ଡ. ପ୍ରିୟମ୍ବଦା ସାମଲ
ତୁମେ ମୋ ଆକାଶେ
ପୁନେଇଁ ଚାନ୍ଦ
ପ୍ରୀତିର ରଜ୍ଜୁରେ
ମୋତେ ତ ବାନ୍ଧ।
ଦୂରରେ ଥାଇ ବି
ହ୍ରୁଦୟେ ଥାଅ।
ପାଖରେ ଥାଇ ବି
ଦୂରେଇ ଯାଅ।
ଜନ୍ମ ଜନ୍ମାନ୍ତର
ତପସ୍ୟା ପରେ
ଆସିଛ ତୁମେ ହେ
ମୋର ଭାଗ୍ଯରେ।
ତୁମେ ମୋ ମନର
ଫୁଲ ଫଗୁଣ
ପ୍ରେୟସୀ ହ୍ରୁଦୟେ
ଝରାଇ ଶ୍ରାବଣ।
ପ୍ରୀତିର ଜୋଛନା
ଗୀତିର ସ୍ବର
ବିରହୀ ପ୍ରାଣର
ମେଘ ମହ୍ଲାର।
ଫୁଲର ସୁରଭି
ମୋ ପାଇଁ ତୁମେ
ଯେସନେ ଝରଣା
ସାଗରେ ସମେ।
ସତେଜ ଫୁଲର
ମହକରେ ତୁମେ
ସାତ ସୁର ବଇଁଶୀର
ମନେ ମୋର ଭ୍ରମେ।
ବିଶ୍ବାସରେ ଗଢା ଆମ
ପବିତ୍ର ବନ୍ଧନ
ଏକ ପ୍ରାଣେ ବନ୍ଧା
ଆମ ଦୁଇଟି ଏ ମନ।
ତୁମ ପ୍ରେମର ଝରଣା
ଝର ଝର ବହୁଥାଏ
ହସି ହସି ମୁହିଁ ସବୁ ଝଡଝଂଜା
ମଥାପାତି ସହି ନିଏ।
ତୁମରି ପ୍ରେରଣା ସମୀରଣ ହୋଇ
ମନ୍ଦ ମନ୍ଦ ହସୁଥାଏ
ଜୀବନର ଘୂର୍ଣ୍ଣିବଳୟରେ
ବତୀଘର ହୋଇ କର୍ମ କରୁଥାଏ।
ଜବାହର ନବୋଦୟ ବିଦ୍ଯାଳୟ ଗଜପତି।
No comments:
Post a Comment