ,"ପରମାନନ୍ଦ ! ସତରେ ତୋ'ର ଦେହରେ ଅସରନ୍ତି ବଳ ଓ ସାହସ । ମୋର ବି ଇଛା ହେଉଛି ଯଦି ଯୁବତୀ ହୋଇଥାନ୍ତି ତ ଏଇ ଯବାନ ବାହିନୀରେ ଅବଶ୍ଯ ଯୋଗ ଦିଅନ୍ତି।" ଏବେ ଦୁଇ ଜେଜେ ମାଆ ନାତିଆ ହସି ଉଠିଲେ ତ ରୋଷେଇ ଘରେ ମାଆଙ୍କ କାନରେ ବାଜିଲା। ସେ ଦୂରରେ ଥିଲେ ବି ଏମାନଙ୍କ କଥା ଶୁଣୁଥିଲେ। ପାଖକୁ ଆସି କହିଲେ,"ପରମାନନ୍ଦ ! ମୋ ମନକୁ ଗୋଟିଏ ରୁଢି଼ ଆସୁଛି କହିବି କି?" ପରମାନନ୍ଦ ହଁ ଭରିଲା ତ ମାଆ କହିଲେ," ପରମାନନ୍ଦ ! ତୁମେ ଆଉ ଶାଶୂମାଆ ଦେଖୁଛି ଯେମିତି ଜଣେ ଜଣେ କୁହା ମୁଣ୍ଡା କପିଳା।" ଏ କଥା ପରମାନନ୍ଦ ବୁଝି ପାରିଲା ନାହିଁ ବଲବଲ କରି ଅନେଇ ରହିଲା ତ ଜେଜେ ମାଆ କହିଲେ,"ପରମାନନ୍ଦ ! ଏହାର ଅର୍ଥ  ଯିଏ କେବଳ କଥା ଅଧିକ କହେ କିନ୍ତୁ କାମରେ କରିକି ଦେଖେଇ ପାରେ ନାହିଁ।" ଟିକିଏ ରହି ପୁଣି କହିଲେ,"ମୁଁ ବୁଢୀ଼ ହେଲିଣି ମୋର ବଳ ନା ବୟସ? ତୋ'ର ଅବଶ୍ଯ ବୟସ ଓ ବଳ ଅଛି ତୁ ଚାହିଁଲେ କରି ପାରିବୁ ଆଉ ମାଆଙ୍କର କଥାକୁ ଯବାବ ଦେବାକୁ।" ସେ କଇଁକଇଁ କାନ୍ଦି ଉଠିଲେ। ବୋହୂମାଆ ଏମିତି କହିବା ଆଗରୁ ଶୁଣି ନ ଥିଲେ। ଆମେ ଦୁଇ ଜେଜେ ମାଆ ନାତିଆ ଥଟ୍ଟା ତାମସା ଟିକେ କରୁଥିଲୁ ଅଥଚ ବୋହୂମାଆ ଏମିତି କହିଲେ କାହିଁକି? ଏମିତି ଭାବି ଖଟରେ ଶୋଇ ପଡି଼ଲେ ତ ପରମାନନ୍ଦ ଓ ବୋହୂମାଆ ଯେତେ ବୁଝାଇଲେ ଉଠିଲେ ନାହିଁ କି ଖାଇଲେ ନାହିଁ। ପରମାନନ୍ଦ ଓ ମାଆ ଦୁହେଁ ମନେଇବା ବେଳେ ଜେଜେ ମାଆ ଉଠି କହିଲେ,"ପରମାନନ୍ଦ ! ତୁମେ ମୋତେ କଥା ଦିଅ କି ଯଦି ଯବାନ ହୋଇ ବାହାରିବାକୁ ଶପଥ କରିବୁ ଆଉ ପୁଣି  ଦୁଇ ବର୍ଷ ଭିତରେ ତ ଅବଶ୍ଯ ଉଠିବି ଓ ଖାଇବି? ଏ କଥା ଶୁଣି ପରମାନନ୍ଦ ମାଆ ଆଡ଼କୁ ଚାହିଁଲେ ତ ମାଆ ଶପଥ କରିବାକୁ ଇଙ୍ଗିତ ଦେଲେ। ପରମାନନ୍ଦ ଏହି ସୁଯୋଗକୁ ଅପେକ୍ଷା କରିଥିଲେ ସେ ସଙ୍ଗେ ସଙ୍ଗେ ଯବାନ ହେବାକୁ ଶପଥ ନେଲା ତ ଜେଜେ ମାଆ ଉଠିପଡି଼ ପରମାନନ୍ଦର ମୁଣ୍ଡ ଆଉଁସି ଚୁମାଟିଏ ଥୋଇ ହସି ପକାଇ କୁଣ୍ଢାଇ ଧରିଲେ ଓ ଆସନରେ  ବସି ଖାଇଲେ।

       ମାଆ ଜାଣିଥିଲେ ପରମାନନ୍ଦ ଏ ଚାକିରି ପାଇଁ ଆଗରୁ ଲାଳାୟିତ ହେବାର ଦେଖିନି। ବାପା ତାକୁ ବେପାର କରିବାର ସବୁ ବ୍ଯବସ୍ଥା କରୁଛନ୍ତି। ଏଣୁ ପରମାନନ୍ଦ ଯିବ କୁଆଡେ଼? ଶାଶୂ ମାଆଙ୍କର ଶପଥ କରେଇବା ଅବଶ୍ଯ ବ୍ଯର୍ଥ ହୋଇଯିବ। ଠିକଣା ସମୟରେ ବାପା ବିନୋଦ ବାବୁ ଆସିଲେ ଓ ଖିଆପିଆ କଲେ। ପରମାନନ୍ଦ ତ ପୋଷ୍ଟ ମାଷ୍ଟରଙ୍କୁ ଆଗରୁ କଥା ହୋଇଥିବା ଯୋଜନା ଅନୁସାରେ ପୋଷ୍ଟ ମାଷ୍ଟର ଫୋନରେ ଜଣାଇ କହିଲେ,"ବିନୋଦ ବାବୁ ! ଆପଣଙ୍କୁ ଦେଇଥିବା ଚିଠି ପୁଅକୁ ଦେଲେଣି ତ?" ଏଥର ବିନୋଦ ବାବୁ କଥାକୁ ଲୁଚେଇବେ କେମିତି? ଥରଥର ସ୍ବରରେ କହି ଉଠିଲେ,"ଜନ୍ମେଜୟ ବାବୁ ! ଦେଇ ତ ନାହିଁ ଏବେ ଦେଉଛି।" ଏହା କହି ଲୁଚେଇ ରଖିଥିବା ଚିଠିଟା ପୁଅକୁ ବଢେଇ ଦେଲେ। ପୁଅ ପରମାନନ୍ଦ ଚିଠିଟି ପାଇ ଅତ୍ଯନ୍ତ ଖୁସି ହୋଇ ମୁଖ ଚୁମ୍ବନ ଦେଇ ସଜବାଜ ହେଲା ତୁରନ୍ତ ବାହାରି ଯିବାକୁ। ସେ ନିଜର ଆବଶ୍ଯକ ଜିନିଷ ଧରି ଜେଜେ ମାଆଙ୍କୁ ସବୁ କଥା ଫିଟାଇ କହିଲା ତ ଜେଜେ ମାଆ ଆନନ୍ଦରେ ଭୂମିରେ ଗଡି଼ଗଲେ। ଭୂମିରୁ ମୁଠାଏ ମାଟି ମୁଣ୍ଡରେ ବୋଳି ନାତିର ମୁଣ୍ଡରେ ବୋଳି କହିଲେ,"ପରମାନନ୍ଦ ! ଅଖଣ୍ଡ ଭାରତର ସୁରକ୍ଷା କରିବୁ। ମାତୃଭୂମି,ଦେଶ ଓ ଜାତି ପାଇଁ ଭଲ କାମ ତଥା ସର୍ବୋପରି ନିଜ ଗ୍ରାମର ନାମ ସ୍ବର୍ଣ୍ଣାକ୍ଷରେ ଲିପିବଦ୍ଧ କରିବୁ।"

              ପରମାନନ୍ଦ ବାପା,ମାଆ ଓ ଜେଜେ ମାଆଙ୍କୁ ପ୍ରଣାମ କରି ଆଗକୁ ବଢି଼ଲା। ବି.ଏସ.ଏଫରେ ଯୋଗ ଦେଇ ନିଜକୁ ଅତ୍ଯନ୍ତ ସୌଭାଗ୍ଯବାନ ମଣିଲା। ସେ ସିଧାଗଲା ଲଦାଖର ଗଲୱାନ୍ ଘାଟିକୁ ଯେଉଁଠି ସିମା ନିର୍ଦ୍ଧାରଣ ସକାଶେ ନିତି ଯୁଦ୍ଧ ହୋଇଥାଏ। ପରମାନନ୍ଦ ଏକ ମାସ ଯବାନର ସ୍ବାଦ ପାଇଛି। ଦିନେ ଚୀନର କେତେଜଣ ଯବାନ୍ ଅତର୍କିତ ଆକ୍ରମଣ କଲେ। ସତର୍କ ନ ରହିଥିବା ଭାରତୀୟ କେଇ ଜଣ ଯବାନ ମୃତ୍ଯୁର କୋଳରେ ଶୋଇଗଲେ। ଯେବେ ଭାରତୀୟ ଯବାନ ଜାଣିଲେ କି ଏହା ଚୀନର ହୀନ ଚକ୍ରାନ୍ତ । ସେମାନେ ଭୀଷଣ ଯୁଦ୍ଧ କରି ସବୁ ଚୀନର ଯବାନଙ୍କୁ ଭୂମିରେ ଟଳେଇ ଦେଲେ।

          ଅତର୍କିତ ଯୁଦ୍ଧରେ ଯେଉଁ କେଇ ଜଣ ଭାରତର ଅଖଣ୍ଡତା ପାଇଁ ଆଉ ସୁରକ୍ଷା ଦେଉଥିଲେ ସେମାନଙ୍କ ଭିତରେ ପରମାନନ୍ଦ ମୃତ୍ଯୁର କୋଳରେ ଶୋଇ ଯାଇଥିଲା। ଏ ଖବର ଘରକୁ ଆସିଲା। ମାଆ ନିଜର ପୁଅ ସକାଶେ ମୁଣ୍ଡକୋଡି଼ କାନ୍ଦିଲେ। ବାପା ବିନୋଦ ବାବୁ ଅଟଳ ମହାମେରୁ ପରି ପୁଅର ଶବକୁ ଅନେଇ ରହିଲେ ହେଲେ ଜେଜେ ମାଆ ଚିତ୍କାର କରି କହୁଥାଏ,"ହେ ସୂର୍ଯ୍ଯ,ଚନ୍ଦ୍ର,ପାଣି,ପବନ ଓ ଆଲୋକ ଦେଖ ମୋର ନାତି ଅଖଣ୍ଡ ଭାରତ ସୁରକ୍ଷା ଦେବାକୁ ଯାଇ ବୀରଗତି ପ୍ରାପ୍ତ କରିଛି। ତା'ର ମର ଶରୀରକୁ ତୁମେ ଶାନ୍ତି ପ୍ରଦାନ କର। ଭୂମିରେ ଗଡି଼ଗଡି଼ ମୁଠାଏ ମାଟି ନାତି ମୁଣ୍ଡ ଓ ଦେହରେ ବୋଳି ପୁଣି କହିଲେ,"ହେ ଭାରତ ମାତା,ହେ ମାତୃଭୂମି ! ତୋ'ର ପୁଅକୁ ତୁମେ କୋଳେଇ ନିଅ। ମୁଁ ତା'ର ଜେଜେ ମାଆ ସବୁ ଦାୟିତ୍ବ ତୁମକୁ ସମର୍ପଣ କରୁଛି।"

        ଦେଖୁଦେଖୁ ମର ଶରୀର ଶୋଭା ଯାତ୍ରାରେ ବାହାରିଲା।ଚାରିଆଡେ଼ ପ୍ରକମ୍ପିତ ହେଉଥିଲା ପରମାନନ୍ଦ ଅମର ରହେ। ଶିରେଶିରେ ଶୀତଳ ସମୀରଣ ଭେଦେଇ ଦେଉଥିଲା। ପକ୍ଷୀମାନେ ଗଛରେ ବସି ଆନନ୍ଦରେ ନିରବ ହୋଇ ଦେଖୁଥିଲେ। ଗଛସବୁ ନିସ୍ତେଜ,ପାଣିର କଳକଳ ଶଦ୍ଦ ବନ୍ଦ ହୋଇ ଯାଉଥିଲା। ଅଳ୍ପ କେଇ ସମୟରେ ଚିତାଗ୍ନି ଜଳିଲା ଆଉ ସେଇ ଚିତାଗ୍ନିରୁ ପରମାନନ୍ଦର ଆତ୍ମା ଆକାଶ ମାର୍ଗରେ ଉଡି଼ଉଡି଼ ଚାଲିଲା ଓ ହାତ ହଲେଇ ହଲେଇ ବିଦାୟ ନେଉଥିଲା। ଉପସ୍ଥିତ ମଡା଼ ଚଣ୍ଡିଆମାନେ ଦୁଇ ହାତ ଯୋଡି଼ ଦେଲେ ଆକାଶରେ ନିମିଳିତ ହେବା ଯାଏ। 

       ବିନୋଦ ବାବୁଙ୍କର ଭବିଷ୍ଯତ ଅନ୍ଧକାର। ଆଗକୁ ନିଜ ସଂସାର ବଢି଼ବାକୁ ଆଉ କେହି ନ ଥିଲେ। ତାଙ୍କର ପୁର୍ଣ୍ଣଛେଦ ପଡି଼ଗଲା ତ ସବୁ ଡାକ୍ତରୀ ରୋଜଗାର ଅର୍ଥ ନିଜର ଆବଶ୍ଯକ ଗୁଜୁରାଣ ବ୍ଯତିତ ଦୁଃଖୀ ଦରିଦ୍ର ନାରାୟଣ ସକାଶେ ଲଗେଇ ଦେଲେ।

                      *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭ-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

