ତାଳବଣ ଦେଇ ଆକାଶ ମଥାନେ
ସୂର୍ଯ୍ୟ ଯେବେ ଉଇଁ ଆଏ।
ଧୂମ୍ରାଭ ପଟଳ ହଟିହଟି ଯାଏ
କୁଝ୍ଝଟି ଅପସରି ଯାଏ।
ସ୍ବର୍ଣ ରେଣୁ ବୁଣି ଧୌତକରେ ଧରଣୀ
କାକର ଉଭେଇଯାଏ।
ଶିଶିର ଭିଜା ତନୁ ତରୁଲତା ଗୁଲ୍ମ
ତେଜୋଦିପ୍ତ ହୋଇଯାଏ।
ରଙ୍ଗ ଓଢଣୀଟାଣି ପୂର୍ବଦିଶାରାଣୀ
ସିନ୍ଦୁରିମା ବିଞ୍ଛିି ଦିଏ।
ସୂରୁଜର ବିନ୍ଦି ନାଇଁ ମଥା ପରେ
ଆସି ଉପଗତ ହୁଏ।
ପକ୍ଷୀଙ୍କ ରାଗିଣୀ ମନ ନିଏ କିଣି
ପୁଷ୍ପ କୋରକ ମୁକୁଳି ଯାଏ।
ସରୋବରେ ନଳିନୀ ପାଖୁଡାଦେଇ ଟାଣି
ପ୍ରିୟତମ ମନ ମୋହେ।
ଭ୍ରମର ପ୍ରଜାପତି ମଧୁର ସନ୍ଧାନେ
ଚଳନ୍ତି ପାଦପ ପାଶେ।
ପୁଷ୍ପ ପୁଷ୍ପ ବୁଲି ସମ୍ପାଦନ୍ତି ମଧୁ
ନିଯେ ରହିଯାଇ ଶୋଷେ।
ସୂର୍ଯ୍ୟମୁଖୀ ଫୁଲ ଛତ୍ରଟାଣି ମୁକୁଳ
ଲୋଭନୀୟ କରେ ଧରା।
ପ୍ରୀତିର ପରଶେ ସୂର୍ୟ ଦେଖି ହସେ
ଧରେ ପ୍ରସାରିଣ ଖରା।
ନବଉନ୍ମାଦନାଖେଳେ ପ୍ରାଣେ ପ୍ରାଣେ
ତମସା ଯାଇଛି ଫେରି।
ବିଭାବରୀ ଶେଷେ ଦିବା ଆଗମନେ
ନିଦ୍ରାଯାଏ ଅପସରି।
ମାଧବୀ ପଟେଲ।
No comments:
Post a Comment