Thursday, July 30, 2020

କୋରୋନା ରାଜ

କୋରୋନା ରାଜ

ଦେହଟାରେ ଟିକେ ଉଷୁମ ଜାଗିଲେ
ଆଖିରୁ ଦି ଟୋପା ଲୁହ ଗଡିଗଲେ
ନାକରୁ ଦି ଧାର ପାଣି ବୋହିଗଲେ
ଗଳାଟା ଟିକିଏ ଖିଚ୍ ଖିଚାଇଲେ
ଛାତିରେ ଛନକା ପଶୁଛି
ରୋଗ ବ୍ଯାଧି କଥା ଜଣା ନ ଥିଲେ ବି
କୋରୋନା କୋରୋନା ଲାଗୁଛି !

ଆଖି ଆଗେ କିଏ ଚାଲି ଯାଉଥିଲେ
ଦୁଧ ବାଲା ଦୁଧ ବୋତଲ ଆଣିଲେ
ନିଉଜ ହକର ପେପର୍ ଫିଙ୍ଗିଲେ
ମୁଖ୍ୟ ଫାଟକେ କେ ଠକ୍ ଠକ୍ କଲେ
ମନରେ ସନ୍ଦେହ ଜାଗୁଛି
ତାଙ୍କ ବିଷୟରେ କିଛି ନ ଜାଣି ବି
କୋରୋନା କୋରୋନା ଭାବୁଛି ।

ଆତ୍ମୀୟ ସ୍ବଜନ ଘରକୁ ଆସିଲେ
ପଡା ପଡୋଶୀଏ ଭେଟି ପଠାଇଲେ
ପରିବା ବାଲାଠୁଁ ପରିବା କିଣିଲେ
ରାସନ ବାଲାଠୁଁ ରାସନ ଆଣିଲେ
ମନରେ ସନ୍ଦେହ ଜାଗୁଛି
ଖାଣ୍ଟି ଷୋଳଅଣା ନିରୋଗ ଲୋକ ବି
କୋରୋନା କୋରୋନା ବାସୁଛି ।

ରାସ୍ତା ଚାଲୁ ଚାଲୁ ମଣିଷ ଦେଖିଲେ
କାଶିବା ଛିଙ୍କିବା ଶବଦ ଶୁଭିଲେ
ଜ୍ବର ରୋଗ କଥା କା ମୁଖୁ ଶୁଣିଲେ
ମନ ମାରି କିଏ ବାଟ ଚାଲୁଥିଲେ
ମନଟା ବିଷେଇ ଉଠୁଛି
ଆଉ କେଉଁ ଭାବ ଆସୁ କି ନ ଆସୁ
କୋରୋନା ଭାବଟା ଆସୁଛି ।

ବଜାର ଘାଟରେ ଗହଳ ଦେଖିଲେ
ପୁଲିସ ଭ୍ଯାନ୍ ର ଶବଦ ଶୁଣିଲେ
ଆମ୍ବୁଲ୍ଯାନ୍ସର ସାଇରନ୍ ବାଜିଲେ
କିଏ ମରିଯିବା ଖବର ଶୁଣିଲେ
ଗୋଟିଏ ଭାବନା ଆସୁଛି-
ବୋଧେ କୋରୋନା କାହାକୁ ଗ୍ରାସିଛି ।

ବନ୍ଧୁ ବର୍ଗଙ୍କର ବାହା ବ୍ରତ ହେଲେ
ଆତ୍ମୀୟ ସ୍ବଜନ ଦେହ ତ୍ଯାଗ କଲେ
ନୂଆ କରି କେହି ଗୃହେ ପ୍ରବେଶିଲେ
ସାଙ୍ଗସାଥୀଙ୍କର ଜନ୍ମ ଦିନ ହେଲେ
ଯିବାକୁ ବିବେକ ଠେଲୁଛି
ଭିଡିମୋଡି ହୋଇ ଘରୁ ବାହାରିଲେ
କୋରୋନା ଆକଟ କରୁଛି ।

ଶାସକ ଶିକ୍ଷକ ଦକ୍ଷ ଚିକିତ୍ସକ
ଦାର୍ଶନିକ ଅବା ବିଜ୍ଞ ବୈଜ୍ଞାନିକ
ପୁଲିସ ସୈନିକ କିମ୍ବା ସଂସ୍କାରକ
ବ୍ଯବସାୟୀ ଶିଳ୍ପପତି ବା କୃଷକ
ସର୍ବ ମନୋବଳ ଭାଙ୍ଗିଛି
ବିଶ୍ବ ଦରବାରେ ଏକଚ୍ଛତ୍ର ବାଦୀ
କୋରୋନା ର ରାଜ ଚାଲିଛି !!!

ଡଃ•ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ
ଦିଗପହଣ୍ଡି । ଗଞ୍ଜାମ
ଓଡ଼ିଶା

No comments:

Post a Comment

Disclaimer

For all support related issues or to reach our team, Please check below details.
Ph. +91 8668656155 | contact@spreadhappiness.co.in | Link : https://www.facebook.com/spreadhpy