କହୁଥିଲେ ଗୁଣ ତୋର ସରିଵନି

                        କଳ୍ପନା ରାୟ


ମର୍ତ୍ତ୍ୟ ବଇକୁଣ୍ଠ ଶ୍ରୀମନ୍ଦିର ତୋର

କି ଦୋଷରୁ ବନ୍ଦ କଲୁ

ଡ଼ାକି ଡାକି କଣ୍ଠ ଶୁଖିଲା ଭକ୍ତର

କାହିଁକି ବିମୁଖ ହେଲୁ

ଦର୍ଶନ ବାରଣ କଲୁ

ସର୍ତ୍ତ ରଖି ଏବେ ଖୋଲିଲୁ ମନ୍ଦିର

ଆମେ କି ଯାଇ ପାଇଲୁ


ଆମେ ପରାତୋର ନୁହେଁ ସେବାୟତ

ନୁହେଁ ବି ପୁରୀ ବାସିନ୍ଦା

ରଖିଯାଇଅଛୁ ସର୍ତ୍ତ ପରେ ସର୍ତ୍ତ

ଯାଇ ହେଉଛି କି ସିଧା

ଏହାହିଁ ତ ଅସୁବିଧା

ପବିତ୍ର ହେବନି ଚର୍ମ ଚକ୍ଷୁ ଆମ

ଏଟା ହିଁ ତୋର ମସୁଧା


ଜଗା ବର୍ଷେହେଲା ତୋତେଦେଖିନାହିଁ

ଭାଇଭଉଣୀଙ୍କ ସାଥେ

କଳ୍ପବଟ ମୂଳ ଵୁଲି ବି ହେଲାନି

ଭକ୍ତ ବିନା ଗଲୁ ରଥେ

ସୁଖ କି ଲାଗିଲା ତୋତେ

ଭକ୍ତ କାନ୍ଦୁଥିଲା ଦେଖୁଥିଲୁ ତୁହି

ହସି ହସି ଜଗନ୍ନାଥେ


ଦାସିଆ ବାଉରୀ ନଡ଼ିଆକୁ ନେଲୁ

ମାଣିକ ଗୌଡୁଣୀ ଦହି

କୁଵୁଜାର ହାତେ ବେଶ ତୁ ହୋଇଲୁ

ଶବରୀ ଅଇଁଠା ଖାଇ

କୋଟି ବସ୍ତ୍ର ଦେଲୁ ଥୋଇ

ଦୁର୍ଯ୍ୟୋଧନ ସଭା ଆଚମ୍ବିତ କଲୁ

ଆମ ପାଇଁ ଚୁପ୍ କାହିଁ


ବିକଳେ ଡାକୁଛି ଆଜି ଵିଶ୍ବବାସୀ

ଭକ୍ତ ଦୁଃଖ ହେଲା ନଈ

ନିଶ୍ଚେ ପାରି କର ଏହି ମହାମାରୀ

ଭକ୍ତ ଦେଖି ପାରୁ ଯାଇ

ତୋ ପାଇଁ କି ବଡ଼ ଏହି

ଗୋପକୁ ରଖିଲୁ ଇନ୍ଦ୍ର ଗର୍ବ ଭାଙ୍ଗି 

କାଳୀୟଦଳିଲୁ ତୁହି


କହୁଥିଲେ ଗୁଣ ତୋର ସରିଵନି

କି ଦୋଷେ ଏ ଦଶା ଭୋଗୁ

କହିଦ୍ୟନ୍ତୁ ଯଦି ଆଉ କରନ୍ତୁ ନି

ଯାହା ତ ଯିଏ ବି ଭାବୁ

ଦିନ ଯାଉ ଚିହ୍ନ‌ ରହୁ

ଦୋଷ ନ ହେଉ ବି ଆମ ଦ୍ଵାରା ଆଉ

ତୋ ଦ୍ଵାର ଖୋଲା ତ ଥାଉ


କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର

ନିଜ ଖେଳେ ପାଅ ଶାନ୍ତି

        ଡ.ଗୁରୁ ମୂର୍ତ୍ତି ନାୟକ

ମଣିଷ ହୋଇ ପର ଛିଦ୍ର ଖୋଜ
କଦାପି ହାତଛଡା କର ନାହିଁ
ମିଳିଗଲେ ଫେଡାଣ ,ଗୁଣନ
କର ଅହରହ
କେଉଁ ଆନନ୍ଦ ମିଳେ
କେଉଁ ଖୁସି, ପ୍ରଶାନ୍ତି ଆଣେ
କହି ପାରିବ ତମେ ?
ତିନିହାତ ଚାଖଣ୍ଡେ ନିଜ ହାତେ
ମଣିଷ ଗଛ ତମେ
ତମଛାଇ ସକାଳ, ସଂଜେ ବଢେ
ସଂସାର ବୋଝେ
ଦ୍ବିପହରେ ଏତେ ବକଟେ
ତମଛାଇ ହୁଏ କାହିଁକି?
ପିଲାମାନଙ୍କୁ ଦେଖିଲେ
ଗେଲରେ ଡାକି ଈର୍ଷା କର
ବିଭତ୍ସ କାଣ୍ଡ ତିଆର
କାମନା ମେଣ୍ଟାଅ 
ଭୟ କରି ଇହଲୀଳାର
ଅବେଳରେ ଖେଳ ଶେଷ କର
କାହିଁକି ଦେଖିପାର ନାହିଁ
କଢଫୁଲଟିର ସଂଭାବନାର ହସ ?
ପରିଣତ ବୟସରେ ବୁଢାଟି
ଥିରି ଥିରି ବାଡି ଧରି ଚାଲିଲେ
ବାଡି ଛଡାଇ
ପରିହାସ କର 
କେଉଁ ଛିଦ୍ର ଦେଖି
ଫେଡାଣ, ଗୁଣନ କର?
ମଧ୍ୟାହ୍ନ ସମୟେ ଠିଆ ହୋଇ
ରକ୍ତବଳେ ମାରୁଛ କୁହାଟ ?
ଦେଖ ସ୍ଥିର ଆତ୍ମା ସୂର୍ଯ୍ୟଙ୍କ
କାଳର ଗତିକୁ
ବୟସ ଉଦୟ ଅସ୍ତକୁ
ନିଜ ପାଇଁ ନିଜେ
ତିଆର ଶାନ୍ତିର ଘର
ପରଠାରୁ ଶିଖି
ହେ ମନୁଷ୍ୟ ପୁତ୍ର ।
ପଶୁପକ୍ଷୀ ଦେଖି ଜାଣ
ନାହିଁ ତାଙ୍କ ଲୋଭ
ପେଟ ପୁରା ହେଲେ
ସଂଚୟ କରନ୍ତି ନାହିଁ
ଏଥିପାଇଁ ତ ଏତେ କଥା
ହତ୍ୟା, ଲୁଣ୍ଠନ ,ଗୁଣ୍ଡାରାଜ
କଳାବଜାର,ନାନା ଭିଆଣ
ଥରେ ହେଜ
ପୁଅ ଯୋଗ୍ୟ ତ ଧନ 
କାହିଁକି ସଞ୍ଚ
ପୁଅ ଅଯୋଗ୍ୟ ତ
ଧନ କାହିଁକି ସଞ୍ଚ
ଏଥିପାଇଁ ପର ଛିଦ୍ର କାହିଁକି ଦେଖ?
ମନୁଷ୍ୟ ପୁତ୍ର ନଈଟିକୁ ଦେଖ
ଯୁଗ ଯୁଗ ଧରି ଧର୍ମ ଓ ନିୟମ
ନେଇ ବହୁଛି ତ ବହୁଛି
ଏଇ ଦୃଶଦବତୀର ଶାନ୍ତ ତଟେ
ସାବରମତୀ କୁଟିର କରି
ମହାମାନବ ମହାତ୍ମାଗାନ୍ଧୀ
ବିନା ରକ୍ତପାତେ ସ୍ବାଧୀନତା
ଥିଲା ଆଣି
ଶିଖିଥଲେ ନଈଧାରୁ
ଶାନ୍ତି ଅହିଂସା ବାଣୀ
ତମେ କି କରୁଛ ଆଜି
ଶୁଣି ପାରୁନା 
ମହାବନର ମହାସଂଗୀତ
ଗଙ୍ଗା ନଈକୂଳେ ବସି
ଚିର ପିପାସୀ
ରତ୍ନସ୍ତୂପେ ବସି ଚିର ଉପବାସୀ
ପର ଛିଦ୍ର ଖୋଜି
କିବା ପାଉଅଛ ଫଳ
ନିଜେ ଶାନ୍ତି ପାଅ
କରି ନିଜ ଖେଳ ।।

ଅଧ୍ୟାପକ
ଭଂଜନଗର,ଗଂଜାମ

" ଆମ ଜିଲ୍ଲା ବୌଦ୍ଧ "

ସ୍ରଷ୍ଟା - ସୁଧିର ଦୀପ 


ଏ ମାଟି ଆମକୁ ଦେଇନି ଯୁଦ୍ଧ 

ଦେଇଛି ଆମକୁ ବୁଦ୍ଧ ,

ସବୁଜ ସୁନ୍ଦର ଓଡ଼ିଶାର କେନ୍ଦ୍ର 

ଏଇ ଆମ ଜିଲ୍ଲା ବୌଦ୍ଧ !!୧

ଏ ମାଟି ବୀରଙ୍କ କାହାଣୀ କହେ

ଖୋଜିଲେ ଅତୀତ ଫର୍ଦ୍ଦ,

ଐତିହ୍ୟକୁ ଅନୁଶୀଳନ କରିଲେ 

ନିଅଣ୍ଟିଆ ହୁଏ ଶବ୍ଦ !! ୨

ଅମେଇ ମୁହାଣୁ କମେଇ ମୁହାଣ 

ଥିଲା ଏ ରାଜ୍ୟ ବିସ୍ତୀର୍ଣ୍ଣ,

ଉତ୍ତରରେ କଷାକେନ୍ଦୁ ଠାରୁ ପୁଣି 

ଦକ୍ଷିଣେ ପାଣି ଝରଣ !! ୩

ଅନଙ୍ଗ ଦେବଙ୍କ ଠାରୁ ଶେଷ ରାଜା

ନାରାୟଣ ପରସାଦ,

ସମାୟାନୁସାରେ ଶାସିତ ହେଇଛି

ଗଡଜାତ ରାଜ୍ୟ ବୌଦ୍ଧ !! ୪

ବାଘନଦୀ-ତେଲନଦୀ-ସାଲୁଙ୍କିଟି 

ବହୁଅଛି ଅଙ୍କାବଙ୍କା ,

ଏ ମାଟିର ନିତି ପାଦ ଧୋଉଥାଏ 

ଓଡ଼ିଶାର ପୁଣ୍ୟ ଗଙ୍ଗା !! ୫

ଜୁହାର ଜୁହାର ଚରଣରେ ତୋର 

ଆଦିମାତା ତୁ ଭୈରବୀ ,

ପୁରୁଣାକଟକ ଅଧିଷ୍ଠାତ୍ରୀ ଦେବୀ 

ତୁ ବଉଦ ର ଇଷ୍ଟଦେବୀ !! ୬

ଏ ମାଟିର କଳା-ସଂସ୍କୃତି-ଐତିହ୍ୟ

ନିଆରା ତ ପରମ୍ପରା ,

ନୂଆଁଖାଇ-ଚୁଡାଖାଇ-ଡାଲଖାଇ 

କରମସାନୀ-ଛେରଛେରା !! ୭

ପାତାଳୀ ଶ୍ରୀକ୍ଷେତ୍ର ନାଏକପଡା

ରାମଲୀଳା-ରାମେଶ୍ୱର ,

ରେଘାମୁଣ୍ଡା ସ୍ଥିତ ପଥର ଖଣ୍ଡ 

ଭାଇବୋହୁ ଦେଢଶୁର !! ୮

ପ୍ରଭୁ ଜଗନ୍ନାଥ , ମାଁ ମହେଶ୍ୱରୀ ,

ଚାରିଶମ୍ଭୁ ଗନ୍ଧରାଢ଼ୀ,

ରାମଗଡ଼ ସ୍ଥିତ କେଦାରେଶ୍ଵର 

ପୁଣି ମାଁ ବାଉରୀ ବୁଢ଼ୀ !! ୯

କିମ୍ବଦନ୍ତୀମୟୀ ସିଂହାସିନୀ ଦେବୀ 

ପିଠ ଅଟେ ବରପଦର ,

ମହାନଦୀ ଗର୍ଭେ ସହର ନିକଟେ 

ବିରାଜିତ ମହାବୀର !! ୧୦

ପୁଅଜୀଉନ୍ତିଆ ଭାଇଜୀଉନ୍ତିଆ

ଦେବୀ ସତୀକନ୍ୟା ପୂଜା ,

କେଡେ ମନୋହର ଆମ ଦଣ୍ଡନାଚ 

ସଙ୍ଗେ ପଞ୍ଚବାଦ୍ୟ ବାଜା !! ୧୧

ନଦେଖିଲା ଲୋକ ଥରେ ଦେଖିଦେଲେ 

ହୋଇଯାଏ ପୁରା ସ୍ତବଧ,

ମହାନଦୀ ମଧ୍ୟେ ତାର ଅବସ୍ଥିତି

ଦ୍ୱୀପ ଗାଆଁ ମର୍ଯାକୁଦ !! ୧୨

ପୁଣି ଗୋଟିଏ ଭିନ୍ନ ସମ୍ପ୍ରଦାୟ 

ଆଦିବାସୀ କନ୍ଧ ପରଜା ,

ଘୁଷୁରୀ ଚାପାକୁ ମେରିଆ ମରା 

ବୋଦା-ନରବଳୀ ପୂଜା !! ୧୩ 

ହଳିଆ ଗୀତକୁ ପଖାଳ କଂସାରେ

ଆମ୍ବୁଲ ଚକଟା ସଜା ,

ଚଇତି ମୁଗକୁ ମସିଆକନ୍ଦା ଯେ 

ହରଡ଼,କରଡି ଗଜା !! ୧୪

ବୌଦ୍ଧ ଜିଲ୍ଲା ରେ କାନ୍ଦୁଛି ଜନତା 

ହସୁଥାନ୍ତି ରାଜନେତା ,

ଖଟିଖିଆ ଏଠି ମରିକି ପଡୁଛି 

ସର୍କାର ଶୁଣେନା କଥା !! ୧୫

ସରକାର ଙ୍କୁ ତ ବିଶ୍ୱାସ କରିକି

ଜନତା ଖାଉଛି ଧୋକା ,

ଅଚିନ୍ତାରେ ଆଜ୍ଞା ନେତା ଅଫିସର 

କରୁଛନ୍ତି ମଧୁଚନ୍ଦ୍ରିକା !! ୧୬

ଗରିବଙ୍କୁ ଏଠି ଅଣଦେଖା ହୁଏ 

ଐତିହ୍ୟ କୁ ଅବହେଳା ,

ସର୍କାରଙ୍କୁ କିଣି ପୁଞ୍ଜିପତି ମାନେ 

କରୁଛନ୍ତି କେତେ ଲୀଳା !! ୧୭

ବୌଦ୍ଧରେ ବାଲ୍ୟ ବିବାହ କମୁଛି 

ବଢେ ବିକାଶର ନଗ୍ନତା ,

ସବୁ ଜାଣିଶୁଣି ନୀରବ ସଭିଏଁ 

ଘୁରିଯାଉଅଛି ମଥା !! ୧୮

ତଥାପି ଗର୍ବରେ କହିବି - 

" ସାରା ଓଡ଼ିଶାରେ ସବୁଠୁ ଅଲଗା 

ଆମରି ମାନ ବେଭାର ,

ବୌଦ୍ଧ ସଂସ୍କୃତି ର ଗନ୍ତାଘର ଇଏ 

ମୋର ବୌଦ୍ଧ ମତେ ସୁନ୍ଦର ..... " !!

***********

ଆପଣଙ୍କ ସ୍ନେହର 
ସୁଧିର ଦୀପ , 
ଗୁଣ୍ଡୁରିସାହି ,ଛତ୍ରଙ୍ଗ,ଜିଲ୍ଲା-ବୌଦ୍ଧ ।

ଦୁଃଖ

ଆଖିର ଲୁହରେ ଛାତିର କୋହରେ

ଯେଉଁଶବ୍ଦ ଝରିଆଏ।

ଗିତ ହୋଇ ଯେବେ କାଗଜେ ଉତୁରେ

ପ୍ରତି ମନ ଛୁଇଁଯାଏ।

ଦୁଃଖର ବେଦନା ଯେବେ ସ୍ରବିଯାଏ

ଗିତ ସୁର ବାଦ୍ୟ ହୋଇ।

ସଭିଙ୍କ ହୃଦୟେ ସଂଚରି ଯାଏ ସେ

ଆହା ପଦ ଭରିଦେଇ।

ଝରିଯାଏ ଯଦି ଆଖିର ଲୋତକ

ଭାଙ୍ଗିଯାଏ ଯେବେ ମନ।

ହା ହୁତାଶରେ ଜୀବନ ବିତଇ

କୋଉଠି ନ ଲାଗେ ମନ।

ସେତେବେଳେ ଯେଉଁ କବିତା ଉତୁରେ

କବି ହୃଦୟ ସନ୍ଧିରୁ।

କେହି ତାର ଭାବ ବୁଝୁକି ନବୁଝୁ

ସଂଚରେ ଆତ୍ମା ସନ୍ଧିରୁ।

ପଥର ସହିଲେ ନିହଣର ଚୋଟ

 ମୂର୍ତ୍ତିଟିଏ ରୂପ ପାଏ।

ଦୀପଟେ ସହିଲେ ଜଳିବାର କଷ୍ଟ

ଆଲୋକ ବିତରିଥାଏ।

ଦୁଃଖ ନ ସହିଲେ ସମର୍ଥ କେ ନୁହେଁ

କିଛିଦାନ ଦେବାପାଇଁ।

ସାଗର ସହିଲେ ସୂର୍ଯ୍ୟଙ୍କ ଦହନ

ମେଘଟି ସୃଷ୍ଟି ହୁଅଇ।

ତେଣୁ ଯେତେ ଦୁଃଖ ମିଳିଲେ ବି ସୁଖ

ମନେମୋର ଦୁଃଖ ନାହିଁ।

ଜଳିଜଳି ଯଦି କିଛି ଦେଇଯାଏ

ଜଗତର ହିତପାଇଁ।

ମାଧବୀପଟେଲ।

ଲାବଣ୍ୟ ପସରା ନାରୀ

ନିର୍ମଳ ନାୟକ

(କବିତା ) 

ଆଜ ଦେଖିଲି ରେ.... 

ନୂତନ ବୟସୀ ବାଳା... 

ପାଇଥାନ୍ତି ଯଦି ଚନ୍ଦ୍ରଵଦନୀ କୁ 

କରିଥାନ୍ତି  ଗଳାମାଳା... 

ଆଜ ଦେଖିଲି ରେ... 


ଦେଖୁ ଦେଖୁ ସେହି... 

କୁରଙ୍ଗି ନୟନା .. 

ତରବରେ ଚାଲିଗଲା.. 

ନୟନର ତୀରେ ଘାଇଲା କରି...

ଅଧା ମରା ଛାଡି ଗଲା.. 

ଆଜ  ଦେଖିଲି ରେ... 


କର୍ଣ ରେ ଝୁମୁକା... 

ମାଥେ  ମଥାମଣି.. 

ଗଳାରେ ରତନ ମାଳା.. 

କଟି ରେ ବାନ୍ଧିଣି.. 

ପାଦରେ ଘୁଙ୍ଗୁର .... 

ଗଜଗାମୀନି ଯାଦୁ କଲା..

ଆଜ ଦେଖିଲି ରେ... 


ନୟନେ କଜଳ... 

ରକ୍ତିମ  ଅଧର..

କୁଞ୍ଚିତ କେଶମାଳା... 

ପିତ୍ତବସନେ ମନ ଲୋଭଇ.. 

ସତେକି ସ୍ୱର୍ଗର ବାଳା.. 

ଆଜ ଦେଖିଲି ରେ... 


ରୁଣୁଝୁଣୁ କରି 

ଚାଲିଲେ ସେ ଗୋରୀ.. 

ଋଷି ଧ୍ୟାନ ଭାଙ୍ଗି ଗଲା.. 

କେତେ ଯତନ ରେ... 

ଗଢିଛି  ବିଧାତା.. 

ଅପୂର୍ବ  ସୁନ୍ଦରୀ  ବାଳା... 

ଆଜ  ଦେଖିଲି ରେ... 


ନୟନେ  କଟାକ୍ଷ... 

କଟି ରେ  କଟାର.. 

ମତୁଆଲି ଭଙ୍ଗି ଚାଲୁଥିଲା.. 

କସ୍ତୁରୀ ମହକ, 

ଅଙ୍ଗେ ଅଙ୍ଗେ ଭରା 

ମଧୁପ ସମାନ କଲା... 

ଆଜ  ଦେଖିଲି ରେ.... 


