~~~~~~~~~~~~~~~~~~~~~~~~~~~~
ପ୍ରସଂଗ--ମୋର ଗୁରୁଂକ ପ୍ରତି
ମୋ ହୃଦୟର ପରିଭାଷା
~~~~~~~~~~~~~~~~~~~~~~~~~~~~
ମୋ ହୃଦୟର ପରିଭାଷା, ମଣିଷର କଥା, ବ୍ୟଥା ଉପରେ ମୋର ଅଭିବ୍ୟକ୍ତି. ସଂଘର୍ଷ ମୟ ଜୀବନ. ଏ ଜୀବନ କିପରି ଶାନ୍ତିମୟ ହେବ ସେ ଆଶାରେ ସମସ୍ତେ ଅଛେ. ମନରେ ରହିଯାଏ ଅଭୁଲା ସ୍ମୃତି. ସେ ସ୍ମୃତି ନୟନ ଅାଗରେ ଭାସି ଆସେ ଚିତ୍ର ହୋଇ ବିଭିନ୍ନ ତରଙ୍ଗ ରୂପ ନେଇ. ପୁଣି ଉଭେଇ ଯାଏ.
ବିଭିନ୍ନ ପରିସ୍ଥିତିରେ ଜୀବନ ସଂଘର୍ଷ ଶିଖେଇ ଦେଇଛି ବଞ୍ଚିବାର ଅନେକ କୌଶଳ, ଝୁଣ୍ଟିହେଲେ ନିଜକୁ ସମ୍ଭାଳିବା କେମିତି, ଭଲ ପଣର ମହତ୍ତ୍ଵ କେତେ. ଶିଖେଇଛି ସଂସାରରେ ହସି ଖୁସିରେ ବଞ୍ଚିବାର ଆନନ୍ଦ, ଭରସା ଓ ଆତ୍ମବିଶ୍ଵାସ, ଅଦମ୍ୟ ସାହସର ପ୍ରେରଣା.
ମଣିଷର ମନ, ଘର ପରିବାର, ସମଗ୍ର ସଂସାରରେ ଶୃଙ୍ଖଳା ଯେଉଁଠି ନାହିଁ ସେଠି ନା ଅଛି ଜୀବିକାର ଆନନ୍ଦ, କେବଳ ଅଛି ମାତ୍ର ବଞ୍ଚିବାର ପ୍ରବଞ୍ଚନା. ଏହା ଜୀବନ ସଂଘର୍ଷ ଶିଖେଇ ଦେଇଛି.
ଜୀବନ ସଂଘର୍ଷ ଶିଖେଇଛି ଯେ ହଟି ଯାଉ ଧରାରୁ ଆତଙ୍କରାଜ, ଚାଲି ଯାଉ ସବୁରି ମନରୁ ହିଂସାଭାବ, ନ ରହୁ ଲେସ ମାତ୍ର ଛଳନା ପ୍ରତାରଣା ପ୍ରହସନ, ହୋଇଯାଉ ପ୍ରତିଟି ହୃଦୟ କାଚ ପରି ସ୍ବଚ୍ଛ ଓ ସୁନ୍ଦର, ମଣିଷ ମଣିଷକୁ ଭଲ ପାଉ. ଜ୍ଞାନ ବୁଦ୍ଧି ବିବେକ ବିନିଯୋଗ କରି ମଣିଷ ଜୀବ ଜଗତର ଓ ପରିବେଶର ଯତ୍ନ ନେଉ.
ଦେଖିଛି କିଏ କୁହ ସରଗ ପୁର, ସ୍ଵର୍ଗୀୟ ମୋହ, ଅବା ଦେବ ଲୋକ. ଜୀବନ ସଂଘର୍ଷ ଶିଖେଇଛି ଯେ ଲୋଡା ନାହିଁ ସ୍ବର୍ଗ କିନ୍ତୁ ଏ ବସୁନ୍ଧରା ହେଉ ସ୍ନେହ ପ୍ରେମ ଶ୍ରଦ୍ଧା ମମତାର ଗନ୍ତାଘର ଯେଉଁଠି ନ ରହିବ କିଛି ଶଙ୍କା, ସନ୍ଦେହ, ଅବିଶ୍ୱାସ. ପୁରି ରହିଥିବ ଆତ୍ମୀୟତା.
