ହେ ବୃକ୍ଷ !
ତୁମେ ଅଟ ଦେବ ଦେବ ପୁଣି ମହା ଦେବ,
ତୁମ ବିନା ସୃଷ୍ଟି କେବେ ନୁହଇ ସଂଭବ ।୧।
ତୁମେ ପରା ଅନ୍ତର୍ଯାମୀ, ବାଂଛା କଳ୍ପ ବଟ,
ମସ୍ତକରେ ବିରାଜିତ ଘନ ଜଟା ଜୁଟ ।୨।
କଟିରେ ବକଳ ଶିରେ ଫୁଲ,ଫଳ,ଦଳ,
ସତେ କିବା ରୁଦ୍ର ପରି ଧରି ମୁଣ୍ଡ ମାଳ ।୩।
ଆଜନ୍ମ ବ୍ରହ୍ମଚାରୀ ଯୋଗୀ ମହେଶ୍ୱର,
ଧ୍ୟାନମଗ୍ନ ସାଧୁ ପରି ଥାଅ ତରୁବର ।୪।
ସହିନାନା ବାଧା ବିଘ୍ନ ଅନେକ ପ୍ରକାର,
ଧୁ-ଧୁ ଖରା,ବର୍ଷା,ବନ୍ୟା,ଶୀତ ଓ କାକର ।୫।
ଝଡ,ବତାସରେ,ତନୁ ଧୂଳି ଓ ଧୂଷର,
ନିଦାଘର ଦାବାନଳେ ଦହଇ ଶରୀର ।୬।
ହେ ବୃକ୍ଷ ପ୍ରବର !
ତଥାପି ବି ଦୁଃଖ ନାହିଁ,ନାହିଁ ତିଳେ ଡର,
ନିର୍ଲୋଭ,ନିର୍ଭିକ,ସ୍ଥିତ ପ୍ରଜ୍ଞ,ନିର୍ବିକାର ।୭
ପ୍ରତିବଦ୍ଧ, ପ୍ରତିଜ୍ଞାରେ, ଅଟଳ ଉଦାର,
ଭୀରୁ କାପୁରୁଷ ନୁହଁ ଧୌର୍ଯ୍ୟ ଧୁରନ୍ଦର ।୮।
ବେଳେ ବେଳେ ବତାସରେ ଅତିଷ୍ଠ ଅନ୍ତର,
କ୍ଷତାକ୍ତ ଶରୀରେ କରେ ଆଶାର ସଂଚାର ।୯।
ହସିଉଠେ ଅପରୂପ ଶୋଭାର ସଂଭାର,
ଫେରି ପାଏ ଅତୀତର ସଂପଦ ଅପାର ।୧୦।
ଆଶା ଅସୁମାରୀ ନେଇ ସ୍ୱପ୍ନରେ ବିଭୋର,
ଆହ୍ୱାନ କରଇ ପୁଣି ତାପ୍ରିୟ ପ୍ରବର ।୧୧।
ବିହଙ୍ଗେ କାଠି କୁଟାରେ ତୋଳେ ନିଜ ଘର,
କାକଳିର କଳରବେ କରନ୍ତି ମୁଖର ।୧୨।
ପ୍ରଲମ୍ବିତ ଶାଖା ତଳେ ଆଶ୍ରିତ ଆବର,
ପଥଚାରୀ,ପ୍ରାଣୀ ଗଣ ଲୋଡନ୍ତି ପୟର ।୧୩।
ଶୀତଳ ସମୀର ପାଇ ଶ୍ରମ କରେ ଦୂର,
ପୁଣି କାଠୁରିଆ କାଟି ହୁଅଇ ନିଷ୍ଠୁର ।୧୪।
ସ୍ୱାର୍ଥର ସାଧନେ ବ୍ୟସ୍ତ ବିବ୍ରତ ଯେ ନର,
ସମର୍ପି ଦିଅ ଦଧିଚୀ ଯେସନ ଶରୀର ।୧୫।
ସିଏ ପରା ବୃକ୍ଷ !
ସେବା,ଦୟା,ଧର୍ମ ଯାର ବ୍ରତ ଜୀବନର,
ସମର୍ପଣ କରି ସୁଖ ପାଏ ନିରନ୍ତର ।୧୬।
ସଂସାରର ମଙ୍ଗଳରେ ଉଦିଷ୍ଟ ଯାହାର,
ଅଭାବେ ଅବନୀ ଦିନେ ହେବ ଛାର ଖାର ।୧୭।
ହେ ବୃକ୍ଷ ବର !
ତୁମେ ସୌମ୍ୟ୍,ଶାନ୍ତ,ଶିବ,ସତ୍ୟ ଶାଶ୍ୱତର,
ଅପରୂପ ସବୁଜିମା ଶୋଭା ନିରନ୍ତର ।୧୮।
ଜଗତର ହିତପାଇଁ ଜନମ ତୁମର,
ତୁମ ବିନା ବିଶ୍ୱ ଦିନେ ହୋଇବ ଅସ୍ଥିର ।୧୯।
ସତେ ଅବା; ତୁମେ ବ୍ରହ୍ମା,ବିଷ୍ଣୁ,ସ୍ୱୟମ୍ଭୁ ଶଙ୍କର,
ତେଣୁ ତୁମପାଦେ କୋଟି-କୋଟି ନମସ୍କାର ।୨୦।
ଅଜିତ କୁମାର ତ୍ରିପାଠୀ (ଶିକ୍ଷକ)
ଗ୍ରାମ/ ପୋଷ୍ଟ - କୁଲାଡ଼, ଭଞ୍ଜଭୂମି
ଭଞ୍ଜନଗର, ଗଞ୍ଜାମ- ୭୬୧୧୩୧
ବହୁତ ସୁନ୍ଦର ଲେଖା ଟି
ReplyDelete