151, ନାଗାର୍ଜୁନ କଲୋନୀ 
ନାରା ରୋଡ, ଜରିପଟକା
ନାଗପୁର, ମହାରାଷ୍ଟ୍ର 
440014

ମୁଁ, ତୁମେ ଓ ସେ

 ଅରୁଣ କୁମାର ମହାପାତ୍ର


ମଣିଷଟି ଖୋଜି ବୁଲେ ସୂକ୍ଷ୍ମ ଛିଦ୍ର ଏଠି

ଛାଡେନାହି କାଣିଚାଏ ଅବକାଶ

ମିଳିଗଲେ ଫେଡ଼ାଣର କ୍ଷୀଣ ସୁତ୍ରଟିଏ

କରି ଚାଲେ ମିଶାଣ ଗୁଣନ

ପ୍ରସ୍ଫୁଟିତ କରିଦିଏ ଫୁଲ କଢ଼ିଟିକୁ

ଅପ୍ରାପ୍ତ ବୟସେ।


ଆନନ୍ଦିତ ମନ ତାର

ମୁଖ ଉଜ୍ଜଳିତ

ସୁଖୀ ଏଠି ଅଟେ ସିଏ

ପରର ଦୁଃଖରେ

ବେଳ ନାହିଁ 

ଆପଣାର ସୁଖ ସାଉଁଟାରେ।


କେବେ ସିଏ ପରିତ୍ୟକ୍ତ

ଅବା ବିଦଗ୍ଧ ପ୍ରେମିକ

ପଡ଼ି ଉଠି ହେଇଥାଏ ଖଣ୍ଡିଆ ଖାବରା

ଛାଡ଼େନାହିଁ ନିଶା କିନ୍ତୁ ଧନ ଉପାର୍ଜନେ।


ଏଠି ସବୁ ହିସାବ ନିକାଶ

ହୁଏ ଐଶ୍ୱର୍ଯ୍ୟ ପାଣ୍ଠିରେ

ସମ୍ପର୍କର ମୂଲ୍ୟ ନାହିଁ

ଥିବା ଯାଏଁ

ଉଷ୍ଣତା ରକ୍ତରେ।


ପ୍ରତାପ ପୁର, ଗଞ୍ଜାମ

ଶୀତ ଋତୁ

          ଗୌରୀ ବେହେରା

:::::::::::::::::::::::::::::::::::::::::::::::::::::

 ବରଷକୁ ବାରମାସ ଲୋ ସଜନୀ

       ବରଷକୁ ବାରମାସ

ବାରମାସ ରେ ଯେ ଛଅଗୋଟି ଋତୁ

ପଞ୍ଚମ ଟି ଅଟେ ଶୀତ ଲୋ ସଜନୀ

ପଞ୍ଚମ ଋତୁଟି ଶୀତ.....।


କାର୍ତ୍ତିକେ ଆରମ୍ଭ ପୁଣି ମାଘରେ

ଶୀତ ର ଶେଷ ଲୋ ସଜନୀ

ମାଘରେ ଶୀତ ର ଶେଷ

ଏ ଚତୁରମାସେ ଶୀତ ର ପ୍ରଭାବେ

ଜନହେବେ ହନ୍ତସନ୍ତ....... ।


ଏହି ଶୀତ କାଳେ ଦିନ ଛୋଟ ହୋଇ

ରାତ୍ର ଯେ ବଡ଼ ହୋଇବ 

ଦିଗବଳୟ ଯେ ଧୂଆଁଳିଆ ହୋଇ

ରାସ୍ତାଘାଟ ନ ଦିସିବ ଲୋ ସଜନୀ

ରାସ୍ତାଘାଟ ନ ଦିସିବ ... ‌।


ବୃକ୍ଷ ଡାଳେ ଥିବା ଶିଶିର ବିନ୍ଦୁ ଯେ

ମଣିପରି  ଝଟକିବ ଲୋ ସଜନୀ

       ମଣିପରି ଝଟକିବ

ଶୀତ କାକରକୁ ଖାତିରି ନକରି

ଚଷାଭାଇମାନେ ଶସ୍ୟ କାଟି

  ଘରେ ବୋହି ଆଣିବେ  ।


ମନ୍ଦାର, ସେବତୀ, ଗେଣ୍ଡୁ ,ଢାଲିଆ 

    ତରାଟ,କେଳି କୁସୁମ

ଗଙ୍ଗଶିଉଳି ସୋରିଷ ଫୁଲରେ

ଏ ଧରା ନାଚି ଉଠିବ ଲୋ ସଜନୀ

ଏ ଧରା ନାଚି ଉଠିବ   ।


ବାରମାସେ ତେର ପର୍ବ ଲୋ ସଜନୀ

       ବାରମାସେ ତେର ପର୍ବ

ପ୍ରଥମାଷ୍ଟମୀ,ଧନୁସଙ୍କରାନ୍ତି, ମାଣବସା ଗୁରୁବାର , ଶାମ୍ବ ଦଶମୀ ଓ ସରସ୍ଵତୀ

ପୂଜା ଏ ଋତୁ ରେ ପ୍ରଧାନ ଲୋ ସଜନୀ

ଏ ଋତୁ ରେ ପ୍ରଧାନ......।


ଶୀତ ଋତୁ ର ବର୍ଣ୍ଣନା କହିଲେ ନ 

ସରିବ , ସାଙ୍ଗ ସାଥି ମେଳେ 

ନିଆଁ ଶେକି ଶେକି ରାତ୍ର ଭି ଶେଷ ହୋଇବ

ଲୋ ସଜନୀ ରାତ୍ର ଭି ଶେଷ ହୋଇବ ।

::::::::::::::::::::::::::::::::::::::::::::::::::::::

        ପାରଳାଖେମୁଣ୍ଡି, ଗଜପତି

::::::::::::::::::::::::::::::::::::::::::::::::::::::

କନ୍ୟାଭ୍ରୁଣ

           ମାଆ ମୁଁ ଏବେ ବହୁତ ସୁରକ୍ଷିତ।

ମୁଁ ଜାଣିଛି ତୋର ଏଇ ବିଶାଳ ସୁରକ୍ଷା ପାଚେରୀକୁ ଭେଦ କରି କେହି ମୋର କ୍ଷତି କରିପାରିବେ ନାହିଁ। ନିର୍ଭୟ,ନିଃସନ୍ଦେହ ଆଉ ବିପଦମୁକ୍ତ। କେତେ ସୁନ୍ଦର ଜୀବନ।

ସଂସାରର ବାହ୍ୟ ସୌନ୍ଦର୍ଯ୍ୟ ସମ୍ପର୍କରେ ମୁଁ ଅଜ୍ଞାତ। ମୁଁ ଜାଣିପାରୁନି ଏ ସୃଷ୍ଟିର ବାସ୍ତବ ରହସ୍ୟକୁ। ସୁରକ୍ଷିତ ହେଲେ ବି ମୁଁ ବାହ୍ୟ ଜଗତର ମାଧୁରୀକୁ ସ୍ୱଚକ୍ଷୁରେ ଉପଭୋଗ କରିବାକୁ ଚାହେଁ। ଦେଖିବାକୁ ଚାହେଁ, ଏଇ ମୁକ୍ତାକାଶ,ତାରକାମେଳରେ ଶୋଭାବର୍ଦ୍ଧନ କରୁଥିବା ସୌନ୍ଦର୍ଯ୍ୟମୟୀ ଜହ୍ନକୁ, ତାର ଶୀତଳ ପରଶକୁ। ପ୍ରଭାତରେ କନକକିର- ଣ ବିଛୁରିତ କରୁଥିବା ନିରଂଜନ ଆଭାକୁ।

ବିହଙ୍ଗମକୂଳର କାକଳି, ଗୋଠବାହୁଡ଼ାର ଦୃଶ୍ୟ,ଇନ୍ଦ୍ରଧନୂର ସପ୍ତରଙ୍ଗ,ଦିଗନ୍ତବିସ୍ତାରୀ ସବୁଜ ଶସ୍ୟକ୍ଷେତ୍ର,ନଦୀନୀର କଳକଳ ନାଦ, ସାଗରର ନୀଳ ଉର୍ମିମାଳା,ବସନ୍ତର ମୃଦୁମଳୟ,ବୈଶାଖର ତତଲା ଝାଞ୍ଜିଖରା, ପହିଲି ଶ୍ରାବଣର ମର୍ମରିତ ବର୍ଷାପାତ, ଶୀତୁଆ ସକାଳର ମନୋରମ କାକରବିନ୍ଦୁ

ଘନବନାନୀ,ହ୍ରଦ ଓ ହ୍ରଦତୀର,ବିଲ, ପାଟ 

ଆଉ ସରସୀ ଭର୍ତ୍ତି କୁମୁଦପୁଷ୍ପର ସମ୍ଭାର। ତାଳବଣର ଅପୂର୍ବ ଶୋଭା...…..........।

        ଆଉ ବି ଚାହେଁ ମୁଁ ଠୁକୁଠୁକୁ ଚାଲିରେ ଧରଣୀ ବକ୍ଷରେ ବିଚରଣର ମଜ୍ଜା ନେବାକୁ,ସମସ୍ତଙ୍କର ସ୍ନେହରାଜ୍ଜିରେ ନିଜକୁ ଉତ୍ତମରୂପେ ଗଢି ତୋଳିବାକୁ,  ଶିକ୍ଷା, ଦୀକ୍ଷାରେ ଅଗ୍ରଣୀ ହେବାକୁ, ଦେଶ ଓ ଜାତିର ଗୌରବ ଅକ୍ଷୁର୍ଣ୍ଣ ରଖିବାକୁ,  ବାପାଭାଇଙ୍କର ଗେହ୍ଲା ହେବାକୁ,ସମସ୍ତଙ୍କ ଆଦର ଓ ଯତ୍ନ ପାଇବାକୁ। 

        ଦୀର୍ଘ ୯ମାସ ୧୦ ଦିନ ପ୍ରତୀକ୍ଷାର ଅନ୍ତକୁ ମୁଁ ଆଗ୍ରହର ସହ ଅପେକ୍ଷା କରିଛି। ନିଶ୍ଚୟ ଏ ସଂସାରର ଆଲୋକ ଦେଖିବି ବୋଲି ମୁଁ ଅତ୍ୟନ୍ତ ବ୍ୟଗ୍ର। ମୋର ବି ସମାଜ ପାଇଁ ଅନେକ ଆବଶ୍ୟକତା ଅଛି ବୋଲି ମୁଁ ପ୍ରସ୍ତୁତ। ଏଇକଥା ଭାବି ଖୁସି ଯେ ମୋର ବିଭିନ୍ନ ରୂପରେ ମୋତେ କିଛି ମଙ୍ଗଳ କରିବାରେ ଅଛି ସମସ୍ତଙ୍କ ପାଖେ।

ଦେଖିବୁ ମାଆ ମୁଁ ଭାଇ ପାଇଁ ରାକ୍ଷୀ ହୋଇ ସାରା ଜୀବନ ସ୍ନେହ ବାଣ୍ଟିବି,ବଧୂ    ହୋଇ ସାଥି ସାଜିସାତଜନ୍ମର ସୁଖଦୁଃଖକୁ ଆପଣାର କରିନେବି, ମମତା ବୋଳା ମୋର ପଣତକାନୀରେ ସନ୍ତାନ ଲାଗି ଆକାଶଠାରୁ ମଧ୍ୟ ବଡ଼ ହୋଇ ସବୁ ସୁଖ ସାଉଁଟି ଆଣି ହାତରେ ପରସି ଦେବି। ଲୁହରେ, ଖୁସିରେ,ବିପଦରେ ବିପଦବାରିଣୀ ହୋଇ ଠିଆ ହେବି। ନିଜର ନୁହେଁ , ବରଂ ସର୍ବସଂହା ଧରିତ୍ରୀ ଭଳି ସ୍ୱୟଂ କଷ୍ଟକୁ ଆପଣି ସମସ୍ତଙ୍କୁ ସୁଖର ପାହାଡ଼ରେ ଠିଆ କରାଇବି। ଠିକ୍ ତୋରି ପରି ସବୁ ଭୂମିକାକୁ ସଠିକ ଆଉ ସୁନ୍ଦର ଭାବେ ନିଭାଇବି। 

          କିନ୍ତୁ ମତେ ବହୁତ କଷ୍ଟ ହେଉଛି ମାଆ। ବେଳେବେଳେ ବାପା ତୋ ସହିତ କଥାହେବାର ଶୁଣାଯାଏ, କି ଆମର ଏ ସନ୍ତାନର ଆବଶ୍ୟକତା ନାହିଁ। କାଳେ ତତେ ଔଷଧ ଦେଇ ମୋତେ ଧ୍ଵସଂ କରିବାର ପ୍ରୟାସ ଚାଲିଛି। ମୁଁ କନ୍ୟାଟେ ବୋଲି ତୁମ ମନରେ ଅଜସ୍ର ଦୁଃଖ। ମୁଁ ପୁଅଠାରୁ ବହୁତ ପଛରେ। ମୋ ପାଇଁ ଦିନେ ତୁମକୁ ଯୌତୁକଭାର ଗ୍ରହଣ କରିବା  ପାଇଁ ପଡ଼ିବ। ପୁଅ ହେଲେ ବାପାମାଆଙ୍କ ମୁହଁରେ ନିଆଁ ଦେଵ। ବାର୍ଦ୍ଧକ୍ୟ ବୟସରେ ସାହାରା ହେବ। ଝିଅ ତ ଶାଶୁଘରକୁ ଯିବ।

ପୁଅ ଜନ୍ମ କଲେ ପୁଣ୍ୟ। ମାତ୍ର ମୁଁ ତୁମ ପାଇଁ ପାପର ସଂକେତ। ହେଲେ ମାଆ ତୁ କ'ଣ ଦିନେ ମୋ ପରି କନ୍ୟାଭ୍ରୁଣ ନଥିଲୁ? 

ଆଜି ଏ ଜଗତକୁ ସନ୍ତାନର ଉପହାର ତୁ ତ ଦେଇଛୁ। ଜାୟା,ଜନନୀ,ଭଗିନୀ ହୋଇ ତୁ ତ ଏ ପୃଥିବୀର ସମ୍ପର୍କର ସେତୁକୁ କାଳଜୟୀ କରାଇପାରିଛୁ। ମିଠା ସ୍ନେହର ପରଶ ବାଣ୍ଟିଚାଲିଛୁ ଅହରହ। ତୋର ମଧୁର ପଣତର ଛାଇରେ ସାରା ଜଗତକୁ ଘୋଡେ଼ଇ ରଖିଛୁ। ତେବେ ମୋର ଜଘନ୍ୟ ବିନାଶରେ ବାପାଙ୍କ ସହ ହାତ ମିଳାଇଛୁ କେମିତି ! ବାପା ବି ବୁଝୁନାହାନ୍ତି ମୁଁ ଦିନେ ତାଙ୍କର ଅଲିଅଳି ଝିଅ ହୋଇ ପୁଅର କର୍ତ୍ତବ୍ୟ ପାଳନରେ ମଧ୍ୟ ପଛଘୁଞ୍ଚା ଦେବିନାହିଁ। ମାନ,ଧନ,ସମ୍ମାନ କୌଣସି ଗୋଟିଏରେ ଅଭାବ ଅନୁଭବ କରିବାକୁ ଦେବିନାହିଁ। ଆକାଶରେ ଉଡ଼ିବା, ଜଳରେ ବୁଡ଼ିବା ସବୁଥିରେ ସିଦ୍ଧହସ୍ତା । ସେବା କରି ରୋଗଶଯ୍ୟାରୁ ମୁଁ ମୁକୁଳାଇବି। ମୁଁ ତୁମ ଚିନ୍ତାର ବିଷୟ ନୁହେଁ ବାପା, ମୁଁ ୧୦ଟି ପୁଅର ଶକ୍ତି ଆଉ ସାମର୍ଥ୍ୟ ଯୋଗାଇବି ତୁମ ଲାଗି। ଏତେପରେ ବି ମୁଁ ତୁମର ଆଉ ମାଆର ମଧୁର ମିଳନ ଆଉ ରକ୍ତବିନ୍ଦୁରେ ତିଆରି। ତେଣୁ ନିଜ ରକ୍ତକୁ ନିଜଠୁ ଅଲଗା କରିବାର ସ୍ୱପ୍ନ ଦେଖୁଛ କିପରି ! 

           ଦୟାକର ମତେ, ମୋର ସୃଷ୍ଟିକୁ ସମ୍ମାନପୂର୍ବକ ଗ୍ରହଣ କର। ଶାସ୍ତ୍ରରେ କନ୍ୟା ସନ୍ତାନ ଜନ୍ମକୁ ଭାଗ୍ୟର ଫଳ ମନେ କରନ୍ତି। ଆଜି ତ ସମାଜ ବହୁତ ଆଗରେ।ତଥାପି କାହିଁକି ଅନ୍ଧବିଶ୍ୱାସର ପରିସମାପ୍ତି ଘଟୁନାହିଁ। କାହିଁକି ଖୋଲୁନି ଶୈକ୍ଷିକ ଦୃଷ୍ଟି! 

ଝିଅ ଆଉ ପୁଅ ମଧ୍ୟରେ ପ୍ରଭେଦ କଣପାଇଁ

କ'ଣ ଆମକୁ ଛାଡ଼ି ଏ ସମାଜକୁ ଆଗକୁ ନେଇପାରିବ ବାପା ! 