ଜୀବନ ସଂଘର୍ଷ ଶିଖେଇଛି, ଏହା ହାସଲ ପାଇଁ ଦରକାର ଶିକ୍ଷା ବା ବିଦ୍ୟା ବା ଜ୍ଞାନ. ଏହା ହାସଲ ପାଇଁ ଶିକ୍ଷକ ବା ଗୁରୁ ଆବଶ୍ୟକ. ମଣିଷକୁ ଯିଏ ଶିକ୍ଷାଦାନ କରନ୍ତି ସିଏ ଶିକ୍ଷକ. ଯିଏ ବିଦ୍ୟା ବା ଜ୍ଞାନ ପ୍ରଦାନ କରନ୍ତି ସେ ଗୁରୁ. ବିଦ୍ୟା କେବଳ ଆନୁଷ୍ଠାନିକ ବିଦ୍ୟାରେ ସୀମିତ ନୁହେଁ.
ଗୁରୁଙ୍କ ମହିମା ବର୍ଣ୍ଣନା କରି ଆମର ଶାସ୍ତ୍ରରେ ବହୁ ଲେଖା ରହିଛି. ସେଥିରୁ କେତୋଟି ଉପସ୍ଥାପନା କରୁଛି
1. ଗୁକାରସତ୍ଵନ୍ଧକାରସ୍ତୁ ରୁକାର ସ୍ତେଜ ଉଚ୍ୟତେ l
ଅନ୍ଧକାର ନିରୋଧତ୍ୱାତ୍ ଗୁରୁଃରିତ୍ୟଭିଧୀୟତେ ll
2. ଗୁରୁବ୍ରହ୍ମା ଗୁରୁବିଷ୍ଣୁ ଗୁରୁଦେବ ମହେଶ୍ୱର l
ଗୁରୁ ସାକ୍ଷାତ୍ ପରଂବ୍ରହ୍ମ ତସ୍ମୈ ଶ୍ରୀଗୁରବେ ନମଃ ll
3. ସବ ଧରତି କାଗଜ କରୁଁ,ଲିଖନୀ ସବ୍ ବନରାୟ l
ସାତ ସମୁଦ୍ର କୀ ମସି କରୁଁ, ଗୁରୁ ଗୁଣ ଲିଖା ନ ଜାୟ ll
4. ଗୁରୁ ଗୋବିନ୍ଦ ଦୌ ଖଡ଼େ, କାକେ ଲାଗୁଁ ପାୟ l
ବଲିହାରୀ ଗୁରୁ ଅପନେ, ଗୋବିନ୍ଦ ଦିୟୋ ବାତାୟ ll
5. ସଦ୍ଗୁରୁ ସମ କୋଇ ନେହିଁ ସାତ ଦୀପ ନୌ ଖଣ୍ଡ l
ତିନ୍ ଲୋକ ନ ପାଇୟେ, ଅରୁ ଇକ ଇସ ବ୍ରହ୍ମାଣ୍ଡ ll
6. ଗୁରୁ ନ ଥାଇ ତୁ ଅର୍ଜୁନ l କାହୁଁ ପାଇବୁ ସଦଜ୍ଞାନ ll
7. ଅଜ୍ଞାନ ତିମିରାନ୍ଧସ୍ୟ ଜ୍ଞାନାଞ୍ଜନ ଶଳାକୟା l
ଚକ୍ଷୁଉର୍ମିଲତଂ ଯେନ ତସ୍ମେଇ ଶ୍ରୀ ଗୁରବେ ନମଃ ll
8. "ତ୍ରିନ୍ୟାହୁରତିଦାନାନି ଗାଵଃ ପୃଥ୍ୱୀ ସରସ୍ବତୀ ଅତି ଦାନାଂ
ହିଦାନାନାଂ ବିଦ୍ୟାଦାନଂ ତତୋଧିକମ"
9. ଭାଗବତରେ ଭାଗବତକାର ଶ୍ରୀ ଜଗନ୍ନାଥ ଦାସ ଲେଖିଛନ୍ତି :-
ଗୁରୁଙ୍କୁ ନ ମଣିବ ନର l
ଗୁରୁହିଁ ସାକ୍ଷାତ ଈଶ୍ୱର ll
ଶ୍ରୀମଦ ଭାଗବତରେ ଅବଧୂତ ଯଦୂରାଜାଙ୍କୁ ଚବିଶ ଗୁରୁ ପ୍ରସଙ୍ଗରେ କହିଛନ୍ତି.