            ଆଃ ଆଃ ବହୁତ ଯନ୍ତ୍ରଣା। ଏ କ'ଣ କିଏ ମୋ ହାତକୁ ନଷ୍ଟ କରୁଛି, କିଏ ମୋ ଗୋଡ଼କୁ ନଷ୍ଟ କରୁଛି ମାଆ। ତୁ ତ ସ୍ନେହର ମୂର୍ତ୍ତିମନ୍ତ ଅବସ୍ଥା। କେମିତି ସହୁଛୁ ସନ୍ତାନର ଦୁଃଖ ! ହେଇ ଦେଖ ମୋ ଆଖି, କାନ ଆଃ ଆଃ ମାରନା ମାରନା , ମାରନା ମତେ, ମତେ ବଞ୍ଚାଅ। ମୋର ବି ଅଧିକାର ଅଛି ବଞ୍ଚିବାର। ଏ ସୃଷ୍ଟି ମୋର ଆବଶ୍ୟକତାକୁ ଚାହିଁ ବସିଛି। ଆଃ ପ୍ରବଳ କଷ୍ଟ, ଏତେ ଧାରୁଆ ଅସ୍ତ୍ର ବହୁତ ବହୁତ  କଷ୍ଟବୋଧ ହେଉଛି ମାଆ । ରକ୍ଷାକର ରକ୍ଷାକର ବାପା। ମୁଁ ତୁମର ଔରସରୁ ଜାତ। ପାପ ନୁହେଁ ପୁଣ୍ୟତାରୁ ସୃଷ୍ଟି। ଆଃ ଆଃ ,,ଆଃ,, । ଧୀରେଧୀରେ କ୍ଷୀଣ ଶବ୍ଦ। ନିଶେଷ ହୋଇଗଲା ସବୁକିଛି। ସାରା ଶରୀର ଟୁକୁଡ଼ା ଟୁକୁଡ଼ା ହୋଇଗଲା। କାଳର ଗର୍ଭରେ ଲୀନ ହୋଇଗଲା । ମାଆ କାନରେ ଏବେବି ଗୁଞ୍ଜରିତ ହୁଏ, ମାଆ ହୋଇ ଆଉ ଭାବୀ ମାଆର ପ୍ରାଣଘାତିନୀ କେମିତି ସାଜିଲୁ। ସତରେ କଣ ତୋର ପାପର ସନ୍ତାନ ମୁଁ "କନ୍ୟାଭ୍ରୂଣ" ।

**********

      ସରସ୍ବତୀ ନାୟକ, ପୁରୀ 

ଅଚିହ୍ନାବ୍ୟକ୍ତି

ମାଧବୀ ପଟେଲ।

କଞ୍ଚନ ସପ୍ତମ ଶ୍ରେଣୀରେ ପଢେ।ନାଆଁ ଯେମିତି କଞ୍ଚନ

ରୂପ ବି କଞ୍ଚନବରନା।

ସୁଗଠିତ ମନଲୋଭା ଶରୀର ,ହସହସ ମୁହଁ,ନିରୀହ ଆଖି ଲାଜୁକି ହସ ସମସ୍ତଙ୍କୁ ଆକର୍ଷିତ କରେ ନିଜ ଆଡକୁ।ସ୍କୁଲରେ ପଢୁଥିବା ଛାତ୍ରମାନେ ତାକୁନେଇ ଅନେକ ସ୍ବପ୍ନଦେଖନ୍ତି।ତା ସହ କଥା ହେବାପାଇଁ ସୁଯୋଗ ଖୋଜିବୁଲୁଥାନ୍ତି।ହେଲେ ଏମିତି କିଛି କୁସ୍ତିତ ଭାବନାର ବ୍ୟକ୍ତି ବି ଥାଆନ୍ତି ଯିଏ ପୈଶାଚିକ ମନୋଭାବର ପୂର୍ତ୍ତିପାଇଁ ସବୁବେଳେ ଚେଷ୍ଟାରେ ଲାଗିଥାନ୍ତି।ପ୍ରତିଦିନ ସ୍କୁଲ ଗଲାବେଳେ ଏକ ଅସୁନ୍ଦର ଭୟଙ୍କର ଅଚିହ୍ନାବ୍ୟକ୍ତି ଅନେଇ ରହିଥାଏ ଏକ ଗଛ ଅଢୁଆଳରୁ।ଲୋକଟାର ଗାଲରେ ଏକ କଟାଦାଗ ତାକୁ ବହୁତ ବିକୃତ ବିଭତ୍ସ କରେ।ସେ ତାକୁ ଦେଖିଲେ ତରତର ହେଇ ଆଗକୁ ସ୍କୁଲ ଚାଲିଯାଏ।ସେ ତା ମାଆକୁ ଏ ଅଚିହ୍ନାଲୋକ ବିଷୟରେ ସବୁ ବତାଇଥିଲା।ମାଆ ସେଥିପାଇଁ ସବୁବେଳେ ଆସଙ୍କିତ ରହୁଥିଲା।ସେ ଖରାପ ଲୋକଟା ତା ଝିଅ ଉପରେ କୁନଜର ରଖିଛି କେତେବେଳେ କଣ କରିଦେଇପାରେ?ଟିକେ ଦେରି ହେଲେ ସେ ଘର ବାହାର ହେଉଥାଏ ।ପ୍ରତି ମାଆ ମନ ଏମିତି

ଝିଅପାଇଁ ଛଟପଟ ହେଉଥାଏ।ତାପାଇଁ ଯତ୍ନଶୀଳ ଥାଏ।ଯେମିତି ତା ଝିଅ ବିପଦ ମୁକ୍ତ ହେଇରହୁ।ସେ ଛୋଟବେଳୁ ଝିଅକୁ ଅଜଣାବ୍ୟକ୍ତିଙ୍କୁ କେବେ ବିଶ୍ବାସ କରିବୁନି ବୋଲି ଶିଖାଇଛି।କିଏ କିଛି ତା ପସନ୍ଦରଜିନିଷ ଚକଲେଟ୍ ପ୍ରଭୃତି ଖାଇବାକୁ ଦେଲେ ଖାଇବୁନି ବୋଲି ବାରମ୍ବାର କହୁଛି।କିଏ ତତେ ଛୁଇଁଲେ ଯଦି ସେ ଛୁଆଁ ତତେ ଖରାପ ଲାଗୁଛି ତେବେ ତାଠୁ ଦୂରେଇ ରହିବୁ।ମତେ କହିବୁ ତା ବିଶୟରେ।ସ୍କୁଲରେ ଥିଲେ ଶିକ୍ଷୟତ୍ରୀଙ୍କୁ ଜଣାଇବୁ।ଝିଅବି ବଡ ବୁଦ୍ଧିମାନ।ସିଏ କରାଟେର ପ୍ରଶିକ୍ଷଣ ବି ନେଇଛି।କେବେ କିଛି ବିପଦ ପଡିଲେ ନିଜକୁ ଯେମିତି ଲଢି ବଞ୍ଚାଇ ପାରିବ।

ଦିନେ ସ୍କୁଲରୁ ଫେରିଲାବେଳେ  ତିନିଜଣ ଯୁବକ ଯେଉଁମାନେ ପାନ ଦୋକାନରେ ଥାଇ ତାକୁ  ନିରିଖେଇ ଦେଖୁଥିଲେ ତାପଛେ ପଛେ ଅନୁଧାବନ କଲେ।ସେ ବିପଦର ଆସଙ୍କା କରି ତାର ପାଦଖୀପ୍ର କରିଦେଲା।ହେଲେ ସେ ଯୁବକ ଗୁଡାକ ଦଉଡି ତା ପାଖକୁ ପହଞ୍ଚିଗଲେ।ଯଦିଓ ସେ ଯୁବକ ମାନେ ଶିକ୍ଷିତ ଭଲ ଘରର ଜଣା ପଡୁଥିଲେ ହେଲେ ତାଙ୍କର ଭାବନା କୁସ୍ଚିତ ଥିଲା।ସେମାନେ ତାକୁ ଧରିନେବାରେ ସଫଳ ହେଇ ଯାଇଥିଲେ।ସେ ତାର କରାଟେର କୌଶଳ ପ୍ରୟୋଗ କରି ଲାତଟିଏ ମାରି ଧରିଥିବା ଲୋକଠୁ ଛଡାଇହେଇ ଦଉଡିବାକୁ ଲାଗିଲା।ଠିକ୍ ସେତିକି ବେଳେ ସେ ସେହିଗଛ ତଳକୁ ପହଞ୍ଚି ଯାଇଥାଏ।ସେଇ ଅପରିଚିତ ଭୟଙ୍କର ଲୋକଟି ଏବେ ତା ସମ୍ମୁଖରେ ଥିଲା।ସେ ଏବେ କିଂ କର୍ତ୍ତବ୍ୟ ବିମୁଢ ଅବସ୍ଥାରେ ପଡିଥିଲା।ପଛରେ ବିପଦ ଆଗରେ ବିପଦ।ହରିଣୀ ଯେମିତି ଚାରିକଡରୁ ବିପଦରେ ଘେରି ଭଗବାନଙ୍କୁ ସ୍ତୁତି କଲା।ଯାଫଳରେ  ଯୋର୍ରେ ଝଡପବନ ବର୍ଷା ଆସି ପବନରେ ଜାଲ ଛିଣ୍ଡିଗଲା ବର୍ଷାରେ ନିଆଁ ଲିଭିଗଲା।ସାପ ଆସି ଶବରକୁ କାମୁଡିଦେଲା ଶିକାରୀର କୁକୁର ବଜ୍ରାଘାତରେ ମରଣ ହେଲା।ସେମିତିସେ ନିରୁପାୟ ହେଇ ଭଗବାନଙ୍କୁ ରକ୍ଷାକର ବୋଲି ଡାକିବାକୁ ଲାଗିଲ।ତାର ଚିନ୍ତାର ବାହାରେ ଏକ ଘଟଣା ଘଟିଥିଲା ସେତେବେଳେ।ସେଇ ଅଚିହ୍ନାବ୍ୟକ୍ତିଟି ଆସି ସେ ଯୁବକ ମାନଙ୍କ ମଧ୍ୟରୁ ଜଣକୁ ଧରି  ଶୂନ୍ୟରେ ଉଠାଇ ତଳେ କଚାଡି ଦେଲା।ତାର ଏପରି ଦୂରାବସ୍ଥା ଦେଖି ଅନ୍ୟ ଦୁଇଜଣ ଯୁବକ ଡରି ଲାଙ୍ଗୁଡ ଜକା କୁକୁର ପରି ଚାଲି ଯାଇଥିଲେ।ତଳେ ପଢିଥିବା ଯୁବକଟି ଆଉ ଉଠି ପାଳିଲାନି।ଲୋକଟି ଯୁବକକୁ ଲକ୍ଷକରି କହୁଥାଏ।ତୁମପରି ଲମ୍ପଟ ମାନଙ୍କ ପାଇଁ ମୁଁମୋର ଝିଅକୁ ହରାଇ ବଞ୍ଚିଛି।ମୋ ଝିଅର ବଳତ୍କାର ହେଲାପରେ ସେ ଆତ୍ମହତ୍ୟା କରିଦେଲା।ତାର ମାଆ ଝିଅର ମରଣ ଦୁଃଖରେ ପାଗଳୀ ହେଇଗଲା।ଏବେ କଞ୍ଚନର ସେ ଅପରିଚିତ ଲୋକପ୍ରତି ଥିବା ଭୟ ଚାଲିଯାଇଥିଲା।ସେ ପାଖକୁ ଯାଇ କହିଲା ବାବା ତୁମେ କିଏ?ଏଠି ସବୁଦିନ ରହି କଣକର?ସେଲୋକଟି କହିଲା।ସ ଜଣେ ସୈନିକ ଥିଲା।ଘରେ ନିଜ ସ୍ତ୍ରୀଝିଅକୁ ଛାଡି ଦେଶ ସେବାରେ ସୀମାରେ  ଯୁଦ୍ଧରେ ରତ ଥିଲା।ଚେହେରାର ଏ କ୍ଷତ ସେଇ ଯୁଦ୍ଧର ଚିହ୍ନ।ଯୁଦ୍ଧରୁ ଫେରି ଶୁଣିଲା ତା ଝିଅର ବଳତ୍କାର ହେଇଗଲା।ସେ ଆତ୍ମହତ୍ୟା କରିଦେଲା ଲୋକଙ୍କ ନିନ୍ଦା ସହିନ ପାରି। ଏ ସମାଜ ବି ବଡ ଅଜବ ବିନା ଦୋଷରେ ଝିଅଟେହିଁ ନିନ୍ଦିତ ହେଇଥାଏ।ଆଜି ଯଦି ମୁଁ ନଥାନ୍ତି ତୋର ବି ସେ ଅବସ୍ତା ହେଇଥାନ୍ତା।ମୋସ୍ତ୍ରୀ ଝିଅର ବିଛେଦର ଦୁଃଖରେ ପାଗଳୀ ହେଇଗଲା।ମୋ ଝିଅ ଦେଖିବାକୁ ଠିକ୍ ତୋପରି।ଏଇ ଦେଖ ତାର ଫଟୋ।ସତକୁସତ ଫଟୋଟି ଦେଖିବାକୁ ତାପରିଥିଲା।ମୁଁ ତୋ ଭିତରେ ନିଜ ଝିଅକୁ ଦେଖୁଥିଲି।ସେଥିପାଇଁ ତୋର ଝଲକଟେ ପାଇବାପାଇଁ ଏଠି ଜଗିଥାଏ ତୁ ସ୍କୁଲ ଗଲାଓ ଫେରିଲାବେଳେ।ସେଦିନ କଞ୍ଚନ ଭାବୁଥିଲା ଯାହାକୁସେ କଦର୍ଯ୍ୟ ଭୟଙ୍କର ଅପରିଚିତ ଭାବୁଥିଲା ସିଏ କେତେ ଭଲ।ଅଥଚ ଭଦ୍ରମୁଖା ପିନ୍ଧା ସେ ଯୁବକ ଗୁଡାକ କେତେ ଭୟଙ୍କର।

ଝାରସୁଗୁଡା।

ମୋର ଗାଁ ମାଟି

 ସରୋଜ କୁମାର ସାହୁ


ସବୁଜିମାଭରା ଗାଆଁଟି ମୋହର

ଲାଗେ ଭାରି ମନୋହର

ବିଲବଣ ସାଥେ ପାହାଡି ଝରଣା

ଅଟେ ସରଗରପୁର।

ଜାତି ଜାତିଆଣ ଭେଦଭାବ

ମୋର ଗାଆଁରୁ ଯାଇଛି ହଟି

ସ୍ନେହ ପ୍ରେମଭାବ ଅତୀତର ଗାଥା

ଝରି ପଡୁଅଛି ଲୋଟି।

ଅଜାଡି ଦେଉଛି ସୁନାର ଫସଲ

ଚାଷିର କର୍ମଠ ହାତେ

ଉର୍ବର ମାଟିଟି ଫୁଲଫଳ ଶସ୍ୟ

ବୁଣି ଦେଉଅଛି କ୍ଷେତେ।

ବାରମାସେ ତେର ପର୍ବପର୍ବାଣୀ

ଆୟୋଜିତ ହୁଏ ଏଠି

ଦଣ୍ଡନାଚ ଗୀତ ଖୁସିର ମାହୋଲ

ଗାଆଁ ସାରା ଦିଏ ଭେଟି।

ଗାଆଁରୁ ସହର ଯାତାୟତ କ୍ଷେତ୍ରେ

ସୁବିଧା ରହିଛି ଭରି

ବିଦ୍ୟାଳୟଟିର ଶୃଙ୍ଖଳା ଆଦର୍ଶ

ଲାଗେ ଦେବାଳୟ ପରି।

ଗାଆଁର ଯୁବକ ମତ୍ସ ଗୋପାଳନ

ସବୁକ୍ଷେତ୍ରେ ଆଗଭର

ଜ୍ଞାନବିଜ୍ଞାନର ଉନ୍ନତି ଧାରାରେ

ଦାରିଦ୍ର ହୋଇଛି ଦୂର।

କୋଠଘରୁ ସେହି ସଂଙ୍ଗୀତ ମୂର୍ଛନା

ଭକତିର ଭାବ ବହେ

ଗ୍ରାମଦେବତୀଙ୍କ ଘଣ୍ଟ ଧୂପ ଦୀପ

ହୃଦୟରୁ କ୍ଲାନ୍ତି ମୋହେ।


ସରୋଜ କୁମାର ସାହୁ
ଆଠଗଡ,କଟକ

ମାଗି ଖିଆ ପର ତରକାରିରେ ଘର

 ମାଗି ଖିଆ ପର ତରକାରିରେ ଘର 

ଚ଼ଳେଇବାକୁ କେତେ ଦିନ ତୁମ୍ଭ ମନ  

       🌹❤️ ❤️🌹

ଇଲେକସନ ବେଳେ ନେତାର ପ୍ରତିଶ୍ରୁତି ହାତୀ ଦେବି

ଘୋଡା ଦେବି ଭୋଅଟ ଦିଅରେ

ମଦ ଟିକେ ପିଇ ଦଳୀୟ କର୍ମୀ ବୋବାଲ କରଇ 

ପୋଷ୍ଟର ମାଇକ ବାନ୍ଧି ଭୋଅଟ ନିଶାରେ


ଭୋଅଟ ସରିଲା ଆଉ ଉଲୁସି ଉଠୁନି ସେହି 

ଇଲେକସନ ନିଶା

ଭୋଟର ସ୍ମୃତିରେ ଭରି ରହି ଅଛି ସେହି ରୂପେଲି

ଜୋଛନା ଆଶା


ଭୋଅଟ ପାଇ ଉଡି ଗଲେ ନେତା ଆଜି ଆଉ 

ଦଉଡିବା ନାହିଁ

ଭୋଟର ସ୍ମୃତିରେ ଆଉ ରଣଝଣ ମାଇକର ଧ୍ୱନି

ବାଜେନି କାହିଁ 


ଭୋଟର ଦେଖୁଛି ଜତିଥିବା ନେତାର ରାଜତ୍ୱ

କାଳରେ ଅତ୍ୟାଚାର

ପ୍ରତି ମୁହୂର୍ତ୍ତରେ ଜନତା ହେଉଛି ଦୁଃଖ ଜର୍ଜରିତ

ଶୋଷଣର


ଦୁର୍ଦ୍ଦଶାଗ୍ରସ୍ତ ଭଗ୍ନ ଅନ୍ତରରେ ମୂକ ହୋଇଛି ସେ 

ଦୁଃଖରେ ହୋଇ ପ୍ଳାବିତ

ଦୂର ହୋଇଛି ତାର ସବୁ ସୁଖ ସମୃଦ୍ଧି ଦୁଃଖର

ତରଙ୍ଗେ ହୋଇ ପ୍ରଭାବିତ


ପୁଂଜିପତିର ଚେଲା ସେ ନାଗର ବିଷର ଆଘାତେ

ଶ୍ରମିକ କୃଷକ ଜର୍ଜରିତ 

ବେଦନା ଭରା ମୃତ୍ୟୁର ସ୍ରୋତେ ଆଜ ହୋଇଛି ତାର

ଭବିଷ୍ୟତ ବିପର୍ଯ୍ୟସ୍ତ 


ଜୀବନ ବୃକ୍ଷର ଆଶା ନିରାଶାର ଦୁଇ ଡାଳେ 

କିଛି ଦୁଃଖ ଅନ୍ଧାରରେ 

କରି ଜପାମାଳି କେହି କେହି ଦୁଃଖ ଯାଉଛନ୍ତି ଭୁଲି

ତାଙ୍କ ବିଚାରଧାରାରେ


କେହି କେହି ଦୁଃଖ ଯାଉଛନ୍ତି ଭୁଲି ଭାବି

ହସ କାନ୍ଦ ଜୀବନର ଦୁଇଟି କାକଳି 

ନିଜକୁ ସମ୍ଭାଳିଛନ୍ତି ଭଲ ମନ୍ଦ ଭାଗ୍ୟ ଭଗବାନ

ଦୋଳିରେ ଝୁଲି 


ସେ କାହୁଁ ଜାଣିବ ଗର୍ବ ଅଂହକାରେ ଆଜିର ନେତା

କରେ ମିଛ ରାଜନୀତି

ଧନ ଦୈାଲତ ଦେଖି ଭୁଲିଗଲା ସିଏ ନେତା କରେ

ଧରମର ମିଛ ରାଜନୀତି


କୁହ ନୈରାଶ୍ୟବାଦୀ ହୋଇ ଭାଗ୍ୟ ଭଗବାନେ 

ଜୀବନ କାଟିଲେ 

କୁହ କିଏ ପାଇଛି ସଂକଟୁ ମୁକତି ଜୀବନରେ

ସଂଗ୍ରାମ ନକଲେ

 

ଶ୍ରମିକ ଭାଇଂକୁ ଏକାଠି ହୋଇ ଜବାବ 

ମାଗିବାକୁ ହେବ 

କଥା ଦେଇ କଥା ରଖିଲୁ ନାହିଁ ପୁଂଜିପତିର

ଗୋଟାପଣେ ହୋଇଗଲୁ କୁହ


ମାଗିବାକୁ ହେବ ଜବାବ ଶାସକକୁ କେମିତି 

କହ ତୋ ହୃଦୟ ସହିଲା 

ଶ୍ରମିକ କୃଷକଂକୁ ଦେଇଥିବା ପ୍ରତିଶ୍ରୁତି ଭୁଲି

କେମିତି ତୋ ମନ ବୁଝିଲା


ଟିକେ ଶୁଣ, ଟିକେଶୁଣ, ଟିକେ ଶୁଣ ଆହେ ମୋର

ଭୋଟର ଭାଇ ଭଉଣୀ ଗଣ

ମାଗି ଖିଆ ପର ତରକାରିରେ ଘର ଚ଼ଳେଇବାକୁ

କେତେ ଦିନ ତୁମ୍ଭ ମନ            

********

ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ

ବାହାନା

ସୂର୍ଯ୍ୟ ନାରାୟଣ ସାବତ


ବାହାନା କେବେ କିଏ କେତେବେଳେ କାହିଁକି କରିଥିଲା କେଜାଣି,

ଜନ୍ମ କ୍ଷଣେ ନକ୍ଷତ୍ର,

ବୃଦ୍ଧି ବେଳେ ଭାଗ୍ୟ,

ମୃତ୍ୟୁ କାଳେ ଲଗ୍ନ ବି ଛାଡ଼ ପାଇଲେନି।


ଏବେ ବାହାନା,

ସତ୍ୟକୁ ସାମନା କରିବାର ମିଥ୍ୟା ପ୍ରୟାସ,

ଏବେ ବାହାନା,

ଅସତ୍ୟ ସହ ବନ୍ଧୁତାର ଲୁପ୍ତ ଇତିହାସ,

ଏବେ ବାହାନା,

ଆସକ୍ତି ସହ ବଞ୍ଚିରହି ନିର୍ଲିପ୍ତତାର ଅଭିନୟ,

ଏବେ ବାହାନା,

ସବୁକିଛି ଆତ୍ମସ୍ଥକରି ତ୍ୟାଗର ତୁଚ୍ଛା ପରିଣୟ ।


କବେ କେବେ ଇଚ୍ଛା ହୁଏ,

ପାହାଡ଼ ସବୁ ଭାଙ୍ଗି ପାରନ୍ତି କି ?

ସମୁଦ୍ରର ସବୁତକ ଜଳ ଶୁଖାଇ ଦିଅନ୍ତି କି ?

ଦୁଇ ମେରୁକୁ ଯୋଡ଼ିଦେଇ ଗାମୁଛା ସାଜି କାନ୍ଧରେ ପକାଇ ପାରନ୍ତି କି ?

ବାମନ ରୂପୀ ଭଗବାନଙ୍କ ସବୁ ଶକ୍ତି ହାତେଇ ନିଅନ୍ତି କି ?


ମୁଁ ମୋ ପାଇଁ ଏକ ବାହାନା,

ବାହାନାରେ ମୋର ଆଦି ଆଉ ଵୃଦ୍ଧି,

ବାହାନାରେ ବଞ୍ଚିବାର କଳା ଓ କୌଶଳ,

ଏଣୁ ବାହାନା ହିଁ ମୋର ମରଣର ମୂଳ ।



                      ସହକାରୀ ଶିକ୍ଷକ,

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଗୁମ୍ମା(ବୈପାରିଗୁଡା)କୋରାପୁଟ ଜିଲ୍ଲା

ବାଟୋଇ

  

        ଶ୍ରୀରାମ ସାହୁ।


ସଂସାର ପଥର ମୁଁ ଜଣେ ବାଟୋଇ

ଚାଲିବାକୁ ଅଛି ବାକି।

ଜୀବନ ଜଞ୍ଜାଳ ଗ୍ରାସ କରିଲାଣି

ନ ପଡିବି ଆଉ ଥକି।୧

ସତ୍ୟ ଧର୍ମପଥ ଆଶ୍ରେ କରିସଦା

ନିତିି ଚାଲୁଥିବି ବାଟ।

ଅନ୍ୟାୟ ମାର୍ଗରେ ଯିବିନାହିଁ ଦିନେ

ଜୀବ ଥିବାଯାଏ ଘଟ।୨

ଝଡଝଞ୍ଜା ଯେତେ ଆସୁଏ ଜୀବନେ

ପଥଭ୍ରଷ୍ଟ ହେବିନାହିଁ।

ଲକ୍ଷ୍ୟ ସାଧନାକୁ ବ୍ରତବୋଲି ଭାବି

କର୍ତ୍ତବ୍ୟ କରିବି ମୁହିଁ।୩

ଷଢ଼ରିପୁ ଠାରୁ ନିଜକୁ ଦୂରେଇ

ସବୁବେଳେ ରଖୁଥିବି।

ଦୁଃଖୀ ଦରିଦ୍ରଙ୍କ ସେବାଯତ୍ନ ପାଇଁ

ମନ ମୋର ବଳାଇବି।୪

ଜୀବନ କାଳରେ କର୍ମଏକା ସାର

ସୁକର୍ମ ମୂଲ୍ୟ ଅପାର।

ଯୁଗଯୁଗ ଧରି ପୂଜା ପାଇଥାଏ

ମାନବ ହୁଏ ଅମର।୫

_________

        ଫୁଲବାଣୀ।କନ୍ଧମାଳ।

ସ୍ୱାର୍ଥପର

ସ୍ୱେଚ୍ଛାସେବୀ ଆଜି ମୁଁ ବି ସ୍ୱାର୍ଥପର

କଅଣ ଘଟିଲା ଜୀବନରେ ମୋର

ଛଳ ସମୟକୁ ଟିକେ ଅପେକ୍ଷା କର

ମିଳିଯିବ ସବୁ ପ୍ରଶ୍ନର ଉତ୍ତର।


କଳୁଷିତ ଏଠି ପ୍ରେମ ଆକାଶ ଯେ

ବୁଡି ବୁଡି ଯାଏ ବିଶ୍ୱାସ ଡଙ୍ଗା

ନୂଆ ସମାଜ ର ନୂଆ ଅନୁଚିନ୍ତା

ସତ ଶସ୍ତା ଏଠି ମିଛ ମହଙ୍ଗା।


ବାସୁ ନାହିଁ ଏଠି ପ୍ରେମ ର ମହକ

ଜଳୁଅଛି ଏଠି ଈର୍ଷାର ନିଆଁ

ଛଳନା ବାହାନା ପୁଣି ପ୍ରବାଞ୍ଛାନା

ସତେ ଚାଲୁଅଛି ସ୍ୱାର୍ଥୀ ଦୁନିଆ।


ସମାଜ ସାଜିଛି ସ୍ୱାର୍ଥପର ଏଠି

କହୁଛି ସେ ସ୍ୱାର୍ଥବାଦୀ କାହାଣୀ

ସ୍ୱାର୍ଥହାଣ୍ଡି ଥରେ ହେଲେ ପୁରଣ ଯେ

ତୁମେ କିଏ ମୁଁ ଜମା ଜାଣେନି।


ବିଶ୍ୱାସର ମୂଲ୍ୟ କମି କମି ଯାଏ

ମିଛ ହସ ମୁହେଁ କଟେ ଜୀବନ

ବିରହ ତ ମିଳେ କୋଣେ ଅନୁକୋଣେ

ସତ ପ୍ରେମ ସାଜେ ସାତ ସପନ।


ଧନ୍ୟବାଦ
ପପୁ ପରିଡା
ରାଳବ,ଗଞ୍ଜାମ

ଅସହାୟ ଜୀବନ

      ମନୋଜ କୁମାର ଦାସ

 ସମୟ ବୁଝିଲାନି

ଜୀବନର ଅକୁହା କଥା

ଦୋଷ ନକରି ଦୋଷୀ ହେବା

ଅନ୍ଧଗଳିରେ ଅନ୍ଧାରିଶାସନ

ରକତ ଚିହ୍ନୁନି ରକତକୁ

ପାରିବାରିକ ସମସ୍ୟାରେ

 ଅସହାୟ ଜୀବନକାଟିବାକୁ

ତାଡନାର ବାହୁବଳୟରେ

ନିଜରଭିଟାମାଟି ଛାଡି

ଶୀତକାକରରେ ଜୀବନ

ଗଛମୂଳେ, ହୋମପାଇପ ରେ

ଦହନୀୟ  ଅବସ୍ଥାରେ

ଗୁଣିଗାରେଡି କରି

ପରିବାରର ନିରୀହଜୀବନକୁ

କଣ ମାରିପାରେ ଏ ଜୀବନ

କଦାପି ନୁହେଁ

ରାଣନିୟମ କରୁଛି

ଭଗବାନ ସବୁ ଦେଖୁଛି

ଅନ୍ଧବିଶ୍ୱାସ ରେ  ଅନ୍ଧହୋଇ

ଘରଠୁ ଗାଁ ଲୋକମିଶି

ଏପରି ନିର୍ଯ୍ୟାତନା ର ଶିକାର

ଭାଇହେଲା ଭଗାରୀ

ନ୍ୟାୟଅପେକ୍ଷାରେ ପରିବାର

ଆଖିରୁ ଲୁହଶୁଖିବାର ନାହିଁ

 ହେ ଭଗବାନ ଦୁଃଖ ବୁଝ ଆଇନ ତା ବାଟରେ ଯାଉ

ସମାଜରୁ କୁ ସଂସ୍କାର

ହେଉ ଦୂର  l

********

ଆଳିଜଙ୍ଗl, କେନ୍ଦ୍ରାପଡ଼ା

<<<<<<<<< ଅଫେରା >>>>>>>>>

ଏ ଭବସାଗରୁ ଯାଏ ଯିଏ ତରି  

        ଆସେ ନାହିଁ ଫେରି ।

ଯେତେ ମୁଣ୍ଡ ବାଡେଇଲେ କୋଡ଼ି

         କରିଲେ  ଗୁହାରି।।

ଚାଲି ଯାଇଥିବା ସମୟ କେବେ

         ଆସେ ନାହିଁ ଫେରି ।

ଠିକଣା ବେଳାରେ କର କାର୍ଯ୍ୟ

         କର ନାହିଁ ଡେରି ।।

ଉଚିତ୍ ସମୟେ କାର୍ଯ୍ୟ କରିଲେ

          ହୋଇ ତତପରି ।

ସମାଜରେ ତୁମେ ରଖିବ ଟେକ

          ରହିବ ତୁମ ଶିରି ।।

ତୁଣ୍ଡ ରୁ ବଚନ ଥରେ ଗଲେ ବାହାରି

           ଆସେ ନାହିଁ ଫେରି ।

ମଧୁର ବଚନ ପରା ସମ୍ବଦ୍ଧ ବଢାଏ

            ଲାଗେ ସମ୍ପର୍କ ଡୋରି ।।

କଟୁ ବଚନ ଯେବେ ତୁଣ୍ଡରୁ ବାହାରେ

             ଲାଗେ ଜହର ପରି ।

ଘୃଣା ର ପାତ୍ର ହୋଇଯିବ ସିନା ତୁମେ

            କେହି ଦେଖିବେନି ଶିରି ।।

ଧନୁ ରୁ ତୀର ଯାଏ ଯେବେ ବାହାରି

            ଆସବ ନାହିଁ ଫେରି ।

ହତରୁ ଗଲେ ଟେକା ଅଣ ଆୟତ

           ହୁଅଇ କ୍ଷତିକାରୀ ।।

ବୋହି ଗଲା ପାଣି ଆସେନାହିଁ ଫେରି

          ରଖିଲେ ଶଞ୍ଚୟ କରି ।

ସଦୁପଯୋଗ କରିଲେ ସେହି ଜଳକୁ

           ହୋଇବା ଉପଚାରି ।।

ଅତୀତ ଘଟଣା ଆସେ ନାହିଁ ଫେରି

           ହୁଅଇ ଇତିହାସ ।

ଉତ୍ତମ କାର୍ଯ୍ୟ କଳାପ ସ୍ତୁତି ହୋଇ ରୁହେ

           ଖରାପରେ ପରିହାସ ।।

ଯାଏ ଯିଏ ଚାଲି ଆସେ ନାହିଁ ଫେରି

           ଏ ଭବ ସଂସାର ରେ।

ଅଫେରା ହୋଇକି ରହିଯାଏ ସିଏ

           ମାନବ ଜୀବନରେ ।।

ବାଲ୍ୟ, ଶୈଶବ, ଯୌବନ ଓ ବୃଦ୍ଧ

           କେହି ଆସିବନି ଫେରି ।

ଯେତେ ଦିନ ପର୍ଯ୍ୟନ୍ତ ଥିବ ଏ ସଂସାରେ

            ଭଜୁ ଥାଅ ହରି ହରି ।।

'"""""""""""""""""""""""""""""

ସଂଗ୍ରାମ କେଶରୀ ନାୟକ
ସଂଖୁଆ ଗଡରୁପାସ ଗୋପ ପୁରୀ

ସାବିତ୍ରୀ ବାଇଙ୍କ ଜନ୍ମ ଦିବସରେ କାମନା

ମହାନ ମାନବୀ ସାବିତ୍ରୀ ବାଇଙ୍କ ଜନ୍ମ ଦିବସରେ କାମନା

କରେ ଏ ଭାବନାରେ 

କ୍ଷୁଧାର୍ତ୍ତକୁ ଅନ୍ନ, ବେକାରକୁ ନିଯୁକ୍ତି, ଶ୍ରମିକକୁ ଶ୍ରମର ସୁଫଳ, 

ହସ ଫୁଟୁ କୃଷକ ଓଠରେ 


ନାରୀ ଆଦିବାସୀ ଦଳିତଙ୍କ ସଂଘର୍ଷ ଚୋଟରେ ପୁରୁଷ 

କୈନ୍ଦ୍ରକ ସମାଜ ଧ୍ବଂସ ପାଉ

ବେଦନାକୁ ପାଦେ ଦଳି ନାରୀ ଯା ପାରିନି ତାହା ଆଜି

ବଜ୍ର କଣ୍ଠେ ନାରୀ କହୁ 


ଫୁଟିଉଠୁ ମାନବତା ଲୁଚିଯାଉ ସବୁ ନାରୀ ବିରୁଦ୍ଧ ଶାସ୍ତ୍ର 

ବାଣୀ ଏଇ ସମାଜରେ 

ଫୁଟିଉଠୁ ମାନବତା ନହେଉ ଧର୍ଷିତା ଜଣେ ବି କନ୍ୟା

କି ବଧୂ ଏଇ ସମାଜରେ 


ନମରୁ ଜଣେ ବି ଶିଶୁ ଖାଦ୍ୟ ଅଭାବେ ସଢ଼ି ସଢ଼ି 

ପୁଷ୍ଟିହୀନତାରେ 

ଫୁଟି ଉଠୁ ମାନବ ଜୀବନ ବୃନ୍ତେ ସାମ୍ୟ ଶାନ୍ତି

ଦିହଜାର ଏକୋଇଶିରେ

************

ଚିତ୍ତ ରଞ୍ଜନ ନନ୍ଦ

ଜଗତପୁର, କଟକ

ଜୀବନକୁ କି' ଭରଷା

                        ହରିହର ଭୂକ୍ତା


     ଦୁର ତାଳବଣେ ବାଇଆ ବସା

     ଝଡ, ବତାସକୁ ନାହିଁରେ ଆଶା

           କ୍ଷଣପ୍ରଭା ନା' କୁଳିଶା

    ଯେହ୍ନେ ବାରିବାହ ତପନ ମୟୂଖ

          ଗ୍ରାସଇ ଚଷା ବେଉଷା  ।


     ଗଙ୍ଗ ଶିଉଳିର ସମ ତୋର ତନୁ

    ଶେଷ ଠିକଣା ତୋ' ମାଟି ମା' କୋଳ

          ବରଷା ଓଳି ସଲିଳ

   ବୁଦ୍ ବୁଦ୍ ଫୋଟକା କ୍ଷଣେ ହେବ ଶେଷ

           ପବନର ଅଣଚାଷ  ।


   ନିଶିଥିନୀ ଶେଷେ ପ୍ରାତଃ ପ୍ରବେଶ

   ପ୍ରଦୋଷ ଶେଷରେ ଘସ୍ର ପ୍ରବେଶ

        ମତ ଗରବରେ ବସ

   ଦୁଇ ଦିନ ଏଇ ମଣିଷ ଜୀବନ

      ଧନ ଗର୍ବେ ପୌଷ ମାସ  ।


  କ୍ଷଣ ଭଙ୍ଗୁର ଏ' କ୍ଷଣିକ ଶରୀର

  ଧନ,ଯୌଉବନ କ୍ଷଣ ଭୁବନ

      ଲୋଭ କିମ୍ପାଇ କାଞ୍ଚନ

ବୈକୁଣ୍ଠ ପତିଙ୍କ ଚରଣେ ଶରଣ

      ନିଅ ଆରେ ମୁଢ ମନ  ।


             (ସମାପ୍ତ)
     ତାଳଚେର,ରାକସ,ଅନୁଗୋଳ

ବାସ୍ନା...

ନିର୍ମଳ ନାୟକ 
(କାବ୍ୟ ରୂପ )


ରଙ୍ଗ ହୀନ, ବାସ୍ନା ହୀନ, ଦୃଷ୍ଟି ହୀନ.. 