ମୋର ଗୁରୁ ମାନେ ହେଉଛନ୍ତି ପୃଥିବୀ, ପବନ, ଅଗ୍ନି, ସୂର୍ଯ୍ୟ ଚନ୍ଦ୍ର, ଆକାଶ, ସମୁଦ୍ର, ଭଅଁର, କପୋତ ପକ୍ଷୀ, କୀଟ, ସର୍ପ, ମୀନ, କୁରର ପକ୍ଷୀ, ବ୍ରାହ୍ମଣକନ୍ୟା, ହରିଣ, ଉର୍ଣ୍ଣନାଭ ବା ବୁଢିଆଣୀ, ମହୁମାଛି,ସରକାରକ,ପେଶସ୍କାରୀ କୀଟ ଇତ୍ୟାଦି. ସେ ପିଙ୍ଗଳା ବେଶ୍ୟାକୁ ମଧ୍ୟ ଗୁରୁବୋଲି ଗ୍ରହଣ କରିଛନ୍ତି. ଶ୍ରୀମଦ ଭାଗବତର ଏକାଦଶ ସ୍କନ୍ଧ ଅଷ୍ଟମ,ନବମ ଓ ଦଶମ ଅଧ୍ୟାୟରେ ଚମତ୍କାର ଭାବେ ବର୍ଣ୍ଣିତ ହୋଇଛି :-
ପୃଥିବୀ ପବନ ଅନଳ l
ଉର୍ଦ୍ଧ୍ୱେ ଯେ ଆକାଶ ମଣ୍ଡଳ ll
ରବି ଶଶାଙ୍କ ଆପ ସିନ୍ଧୁ l
ଭ୍ରମର ସର୍ବପୁଷ୍ପ ବନ୍ଧୁ ll
କପୋତ ପକ୍ଷୀ ଗୁରୁମୋର l
ପତଙ୍ଗ ସର୍ପ ଅଜଗର ll
ମୀନ ପିଙ୍ଗଳା ବେଶ୍ୟାନାରୀ l
କୁରର କୁମର କୁମାରୀ ll
ହରିଣ ଉର୍ଣ୍ଣନାଭୀ କରୀ l
ଶରକାରକ ମଧୁହାରି ll
ଆବର କୀଟ ପେଶସ୍କାରୀ l
ମୁଁ ଏତେ ଗୁରୁ ସେବାକରି ll
ଯେତେ ଦିନ ସୂର୍ଯ୍ୟ ଆକାଶରେ ଥିବେ, ଯେତେ ଦିନ ପବନର ପରଶ ଆମେ ପାଉଥିବା, ସେତେ ଦିନ ବିବେକୀ ମଣିଷ ହୃଦୟରେ ଗୁରୁଂକ ପ୍ରତି ଶ୍ରଦ୍ଧା ରହିଥିବ. ମୁଁ ତ ବଂଚିଥିବି ଯେତେ ଦିନ ହୃଦୟରେ ମୋର ଗୁରୁ ମାନଂକୁ ସାଇତି ରଖିଥିବି.
🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏
ଚିତ୍ତ ରଞ୍ଜନ ନନ୍ଦ
ଜଗତପୁର, କଟକ
~~~~~~~~~~~~~~~~~~~~~~~~~~~~
No comments:
Post a Comment