ହେ ମରୁତ ଦେବ ତଵ  ଉପାଖ୍ୟାନ... 

ସୃଷ୍ଟି ସର୍ଜନା ଅସମ୍ଭବ ତଵକୃପା ବିନା.. 

ହେ ବାୟୁଦେବ କୋଟି କୋଟି ନମନ !! 


ତଵ କୃପାରୁ ସୁଗନ୍ଧ ଗତିଶୀଳ ସଂସାରେ.. 

ବାସ୍ନା ର ପରିଚୟ ମିଳେ ସାରା ଜଗତରେ.. 

ମନ ମୋହେ ସଭିଙ୍କ ସ୍ଥାନ ହୃଦୟ କନ୍ଦରେ.. 

ପ୍ରଶଂସନୀୟ ର  ପାତ୍ର ହୁଏ ଏ ଦୁନିଆରେ !! 


ନାସିକା ର ପ୍ରିୟମିତ୍ର ଆଗୋ ବାସ୍ନା  ରାଣୀ.. 

ସୁଗନ୍ଧ ତଵ ବୟାନ କରେ  ସଭି  କାହାଣୀ.. 

ପ୍ରଫୁଲୀତ ଜୀବନରେ ତୁମେ ହିଁ ଓଁ  ବାଣୀ... 

ସଂସାରେ  ପ୍ରଶଂସା ପାତ୍ର ଏହି ତୁମ କାହାଣୀ !! 


ବିନ ଆଉ ରାତି, ଭଲ ଆଉ ମନ୍ଦ, ସଂସାରେ.. 

ଗନ୍ଧ ଆଉ ଦୁର୍ଗନ୍ଧ ସାଥି ଏହି ମହୀ ମଣ୍ଡଳରେ.. 

ମାନ ଅପମାନ ସହ ଚାଲେ ବାସ୍ନା ଦୁନିଆରେ 

ଦୁର୍ଗନ୍ଧ ମନେ ଘୃଣା ଭାବନା  ହିଁ  ସୃଷ୍ଟିକରେ !! 


ତେଲ ଲୁଣ ର ସଂସାରେ ବାସ୍ନାର ପରିଚୟ... 

କିଛି ଲୁହ, କିଛି ହସ, ଦୁଃଖ ସୁଖ ର ବିଷୟ.. 

ଆଦର, ହତାଦର ଲେଖା ଯୋଖା ଅଭିନୟ.. 

ବାସ୍ନା ରାଣୀ ତୁମେ  ସଦା ସର୍ବଦା ବନ୍ଦନୀୟ !! 


151, ନାଗା ର୍ଜୁନ କଲୋନୀ 

ନାରା ରୋଡ, ଜରିପଟକା

ନାଗପୁର, ମହାରାଷ୍ଟ୍ର 

440014

ନୂଆଁ ଜୀବନ

ଉଜୁଡା ଉଜୁଡା ଥିଲା ଏ ଜୀବନ

ଏବେ ସୁଶୋଭିତ ହେବାକୁ ଲାଗିଛି।

ତୋର ପ୍ରେମ ବଦଳି ଦେଲା ଜୀବନ

ଏବେ ହସିବା କାନ୍ଦିବା ଶିଖୁଛି।

ଅନୁରାଗକୁ ବୁଝିବା ଶିଖୁଛି

 ଏବେ ଦୁନିଆଁ ସୁନ୍ଦର ଲାଗୁଛି

ଦୁନିଆଁ ମୋର ଉଜୁଡି  ଯାଇଥିଲା

ପ୍ରଭୁ ମୋ ପାଖକୁ ପଠାଇଛି।

ଶୁଷ୍କ ନୀରସ ଥିଲା ଏ ଜୀବନ

ବସନ୍ତ କରାଘାତ କରୁଛି।

ଡାଳ ଡାଳ ଫୁଲରେ ମହକୁଛି

ନୂଆଁ କାହାଣୀ ଲେଖା ଚାଲିଛି।

ହୃଦୟର ତାଲା ଖୋଲି ଖୋଲି ଯାଉଛି

ଏବେ ହସିବା ଗୁଣୁଗୁଣେଇବା ଲାଗିଛି।

 ଉଜୁଡା ଉଜୁଡା ଥିଲା ଏଜୀବନ

ଏବେ ସୁଶୋଭିତ ହେବାକୁ ଲାଗିଛି।

ତୋର ପ୍ରେମ ବଦଳି ଦେଲା ଜୀବନ

ଏବେହସିବା ଗଣୁଗୁଣେଇବା ଶିଖୁଛି।

ବିଦେଶୀ ଚାକିରିଆ ପୁଅ

   ସାନିଆଁ ବହୁ କଷ୍ଟରେ ପହଞ୍ଚିଥିଲା ଓଡିଶା ମାଟିରେ।ଭୂବନେଶ୍ବର ଏୟାରପୋର୍ଟରେ ଓହ୍ଲାଈ ସେ ମୁଣ୍ଡ ନୁଆଁଇ ମାଟିଟିକେ ଉଠାଇଲା ଓ ନିଜ ମୁଣ୍ଡରେ ଲଗାଇଲା।କେତେ ଶୁଗନ୍ଧ ଥିଲା ଏ ମାଟିରେ।ଏ ପରା ତା ଜନ୍ମମାଟି।କେତେ ଝୁରି ହେଉଥି୍ଲା ସେ ଏହି ମାଟିକୁ।

ଏ ମାଟିରେ ତାର କେତେ ସୃତି ବିଜଡିତ ହେଇରହିଛି।ଏଇମାଟିରେ ତାର ପୂର୍ବ ପୁରୁଷଙ୍କଅବଶେଷ ମିଶି ରହିଛି।ଏମାଟିରେ  ସେ ପ୍ରଥମ ପାଦ ପକାଇ ଚାଲି ଶିଖିଛି।ଏଠି ସେ ବିଦ୍ୟାର୍ଜନ କରିଛି।କିଶୋରୀରୁ ଯୁବତୀ ହେଇଛି ।ୟାରି ଷଡ ଋତୁର ପ୍ରଭାବରେ ଆମୋଦିତ ପୁଲକିତ ହେଇଛି ତାର ତନୁ ଯୌବନ।ଅନେକ ସ୍ବପ୍ନ ଦେଖିବା ଶିଖେଇଛି ଏଇ ମାଟି ମାଆ।ତାର ସବୁଜ ପଣତ ତଳେ ବଣ୍ୟ ଝରଣାରଜଳ ପିଇ ନାନା ଜାତିର ପକ୍ଷୀଙ୍କ କଳରବ ଭିତରେ ସେ ଖୋଜି ନେଇଥି୍ଲା ସୁଖର ସଂସାରଟେ।ହେଲେ ଯୁବତୀ ହେବାପରେ ଘରପାଇଁ ବୋଝ ବନିଯାଇଛି।ବାପାମାଆ ମୁଣ୍ଡର ବୋଝ ଉତାରିଦେବାକୁ ବରପାତ୍ର ଖୋଜିଛନ୍ତି।ଜଣେ ଦଲାଲ ତା ମଦୁଆ ବାପାକୁ ମଦ ପିଆଇ ତାଝିଅ ପାଇ ଏକ ବିଦେଶୀ ଚାକିରିଆ ପୁଅଟେ ଯୋଗାଡ କରିଦେଇଛି କହି ଲୋଭ ବଢାଇଛି।ତାହାତରେ ଦଶହଜାର ଏଡଭାନ୍ସ ଗୁଞ୍ଜି ଦେଇଛି।ମଦୁଆ ବାପା

ତାର ଆକାଶକୁ ଛୁଇଁବାର ସ୍ବପ୍ନରେ ବିଭୋର।ବିଦେଶୀ ଯୋଇଁ କରିବ।ଗାଁରେ ସମ୍ମାନ ବଢିବ।ଝିଅ ତାର ସୁଖରେ ରାଜରାଣୀ ହେଇ ରହିବ ସେ ଖୁସିରେ ତାର

ମନ ଜୁଆରିଆ ନଈଟିଏ ପରି ଥଳକୂଳ ନମାନି ବହିଯାଉଛି।ଦଶ ହଜାର ଟଙ୍କା ଦେଖି ତା ମାଆର ଆଖିରେ ବି ଖୁସିର ଚମକ। ଅର୍ଥ ଆସିବାର ଏଇ ତ ଆରମ୍ଭ।ଝିଅ ବିଦେଶ ଗଲେ କେତେ ବଦେଶୀ ଜିନିଷ ପଠାଇବ ତାଙ୍କରି ପାଇଁ।ଛୋଟ ଭାଇଟା ବି ଖୁସିରେ ଡେଉଁଛି ନାନୀ ଦୁବେଇ ଯିବ କହି।ଆଉ ସମସ୍ତଙ୍କ ଖୁସି ଦେଖି ସାନିଆଁବି  ନିଜର ଭାବି ସ୍ବାମୀକୁ ନେଇ ସ୍ବପ୍ନବିଭୋର ହେଇ ଉଠିଛି।

ଦାମି ଶାଢୀଗହଣା ଦେଇ  ଇବ୍ରାହିମ ସହ ତାର ବାହାଘର ହେଇଗଲା।ପ୍ରଥମକରି ଉଡାଜାହାଜ ଦେଖିଲା ପାଖରୁ।ଭିତରେ ପଶି ବସିଲା।ଇବ୍ରହିମ ର କଥାଅନୁସାରେ ବେଲ୍ଟ ବାନ୍ଧିଲା।ଆକାଶକୁ ଉଠିଲା ବେଳେ ତାର ଛାତି ଚାଏଁକଲା।କାନସବୁ ଟାଣିହେଲାପରି ଲାଗିଲା।ଇବ୍ରାହିମ ତାକୁ ହାତରେ  ଥାପୁଡାଇ ନଡରିବା ପାଇଁ ସାହସ ଦେଲା।ସେ ଇବ୍ରାହିମର ଏପରି

ଯତ୍ନଶୀଳ ମନୋଭାବ ଦେଖି ନିଜକୁ ବଡ ଭାଗ୍ୟବତୀ ଭାବିବାକୁ ଲାଗିଲା।ଭଲଭଲ ଜିନିଷ ଖାଇବାକୁ ମିଳିଲା।ଦୁବେଇରେ ପହଞ୍ଚିଲା ପରେ ଏକ ଭଲଘରେ ନେଇ ରଖିଲା।ନିଜ ଘର ଭାବି ଅଯତ୍ନରେ ପଡିଥିବା ଘରକୁ ସେ ଦିନସାରା ପୋଛାପୋଛି କରି ଚକ ଚକ କରିଦେଲା।ନୂଆବୋହୁ ପରି ଭଲ ଲୁଗା ପିନ୍ଧି ସେ ସଜହେଲା ରାତି ହନିମୁନ ପାଇଁ।ଆଜି ତାରପତିଦେବତାଙ୍କ ପୂଜାରେ ତା ଦେହକୁ ସମର୍ପଣ 

କରିବାର ଅଛି।ହେଲେ ରାତିରେ ସେମିତି କିଛ ହେଲାନି।ବହୁତ କ୍ଲାନ୍ତ ହେଇପଡିଥିବାରୁ ଇବ୍ରାହିମ 

ଶିଘ୍ର ଶୋଇପଡିଲା।ସକାଳୁ ଉଠି ପୁଣି ଘରକାମରେ ଲାଗିଗଲା ସାନିଆଁ।ରାତିରେ ତାକୁ ନୁଆବୋହୁ ପରି ସଜକରି ଇବ୍ରହିମ ସାଥିରେ ନେଇଆସିଲା ଏକ ହୋଟେଲକୁ।ସେଠି ଆଗରୁ ତାପରି କେତୋଟି ଝିଅ ବସିିଥିଲେ।ସେମାନେ ସବୁ ପାଶ୍ଚାତ୍ୟ କପଡା ପିନ୍ଧିଥିଲେ।ସେମାନେ ତାଆଡେ କରୁଣ ଦୃଷ୍ଟିରେ ଅନାଉଁ ଥାନ୍ତି ଯେମିତି ସେ ହଣାହେବାକୁ ଯାଉଥିବା ଛେଳିଟିଏ।ତାଙ୍କ ଭିତରେ ଫୁସ୍ଫାସ୍ କିଛି କଥା ହେଉଥାନ୍ତି ହେଲେ ସେ ସ୍ବଳ୍ପ ଶିକ୍ଷିତ ହେତୁ କିଛି ବୁଝି ପାରୁନ ଥାଏ।ରାତ୍ରୀ ବଢିବାକୁ ଲାଗିଥାଏ।ଇବ୍ରାହିମ ତାକୁ ଏକ ସଜ୍ଜିତ ବଖରାରେ ଛାଡି ବାହାରୁ ଆସୁଛି କହି ଚା୍ଲିଗଲା।ସାନିଆଁ ଗଦାବାଲା ଡନଲପ୍ ଖଟ ସୋଫା ଡ୍ରେସିଙ୍ଗଟେବୁଲ ଦେଖି ଖୁସି ହେଉଥାଏ।ତାର ଭାଗ୍ୟ ଏତେ ଯୋର ଥିଲା ବୋଲି ବିଶ୍ବାସ ହେଉନଥିଲା ତାକୁ।ମାଆ ଏସବୁ କଥା ଶୁଣିଲେ କେତେ ଖୁସିହେବ ସତେ।ଏପରି ଭାବି ଚାଲିଥିଲା ବେଳେ କବାଟ ଖଡ୍ କି ଶବ୍ଦହେ୍ଲା ଓ ଜଣେ କେହି ନୂଆ ଲୋକ ପଶିଆସିଲା ବଖରା ଭିତରକୁ।ସେ ଡରିଗଲା ,ଏ ତ ଇବ୍ରାହିମ ନୁହେଁ?ତେବେ ଇଏ କିଏ?

ଲୋକଟି ଭିତରପଟୁ କବାଟ ବନ୍ଦ କରିଦେଲା।ତାପରେ ତା ଖଟରେ ଆସି ବସିଲା।ତାକୁ ଟାଣି ତା ଛାତିରେ ଜାକି ଧରିଲା।ସେ ଭୟରେ ଥରୁଥାଏ।କୁକୁଡା ଚିଆଁ ଛଞ୍ଚାଣ କବ୍ଜାରେ ପଡିଲା ପରି ତା ଅବସ୍ଥା ସାଂଘାତିକ।ଲୋକଟି ମଦ ପିଇ ଆସିଥିଲା।ସେ ତାଠୁ ଛଡେଇ ହେବାକୁ ଅନେକ ଚେଷ୍ଟାକଲା ହେଲେ ପାରିଲାନି।ଧିରେଧିରେ ସେ ନିୟନ୍ତ୍ରଣ  ହରାଇଲା।ଏବେ ସେ ଲୋକ ଗୋଟିଗୋଟି କରି ଥା ଅନ୍ତ୍ରବସ୍ତ୍ର ଖୋଲି ସାରିଥିଲା।ସେ ଲାଜରେ ଦୁଇହାତରେ ନିଜ ଆଖିଦୁଇଟାକୁ ବନ୍ଦ କରିଥାଏ।ତାପରେ ଲୋକଟା ତାରଉତ୍ତେଜକ ଅଙ୍ଗ ମାନଙ୍କରେ ହାତ ଓ ଜିଭର ପ୍ରୟୋଗ କରୁଥିଲା।ଏମିତି ସ୍ପର୍ଶ ସେ ଆଗରୁ  କେବେ ଜାଣିନଥିଲା।ଭୟରେ ଓ ଉତ୍ତଜନାରେ ସେ ପାଣି ପାଣି ହେଇ ଯାଉଥିଲା।ଏବେ ତାକୁ ବାହାରେ ଭେଟିଥିବା ଝିଅ ମାନଙ୍କର କରୁଣ ଚାହାଣୀର ମାନେ ବୁଝା ପଡୁଥିଲା।ବୋଧହୁଏ ତାସହ କଣ ହେବାକୁ ଯାଉଛି ସେମାନେ ଜାଣି ଥିଲେ।ସେଥିପାଇଁ ତାକୁ ଏମିତି କରୁଣ ନଜରରେ ଚାହୁଁଥିଲେ।ବୋଧହୁଏ ସେମାନେ ବି ତାପରି ଶିକାର ହେଇ ସାରିଛନ୍ତି ଆଗରୁ।ଲୋକଟା ରାତିସାରା ତାକୁ ଦଳିମକଚି ତାର ଦେଇଥିବା ଟଙ୍କାତକ ଅସୁଲ କଲା।ସେ କହୁଥାଏ ଭର୍ଜିନ ମାଲ ବହୁତ କଷ୍ଟଲି।ଏବେ ଇବ୍ରାହିମ ପ୍ରତି ତାର ବଡ ଘୃଣା ହେଉଥାଏ।ସକାଳେ ଆସି ଇବ୍ରାହିମ ତା ଘରକୁ ନେଇ ଆସିଲା।ଏବେ କିନ୍ତୁ ସେ ଘରପ୍ରତି ସାନିଆଁର  ମୋହ ତୁଟି ଯାଇଥିଲା।ସଜେଇବାକୁ କି  କିଛି କାମ କରିବାକୁ ମନ ହେଉନଥିଲା।ଘରକୁ ଫୋନ କରିବାକୁ ଚାହିଁଲେ କିଛି ସୁବିଧା ନଥିଲା।ଇବ୍ରାହିମ ତା ଫୋନ ଦେଉ ନଥିଲା।

ପରେ ଇବ୍ରହିମ ବିଷୟରେ ସେ ଜାଣିବାକୁ ପାଇଲା

ସେ ବିଦେଶୀ ଚାକିରିଆ କହି ଝିଅଙ୍କୁ ବାହାହେଇ ଆଣି ଏଠି ଧନ୍ଧା କରାଏ।ଯିଏ ଥରେ ଏଠିକୁ ଆସିଗଲା ତା ଜୀବନ ନର୍କ ପାଲଟିଯାଏ।ଝିଅର ମାଆବାପାଙ୍କ କିଛି କିଛିଟଙ୍କା ପଠାଇ ଦିଅନ୍ତି ଚୁପ୍ ରହିବେ ବୋଲି। ସେମାନେ ଭାବନ୍ତି ଝିଅ ଭଲରେ ଅଛି।ଦିନେ ଏକ ଓଡିଆ ଲୋକ ତା ଗ୍ରାହକ ହେଇ ଆସିଥିଲେ।ତାଙ୍କରି ଫୋନ ରେ ସେ ଭିଡିଓ କରି ନିଜ ଦୁଃଖ ଜଣେଇ ଥିଲା 

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ।ଭିଡିଓଟି ଭାଏରାଲହେଇ ପ୍ରଧାନମନ୍ତ୍ରୀଙ୍କ ଯାଏ ପହଞ୍ଚିଲା।ତାପରେ ଗୁପ୍ତଚର ଦ୍ବାର ଠାବ ହେଲା ଇବ୍ରାହିମ।ସାନିଆ ସହ ଆହୁରି କେତେଜଣ ଭାରତୀୟ ଯୁବତୀ ଫେରିଥିଲେ ବିଦେଶରୁ।ଦୁବେଇଯିବା ଚାକିରିଆ ଯୋଇଁପାଇବାର ମୋହ ଏବେ ସମସ୍ତେ ଛାଡିବାକୁଲାଗିଲେ ଯେତେବେଳେ ସାନିଆଁର କାହାଣୀ ଶୁଣିଲେ।

ମାଧବୀପଟେଲ ଝାରସୁଗୁଡା ।

ସତ୍ୟ

ନଳିନୀ ପ୍ରଭା ମିଶ୍ର


ସତ୍ୟର ପଥ ବହୁତ ମଧୁର

  ହେଲେ ହେଁ କଣ୍ଟକମୟ

ଜୟ ଜୟ ଧ୍ୱନି କରେ ବିଘୋଷିତ

  ଅସତ୍ୟ କୁ କରି କ୍ଷୟ।

ସତ୍ୟର ପୂଜାରୁ ସତ୍ୟ ଉଚ୍ଚାରି

 ଅସତ୍ୟର ପଥେ ଚାଲେ

ଫାଶୀ ଦଣ୍ଡ ଅବା କାରାଗାର ସଜା

  ଲେଖାଥାଉ ତା'ର ଭାଲେ।

ସମାଜକୁ ଦିଏ ନୂତନ ତଥ୍ୟ

  ନୂତନ ଚିନ୍ତା ଶକ୍ତି

କବି ରଚିଯାଏ ଅସଂଖ୍ୟ କବିତା

  ନରଖି ମନରେ ଭ୍ରାନ୍ତି।

ଲୁଣ୍ଠନ,ଶୋଷଣ,କଷଣ,ଦୂଷଣ

  ଦେଖି ହୁଏ ହାହାକାର

ଅମା ଅନ୍ଧକାରେ ଆଲୋକ ଦେଖାଇ

  ସତ୍ୟ ହିଁ ଦିଏ ହୁଙ୍କାର।

ଅଳୀକ ଜୀବନେ ସତ୍ୟ ହିଁ ସଖା

  ହୃଦ ଆଲୋକିତ କରେ

ବର୍ତ୍ତିକା ରୂପେ ଜନ ସମାଜରେ

  ନୀତିକଥା କୁ ପ୍ରଚାରେ।

ସନ୍ଧାନୀ ନର ସୁଖ କରି ଦୂର

  ଖୋଜେ ତପସ୍ୟାର ସ୍ଥଳ

ସତ୍ୟ ଲବ୍ଧଧରେ ନିଜ କୁ ଉତ୍ସ ର୍ଗୀ

  କଟିଯାଏ ନିଜ କାଳ।

ସତ୍ୟ ପୂଜାରୀ ବୁଦ୍ଧ, ଯୀଶୁଙ୍କ ର

  ବାଣୀ ହୋଇ ଅଭିଲେଖ

ସତ୍ୟ ପଥର ପୂଜାରୀ ଆମେରେ

  ରଖିବା ତାହାରି ଟେକ।

ସତ୍ୟ ରାମଚନ୍ଦ୍ର ସତ୍ୟ ର ପୁଜାରୀ

   ହରିଶ୍ଚନ୍ଦ୍ର ଙ୍କର ଗାଥା

ସତ୍ୟ ର ସେହି ଚିରନ୍ତନ ପଥେ

   ରଖିଯିବା ତା'ର ଗାଥା।

ମୁକୁନ୍ଦ ପୁର, ଆସ୍କା, ଗଞ୍ଜାମ

ବଣମଲ୍ଲୀ💐

                   ସରସ୍ବତୀ ନାୟକ 

          ସୁରଭି ଭର୍ତ୍ତି ମୋ ଦେହେ 

              ସୁନ୍ଦରେ ନିପୁଣା

          ବଣ   ମୁଲକରେ  ବାସ 

              ଜଗତରେ ଜଣା       ।।

           କରେନାହିଁ   ଅଭିମାନ 

              ମାନ କା' ଉପରେ 

           ଅନ୍ଧାରିରାଇଜେ  ରହି 

            ନିନ୍ଦେ ମୋ ଭାଗ୍ୟରେ  ।।

          ଅଟବୀରେ ହୋଇ ଜନ୍ମ

             ସୁବାସ  ବିତରେ 

          ଉଚ୍ଚନୀଚ   ଭେଦଭାବ 

             ନାହିଁ ମୋ ହୃଦରେ     ।।

          ଗୁଣ ଥାଇ   ଅସମ୍ମାନ 

              ଦୁର୍ଗୁଣେ ପ୍ରଶଂସା 

         ସତେ ଜନ୍ମ   ଅପରାଧ

              ହୁଏ ଲୋକହସା       ।।

         ମୋର ସମ  ହତାଦର 

              ଗାଁଆର ପ୍ରତିଭା 

         ତା' ଗୁଣକୀର୍ତ୍ତନ କିଏ 

              କରିବ କାହୁଁବା        ।।


                     ପୁରୀ

କୃଷକ

କବି ଗଗନ କୁମାର ଦାଶ


ଜାଗରେ ମୋହର କୃଷକ ସମାଜ

ଧରି ଲଙ୍ଗଳର ମୁନ,

ତଡି ଦେବା ପରେ ଇଂରେଜ ସମାଜ

ବଢିଅଛି ଆମ ମାନ ।


ଦଳିତ ପତିତ ନୁହେଁ ରେ ଆମେ

ସମାଜର ସେବା ପାଇଁ,

ଜାତିର ଗୌରବ ବଢାଉ ଆମେ ରେ

ମନ ରେ ଗରବ ନାହିଁ ।


ସବୁ ସମ୍ପତ୍ତି କୁ ଢାଲି ଦେଉ ଆମେ

ପର ଉପକାର ପାଇଁ,

ଟିକେ ହେଲେ ଦୁଃଖ ଆମର ମନରେ

ଜନମ ହୁଅଇ ନାହିଁ ।


ବରଷା ଆମର ପ୍ରିୟ ବନ୍ଧୁଟିଏ

ବଳଦ ଆମର ମିତ,

ଲଙ୍ଗଳ, ଯୁଆଲି, ଶଗଡ, ଢିପେଇ

ଆମର ନିଜ ସଙ୍ଗାତ ।


ଗ୍ରୀଷ୍ମ, ଶୀତ, ବର୍ଷା ଡରୁନା କେବେରେ

ମୁଠେ ଅନ୍ନ ଦେବା ପାଇଁ,

ଗରୀବ ମୁହଁ ରେ ହସଟି ଦେଖିଲେ

ଗରବେ ଛାତି ଫୁଲଇ ।


ଗୋଟିଏ କ୍ଷେତରେ ଅନେକ ଫସଲ

ଉପୁଯାଇ ଆମେ ପାରୁ,

ଆମରି ପାଇଁ ତ ଏହି ସଂସାର ରେ

ବଞ୍ଚୁଅଛ ମରୁ ମରୁ ।


ବାସି ପଖାଳରେ ଶାଗ ଭଜା ଖାଇ

ମାଟି ସହ ମାଟି ହେବୁ,

ଆମରି ଅର୍ଜନେ ଗରବ କରନ୍ତି

ଧୋବ ଧଉଳିଆ ବାବୁ ।


ତୋଷାମଦକାରୀ ନୁହଁଇ ଆମେରେ

ଆମ ପାଇଁ ସାହା ମାଟି,

ପରକୁ ବଞ୍ଚାଇ ନିଜେ ମରିଗଲେ

ଦୁଃଖ ଆସେନି ଆମଠି ।


ଆସ ଭାଇମାନେ ପରିଶ୍ରମ କର

ବେକାରୀ ହୋଇବ ଦୂର,

କର୍ମ କୋଢା ହୋଇ ପରର ହାତକୁ

ତୁମ ହାତକୁ ନ ପାର ।


ମାଁ ମାଣିକେଶ୍ଵରୀ  ସାହି
ମୋହନା, ଗଜପତି-୭୬୧୦୧୫

ବାହାନା

        ବାସନ୍ତୀ ଲତା ଜେନା


ମନୁଷ୍ୟ ସ୍ଵଭାଵ ଜନ୍ମରୁ ସ୍ୱଚ୍ଛତା

        ପରିବର୍ତ୍ତନ ବଡ଼ରେ

ପ୍ରତି ପ୍ରଦକ୍ଷେପ ବାହାନା କରଇ

       ମିଥ୍ୟା ଆଳସ୍ୟ ପଣରେ    l୧l


କେତେ ବେଳେ ସିଏ ସ୍ୱାର୍ଥପର ହୋଇ

      କରି ଥାଏ ତ ବାହାନା

ନିଜ ପରିବାର ଦାଇତ୍ୱ ନେବାକୁ

      କରି ଥାଏ ତ ଛଳନା    l୨l


ସ୍ୱାର୍ଥ ପର ହୁଏ ଭାଇ ଭଉଣୀର

        କାଟି ଦିଏ ସ୍ନେହ ଡୋରି

ନିଜ ଘର ଛାଡି ବାହାରେ ରୁହଇ

      ନିଜ ପିଲା ଛୁଆ ଧରି     l୩l


ବୃଦ୍ଧ ପିତା ମାତା ପର କରି ଦିଏ

      ନନା ବାହାନା ଦେଖାଇ

ଅନାଥ ଆଶ୍ରମେ ନେଇ ଛାଡି ଦିଏ

       ଅଶ୍ରୁରେ ଚକ୍ଷୁ ଭିଜଇ    l୪ l


ବନ୍ଧୁ ଠାରେ ବନ୍ଧୁ ସ୍ୱଚ୍ଛତା ନ ଥାଏ

         ବିପଦ ଯେବେ ପଡଇ

ମିଛ କଥା କହି ବାହାନା କରଇ

       ଆଡ଼ ହୋଇ ଯାଏ ସେହି   l୫l


ଭାଇର ଦୁଃଖ ଯେ ଭାଇ ନ ବୁଝଇ

       ଆତ୍ମସହୋଦର ହୋଇ

ଉଚ୍ଚ ପଦବୀରେ ଅଭିମାନ କରେ

         ରକ୍ତକୁ ପର କରଇ      l୬l


ପର ଲୋକ ଯେବେ ନିଜର ହୁଅଇ

       ହୃଦୟରେ ସ୍ଥାନ ପାଏ

ବାହାନା ତା' ଠାରେ ବହୁ ଦୂରେ ଥାଏ

        ଶୁଦ୍ଧ ମଣିଷଟେ ସିଏ      l୭l


ମାନ ଅଭିମାନ ବାହାନା ଛାଡ଼ିବା

     ଭକ୍ତିର ମାର୍ଗ ବାଛିବା

ପର ଆପଣାର ଭେଦ ଭାବ ଭୁଲି

      ସଭିଙ୍କୁ ଖୁସି ବାଣ୍ଟିବା        l୮l


ଗାନ୍ଧିନଗର, ନବରଙ୍ଗପୁର 

-ଦମ୍ପତି-

     ସୁକାନ୍ତ ଖଣ୍ଡା

ଘରଚଟିଆ ଚଢେ଼ଇ ଦମ୍ପତି ଚାଳରେ ରହୁଥିଲେ। ସୂର୍ଯ୍ଯ ଉଦୟ ନ ହେଉଣୁ କିଚିରି ମିଚିରି ଶଦ୍ଦ କରନ୍ତି ତ ଘର ଲୋକେ ବିଛଣା ଛାଡ଼ନ୍ତି। ଏହି ଘରଚଟିଆ ଦମ୍ପତି କାହିଁ କେତେ ଦିନରୁ ବସା ବାନ୍ଧି ରହିଥିଲେ। ଘର ଲୋକଙ୍କ ସଙ୍ଗେ ତାଙ୍କର ଏମିତି ଭାବ ହୋଇ ଯାଇଥିଲା ଯେ ଘର ଲୋକେ ଏ ଦମ୍ପତିକୁ ଘଡି଼ଏ ନ ଦେଖିଲେ ନ ଚଳେ। 

          ଦିନେ ପୁରୁଷ ଘରଚଟିଆ ବାହାରକୁ ଯାଇଥିଲା। ସ୍ତ୍ରୀ ତା'ର ଅଣ୍ଡା ଉଷୁମାଉଥିଲା। ପୁରୁଷ ଘରଚଟିଆ ସକାଳୁ ଯାଇ ସଞ୍ଜ ସରିକି ଫେରିଲା ନାହିଁ ତ ସ୍ତ୍ରୀ ତା'ର ମନ ଦୁଃଖ କରି ଖୋଜିବାକୁ ଚାଲିଗଲା। ସ୍ତ୍ରୀ ଯାଇ ଦେଖିଲା ତା'ର ସ୍ବାମୀ ଅନ୍ଯ ଜଣକୁ ଭଲ ପାଇ ଗପସପ ହେଉଛି। ଦୂରରୁ ଦେଖି ଫେରି ଆସିଲା। ତା'ର ହୃଦୟ କୋଣରେ ସୃଷ୍ଟିହେଲା ଲଜ୍ଜା ଓ ଘୃଣା। ସେ ଯେ କେତେ ଭଲ ପାଉଥିଲା ଏ କଥା କହିବା କାଠିକର ପାଠ। ସେ ନିଜକୁ ଦୃଢକଲା ଆଉ ଶପଥ ବି ନେଲା କି ଏ ଅଣ୍ଡାଙ୍କୁ ଫୁଟାଇ ଦୁନିଆର ସୌନ୍ଦର୍ଯ୍ଯ ଦେଖେଇବ। ସେ ସ୍ବାମୀଙ୍କୁ ଭୁଲିଗଲା ଓ ନିଜ କର୍ମରେ ଲାଗିପଡି଼ଲା। ଆଜି ତା'ର ପୁଣି ଦୁଇଟି ଛୁଆ ଜନ୍ମ ହେଲେଣି। ଛୁଆମାନେ ଖଣ୍ଡିଉଡା଼ ହେଲେଣି। ମାଆଙ୍କର ଅସୀମ ଆନନ୍ଦ ଯେ ସ୍ବାମୀଙ୍କର ବିନା ସହାୟତାରେ ଛୁଆଙ୍କୁ ବଡ଼କରି ସାରିଛି।

         ଛୁଆ ଦୁହେଁ ବଡ଼ ହୋଇ ଉଡି ଚାଲିଗଲେ। ମାଆ ଆଜି ପୁଣି ଏକୁଟିଆ। ସେ ସ୍ବାମୀ ବିନା ରହିବାକୁ ହେବ। ଯେତେ ଦିନ ଯାଏ ଇହ ଧାମରୁ ବିଦାୟ ନ ନେଇଛି। ସେ ଏକୁଟିଆ ଖାଇ ପିଇ ରହିଲା। ମନରେ ଦୁଃଖ କି ଶୋକ ନାହିଁ। ଯିଏ ଚାଲିଗଲା ତାକୁ ଫେରେଇ ଆଣିବାକୁ ବି ଇଛା କରୁନି। ସେ ଭାବି ସାରିଛି ଯଦି ମୁଁ ମୋର ସ୍ବାମୀଙ୍କୁ ଫେରେଇ ଆଣିବି। ଭଲ ପାଇ ବାହା ହୋଇଥିବା ସେ ନାରୀର ଅବସ୍ଥା କ'ଣ ହେବ? ଲୁହ ଓ କୋହ ବେଳେବେଳେ ଚିବୁକ ଦେଇ ବୋହିଯାଏ ହେଲେ ପୁଣି ହୃଦୟକୁ ପଥର କରି ନିଜକୁ ଶାନ୍ତ୍ବନା ଦିଏ। 

        ଦିନେ ଏକୁଟିଆ ବସି କାନ୍ଦୁଥିବା ବେଳେ ସେ ଘରର ସାନ  ପୁଅ ଚିଣ୍ଟୁ ଦେଖିଦେଲା ଆଉ କହିଲା,"ମାଆ ! ସେ ମାଆ ଘରଚଟିଆ ଯେ କାନ୍ଦୁଛି କ'ଣ ହୋଇଛି ତା'ର?" ମାଆଙ୍କୁ ତ ଏ କଥା ଜଣା ହିଁ ନ ଥିଲା। କରିବେ କ'ଣ ନା କହିବେ କେମିତି? ସେ କହିଲେ,"ଚିଣ୍ଟୁ ! ଏବେ ନୁହେଁ କିଛି ସମୟ ପରେ କହିବି। ମୋତେ ତା'ର ମର୍ମ ବୁଝିବାକୁ ଦିଅ।" ମାଆ କଥାରେ ଚିଣ୍ଟୁ ନିରବ ରହିଲା। ସେ ଅପେକ୍ଷା କଲା ମାଆ କେବେ କହିବେ?  ଚିଣ୍ଟୁ କିଛି ସମୟ ପରେ କହିଲା,"ମାଆ ! ଆର ସ୍ବାମୀ ଘରଚଟିଆ ଚଢେ଼ଇଟି ବି ଦେଖା ଯାଉ ନାହିଁ ବୋଧେ ତା'ର ଅନୁପସ୍ଥିତି ପାଇଁ କାନ୍ଦୁଥିବ?" ମାଆ କହିଲେ ଠିକ୍ କହିଲୁରେ  ଚିଣ୍ଟୁ? ଯଦି ତୋ'ର ବାପା ପାଖରେ ନ ରହିବେ ମୁଁ କାନ୍ଦନ୍ତି ନାହିଁ କି?" 

           ଛୋଟ ହେଲେ ବି ଚିଣ୍ଟୁ ବୁଝିଲା ଦମ୍ପତି କ'ଣ? ଜଣେ ଆରକ ପାଇଁ ଝୁରିହେବା ହିଁ ତ ଭଲ ପାଇବାର ମାନେ। କେତେ ଭଲ ପାଉଥିଲେ ଏ ଘରଚଟିଆ ଦମ୍ପତି ଅଥଚ ଏଥର ବିଚ୍ଛେଦ ଆଣିଦେଲା ଅସୀମ ଦୁଃଖ ଆଉ ଶୋକ। ଧିରେନବାବୁ ଆସିଲେ ତ ଚିଣ୍ଟୁ କହିଲା,"ବାପା ! ଯଦି ମାଆ ଅନୁପସ୍ଥିତ ହୁଅନ୍ତି ତୁମକୁ କିପରି ଲାଗିବ?" ବାପା କହିଲେ,"ଧନ ! ତୁ କହୁନୁ? ତୋ'ର ମାଆ ଅନୁପସ୍ଥିତରେ ତୋତେ କେମିତି ଲାଗିବ?" ଚିଣ୍ଟୁ କହିଲା,"ବାପା ! ମାଆ ବିନା ତ ମୋର ଚାରିଆଡେ଼ ଅନ୍ଧକାର ଦେଖାଯିବ।" ଏଥର ବାପା ବି କହିଲେ,"ଧନ ! ମାଆ ବିନା ତୋ'ର ଅବସ୍ଥା ଯେପରି ତୋ' ମାଆ ବିନା ମୋର ଅବସ୍ଥା ସେପରି?" ଟିକିଏ ରହି ପୁଣି କହିଲେ,"ଧନ ! ତୁ ଏମିତି କହୁଛୁ କାହିଁକି?" 

         ଚିଣ୍ଟୁ ଆଙ୍ଗୁଳି ନିର୍ଦ୍ଦେଶ କଲା। ଚାଳ ଉପରେ ବସିଥିଲା ମାଆ ଘରଚଟିଆ ଚଢେ଼ଇ ତ ବାପା ବୁଝିଲେ ଓ କହିଲେ,"ଧନ ! ବାପା ଘରଚଟିଆ ବିନା ମାଆ ଘରଚଟିଆର ଅବସ୍ଥା ଆଜି ସେପରି ହେଉଥିବ ନିଶ୍ଚୟ।"

       ଏ କଥା ଶୁଣି ଚିଣ୍ଟୁ ଲୁହ ଗଡେ଼ଇ ଦେଲା ତ ବାପା କହିଲେ,"ଧନ ! ଆଉ କାନ୍ଦନା ଏ ସଂସାରଟା ହିଁ ଏହିପରି। କେବେ ଦୁଃଖ ତ କେବେ ସୁଖ। ଈଶ୍ବର ଏମିତି ହିଁ ଖଞ୍ଜିଛନ୍ତି। ଚିଣ୍ଟୁ ବାପାଙ୍କୁ ଅନୁରୋଧ କଲା ସେ ବାପା ଘରଚଟିଆକୁ ଫେରେଇ ଆଣିବାକୁ। ବାପା କରିବେ କ'ଣ ହଁ କହିବା ବ୍ଯତିତ ପୁଅକୁ ଅନ୍ଯ ଉପାୟ ନ ଥିଲା। 

        ସତରେ ! ପ୍ରତି ଦମ୍ପତିଙ୍କର ସ୍ନେହ,ପ୍ରେମ ଓ ଭଲ ପାଇବା ହିଁ ଅସୀମ ଥାଏ ଯେମିଏ ଏ ଘରଚଟିଆ ଚଢେ଼ଇ ଦମ୍ପତି।

                      *

ଶିକ୍ଷକ ମକାଶୁଖିଲା ପ୍ରାଥମିକ ବିଦ୍ଯାଳୟ ପୋ-ଚକ୍ରଧରପୁର ଭା-ହରିଚନ୍ଦନପୁର ଜି-କେନ୍ଦୁଝର ପି-୭୫୮୦୨୮

କବିତା - ମନ

             କଳ୍ପନା ରାୟ

ଭାବନାରେ.........

ପ୍ରଜ୍ଞା ରେ ...........

ମାନସ ଚକ୍ଷୁରେ ............

ବିଜନ ବେଳାଭୂମି ରେ........

କେଉଁଠି ବି ଥାପିଦିଅ ପାଦ


ହୃଦ ଅଙ୍କୁରରେ ବୀଜଟିଏ ହୋଇ

ଏ ଅଗଣା ସେ ଅଗଣା ବୁଲୁ ବୁଲୁ

କେତେବେଳେ ସ୍ଥିର ହୁଅ

ଚାହିଁଲେ ବି ଜାଣି ପାରେନି

ବୁଝିଲେ ବି ବୁଝି ପାରେନି

କେତେବେଳେ ନଦୀଟିଏ

ହୋଇ ସମୁଦ୍ରକୁ ଵହିଯାଅ


କେବେ ପୁଣି କୁନି ପିଲା ହୋଇ

ମିଠା ମିଠା କଥା କୁହ

ରାଗି ଯାଉ ଯାଉ ଚୁପ୍ ଚାପ୍

ନିଆଁରେ ପାଣି ପଡ଼ିଲା

ପରି ସତେ ରହିଯାଅ

କେମିତି ଧୈର୍ଯ୍ୟ ଧରି ରୁହ


ସାରା ପୃଥିବୀ ବୁଲିବାକୁ

କିଛି କ୍ଷଣ ଲାଗେ

ଚାହିଁଲେ ରୁହ ନ ହେଲେ

ଅପସରି ଯାଅ

ଟିକିଏ କଥାରେ ଭାଙ୍ଗି ପଡ

ପୁଣି ବଡ଼ କଥାରେ 

ସଳଖି ଠିଆ ହୁଅ


ପ୍ରଭୁଙ୍କ ଭଜନଵେଳେ

ହୁଏତ ସ୍ଥିର ରୁହ

ନ ହେଲେ ଅନ୍ୟତ୍ର ପଳାଅ

କୁହତ.............

କାହା ସାଥେ ବା କେଉଁଠି

ସ୍ଥିର ଥାଅ.....


ପିଲାଦିନର ଅଝଟରେ

କଣ୍ଢେଇ କାଞ୍ଚୁଲିରେ

ଜେଜେମା ଗପରେ......

ଯୁବାବସ୍ଥାର ଉଦ୍ଦାମତାରେ

ନା ପରିଶ୍ରମରେ

ଅବା ଜିଦ୍ ରେ.........

ବାର୍ଦ୍ଧକ୍ୟର ସ୍ଥିରତାରେ

ଅନାବନା ଭାବନାରେ

ପ୍ରଭୁଙ୍କ ଶ୍ରୀ ପୟରେ.........

ସଵୁଠିକୁ ତୁମର ପ୍ରବେଶ


ତୁମେ ହିଁ ମଣିଷର ଅସ୍ତ୍ର

ବିବେକ ସହ ତୁମ ଯତିପାତ

ଯଦି ହୁଏ ........

ସେ ଗଣାଯାଏ ଅସଲ ମଣିଷ

ମଣିଷ ପଣିଆର ଆତ୍ମସନ୍ତୋଷ


କଳ୍ପନା ରାୟ,ସହକାରୀ ଶିକ୍ଷୟିତ୍ରୀ,
ଲଇଡା ବାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର,

🌹ପ୍ରସଂଗ--କାହିଁକି ଏ ବ୍ୟବଧାନ 🌹

ଭାବନାରେ.........

ପ୍ରଜ୍ଞା ରେ ...........

ମାନସ ଚକ୍ଷୁରେ ............

କାହିଁକି ଏ ବ୍ୟବଧାନ 

କର ଝିଅ ଓ ବୋହୁ ମଧ୍ୟରେ.......


ତୁମ ଝିଅ ଭଳି ବୋହୁ ମଧ୍ୟ ପିଲା ଦିନର ଅଝଟରେ

ପାଳନ ହୋଇଛି କଣ୍ଢେଇ କାଞ୍ଚୁଲିରେ ଜେଜେମା ଗପରେ


ତୁମ ଝିଅ ଭଳି ବୋହୁର ଅଛି ଉଦ୍ଦାମତା ଯୁବାବସ୍ଥାରେ

ସେ ମଧ୍ୟ ପାଳନ ହୋଇଛି ନା ଗେହ୍ଲାରେ ଅବା ଜିଦ୍ ରେ


ପରିବାର ମଧ୍ୟେ ଏକତ୍ର ଭୋଜନ ଏକ ସୁସ୍ଥ ପରମ୍ପରା, 

ବଢେ ସଦଭାବ, କି ଅସୁବିଧା ବୋହୁକୁ ସଂଗେ ଭୋଜନ ଦ୍ୱାରା 


ଝିଅ ଜିନ୍ସ ପିନ୍ଧି ବାହାରେ ବୁଲିଲେ କୁହ ଭାରୀ ସୁନ୍ଦର

ବୋହୁ ମୁଣ୍ଡରୁ ଲୁଗା ଖସିଗଲେ କିଆଁ କୁହ ଭିନ୍ନ ନଜର


ଝିଅ କିଛି ନକରି ଘଣ୍ଟା ଘଣ୍ଟା ଧରି ମୋବାଇଲ୍ ରେ ଗପିବ

କାମ ସାରି ବୋହୁ ଫୋନ ଧରିଲେ କିଆଁ ଅଭିଯୋଗ ଆସିବ


ଝିଅ ରାଗି ଜବାବ ଯଦି ଦିଏ ତାହା ଆଖି କୁ ତ ଦିଶେନା

ବୋହୁ ତୁଣ୍ଡ ଖୋଲିଲେ, ଭଲ ବୋହୁରେ ତ ଗଣା ହୁଏନା


ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ

ସର୍ଜିଛି ଭାଗ୍ୟ ବିଧାତା

ତାପ୍ତିମୟୀ ପଣ୍ଡାମିଶ୍ର, ମେଲଛାମୁଣ୍ଡା ବରଗଡ 


ଶାଶ୍ଵତ ପ୍ରେମର ପରାକାଷ୍ଠା ଇଏ

ନୁହେଁ ସେତ ଅଶ୍ଳିଳତା 

ଚକ୍ଷୁ ଦେଖେ ଯାହା ସତ୍ୟ ନୁହେଁ ତାହା 

ସର୍ଜିଛି ଭାଗ୍ୟ ବିଧାତା ।।


ଲୋତକରେ ସିକ୍ତ ତନୁ ମନ ମୋର 

ଭାବ ପ୍ରବଣତା ଜାଗେ 

ଜାଣି ପୃଷ୍ଠଭୂମି ଚାଲେ ମୋ ଲେଖନୀ 

ଯାହା ଭାଗ୍ୟେ ତାହା ଭୋଗେ ।।


ସପ୍ତଦଶ କାଳ ଫ୍ରାନ୍ସର ଶାସକ 

ବିଳାସ ବ୍ୟସନ ମେଳେ 

ପୁରାତନ କଥା ରହିଅଛି ଗାଥା 

ଚତୁର୍ଦ୍ଦଶ 'ଲୁଇ' କାଳେ ।।


ନିଷ୍ଠୁର ଶାସକ ନାହିଁ ତା' ବିବେକ 

ନୀରିହ ବୃଦ୍ଧକୁ ସଜା 

ଦେଇଗଲା ସିଏ ଚୋରି ପାଇଁ ଖାଦ୍ୟ 

କୁବୁଦ୍ଧି ସମ୍ପନ୍ନ ରାଜା ।।


କାରାଗାରେ ରହି ଭୋକ ଉପାସରେ 

କାଳକାଟେ ବୃଦ୍ଧ ବ୍ୟକ୍ତି 

ତାହାରି ଦୁହିତା ମାଆର ମମତା 

ଯୋଗାଏ ତା' ପାଇଁ ଶକ୍ତି ।।


ଶିଶୁ ପୁତ୍ର ଧରି ଦର୍ଶନ ସେ ଲୋଡେ 

ଜଗୁଆଳି ପାଶେ ରହି 

ଦୟା ପରବଶେ ଛାଡି ଦିଏ ଦ୍ବାର 

ନାରୀ, ଶିଶୁ ମୁଖ ଚାହିଁ ।।


ବିବାହିତା କନ୍ୟା ଧରି ଶିଶୁ ପୁତ୍ର 

ରେଲିଂ ପାଖେ ଭେଟେ ପିତା 

ସହି ପାରେ ନାହିଁ ପିତାଙ୍କର କ୍ଷୁଧା 

ନିବାରଣେ ସାଜେ ମାତା ।।


ନିତ୍ୟ ପ୍ରତିଦିନ ଯାଏ କାରାଗୃହେ 

କ୍ଷୁଧିତ ପିତାଙ୍କ ପାଶ 

ଦେଖୁ ଦେଖୁ ବିତେ ଚାରି ମାସ କାଳ 

ଜାଗେ ବଞ୍ଚିବାର ଆଶ ।।


ପରି ଭ୍ରମଣାର୍ଥେ ଆସିଲେ ରାଜନ 

ଦେଖିଲେ ବୃଦ୍ଧଙ୍କ ମୁହଁ 

ବିଷାଦର ଚିହ୍ନ ନାହିଁ ଆତ୍ମଗ୍ଳାନି 

ବିଚଳିତ ତିଳେ ନୁହଁ ।।


ନିଷିଦ୍ଧ ତ' ଥିଲା ଦାନାପାଣୀ ତାର 

ଜୀବିତ କିଆଁ ରହିଲା 

ଡାକି ଜଗୁଆଳି ଉଚ୍ଚସ୍ବର ତୋଳି 

କହ ବିବରଣୀ ଭଲା ।।


କେମନ୍ତେ ଜୀବନ ପାଇଲା ଏ ପୁଣ 

ବିନା ଖାଦ୍ୟ ଖାଇ ସିଏ 

କର ଅନୁଧ୍ୟାନ ବାର୍ତ୍ତା ଦିଅ ମତେ 

ଚବିଶ ଘଣ୍ଟାର ମଧ୍ୟେ ।।


ନ ହେଲେ ଚଢିବ ଶୁଳି ପରେ ସର୍ବ 

କାରଣ ଦର୍ଶାଅ ମୋତେ 

ଭୟଭୀତ ହେଲେ ସର୍ବ ଜଗୁଆଳି 

କେମିତି ଜାଣିବା ସତେ ।।


ନିରୀକ୍ଷଣ କଲେ ଜାଗ୍ରତ ରହିଣ 

ଆସେ କନ୍ୟା ତାର ପାଶେ 

କାଖେ ଛଅ ମାସ ଶିଶୁକୁ ଧରିଣ 

କ୍ଷୁଧା ନିବାରଣ ଆଶେ ।।


ନିଜ ସ୍ତନ କ୍ଷୀର ପିତାଙ୍କୁ ପିଆଇ 

ଆତ୍ମ ଶାନ୍ତି ଲାଭ କରେ 

ଦେଖି ଏଇ ଦୃଶ୍ୟ ସ୍ତବ୍ଧ ସର୍ବ ଲୋକ 

ଆଖିରୁ ଲୋତକ ଝରେ ।।


ପୁତ୍ରୀ ମମତାକୁ ଦେଖି ରାଜନର 

ତରଳେ କ୍ରୁର ହୃଦୟ 

ଆଶ୍ଚର୍ଯ୍ୟ ଚକିତ ହୋଇ କହେ ସିଏ 

ମୁକ୍ତକର ଯାଇ ବୃଦ୍ଧ ।।


ଅଦ୍ଭୁତ ବନ୍ଧନ କିଣି ନେଲା ମନ 

ବିଗଳିତ କରି ପ୍ରାଣ 

କନ୍ୟାର ଆନନ୍ଦ କି ବର୍ଣ୍ଣିବି ଆଉ 

ପାଇ ପିତାଙ୍କ ଜୀବନ ।।


ଧନ୍ୟ ସେ ଦୁହିତା ଧନ୍ୟ ତା' ମମତା 

ମହୀୟସୀ ଗରିୟାନ 

ନାରୀ ଜାତି ପାଇଁ ଗର୍ବ ଓ ଗୌରବ

ତା' ପାଦେ କରେ ନମନ ।।


ଚିତ୍ରକର ସେ "ନିକୋଲାସ ଲାଙ୍କ୍ରେଟ"

ଆଙ୍କି ଦେଲେ ଚିତ୍ରପଟ 

ହୃଦୟ ସ୍ପର୍ଶୀ ସେ ତୂଳିରେ ଜୀବନ୍ତ

ମମତା ସେ ନିଷ୍କପଟ ।।

A Fallen Soldier

Inspiration: This poem is my tribute to every fallen soldier on the Earth, for the motherland. It touched my heart when a phlegmatic news anchor on TV channel mocked over a rival soldier's death recently. 


Whenever a soldier falls

Where ever, 

On whatever land

For his country

Or whichever motherland

There,

Some mother's heart bleeds

A lady's life shatters

Some kids become orphans

A father loses his last hope

Some lose their brother

Few lose, their,

Brave and Dear Friend.

Whenever a soldier falls,

Country loses,

A real hero of a mother land.


He was a trained soldier

Stood tall on the country's guard

To protect his country,

and his country's pride.

He doesn't hate anyone,

Like a barbarous terrorist.

He doesn't kill innocents,

Like a psychopath militant.

A soldier loves his country,

Far more than his own life.

He doesn't bear grudges,

Even for his counterpart.

He just fights for his country

For safety of his country clan


He may be a rival soldier

Do not mock, for he is fallen.

If you can't shed  a tear,

Don't laugh over his remains.

Revere his bravery

Do not titter over his gear.

Hail his chivalry, for he faught, 

untill, he breath his last.

Rejoice your victory.

Don't redicule his defeat.

He is a fallen soldier,

Salute and honour him, 

With the Last Post.

Pray him a place in heaven,

For his rest in peace.

For his supreme sacrifice.


Col Dr Vasant Ballewar
VASANTRB


Appeal: Please do not mock over a soldier's death. Even if he is from a rival country. This was taught by Lord Krishna in The Bhagwat Geeta too. 


Last Post: The "Last Post" is bugle call used at military funerals, and ceremonies commemorating those who have lost their lives in war.

 

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy